Unknown

 

 

 

 

 

 

 

 

 

 

 

ମହାଭାରତ କାହାଣୀ

ଅଧ୍ୟାପକ ଶ୍ରୀଧର ଦାସ

 

କୌରବ ଓ ପାଣ୍ଡବ :

 

ଆଜିକାଲି ଯେଉଁଠାରେ ଦିଲ୍ଲୀ ଅବସ୍ଥିତ, ବହୁକାଳ ପୂର୍ବେ ସେଠାରେ ହସ୍ତିନା ବୋଲି ଗୋଟିଏ ସୁନ୍ଦର ନଗର ଥିଲା । ଚନ୍ଦ୍ରବଂଶୀୟ ରାଜାମାନଙ୍କର ଏହା ରାଜଧାନୀ ଥିଲା । କାଳକ୍ରମେ ଏହି ଚନ୍ଦ୍ରବଂଶରେ କୁରୁ ନାମରେ ଜଣେ ବିଖ୍ୟାତ ରାଜା ରାଜପଣ କରିଥିଲେ । ତାଙ୍କ ପରେ ସେହି ବଂଶର ରାଜାମାନେ କୌରବ ନାମରେ ପ୍ରସିଦ୍ଧି ଲାଭ କରିଥିଲେ ।

 

କୁରୁବଂଶରେ ଧୃତରାଷ୍ଟ୍ର ଓ ପାଣ୍ଡୁ ନାମରେ ଦୁଇ ଭାଇ ଜନ୍ମିଥିଲେ । ଧୃତରାଷ୍ଟ୍ର ବଡ଼ଭାଇ ହୋଇଥିବାରୁ ରାଜ୍ୟର ଉତ୍ତରାଧିକାରୀ ଥିଲେ;କିନ୍ତୁ ସେ ଜନ୍ମାନ୍ଧ ଥିଲେ । ତେଣୁ ସାନଭାଇ ପାଣ୍ଡୁ ରାଜା ହେଲେ । ପାଣ୍ଡୁଙ୍କର ଦୁଇ ପତ୍ନୀ ଥିଲେ;କୁନ୍ତୀ ଓ ମାଦ୍ରୀ । କୁନ୍ତୀଙ୍କ ଗର୍ଭରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ନାମରେ ତିନି ପୁତ୍ର ଓ ମାଦ୍ରୀଙ୍କ ଗର୍ଭରୁ ନକୁଳ ଓ ସହଦେବ ନାମରେ ଦୁଇ ପତ୍ର ଜନ୍ମିଥିଲେ-। ପାଣ୍ଡୁଙ୍କର ଏହି ପାଞ୍ଚ ପୁତ୍ର ପାଣ୍ଡବ ନାମରେ ପରିଚିତ ହେଲେ ।

 

ଧୃତରାଷ୍ଟ୍ରଙ୍କ ପତ୍ନୀଙ୍କର ନାମ ଗାନ୍ଧାରୀ । ଏହାଙ୍କ ଗର୍ଭରୁ ଦୁର୍ଯ୍ୟୋଧନ,ଦୁଃଶାସନ ପ୍ରଭୃତି ଏକ ଶତ ପୁତ୍ର ଜନ୍ମଗ୍ରହଣ କରିଥିଲେ । ଧୃତରାଷ୍ଟ୍ର ଓ ପାଣ୍ଡୁ ଉଭୟେ କୁରୁଙ୍କର ବଂଶଧର ହୋଇଥିଲେ ହେଁ, କେବଳ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ କୌରବ କୁହାଯାଉଥିଲା ।

 

କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜ୍ୟେଷ୍ଠ ଥିଲେ । ତେଣୁ ଧୃତରାଷ୍ଟ୍ର ବଡ଼ଭାଇ ହୋଇଥିଲେ ହେଁ ତାଙ୍କର ଜ୍ୟେଷ୍ଠପୁତ୍ର ଦୁର୍ଯ୍ୟୋଧନ ରାଜପଦରୁ ବଞ୍ଚିତ ହେଲେ ଓ ଯୁଧିଷ୍ଠିର ସେହି ପଦର ଯୋଗ୍ୟ ହେଲେ । ଦୁଦ୍ଦୈବବଶତଃ ପାଣ୍ଡୁଙ୍କର ମୃତ୍ୟୁ ହେଲା ଓ ଜନ୍ମାନ୍ଧ ଧୃତରାଷ୍ଟ୍ର ନାମମାତ୍ର ରାଜା ହୋଇ ରହିଲେ । ମାଦ୍ରୀ ପତିଙ୍କର ଚିତାନଳରେ ଆତ୍ମବିସର୍ଜନ ଦେଲେ-। ତେଣୁ କୁନ୍ତୀ ସପତ୍ନୀଙ୍କର ଦୁଇ ପୁତ୍ରଙ୍କୁ ନିଜ ପୁତ୍ର ପରି ପାଳିଲେ । ଏହି ପାଞ୍ଚ ଭାଇଙ୍କର ମନ ଖୁବ୍‌ ମିଳୁଥିଲା ଓ ସମସ୍ତେ ବଡ଼ଭାଇ ଯୁଧିଷ୍ଠିରଙ୍କୁ ଭକ୍ତି କରି ତାଙ୍କ କଥା ଅନୁସାରେ ଚଳୁଥିଲେ-

 

ଧୃତରାଷ୍ଟ୍ର ନିଜର ଶହେ ପୁଅଙ୍କ ସଙ୍ଗେ ପାଣ୍ଡୁଙ୍କର ପାଞ୍ଚ ପୁଅଙ୍କୁ ରଖି ଶିକ୍ଷା ଦିଆଇଲେ-

 

ଦୁର୍ଯ୍ୟୋଧନଙ୍କର ଇର୍ଷା

 

ଦୁର୍ଯ୍ୟୋଧନ ଧୃତରାଷ୍ଟ୍ରଙ୍କର ବଡ଼ପୁଅ । ପୁଣି ଧୃତରାଷ୍ଟ୍ର ଥିଲେ ପାଣ୍ଡୁଙ୍କର ବଡ଼ଭାଇ; କିନ୍ତୁ ଯୁଧିଷ୍ଠିର ବୟସରେ ବଡ଼ ହୋଇଥିବାରୁ ଦେଶର ପ୍ରଥା ଅନୁସାରେ ଧୃତରାଷ୍ଟ୍ରଙ୍କ ଅନ୍ତେ ସେ ରାଜା ହେବାର କଥା । ଦୁର୍ଯ୍ୟୋଧନ ଏହା ସହି ପାରୁ ନଥିଲେ । ପୁଣି ପାଣ୍ଡବମାନଙ୍କ ଭିତରେ ଭୀମ ଅତ୍ୟନ୍ତ ବଳଶାଳୀ ଥିଲେ । ବାଲ୍ୟକାଳରୁ ସେ ତାଙ୍କ କୌରବମାନଙ୍କ ଉପରେ ଅତ୍ୟାଚାର କରିବ, ଏହି ଆଶଙ୍କାରେ ଦୁର୍ଯ୍ୟୋଧନ ଭୀମଙ୍କର ଅନିଷ୍ଟ ଚିନ୍ତା କରିବାକୁ ଲାଗିଲେ ।

 

ଭୀମଙ୍କ ବିଷଲଡ଼ୁ ଭକ୍ଷଣ

 

ଥରେ ସବୁ ଭାଇଯାକ ଗାଧୋଇବା ପାଇଁ ଗଙ୍ଗାରୁ ଯିବାକୁ ବାହାରିଲେ । ସେମାନଙ୍କ ପାଇଁ ଗଙ୍ଗାକୂଳରେ ଗୋଟାଏ ତମ୍ବୁ ପଡ଼ିଲା । ସେଥିରେ ମିଠେଇ ଜମା କରାଗଲ ।

ରାଜପୁତ୍ରମାନେ ଗଙ୍ଗାକୂଳରେ ପହଞ୍ଚି ତମ୍ବୁରେ ରହିଲେ । ଆପଣା ଆପଣା ଭିତରେ ମିଠେଇ ଖୁଆହୋଇ ହେଲେ । ଦୁର୍ଯ୍ୟୋଧନ ଗୋଟିଏ ମିଠେଇରେ ଆଗରୁ ବିଷ ଦେଇ ରଖିଥିଲେ-। ବେଳ ଦେଖି ସେ ସେଇଟିକୁ ଭୀମଙ୍କୁ ଖୁଆଇଦେଲେ ।

ତାହାପରେ ସମସ୍ତେ ସ୍ନାନ କରିବାକୁ ଗଙ୍ଗାରେ ପଶିଲେ । ଅନେକ ବେଳଯାଏ ରାଜପୁତ୍ରମାନେ ନଦୀରେ ପହଁରିଲେ । ଗୋଧୋଇ ସାରି କୂଳକୁ ଆସି ନିଜ ନିଜ ଲୁଗାପଟା ପିନ୍ଧିଲେ । କିନ୍ତୁ ଭୀମଙ୍କୁ ବିଷ ଘାରିବାରୁ ସେ ନଦୀକୂଳରେ ଶୋଇପଡ଼ିଲେ । ଗୋଳମାଳ ଭିତରେ ତାଙ୍କ କଥା କାହାରି ମନେ ନାହିଁ; କେବଳ ଦୁର୍ଯ୍ୟୋଧନ ଜାଣନ୍ତି । ସମସ୍ତେ ତମ୍ୱୁକୁ ଆସିବାରୁ ସେ ଯାଇ ଭୀମଙ୍କର ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଦେଇ ଚାଲିଆସିଲେ ।

ଭୀମ ନଇରେ ଭାସି ଭାସି ପାତାଳପୁରରେ ପହଞ୍ଚିଲେ । ପାତାଳପୁରରେ କେବଳ ନାଗମାନେ ବାସ କରନ୍ତି । ସେମାନେ ଭୀମଙ୍କୁ ଚୋଟ ଉପରେ ଚୋଟ ବସାଇଲେ । ଏହାର ଫଳ କିନ୍ତୁ ଭୀମଙ୍କୁ ବଡ଼ ଉପକାର କଲା । ବିଷକୁ ବିଷ କାଟେ । ସାପବିଷରେ ଭୀମ ଖାଇଥିବ ମିଠେଇର ବିଷ ଛାଡ଼ିଗଲା । ନାଗମାନଙ୍କର ରାଜା ବାସୁକି ଆସି ଭୀମଙ୍କୁ ଚିହ୍ନିଲେ । ସେ ଆନନ୍ଦରେ ଭୀମଙ୍କୁ ଘରକୁ ନେଇ ଦିନାକେତେ ରଖି ଚର୍ଚ୍ଚା କଲେ । କିଛିଦିନ ପରେ ବାସୁକି ଭୀମଙ୍କୁ ଆଜି ପୁଣି ଗଙ୍ଗାକୂଳରେ ଛାଡ଼ିଦେଇଗଲେ ।

 

ଗଙ୍ଗାସ୍ନାନରୁ ସବୁ ପୁଅ ଆସିଲେ; ମାତ୍ର ଭୀମ ନ ଆସିବାରୁ କୁନ୍ତୀଙ୍କ ମନରେ ନାନା ଚିନ୍ତା ହେଲା । ସେ ଭାବିଲେ, ‘‘ଦୁର୍ଯ୍ୟୋଧନ ମୋ ପୁଅ ଭୀମକୁ ହିଂସା କରି ମାରିପକାଇଲା କି ?’’ ବିଦୁର ତାଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘ଭାଉଜ, ତୁମେ ଭୀମ ପାଇଁ ଚିନ୍ତା କର ନାହିଁ । ଜଗତରେ କେହି ତାର କିଛି ଅନିଷ୍ଟ କରି ପାରିବେ ନାହିଁ ।’’

 

କିଛି ଦିନ ପରେ ଭୀମ ଫେରିଆସିବାରୁ ପାଣ୍ଡବମାନେ ଆନନ୍ଦିତ ହେଲେ । ଦୁର୍ଯ୍ୟୋଧନଙ୍କର କୌଶଳ ଜଣାପଡ଼ିଗଲା । କିନ୍ତୁ ଯୁଧିଷ୍ଠିର ଏ ବିଷୟରେ କାହାରିକୁ କିଛି ନ କହିବା ପାଇଁ ଭାଇମାନଙ୍କୁ ସାବଧାନ କରିଦେଲେ ।

 

ଏକଲବ୍ୟ :

 

ଧୃତରାଷ୍ଟ୍ର ପଞ୍ଚପାଣ୍ଡବ ଓ ନିଜ ପୁଅ କୌରବମାନଙ୍କ ପାଇଁ ଜଣେ ଉପଯୁକ୍ତ ଗୁରୁ ଖୋଜିଲେ। ସେ କାଳରେ ଦ୍ରୋଣ ଧନୁର୍ବିଦ୍ୟାରେ ଶ୍ରେଷ୍ଠ ବୋଲି ପରିଚିତ ଥିଲେ। ତେଣୁ ତାଙ୍କୁ ହିଁ ଗୁରୁରୂପେ ନିଯୁକ୍ତ କରାଗଲା ।

 

ଦ୍ରୋଣ ଭରଦ୍ୱାଜ ମୁନିଙ୍କ ପୁତ୍ର । ତପସ୍ୟା କରି ସେ ସବୁ ବିଦ୍ୟା ଆୟତ୍ତ କରିଥିଲେ । ଯେଉଁ ପରଶୁରାମ ପୃଥିବୀରୁ ଏକୋଇଶ ଥର କ୍ଷତ୍ରିୟବଂଶ ନିପାତ କରିଥିଲେ, ସେ ଥିଲେ ଦ୍ରୋଣଙ୍କର ଗୁରୁ । ଦ୍ରୋଣଙ୍କୁ ଗୁରୁରୂପେ ପାଇ କୌରବ ଓ ପାଣ୍ଡବମାନେ ଅଳ୍ପ ଦିନ ମଧ୍ୟରେ ଯୁଦ୍ଧିବିଦ୍ୟାରେ କୃତିତ୍ୱ ଅର୍ଜିଲେ । ଦ୍ରୋଣଙ୍କ ଶିଷ୍ୟମାନଙ୍କ ଭିତରେ ଅର୍ଜୁନ ଧନୁର୍ବିଦ୍ୟାରେ ସବୁଠାରୁ ବେଶି ସୁନାମ ପାଇଲେ । ଭୀମ ଓ ଦୁର୍ଯ୍ୟୋଧନ ଗଦାଯୁଦ୍ଧରେ ନିପୁଣ ହେଲେ। ନକୁଳ ଓ ସହଦେବ ଉତ୍ତମରୂପେ ଅସିକ୍ରୀଡ଼ା ଶିକ୍ଷା କଲେ । ରଥଚାଳନାରେ ଯୁଧିଷ୍ଠିର ବିଶେଷ କୃତିତ୍ୱ ଦେଖାଇଲେ ।

 

ହିରଣ୍ୟଧନୁ ବୋଲି ଜଣେ ଶବରରାଜା ଥିଲେ । ତାଙ୍କର ପୁଅଟିର ନାମ ଏକଲବ୍ୟ । ସେ ପିଲାଦିନରୁ ଧନୁଶର ଧରି ଲାଖ ମାରି ଶିଖିଥିଲା । ସର୍ବଦା ଧନୁଶର ଧରି ସେ ବନ ମଧ୍ୟରେ ବୁଲୁଥିଲା ଓ ବନର ହିଂସ୍ରଜନ୍ତୁମାନଙ୍କୁ ଦେଖିଲେ ସେମାନଙ୍କୁ ସେହି ଧନୁଶର ସାହାଯ୍ୟରେ ଶିକାର କରୁଥିଲା ।

 

ସେ ଦିନେ ଶୁଣିଲା ଯେ ଅର୍ଜ୍ଜୁନ ଧନୁଶର ଧରି ଲାଖ ବିନ୍ଧିବାରେ ଖୁବ୍‌ ଯଶ ଅର୍ଜିଛନ୍ତି; ଆଉ ତାଙ୍କୁ ଏ ବିଦ୍ୟା ଶିକ୍ଷା ଦେଇଛନ୍ତି ଦ୍ରୋଣାଚାର୍ଯ୍ୟ । ସେ ଭାବିଲା—ଏଇ ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁ କରି ତାଙ୍କଠାରୁ ଧନୁର୍ବିଦ୍ୟା ଶିଖିବି; ତାହାହେଲେ ଲୋକେ ଅର୍ଜୁନଙ୍କ ପରି ମୋତେ ମଧ୍ୟ ପ୍ରଶଂସା କରିବେ ।

 

ଏହିପରି ବିଚାର ଦିନେ ସେ ହସ୍ତିନାରେ ପହଞ୍ଚିଲା । ଦେଖିଲା, ଦ୍ରୋଣାଚାର୍ଯ୍ୟ ରାଜପୁତ୍ରମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଉଛନ୍ତି । ସେ ତାଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରି କରଯୋଡ଼ି ଛିଡ଼ା ହେଲା । ଦ୍ରୋଣାଚାର୍ଯ୍ୟ ତାକୁ ଚାହିଁ ପଚାରିଲେ,‘‘ବତ୍ସ ! ତୁ କିଏ ? ଏଠାକୁ ଆସିବାର ଉଦ୍ଦେଶ୍ୟ କଅଣ ?’’

 

ଏକଲବ୍ୟ ଅତି ବିନୀତଭାବରେ ଉତ୍ତର କଲା, ‘‘ଗୁରୁଦେବ, ମୁଁ ହେଉଛି ଶବରରାଜ ହିରଣ୍ୟଧନୁଙ୍କର ପୁତ୍ର ଏକଲବ୍ୟ । ଆପଣଙ୍କର ଶ୍ରୀଚରଣ ସେବା କରି ଆପଣଙ୍କର ଶିକ୍ଷ୍ୟ ହେବା ଆଶାରେ ଆସିଅଛି । ମୋତେ ଶିଷ୍ୟରୂପେ ଗ୍ରହଣ କଲେ ମୋତେ ଜୀବନ ସାର୍ଥକ ହେବ !’’

 

ବାଳକଟିର ବଳିଷ୍ଠ ଦେହ, ମୁଖର ଦୀପ୍ତି ଓ ଆଚରଣରେ ବିନୟଭାବ ଦେଖି ଦ୍ରୋଣ ତାହା ପ୍ରତି ସନ୍ତୁଷ୍ଟ ହୋଇଯାଇଥିଲେ । କିନ୍ତୁ ଯେତେବେଳେ ଶୁଣିଲେ ଯେ ସେ ଗୋଟିଏ ଶବର ପିଲା, ସେତେବେଳେ ଦ୍ରୋଣ ମନେମନେ ବିଚାରିଲେ, ‘‘ଶବରମାନେ ମ୍ଳେଛ, ଅସ୍ପୃଶ୍ୟ । ନୀଚ ଜାତିର ପିଲାଙ୍କୁ ଶିଷ୍ୟରୂପେ ଗ୍ରହଣ କରିବା ଶାସ୍ତ୍ରରେ ନିଷିଦ୍ଧ । ପୁଣି ଏଠାରେ କେବଳ ରାଜପୁତ୍ରମାନେ ଯୁଦ୍ଧବିଦ୍ୟା ଶିକ୍ଷା କରୁଅଛନ୍ତି। ସେମାନଙ୍କ ସହିତ ଏ ଶବରପିଲାକୁ ଶିକ୍ଷାଦେବା ସମ୍ପୂର୍ଣ୍ଣ ଅସମ୍ଭବ ।’

 

ଏହିପରି ଚିନ୍ତା କରି ଦ୍ରୋଣାଚାର୍ଯ୍ୟ କହିଲେ, ‘ବତ୍ସ ତୁ ଶବରପୁତ୍ର ହୋଈ ରାଜପୁତ୍ରମାନଙ୍କ ସହିତ ଯୁଦ୍ଧବିଦ୍ୟା ଶିଖିବାର ଆଶା କରୁଛୁ କିପରି ? ଯାଆ,ମୁଁ ତୋତେ ଶିଷ୍ୟରୂପେ ଗ୍ରହଣ କରିବାକୁ ଅକ୍ଷମ ।

ଏକଲବ୍ୟ କେତେ ଆଶା କରି ଆସିଥିଲା; କିନ୍ତୁ ମୁହୂର୍ତ୍ତକେ ତାର ସେହି ଆଶା ଧୂଳିସାତ୍‌ ହୋଇଗଲା । ତାର ମନରେ ଦୁଃଖ ହେଲା ସତ; କିନ୍ତୁ ଦ୍ରୋଣଙ୍କ ପ୍ରତି ତାର ଭକ୍ତି ପୂର୍ବପରି ଅଟଳ ହୋଇ ରହିଲା । ସେ ତାଙ୍କ ପାଦତଳେ ପ୍ରଣାମ କରି ବିଦାୟ ନେଲା । ସେ ଫେରିଯାଇ ମନେମନେ ଭାବିଲା,’’ନୀଚ ଶବର ଜାତିରେ ଜନ୍ମିଥିବାରୁ ମୋତେ ଦ୍ରୋଣାଚାର୍ଯ୍ୟ ଶିଷ୍ୟରୂପେ ଗ୍ରହଣ କଲେ ନାହିଁ ସତ; ମାତ୍ର ମୁଁ ତାଙ୍କୁ ଗୁରୁରୂପେ ମୋ ହୃଦୟରେ ସ୍ଥାନ ଦେଇଅଛି। ଶୁଣାଅଛି, ଗୁରୁଙ୍କର ପୂଜା ଆରାଧନା କଲେ ଶିଷ୍ୟର ମନୋବାଞ୍ଚ୍ଥା ପୂର୍ଣ୍ଣ ହୁଏ । ଦ୍ରୋଣାଚାର୍ଯ୍ୟ ମୋର ହୃଦୟ-ସିଂହାସନ ଅଧିକାର କରିଅଛନ୍ତି। ତାଙ୍କଠାରେ ଭକ୍ତି ରଖି ସାଧନା କଲେ ଫଳ ନମିଳିବ କାହିଁକି ?’’

ଏହା ବିଚାରି ସେ ବନମଧ୍ୟରେ ଦ୍ରୋଣଙ୍କର ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ କଲା । ସେହି ମୂର୍ତ୍ତିଟିକୁ ଗୁରୁରୂପେ ସେ ପ୍ରତ୍ୟେହ ପୂଜା-ଅର୍ଚ୍ଚନା କରି ଧନୁର୍ବିଦ୍ୟା ଅଭ୍ୟାସ କରିବାକୁ ଲାଗିଲା । ଦୃଢ଼ ମନୋବଳ ଘେନି ସେ ଏହି ବିଦ୍ୟାରେ ଅଧିକରୁ ଅଧିକ ପାରଦର୍ଶିତା ଅର୍ଜ୍ଜନ କଲା । ସେ ଭାବିଲା, ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ଅନୁଗ୍ରହରୁ ତାର ସାଧନା ସଫଳ ହୋଇଅଛି ।

ଦିନେ ଦ୍ରୋଣାଚାର୍ଯ୍ୟ ଶିଷ୍ୟମାନଙ୍କ ସହିତ ଶିକାର ଉଦ୍ଦେଶ୍ୟରେ ବନକୁ ଆସିଥିଲେ। ଗୋଟିଏ ବରାହକୁ ଦେଖି ଅର୍ଜ୍ଜୁନ ତାହା ଉପରକୁ ଶର ନିକ୍ଷେପ କଲେ;କିନ୍ତୁ ବରାହଟି ପଳାଇଗଲା-। ରାଜପୁତ୍ରମାନଙ୍କର କୁକୁରଗୁଡ଼ିକ ବରାହର ପଛେ ପଛେ ଧାଇଁଲେ ।

 

ଏଣେ ଏକଲବ୍ୟ ଦ୍ରୋଣଙ୍କର ମୃଣ୍ମୟ ମୂର୍ତ୍ତିଟି ଆଗରେ ରଖି ତାର ଧନୁର୍ବିଦ୍ୟା ଅଭ୍ୟାସ କରୁଥିଲା । ଏହି ସମୟରେ ଗୋଟିଏ ଶର ଆସି ତାହାର ନିକଟବର୍ତ୍ତୀ ଏକ ବୃକ୍ଷର ଶାଖାରେ ବାଜି ଲାଖିରହିଲା । ଏକଲବ୍ୟ ଶରଟିକୁ ପରୀକ୍ଷା କରି ଦେଖିଲା, ସେଥିରେ ଅର୍ଜ୍ଜୁନଙ୍କ ନାମ ଖୋଦିତ ଅଛି । ତେଣୁ ସେ ସ୍ଥିର କଲା ଯେ ରାଜପୁତ୍ର ଅର୍ଜ୍ଜୁନ ନିକଟରେ ଅଛନ୍ତି । ଅଳ୍ପ ସମୟ ପରେ ବରାହ ଓ ତା ପଛେ ପଛେ କୁକୁରମାନେ ଭୁକି ଭୁକି ସେଠାରେ ପହଞ୍ଚିଲେ । ସେମାନଙ୍କୁ ଦେଖିଲାମାତ୍ରେ ଏକଲବ୍ୟ ଏକସଙ୍ଗରେ ଗୁଡ଼ିଏ ଶର ଏପରି ମାରିଲା ଯେ ବରାହଟିର ମୃତ୍ୟୁ ହେଲା ଓ କୁକୁରମାନଙ୍କର ମୁଖ ଶରଦ୍ୱାରା ବନ୍ଦ ହୋଇଗଲା । ଅର୍ଜ୍ଜୁନ କୁକୁରମାନଙ୍କ ପଛେ ପଛେ ଆସୁଥିଲେ-। ସେ ଆସି ଦେଖିଲେ ବରାହଟି ମୃତ ଓ ତାଙ୍କ କୁକୁରମାନଙ୍କର ମୁଖ ଶରଦ୍ୱାରା ରୁଦ୍ଧ । ସେ ଆହୁରି ମଧ୍ୟ ଲକ୍ଷ୍ୟକଲେ ଯେ ବରାହଟି ତାଙ୍କ ଶରରେ ନିହତ ହୋଇନାହିଁ । ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ସେ ଏକଲବ୍ୟକୁ ଦେଖିପାରିଲେ । ତାକୁ ପଚାରି ଅର୍ଜ୍ଜୁନ ଜାଣିଲେ ଯେ ସେହି ଯୁବକ ବରାହକୁ ବଧ କରିଅଛି ଓ କୁକୁରମାନଙ୍କର ମୁଖ ରୋଧ କରିଅଛି। ଅର୍ଜ୍ଜୁନ ନିଜକୁ ଧନୁର୍ବିଦ୍ୟାରେ ସର୍ବାପେକ୍ଷା ପାରଦର୍ଶୀ ବୋଲି ମନେକରୁଥିଲେ; କିନ୍ତୁ ଏହି ଶବର ଯୁବକର କୃତିତ୍ୱ ଦେଖି ତାଙ୍କର ଅଭିମାନ ଦୂର ହୋଇଗଲା । ସେ ଯୁବକକୁ ପଚାରିଲେ,‘‘ତୁମେ କିଏ ? କାହାଠାରୁ ଏପରି ଧନୁର୍ବିଦ୍ୟା ଶିକ୍ଷା କଲ ? ’’ଏକଲବ୍ୟ ଉତ୍ତର କଲା,‘‘ମୁଁ ଶବରରାଜ ହିରଣ୍ୟଧନୁଙ୍କର ପୁତ୍ର । ମୋର ନାମ ଏକଲବ୍ୟ-। ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ମୋର ଅସ୍ତ୍ର-ଗୁରୁ ।’’

 

ଅର୍ଜ୍ଜୁନ ମନଦୁଃଖରେ ଦ୍ରୋଣଙ୍କ ଆଗେ ସମସ୍ତ ଘଟନା ବର୍ଣ୍ଣନା କରି କହିଲେ, ‘‘ଆପଣ ଶବରବାଳକକୁ ଯାହା ଶିକ୍ଷା ଦେଇଅଛନ୍ତି ମୋତେ ସେଥିରୁ ବଞ୍ଚିତ କରିଅଛନ୍ତି ।’’

 

ଦ୍ରୋଣ କହିଲେ,‘’ବତ୍ସ ଅର୍ଜ୍ଜୁନ, ତୁମର ଧାରଣା ଭୁଲ । ମୋର ସ୍ମରଣ ହେଉଅଛି, ଗୋଟିଏ ଶବର ବାଳକ ଧନୁର୍ବିଦ୍ୟା ଶିଖିବା ପାଇଁ ଦିନେ ମୋପାଖକୁ ଯାଇଥିଲା; କିନ୍ତୁ ନୀଚ ଜାତିର ପିଲା ବୋଲି ମୁଁ ତାକୁ ଫେରାଇ ଦେଈଥିଲି । ଆଚ୍ଛା,ଚାଲ,ସେ ବାଳକକୁ ଦେଖିବା ।’’

 

ରାଜପୁତ୍ରମାନଙ୍କ ସହିତ ଦ୍ରୋଣାଚାର୍ଯ୍ୟ ଏକଲବ୍ୟ ନିକଟରେ ଉପସ୍ଥିତ ହେଲେ । ଏକଲବ୍ୟ ତାର ଗୁରୁଦେବଙ୍କୁ ସମକ୍ଷରେ ଦେଖି କୃତକୃତ୍ୟ ହୋଇ କହିଲା, ‘‘ଆଜି ମୋର ଜୀବନ ଧନ୍ୟ । ଯେଉଁ ଗୁରୁଦେବଙ୍କର ମୂର୍ତ୍ତିକୁ ଏତେ ଦିନ ହେଲା ପୂଜା କରୁଥିଲି, ତାଙ୍କର ପଦରଜ ଆଜି ଏଠାରେ ପଡ଼ିଛି ।’’

 

ଦ୍ରୋଣ ନିଜର ମୃଣ୍ମୟ ମୂର୍ତ୍ତିଟି ଦେଖି ସମସ୍ତେ ଘଟନା ଅନୁମାନ କରିପାରିଲେ। ଅର୍ଜ୍ଜୁନ ମଧ୍ୟ ଏହି ବାଳକର ଅପୂର୍ବ ଗୁରୁଭକ୍ତି ଓ ଅଧ୍ୟବସାୟ ନିକଟରେ ନିଜକୁ ପରାଜିତ ମନେକଲେ ।

 

ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ କହିଲେ, ‘‘ବତ୍ସ, ତୁମେ ମୋତେ ଗୁରୁ ବୋଲି ସ୍ୱୀକାର କରୁଅଛ । ତେବେ ତୁମର ଗୁରୁଦକ୍ଷିଣା ଦେବା ଉଚିତ ।’’

 

ଏକଲବ୍ୟ ନିଜକୁ କୃତାର୍ଥ ମନେକରି କହିଲା,‘‘ଗୁରୁଦେବ ! ମୁଁ ଯାହା କିଛି ବିଦ୍ୟା ଅର୍ଜ୍ଜନ କରିଅଛି,ତାହା ଆପଣଙ୍କ କୃପାରୁ । ଆପଣଙ୍କୁ ଗୁରୁଦକ୍ଷିଣା ଦେବା ମୋର କର୍ତ୍ତବ୍ୟ । ଜୀବନ ଦେଲେ ମଧ୍ୟ ଆପଣଙ୍କର ଋଣ ଶୁଝି ପାରିବି ନାହିଁ । ଯାହା ଆଦେଶ କରିବେ ତାହା ନିଶ୍ଚୟ ଦେବି-?’’

 

ଦ୍ରୋଣ କହିଲେ,‘‘ବତ୍ସ,ତେବେ ତୁମ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠିଟି ମୋତେ ଦକ୍ଷିଣାସ୍ୱରୂପ ଦିଅ ।’’

 

ଏକଲବ୍ୟ ତତ୍‌କ୍ଷଣାତ୍‌ନିଜ ଡାହାଣହାତର ବୁଢ଼ା ଆଙ୍ଗୁଠିଟି କାଟି ଦ୍ରୋଣଙ୍କ ପାଦତଳେ ରଖିଦେଲେ । ଅର୍ଜ୍ଜୁନ ଓ ଦ୍ରୋଣ ଉଭୟେ ଏହି ଅପୂର୍ବ ଗୁରୁଭକ୍ତି ଦେଖି ବିସ୍ମିତ ହୋଇଗଲେ ।

 

ସେହି ଦିନଠାରୁ ଏକଲବ୍ୟ ପୂର୍ବପରି ଧନୁରେ ଶର ମାରି ପାରିଲେ ନାହିଁ; କିନ୍ତୁ ତାଙ୍କ ମନରେ ଗଭୀର ଆନନ୍ଦ ହେଲା ଯେ ସେ ଗୁରୁଙ୍କୁ ସନ୍ତୁଷ୍ଟ କରିପାରିଅଛନ୍ତି ।

 

ଅସ୍ତ୍ରପରୀକ୍ଷା :

 

ରାଜପୁତ୍ରମାନଙ୍କ ଶିକ୍ଷା ଶେଷ ହେବାରୁ ସେମାନଙ୍କର ଅସ୍ତ୍ରଶିକ୍ଷାର ପରିଚୟ ଦେବା ପାଇଁ ଗୋଟିଏ ଦିନ ସ୍ଥିର ହେଲା । ଏଥି ନିମନ୍ତେ ଗୋଟିଏ ପ୍ରକାଣ୍ଡ ପଡ଼ିଆ ଚାରିପାଖେ ତମ୍ୱୁମାନ ପଡ଼ିଲା । ରାଜ୍ୟରେ ଜଣାଇଦିଆଗଲା ଯେ ରାଜପୁତ୍ରମାନଙ୍କର ଅସ୍ତ୍ର ପରୀକ୍ଷା ହେବ । ନିର୍ଦ୍ଦିଷ୍ଟ ଦିନ ରାଜ୍ୟର ଚାରିଆଡ଼ୁ ଲୋକେ ଆସି ପଡ଼ିଆ ଚାରିପାଖେ ରୁଣ୍ଡ ହେଲେ ।

 

ଖେଳ ପଡ଼ିଆଟି ଉତ୍ତମରୂପେ ସଜାଯାଇଥିଲା । ନିଜେ ରାଜା ଧୃତରାଷ୍ଟ୍ର, ରାଣୀ ଗାନ୍ଧାରୀ, କୁନ୍ତୀ ପ୍ରଭୃତି ଆସି ନିଜ ନିଜ ଆସନରେ ବସିଲେ ।

 

ରାଜପୁତ୍ରମାନେ ଗୁରୁ ଓ ଦେବତାଙ୍କ ପୂଜା କରି ଅସ୍ତ୍ରଶସ୍ତ୍ର ଘେନି ପଡ଼ିଆକୁ ଆସିଲେ । ସେମାନଙ୍କର ବହୁମୂଲ୍ୟ ପୋଷାକ, ଅସ୍ତ୍ରଶସ୍ତ୍ର ଦେଖି ଲୋକେ ଆନନ୍ଦଧ୍ୱନି କଲେ । ପାଖରେ ଦ୍ରୋଣ ନିଜପୁଅ ଅଶ୍ୱତ୍‌ଥାମାକୁ ନେଇ ଛିଡ଼ାହୋଇଥାନ୍ତି । ଧୃତରାଷ୍ଟ୍ର ଅନ୍ଧ । ତାଙ୍କୁ ପରୀକ୍ଷାର ବିବରଣ ଜଣାଇଦେବା ପାଇଁ ତାଙ୍କ ପାଖରେ ବିଦୁର ବସିଥାନ୍ତି । ଗାନ୍ଧାରୀ ମଧ୍ୟ ସବୁବେଳେ ଆଖିରେ ଅନ୍ଧପୁଟୁଳି ବାନ୍ଧିଥାଆନ୍ତି। କୁନ୍ତୀ ତାଙ୍କ ପାଖରେ ବସି ଅସ୍ତ୍ରପରୀକ୍ଷାର ବିବରଣ ଶୁଣାଉଥାଆନ୍ତି ।

 

ଭୀମ ଓ ଦୁର୍ଯୋଧନଙ୍କ ଗଦାଖେଳ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଦୁହିଁଙ୍କୁ ଦେଖି ମନେହେଲା, ସତେ ଅବା ଦୁଇଟି ହାତୀ ଯୁଦ୍ଧ କରୁଅଛନ୍ତି । ଲୋକଙ୍କର ଆନନ୍ଦଧ୍ୱନିରେ ଆକାଶ କମ୍ପିଗଲା । କେହି ଭୀମଙ୍କର ତ କେହି ଦୁର୍ଯ୍ୟୋଧନଙ୍କର ପ୍ରଶଂସା କରି ଚିତ୍କାର କରୁଥାନ୍ତି ।

 

ଦୁହିଁଙ୍କ ଭିତରେ କୃତ୍ରିମ ଯୁଦ୍ଧ ହେଉଥିଲା; କିନ୍ତୁ ଏ ଦୁହେଁ ପରସ୍ପରକୁ ହିଂସା କରୁଥିଲେ । ତେଣୁ କ୍ରମେ ଭୀମ ଓ ଦୁର୍ଯ୍ୟୋଧନ ପ୍ରକୃତ ଯୁଦ୍ଧ ଆରମ୍ଭ କରିଦେଲେ । ଦ୍ରୋଣ ଦେଖିଲେ ଯେ ଅବସ୍ଥା ଅସମ୍ଭାଳ ହେବାକୁ ଯାଉଛି। ତେଣୁ ସେ ଦୁହିଁଙ୍କୁ ଯୁଦ୍ଧରୁ ବିରତ ହେବା ପାଇଁ ଦ୍ରୋଣ ଅଶ୍ୱତ୍‌ଥମାନଙ୍କ ଦ୍ୱାରା କହିପଠାଇଲେ । ଗୁରୁଙ୍କ ଆଦେଶରେ ସେ ଦୁହେଁ ରଙ୍ଗଭୂମିରୁ ଅପସରି ଗଲେ ।

 

ତତ୍ପରେ ଦ୍ରୋଣ ଅର୍ଜ୍ଜୁନଙ୍କୁ କହିଲେ, ‘‘ବତ୍ସ, ଏବେ ତୁମର ଧନୁର୍ବିଦ୍ୟାର କୌଶଳ ଦେଖାଅ ।’’

 

ଅର୍ଜ୍ଜୁନ ଉଜ୍ଜ୍ୱଳ ଚକଚକିଆ ପୋଷାକ ପିନ୍ଧି ଧନୁଶର ଧରି ରଙ୍ଗଭୂମିକୁ ଆସିଲେ ଓ ଯଥାବିଧି ଦେବତାମାନଙ୍କୁ ପୂଜା କଲେ ।

 

ବିବିଧ ବାଦ୍ୟ ବାଜିଉଠିଲା । ଲୋକେ ଆନନ୍ଦରେ ଚିତ୍କାର କଲେ । ଅର୍ଜ୍ଜୁନଙ୍କର ପ୍ରଶଂସା ଶୁଣି କୁନ୍ତୀଙ୍କ ମନରେ ଗର୍ବ ହେଲା। ଧୃତରାଷ୍ଟ୍ର ବିଦୁରଙ୍କୁ ପଚାରିଲେ, ‘‘ଲୋକେ କାହାର ପ୍ରଶଂସା କରୁଛନ୍ତି ?’’ ବିଦୁର ଉତ୍ତର କଲେ, ‘‘ମହାରାଜା-ମଧ୍ୟମ-ପାଣ୍ଡବ ଅର୍ଜ୍ଜୁନ ନିଜର ଧନୁର୍ବିଦ୍ୟା ଦେଖିାଇବାକୁ ଯାଉଛନ୍ତି। ତାଙ୍କୁ ଦେଖି ଲୋକେ ଏହି ଆନନ୍ଦଧ୍ୱନି କରୁଅଛନ୍ତି ।’’ ଏହା ଶୁଣି ଧୃତରାଷ୍ଟ୍ରଙ୍କ ମନ ଟିକିଏ ଖରାପ ହୋଇଗଲା । ତାଙ୍କ ପୁଅ ଦୁର୍ଯ୍ୟୋଧନକୁ ତ ଲୋକେ ଏପରି ପ୍ରଶଂସା କରୁନଥିଲେ । ସେ ମନକଥା ମନରେ ରଖି ଅର୍ଜ୍ଜୁନ ଓ ଅନ୍ୟ ପାଣ୍ଡବମାନଙ୍କୁ ମଧ୍ୟ ପ୍ରଶଂସା କରି ଦି’ପଦ କହିଲେ ।

 

ଅର୍ଜ୍ଜୁନ ଧନୁଶରରେ ଯେଉଁ ସବୁ କୌଶଳ ଦେଖାଇଲେ, ସେଥିରେ ଲୋକଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କେତେବେଳେ ଆଗ୍ନେୟବାଣ ମାରି ଚାରିଆଡ଼ ଅଗ୍ନିମୟ କରିଦେଉଥିଲେ ତ ପରେ ପରେ ବାରୁଣାସ୍ତ୍ର ମାରି ତାକୁ ଲିଭାଇ ଦେଉଥିଲେ । କେତେବେଳେ ବାୟବ୍ୟାସ୍ତ୍ର ମାରି ଝଡ଼ ସୃଷ୍ଟି କରିଦେଉଥିଲେ ତ କେତେବେଳେ ପର୍ଜନ୍ୟାସ୍ତ୍ରରେ ଆକାଶକୁ ମେଘରେ ଘୋଡ଼ାଇ ଦେଉଥିଲେ। ଏହିପରି ସେ ଯେ କେତେ କୌଶଳ ଦେଖାଇଲେ, ତାହା କଥାରେ କହିହେବ ନାହିଁ । ସମସ୍ତେ ଅର୍ଜ୍ଜୁନଙ୍କୁ ଧନ୍ୟ ଧନ୍ୟ କହିଲେ ।

 

ସନ୍ଧ୍ୟା ହୋଇ ଆସିଲା । ବାଦ୍ୟ ବନ୍ଦ ହୋଇଗଲା । ଅସ୍ତ୍ରପରୀକ୍ଷା ଶେଷ ହେଲା ବୋଲି ଦ୍ରୋଣ ଜଣାଇଦେବାକୁ ଯାଉଛନ୍ତି, ଏତିକିବେଳେ ଜଣେ ବୀର ପୁରୁଷ ପଡ଼ିଆର ଦ୍ୱାରଦେଶରେ ଉପସ୍ଥିତ ହୋଇ କହିଲେ,‘’କିଏ କହେ ଅର୍ଜ୍ଜୁନ ଅସାଧାରଣ ବୀର ! ସେ ଯେତେ ବିଦ୍ୟାଦେଖାଇଲେ ମୁଁ ତହିଁରୁ ଅଧିକ ଦେଖାଇ ପାରିବି । ଅର୍ଜ୍ଜୁନ ଯଦି ମୋଠାରୁ ବଡ଼ ବୀର, ତେବେ ସେ ଆସି ମୋ ସଙ୍ଗେ ଯୁଦ୍ଧ କରୁ ।’’

 

କର୍ଣ୍ଣଙ୍କର ଅଙ୍ଗରାଜ୍ୟ ପ୍ରାପ୍ତି :

 

ଏହା ବୀରଜଣଙ୍କ ହେଉଛନ୍ତି କର୍ଣ୍ଣ । କୁନ୍ତୀ ପାଣ୍ଡଙ୍କୁ ବିବାହ କରିବା ପୂର୍ବରୁ ସୂର୍ଯ୍ୟଙ୍କ ପ୍ରସାଦରେ କର୍ଣ୍ଣଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଲୋକନିନ୍ଦା ଭୟରେ ତାଙ୍କୁ ପିଙ୍ଗିଦେଇଥିଲେ । ଅଧିରଥ ବୋଲି ଜଣେ ସାରଥି ଓ ତାଙ୍କର ସ୍ତ୍ରୀ ରାଧା କର୍ଣ୍ଣଙ୍କୁ ପାଳି ମଣିଷ କରିଥିଲେ । ତେଣୁ ଲୋକେ ତାଙ୍କୁ ଏହି ସାରଥିର ପୁଅ ମନେ କରିଥିଲେ;କିନ୍ତୁ ସେ ଜଣେ ବଡ଼ ବୀର ଥିଲେ ।

 

ସେତେବେଳକୁ ପାଣ୍ଡବମାନେ ଦ୍ରୋଣଙ୍କ ପାଖରେ ଓ କୌରବମାନେ ଦୁର୍ଯ୍ୟୋଧନଙ୍କୁ ବେଢ଼ି ଛିଡ଼ା ହୋଇଥିଲେ । କର୍ଣ୍ଣ ଗର୍ବରେ ଏପରି ଅନ୍ଧ ହୋଇଯାଇଥିଲେ ଯେ ଗୁରୁସ୍ଥାନୀୟ ଦ୍ରୋଣ, କୃପ ପ୍ରଭୃତିଙ୍କୁ ପ୍ରଣାମ ସୁଦ୍ଧା ସେ ଅର୍ଜ୍ଜୁନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲେ ।

 

ଦୁର୍ଯ୍ୟୋଧନ ଅର୍ଜ୍ଜୁନଙ୍କର ପ୍ରଶଂସା ଶୁଣି ଶୁଣି ଈର୍ଷାରେ ଜଳିଯାଉଥିଲେ । ଏବେ ଅର୍ଜ୍ଜୁନଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ଆସିଥିବାର ଦେଖି ସେ ଆନନ୍ଦିତ ହେଲେ ଓ ତାଙ୍କୁ ସ୍ୱାଗତ ଜଣାଇ କହିଲେ, ‘‘କର୍ଣ୍ଣ, ଏବେ ତୁମେ ମୋର ବନ୍ଧୁ ହେଲ; ମୋର ଧନରତ୍ନ ଯାହା କିଛି ଅଛି ସେ ସବୁ ତୁମର ବୋଲି ମନେକର ।’’

 

ଅର୍ଜ୍ଜୁନ କର୍ଣ୍ଣଙ୍କର ଆହ୍ୱାନ ଣୁଣି କହିଲେ,‘‘କିଏ ତୁମେ ଅନିମନ୍ତ୍ରିତ ବୀର ? ତୁମେ ଅର୍ଜ୍ଜୁନର ପରାକ୍ରମ ଜାଣ ନାହିଁ ବୋଲି ଏପରି ପ୍ରଳାପ କରୁଛ । ଆସ, ମୁଁ ତୁମକୁ ତୁମ ଗର୍ବର ପ୍ରତିଫଳ ଦେବି ।’’

 

ଅର୍ଜ୍ଜୁନ ଓ କର୍ଣ୍ଣ ପଡ଼ିଆ ମଝିକୁ ଚାଲିଆସିଲେ । ଅର୍ଜ୍ଜୁନଙ୍କ ପାଖରେ ଦ୍ରୋଣ ଓ କର୍ଣ୍ଣଙ୍କ ପାଖରେ କୌରବମାନେ । ଦର୍ଶକମାନେ ଉତ୍କଣ୍ଠିତ ହୋଇ ନିଜ ସ୍ଥାନରେ ବସିରହିଲେ ।

 

ଏହି ସମୟରେ କୃପାଚାର୍ଯ୍ୟ ବାହାରି ପଡ଼ି କର୍ଣ୍ଣଙ୍କୁ ପଚାରିଲେ, ‘‘ତୁମେ ଅର୍ଜ୍ଜୁନଙ୍କୁ ଯୁଦ୍ଧ ମାଗୁଛ । ଅର୍ଜ୍ଜୁନ ହେଉଛନ୍ତି ରାଜା ପାଣ୍ଡୁ ଓ ରାଣୀ କୁନ୍ତୀଙ୍କର ପୁଅ । ରାଜପୁତ୍ର କେବଳ ରାଜପୁତ୍ର ସଙ୍ଗେ ଯୁଦ୍ଧ କରିପାରେ । ତେଣୁ ତୁମର ବଂଶ-ପରିଚୟ ଦିଅ । ତୁମେ କେଉଁ ଦେଶର ରାଜପୁତ୍ର ? ତୁମର ପିତାମାତା କିଏ ?’’ ଏହା ଶୁଣିଲାକ୍ଷଣି ଲାଜରେ କର୍ଣ୍ଣଙ୍କ ମୁଣ୍ଡ ତଳକୁ ହୋଇଗଲା । ସେ କିପରି କହିବେ ଯେ ତାଙ୍କର ବାପା ଜଣେ ସାରଥି !

 

ଦୁର୍ଯ୍ୟୋଧନ କହିଉଠିଲେ, ‘‘କେହି ରାଜପୁତ୍ର ନ ହେଲେ ଯେ ଜଣେ ରାଜପୁତ୍ରଙ୍କୁ ଯୁଦ୍ଧପାଇଁ ଆହ୍ୱାନ କରିପାରିବ ନାହିଁ, ଏପରି କିଛି ବିଧି ନାହିଁ । ତଥାପି ଯଦି ଅର୍ଜ୍ଜୁନ କେବଳ ରାଜା ବା ରାଜପୁତ୍ର ଛଡ଼ା ଅନ୍ୟ କାହା ସଙ୍ଗେ ଯୁଦ୍ଧ କରିବେ ନାହିଁ, ତେବେ ମୁଁ ଏଇ ମୁହୂର୍ତ୍ତରେ କର୍ଣ୍ଣଙ୍କୁ ଅଙ୍ଗରାଜ୍ୟର ରାଜପଦ ଦେଉଅଛି ।’’

 

ସଙ୍ଗେ ସଙ୍ଗେ ସିଂହାସନ ଆସିଲା । କର୍ଣ୍ଣଙ୍କୁ ସେଥିରେ ବସାଇ ବ୍ରାହ୍ମଣମାନେ ଯଥାବିଧି ଅଭିଷେକ କଲେ। ତାଙ୍କ ମସ୍ତକରେ ରାଜମୁକୁଟ ଓ ରାଜଛତ୍ର ଶୋଭା ପାଇଲା। ଏହିପରି କର୍ଣ୍ଣଙ୍କର ମାନରହିଗଲା । ସେ କୃତଜ୍ଞତା ପ୍ରକାଶ କରି ଦୁର୍ଯ୍ୟୋଧନଙ୍କୁ କହିଲେ, ‘‘ତୁମେ ଆଜି ମୋତେ ଅଙ୍ଗରାଜ୍ୟର ରାଜପଦ ଦେଇ ମୋର ସମ୍ମାନ ରକ୍ଷା କରିଛ । ମୁଁ ତାର କି ପ୍ରତିଦାନ ଦେବି ?’’

 

ଦୁର୍ଯ୍ୟୋଧନ ଉତ୍ତର କଲେ, ‘‘ମୁଁ ତୁମଠାରୁ କିଛି ଚାହେଁ ନାହିଁ, ଚାହେଁ କେଳବ ତୁମର ଚିର ବନ୍ଧୁତା ।’’ ଦୁର୍ଯ୍ୟୋଧନ ଓ କର୍ଣ୍ଣ ପରସ୍ପରକୁ ଆଲିଙ୍ଗନ କରି ଚିରବନ୍ଧୁତାସୂତ୍ରରେ ଆବଦ୍ଧ ହେଲେ । ସନ୍ଧ୍ୟାର ଅନ୍ଧକାର ମାଡ଼ିଆସୁଥିଲା । ଏତିକିରେ ଅସ୍ତ୍ରପରୀକ୍ଷା ବନ୍ଦ କରାଗଲା। ଭାଗ୍ୟକୁ ସେଦିନ କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ଭିତରେ ଯୁଦ୍ଧ ହେଲା ନାହିଁ; ନ ହେଲେ କଅଣ ହୋଇଥାନ୍ତ, କିଏ କହିବ-?

 

ଜତୁଗୃହ :

 

କୌରବ ଓ ପାଣ୍ଡବମାନଙ୍କ ଭିତରେ ଯୁଧିଷ୍ଠିର ସମସ୍ତଙ୍କଠାରୁ ବୟସରେ ବଡ଼ । ପୁଣି ବୃଦ୍ଧି, ବିଚାର, ଧର୍ମଜ୍ଞାନ ସବୁଥିରେ ଶ୍ରେଷ୍ଠ । ଧୃତରାଷ୍ଟ୍ର ମନେ ମନେ ପାଣ୍ଡବମାନଙ୍କୁ ଭଲ ପାଉ ନଥିଲେହେଁ ବାଧ୍ୟ ହୋଇ ଯୁଧିଷ୍ଠିରଙ୍କୁ ଯୁବରାଜ କଲେ । ଏଥିରେ ପ୍ରଜାମାନେ ଖୁସି ହେଲେ ।

 

କେବଳ କୌରବମାନେ ଆହୁରି ଇର୍ଷା କଲେ। ଯୁଧିଷ୍ଠିର ଓ ତାଙ୍କ ଚାରିଭାଇଙ୍କ ପ୍ରଶଂସା ଶୁଣି ଦୁର୍ଯ୍ୟୋଧନ ଗୋଟାଏ ଉପାୟ କଲେ । ଦିନେ ସେ ଜଣେ ମନ୍ତ୍ରୀଙ୍କୁ ଡାକି ତାକୁ ପରାମର୍ଶ ଦେଲେ, ‘‘ଏ ପାଣ୍ଡବମାନଙ୍କୁ ମାରିଦେବାକୁ ହେବ; କିନ୍ତୁ ଏପରି କୌଶଳରେ ମାରିବାକୁ ହେବ, ଯେପରିକି କେହି କୌରବମାନଙ୍କୁ ସନ୍ଦେହ କରିବେ ନାହିଁ ।

 

ଗୋଟାଏ ପ୍ରକାଣ୍ଡ ଷଡ଼ଯନ୍ତ୍ର ହେଲା । ବାରଣାବତ ବୋଲି ଗୋଟିଏ ସ୍ଥାନରେ ଶିବଯାତ୍ରା ହେଉଥିଲା । ପାଣ୍ଡବମାନଙ୍କୁ କୁନ୍ତୀଙ୍କୁ ସହିତ ସେଠାକୁ ପଠାଇ ଦିଆଯିବ । ସେମାନଙ୍କ ରହିବା ପାଇଁ ଗୋଟିଏ ଜଉଘର ତିଆରି କରାଯାଇଥିବ । ସେଥିରେ ସେମାନେ ରହିଥିବାବେଳେ ଘରେ ନିଆଁ ଲଗାଇ ଦିଆଯିବ । ତାହାହେଲେ କୁନ୍ତୀ ଓ ପାଣ୍ଡବମାନେ ନିଶ୍ଚୟ ମରିବେ ।

 

ଦୁର୍ଯ୍ୟୋଧନଙ୍କ ପରାମର୍ଶରେ ଧୃତରାଷ୍ଟ୍ର ଦିନେ ପାଣ୍ଡବମାନଙ୍କୁ କହିଲେ, ‘‘ବାରଣାବତରେ ଏତେ ବଡ଼ ଯାତ୍ରା ହେଉଛି । ତୁମେମାନେ ଯାଇ ଯାତ୍ରା ଦେଖି ଆସିବ । ତୁମ ମାଆଙ୍କୁ ମଧ୍ୟ ସଙ୍ଗରେ ନେଇଯାଅ । ସେଠାରେ କିଛି ଦିନ ରହି ଦିଅଁ ଦର୍ଶନ କରି ଫେରିଆସିବ ।’’

 

ପାଣ୍ଡବମାନେ ମନରେ ସନ୍ଦେହ କଲେ ସୁଦ୍ଧା ବାରଣାବତ ଯିବାକୁ ରାଜି ହେଲେ ।

 

ଏଣେ ଦୁର୍ଯ୍ୟୋଧନ ପୁରୋଚନ ବୋଲି ଜଣେ ମନ୍ତ୍ରୀଙ୍କୁ ହାତକରି କହିଲେ, ‘‘ତୁମେ ପାଣ୍ଡବମାନଙ୍କ ରହିବା ପାଇଁ ବାରଣାବତ ସହର ମୁଣ୍ଡରେ ଜଉର ଗୋଟିଏ ଘର କରିଦେବ । ସେମାନେ ରାତିରେ ଘରେ ଶୋଇଥିଲାବେଳେ ସେଥିରେ ନିଆଁ ଲଗାଇଦେଇ ଚାଲିଆସିବ ।

 

ଦୁଷ୍ଟ ପୁରୋଚନ ଦୁର୍ଯ୍ୟୋଧନଙ୍କ ପରାମର୍ଶ ଅନୁସାରେ ବାରଣାବତ ସହରଠାରୁ ଟିକିଏ ଦୂରରେ ଗୋଟିଏ ଜଉଘର ତିଆରି କରି ରହିଲା। ନିର୍ଦ୍ଦିଷ୍ଟ ଦିନ ପାଣ୍ଡବମାନେ ଧୃତରାଷ୍ଟ୍ର ଓ ଅନ୍ୟାନ୍ୟ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ମାଗି ବାରଣାବତକୁ ବାହାରିଲେ । ବିଦୁର ଦୁର୍ଯ୍ୟୋଧନଙ୍କ ଷଡ଼ଯନ୍ତ୍ର କଥା ଜାଣିଥିଲେ । ଗଲାବେଳକୁ ସେ ଯୁଧିଷ୍ଠିରଙ୍କୁ କହିଲେ, ‘‘ବାପ ଯୁଧିଷ୍ଟିର ! ତୁମମାନେ ନୂଆ ଜାଗାକୁ ଯାଉଛ, ମୋଠାରୁ କେତୋଟି କଥା ଶୁଣି ମନେରଖିଥାଅ । ଗାତ ଭିତରେ ରହିଥିଲେ, ନିଆଁ କାହାରିକୁ ପୋଡ଼ିଦେଇ ପାରେ ନାହିଁ । ଅନ୍ଧକୁ ବାଟ ଦିଶେ ନାହିଁ, କି ଯିଏ ଅଥୟ ହୁଏ ତାକୁ ବୁଦ୍ଧି ଦିଶେ ନାହିଁ । ଚାଲିବା ବୁଲିବାରେ ଦେହର ଉପକାର ହୁଏ । ରାତିରେ ତାରାମାନଙ୍କୁ ଚାହିଁ ଦିଗସ୍ଥିର କରାଯାଏ ।’’

 

ଯୁଧିଷ୍ଠିର ଖୁବ୍‌ ବୁଦ୍ଧିମାନ; ସେ ଏଥିରୁ ବୁଝିପାରିଲେ ଯେ ଦୁର୍ଯ୍ୟୋଧନ ସେମାନଙ୍କୁ ପୋଡ଼ି ମାରିଦେବାକୁ ପାଞ୍ଚ କରିଛି । ସେଥିରୁ ରକ୍ଷାପାଇବାର ଉପାୟ ହେଉଛି, ଗାତରେ ରହିବା ଓ ପଳାଇବା ।

 

ପାଣ୍ଡବମାନେ ବାରଣାବତରେ ପହଞ୍ଚିଲେ। ପୁରୋଚନ ଖୁବ୍‌ ଆଦର ଗୌରବ କରି ସେମାନଙ୍କୁ ଜତୁଗୃହରେ ରଖାଇଦେଲା ।

 

ଏଥିମଧ୍ୟରେ ବିଦୂର ଜଣେ ଲୋକକୁ ପଠାଇଥିଲେ । ସେ ପାଣ୍ଡବମାନଙ୍କ ରହିବା ଘର ଭିତରୁ ଅନେକ ଦୂର ଯାଏ ଗୋଟାଏ ଗାତ ଖୋଳିଦେଇଥିଲା । ଗାତର ଆରମୁଣ୍ଡଟି ଗୋଟିଏ ଜଙ୍ଗଲରେ ଉଠିଥିଲା। ପାଣ୍ଡବମାନେ ରାତିରେ ସେହି ଗାତ ଭିତରେ ରହୁଥିଲେ ।

 

ପୁରୋଚନ ଆସନ୍ତା ଅମାବାସ୍ୟ ରାତିରେ ଘରେ ନିଆଁ ଲଗାଇବ ବୋଲି ସ୍ଥିର କଲା । ଯୁଧିଷ୍ଠିର କୌଣସିମେତେ ଏ ଖବର ପାଇ ମାଆ ଓ ଭାଇମାନଙ୍କୁ ସାବଧାନ କରିଦେଲେ । ସେଦିନ କୁନ୍ତୀ ବ୍ରାହ୍ମର ଭୋଜନ କରାଇଲେ । ଦଇବେ ଜଣେ ସଉରୁଣୀ ତାର ପାଞ୍ଚ ପୁଅକୁ ଘେନି ଘେନି ଭୋଜି ଖାଇବାକୁ ଆସିଥିଲା । ଖାଇସାରି ସେ ତା ନିଜ ଘରକୁ ଯାଇ ପାରିଲା ନାହିଁ । ପୁଅମାନଙ୍କୁ ପାଖରେ ଶୁଆଇ ଆପେ ପିଣ୍ଡାରେ ଶୋଇପଡ଼ିଲା ।

 

ପୁରୋଚନ ଗୋଟିଏ କୋଠରିରେ ଶୋଇଥାଏ । ତାର ଚିନ୍ତା କେତେବେଳେ ଘରେ ନିଆଁ ଲଗାଇ ପଳାଇଲା । ଏହି ସମୟର ପାଣ୍ଡବମାନେ ଆଗ ସେଇ ଘରେ ନିଆଁ ଲଗାଇଦେଇ ଗାତବାଟେ ଚାଲିଗଲେ ।

 

ଚାହୁଁ ଚାହୁଁ ଘରଯାକ ହୁତୁହୁତୁ ହୋଇ ଜଳିଉଠିଲା । ସହରର ଲୋକେ ଦଉଡ଼ି ଆସିଲେ; କିନ୍ତୁ ସେ ନିଆଁକୁ କିଏ କିପରି ଲିଭାଇବ? ସବୁ ପୋଡ଼ି ଭସ୍ମ ହୋଇଗଲା । ସକାଳକୁ ଦେଖାଗଲା, ପୁରୋଚନ ପୋଡ଼ି ହୋଇ ମରିଯାଇଛି । ପିଣ୍ଡାରେ ପାଞ୍ଚୋଟି ପୁରୁଷ ଓ ଜଣେ ସ୍ତ୍ରୀ ଲୋକ ପୋଡ଼ି ହୋଇ ମରି ପଡ଼ିଛନ୍ତି । ସେମାନେ ଯେ ପଞ୍ଚପାଣ୍ଡବ ଓ ସେମାନଙ୍କ ମାଆ କୁନ୍ତୀ, ଏ ବିଷୟରେ କାହାରି ସନ୍ଦେହ ରହିଲା ନାହିଁ ।

 

ଏ ଖବର ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ଧୃତରାଷ୍ଟ୍ରଙ୍କ ପାଖରେ ମଧ୍ୟ ଖବର ପହଞ୍ଚିଲା । ସେ ଖୁବ୍‌ ଦୁଃଖ ପ୍ରକାଶ କଲେ । ରାଜ୍ୟର ଲୋକେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କର ନିନ୍ଦା ଗାଇଲେ ।

 

ଧୃତରାଷ୍ଟ୍ର ଖୁବ୍‌ ଆଡ଼ମ୍ବରରେ ପାଣ୍ଡବମାନଙ୍କର ଶୁଦ୍ଧିଶ୍ରାଦ୍ଧ କରାଇଲେ; ହଜାର ହଜାର ବ୍ରାହ୍ମଣଙ୍କୁ ଭୋଜନ ଦିଆଗଲା ।

 

ବିଦୁର ପ୍ରକୃତ ଘଟନା ଜାଣିଥିଲେ ସୁଦ୍ଧା କାହାକୁ କିଛି ନ କହି ମିଛରେ ଶୋକ ପ୍ରକାଶ କଲେ ଓ ଶୁଦ୍ଧି ଶ୍ରାଦ୍ଧରେ ଯୋଗ ଦେଲେ ।

 

ବକାସୁର ବଧ :

 

ପାଣ୍ଡବମାନେ ଗାତବାଟେ ଯାଇ ଗଙ୍ଗାକୂଳରେ ଏକ ବଣରେ ବାହାରିଲେ । କିପରି ଗଙ୍ଗା ପାରିହେବେ ବିଚାରୁଛନ୍ତି, ଏହି ସମୟରେ ଜରେ ନାଉରୀ ଡଙ୍ଗା ଘେନି ପହଞ୍ଚିଲା ଓ ପାଣ୍ଡବମାନଙ୍କୁ ନଦୀ ପାର କରାଇ ଦେବ ବୋଲି କହିଲା । ବିଦୁର ଏ ନାଉରୀକୁ ଆଗରୁ ସାବଧାନ କରାଇଦେଇଥିଲେ ।

 

ପାଣ୍ଡବମାନେ ନଦୀ ପାର ହୋଇ ଚାଲିବାକୁ ଲାଗିଲେ । ସେମାନେ ବ୍ରାହ୍ମଣବେଶ ଧରି ବୁଲୁ ବୁଲୁ ଏକଚକ୍ର ବୋଲି ଗୋଟିଏ ନଗରରେ କିଛି ଦିନ ରହିଲେ । ସେଠାରେ ଜଣେ ବ୍ରାହ୍ମଣ ସେମାନଙ୍କୁ ନିଜ ଘରେ ଆଶ୍ରୟ ଦେଲେ ।

 

ପାଣ୍ଡବମାନେ ପ୍ରତିଦିନ ଭିକ୍ଷା ମାଗି ଯାଉଥିଲେ । ସେହି ଭିକ୍ଷାରୁ ଯାହା ମିଳୁଥିଲା, ତାକୁ ରାନ୍ଧି କୁନ୍ତୀ ପୁଅମାନଙ୍କୁ ଦେଉଥିଲେ ଓ ନିଜେ ଖାଉଥିଲେ। ଏହିପରି କଷ୍ଟରେ ସେମାନଙ୍କର ଦିନ କଟୁଥିଲା ।

 

ଦିନେ ଭୀମ ଭାଇମାନଙ୍କ ସଙ୍ଗରେ ଭିକ୍ଷା କରିବାକୁ ନ ଯାଇ ମାଆଙ୍କ ପାଖେ ଘରେ ରହିଥିଲେ । ଏହି ସମୟରେ ସେମାନେ ଯେଉଁ ବ୍ରାହ୍ମଣଙ୍କ ଘରେ ଥିଲେ, ତାଙ୍କୁ କୁଟୁମ୍ବର ଲୋକଙ୍କର କାନ୍ଦବୋବାଳି ଶୁଣାଗଲା । ବ୍ରାହ୍ମଣଙ୍କ ପରିବାରରେ କିଛି ଆକସ୍ମିକ ବିପଦ ଘଟିଥିବାର ଅନୁମାନ କରି କୁନ୍ତୀ ବ୍ରାହ୍ମଣଙ୍କ ଘର ଭିତରକୁ ଗଲେ ।

 

ବ୍ରାହ୍ମଣଙ୍କ ଘରେ କୁନ୍ତୀ ଯାହା ଦେଖିଲେ ସେଥିରେ ତାଙ୍କ ମନ ତରଳିଗଲା; ତାଙ୍କ ଆଖିରୁ ଲୁହଧାର ବହିଗଲା । ବ୍ରାହ୍ମଣଙ୍କ ଘରେ ଚାରି ପ୍ରାଣୀ; ବ୍ରାହ୍ମଣ ତାଙ୍କ ପତ୍ନୀ, ଗୋଟିଏ କନ୍ୟା ଓ ଛୋଟ ପୁଅ । ଚାରିଜଣଯାକ କହୁଥାନ୍ତି–ମୁଁ ଯାଏଁ, ମୋତେ ରାକ୍ଷସ ଖାଇଲେ ତୁମେମାନେ ସୁଖରେ ରହିବ । ଏପରିକି ଛୋଟ ପୁଅଟି ସୁଦ୍ଧା ସେହିପରି କହୁଥାଏ ।

 

କୁନ୍ତୀ ବ୍ରାହ୍ମଣଙ୍କୁ ପଚାରିଲେ, ‘‘ତୁମମାନଙ୍କର ଏଭଳି ଦୁର୍ଦ୍ଦଶାର କାରଣ କଣ ? କାହିଁକି ସମସ୍ତେ ଏପରି ବିକଳ ହୋଇ କାନ୍ଦୁଛ ? ଆମେ ତୁମର ବିପଦ ଦୂର କରିବାକୁ ଯଥାସାଧ୍ୟ ଚେଷ୍ଟା କରିବୁ ।’’

 

ବ୍ରାହ୍ମଣ କହିଲେ, ‘‘ତୁମେମାନେ ମୋତେ ସାହାଯ୍ୟ କରିବାକୁ ପ୍ରସ୍ତୁତ, କିନ୍ତୁ ମୋର ଯେଉଁ ବିପଦ ସେଥିରେ କେହି କିଛି ସାହାଯ୍ୟ କରିପାରିବେ ନାହିଁ । ମୋର ବୋଝ ମୋତେ ହିଁ ମୁଣ୍ଡାଇବାକୁ ହେବ। ଏହି ସହରଠାରୁ କିଛି ଦୂରରେ ଗୋଟିଏ ପ୍ରକାଣ୍ଡ ଅରଣ୍ୟ ଅଛି । ସେଥିରେ ଏକ ଦୁର୍ଦ୍ଦାନ୍ତ ରାକ୍ଷସ ବାସକରେ । ତାହା ସଙ୍ଗେ ଆମର ଚୁକ୍ତି ହୋଇଅଛି ଯେ ତାର ଆହାର ପାଇଁ ନଗରର ଲୋକେ ପ୍ରତିଦିନ ଗୋଟିଏ ଶଗଡ଼ରେ ଅନ୍ନ, ବ୍ୟଞ୍ଜନ, ପିଷ୍ଟକାଦି ଲଦି, ଯୋଡ଼ିଏ ମଇଁଷି ଯୋଚି, ଜଣେ ଲୋକକୁ ପଠାଇବେ । ରାକ୍ଷସ ଖାଦ୍ୟ ଦ୍ରବ୍ୟ ସହିତ ସେହି ମହିଷ ଓ ମନୁଷ୍ୟକୁ ମଧ୍ୟ ଭୋଜନ କରିବ । ନଗରବାସୀ ପାଳି କରି ଏହି ଭୋଜନ ଦେଇଆସୁଛନ୍ତି । କାଲି ମୋର ପାଳି ପଡ଼ୁଅଛି । ତେଣୁ ଆମେ ପରିବାରର ଜଣେ ଲୋକକୁ ପ୍ରାଣ ଦେବାକୁହିଁ ପଡ଼ିବ । ଯଥାସମୟରେ ଆମ ପରିବାରର କେହି ଜଣେ ତା’ନିକଟରେ ନ ପହଞ୍ଚିଲେ ସେ ଆସି ଆମ ପରିବାରର ସମସ୍ତଙ୍କୁ ଭୋଜନ କରିବ । ଏବେ ବୁଝିପାରୁଥିବ, କାହିଁକି ଆମର ଏ ଦୁଃଖ ଓ କାହିଁକି ଅନ୍ୟ କେହି ଆମକୁ ସାହାଯ୍ୟ ମଧ୍ୟ କରି ପାରିବେ ନାହିଁ ।

 

କୁନ୍ତୀ ଦେବୀ ମୁହୂର୍ତ୍ତେ ଚିନ୍ତାକରି କହିଲେ, ‘‘ଆଚ୍ଛା, ମୁଁ ଏହାର ପ୍ରତିକାର କରିପାରିବି । ତୁମ ପରିବାରରୁ କେହି ଜଣେ ଯିବାର କଥା । ତୁମର ସିନା ଦୁଇଟି ପିଲା; ମୋର ପାଞ୍ଚପୁଅ ଅଛନ୍ତି-। ତୁମ ଘରର ଜଣକ ବଦଳରେ ମୋର ଗୋଟିଏ ପୁଅକୁ ପଠାଇଲେ କ୍ଷତି କଅଣ ?’’

 

ଏହା ଶୁଣିଲା କ୍ଷଣି ବ୍ରାହ୍ମଣୀ ଚମକି ପଡ଼ିଲେ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ମାଆ ହୋଇ ତୁମେ ଏଭଳି କଥା ତୁଣ୍ଡକୁ ଆଣୁଛ କିପରି ? ପରପାଇଁ ନିଜ ପୁଅକୁ ଯମ ମୁହଁକୁ ଠେଲି ଦେବାକୁ ବସିଛ ? ତୁମେ ଆମର ଅତିଥି । ତୁମର ଆପଦବିପଦରେ ଆମେ ସାହାଯ୍ୟ ହେବାର କଥା, ଓଲଟି ତୁମେ ଆମକୁ ସାହାଯ୍ୟ କରିବାକୁ ବାହାରିଛ । ସେଥିରେ ପୁଣି ଆପଣା ପୁଅକୁ ବଳି ଦେବାକୁ ତୁମର ମନ ଡାକୁଛି କିପରି ? ପୁଅଙ୍କଠାରେ ତୁମର କଅଣ ସ୍ନେହ ନାହିଁ ।’’

 

କୁନ୍ତୀ ଦେବୀ କହିଲେ, ‘‘ମୁଁ ମାଆ, ପୁଅମାନଙ୍କ ଉପରେ ମୋର ଭାରି ସ୍ନେହ । କିନ୍ତୁ ମୁଁ ଯେ ପୁଅକୁ ରାକ୍ଷସହାତରେ ମାରିବାକୁ ପଠାଉଛି ତାହା ନୁହେଁ । ମୋ ପୁଅମାନଙ୍କର ବଳପରାକ୍ରମ ତୁମେ ଜାଣନାହିଁ ବୋଲି ଏପରି କହୁଛ । ମୋ ପୁଅକୁ ରାକ୍ଷସ ଖାଇବ ନାହିଁ ଯେ ମୋ ପୁଅ ରାକ୍ଷସକୁ ମାରି ଫେରିଆସିବ ।’’

 

ଶେଷରେ ବ୍ରାହ୍ମଣ ଏହି ପ୍ରସ୍ତାବରେ ରାଜି ହେଲେ । ସେ ରାକ୍ଷସପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିଲେ ।

 

କୁନ୍ତୀ ଭୀମଙ୍କୁ ସମସ୍ତ ଘଟନା କହିବାରୁ ଭୀମ ଆନନ୍ଦରେ କହିଲେ, ‘‘ମାଆ, ବ୍ରାହ୍ମଣଙ୍କୁ କହିଦିଅ ମୁଁ ରାକ୍ଷସର ଖାଦ୍ୟ ନେଇ ବଣକୁ ଯିବି ।’’

 

ଅନ୍ୟଭାଇମାନେ ଭିକ୍ଷାରୁ ଫେରି ଆସି ସବୁ କଥା ଶୁଣିଲେ । ସେମାନେ ସମସ୍ତେ ଭୀମଙ୍କର ବଳ କେତେ ଜାଣନ୍ତି । ପୃଥିବୀର ଯେ କୌଣସି ରାକ୍ଷସକୁ ଭୀମ ବଧ କରିପାରିବେ ବୋଲି ସେମାନଙ୍କର ବିଶ୍ୱାସ ଥିଲା । ତେଣୁ ସେମାନେ ଏ ବିଷୟରେ ଆଦୌ ଆପତ୍ତି କଲେ ନାହିଁ-। କେବଳ ଯୁଧିଷ୍ଠିର ଏତିକି କହିଲେ, ‘‘ମାଆ, ଭୀମ ରାକ୍ଷସ ପାଖକୁ ତାର ଆହାର ନେଇଯିବ ଓ ତାକୁ ମାରି ଫେରି ଆସିବ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ସେ ବ୍ରାହ୍ମଣଙ୍କୁ କହିଦିଅ ଯେ ସେ ତାର ଅତିଥିମାନଙ୍କ ଭିତରୁ ଜଣକୁ ପଠାଇଥିଲା ବୋଲି କଦାପି ପ୍ରକାଶ କରିବ ନାହିଁ । କାରଣ ତାହାହେଲେ ଆମେମାନେ ଏଇ ନଗରରେ ଅଛୁ ବୋଲି ବାହାରକୁ ଜଣାପଡ଼ିଯିବ-। କୌରବମାନେ ଆମର ପୁଣି କିଛି ଅନିଷ୍ଟର ଉଦ୍ୟମ କରିବେ ।’’

 

କୁନ୍ତୀ ବ୍ରାହ୍ମଣଙ୍କୁ ଏ ବିଷୟରେ ସାବଧାନ କରିଦେଲେ ।

 

ପରଦିନ ସକାଳୁ ଗାଡ଼ିରେ ରାକ୍ଷସର ଖାଦ୍ୟ ଲଦା ହେଲା । ମଇଁଷି ଯୋଡ଼ିଏ ଶଗଡ଼ରେ ଯୋଚି ଭୀମ ବଣ ଆଡ଼କୁ ଚାଲିଲେ । କିଛି ଦୂର ଯିବା ପରେ ଭୀମ ଗାଡ଼ି ଚଳାଉ ଚଳାଉ ନିଜେ ଗାଡ଼ିର ଜିନିଷସବୁ ଖାଇବାରେ ଲାଗିଲେ । ଗାଡ଼ି ବଣ ଭିତରେ ପହଞ୍ଚିଲା । ତେଣେ ରାକ୍ଷସ ଗାଡ଼ିକୁ ଅପେକ୍ଷା କରି ରହିଥିଲା । ସେ ଦୂରରୁ ଦେଖି ପାରିଲା ଯେ ଜଣେ ଗାଡ଼ି ଉପରେ ବସି ଖାଇବାରେ ଲାଗିଛି । ସେ ରାଗରେ ଗର୍ଜନ କରି ଚମକି ଆସି କହିଲା, ‘‘କିରେ, ତୋର ଏତେ ସାହାସ ଯେ ତୁ ମୋର ଆହାର ଖାଉଛୁ ?’’ ଭୀମ ହସି ହସି କହିଲେ, ‘‘ସେଥିରେ କ୍ଷତି କଅଣ ? ତୁ ପରା ମୋତେ ଖାଇବୁ ? ମୋତେ ଖାଇଲେ ମୋ ପେଟରେ ଥିବା ଜିନିଷ ତୋ ପେଟକୁ ଚାଲିଯିବ । ତୋତେ କଷ୍ଟ କରି ଖାଇବାକୁ ପଡ଼ିବ ନାହିଁ ।’’

 

ଏଥିରେ ରାକ୍ଷସର ରାଗ ଆହୁରି ବଢ଼ିଗଲା । ସେ ଦଉଡ଼ିଆସି ଭୀମଙ୍କ ପିଠି ଉପରେ ଏକ ବିଧା ବସାଇ ଦେଲା । କିନ୍ତୁ ସେଥିକି ଖାତିର ନକରି ଭୀମ ପେଟପୂରା ଖାଇ ଗାଡ଼ିରୁ ଓହ୍ଲାଇ ପଡ଼ିଲେ । ରାକ୍ଷସ ପୁଣି ତାଙ୍କୁ ମାରିବାକୁ ବସିଲା । ଭୀମ ଗୋଟାଏ ଗଛ ଓପାଡ଼ି ନେଇ ସେଥିରେ ରାକ୍ଷସକୁ ପିଟିଲେ । ରାକ୍ଷସ ମଧ୍ୟ ସେହିପରି ଗୋଟାଏ ଗଛ ଓପାଡ଼ି ପିଟିବାରେ ଲାଗିଲା । ଦୁହିଁଙ୍କ ଭିତରେ ଅନେକ ବେଳଯାଏ ଯୁଦ୍ଧ ଚାଲିଲା । ଗୋଟାଏ ଗଛ ଭାଙ୍ଗି ଗୁଣ୍ଡ ହୋଇଗଲା ପରେ ଆଉ ଗୋଟାଏ ଗଛ ଓପାଡ଼ି ଦୁହେଁ ଯୁଦ୍ଧ କରୁଥାନ୍ତି । ବେଳେ ବେଳେ ହାତ ଗୋଡ଼ରେ ମଧ୍ୟ ମରାମରି ହେଉଥାନ୍ତି । ସେ ଦୁହିଁଙ୍କ ଯୁଦ୍ଧରେ ଜଙ୍ଗଲରୁ ଅଧେ ସଫା ହୋଇଗଲା ।

 

କ୍ରମେ ରାକ୍ଷସର ବଳ ହଟି ଆସିଲା । ସେ ତଳେ ପଡ଼ିଗଲା । ଏହି ସମୟରେ ସେହି ରାକ୍ଷସର ଜଣେ ବନ୍ଧୁ ଆସି ପହଞ୍ଚିଗଲା । ସେ ତା ବନ୍ଧୁର ଅବସ୍ଥା ଦେଖି ଭୀମଙ୍କ ସଙ୍ଗେ ଯୁଦ୍ଧ କରିବାକୁ ସାହସ କଲାନାହିଁ । ସେ ଶରଣ ପଶିବାରୁ ଭୀମ ତାକୁ ଛାଡ଼ିଦେଇ କହିଲେ, ‘‘ଦେଖ୍‌, ତୁ ଏଣିକି ଆଉ ସହର ଆଡ଼କୁ ଆସିବୁ ନାହିଁ କି ଲୋକଙ୍କ ଉପରେ ଅତ୍ୟାଚାର କରିବୁ ନାହିଁ ।’’ ରାକ୍ଷସ ତାହା ମାନି ପଳାଇଗଲା ।

 

ଏଣେ ଭୀମ ରାକ୍ଷସକୁ ମାରି ଟାଣିଆଣି ସହରପାଖେ ପକାଇ ଦେଲେ ଓ ମାଆଭାଇମାନଙ୍କ ପାଖକୁ ଚାଲିଗଲେ ।

 

ଏହି ଅସୁରର ନାମ ବକ ।

 

ନଗରର ଲୋକେ ବକରାକ୍ଷସର ଶବକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ; ପଚାରାପଚରି ହେଲେ–ଏ ଭୟଙ୍କର ରାକ୍ଷସକୁ ମାଇଲା କିଏ ?

 

ସେଦିନ ଯେଉଁ ବ୍ରାହ୍ମଣର ରାକ୍ଷସକୁ ଆହାର ଦେବାର ପାଳି ଥିଲା, ତାକୁ କେତେଜଣ ପଚାରିଲେ । ସେ କହିଲା, ‘‘କାହୁଁ ଜଣେ ବ୍ରାହ୍ମଣ ଆସି ରାକ୍ଷସକୁ ମାରିଛି ।’’ ସାମାନ୍ୟ ଜଣେ ବ୍ରାହ୍ମଣ ଏପରି କାର୍ଯ୍ୟ କରିଥିବାର ସେମାନେ ବିଶ୍ୱାସ କରିପାରିଲେ ନାହିଁ ।

 

ଯାହାହେଉ, ରାକ୍ଷସର ଭୟ ଦୂର ହେବାରୁ ନଗରର ଲୋକେ ଆନନ୍ଦିତ ହେଲେ ।

 

ଦ୍ରୌପଦୀ ସ୍ୱୟମ୍ବର :

 

ପଞ୍ଚାଳ ଦେଶର ରାଜାଙ୍କ ନାମ ଦ୍ରୁପଦ । ତାଙ୍କର ପୁଅଝିଅ ନଥିବାରୁ ସେ ଗୋଟିଏ ଯଜ୍ଞ କରାଇଲେ । ଏହା ଫଳରେ ସେ ଗୋଟିଏ ପୁଅ ଓ ଗୋଟିଏ ଝିଅ ପାଇଲେ । ପୁଅଟିର ନାମ ଧୃଷ୍ଟଦ୍ୟୁମ୍ନ ଓ ଝିଅଟିର ନାମ ହେଲା କୃଷ୍ଣା । କିନ୍ତୁ ଦ୍ରୁପଦ ରାଜାଙ୍କର ଝିଅ ହୋଇଥିବାରୁ ସେ ଦ୍ରୌପଦୀ ନାମରେ ପରିଚିତ ଥିଲେ ।

 

ଝିଅଟି ବିବାହଯୋଗ୍ୟ ହେବାରୁ ଦ୍ରୁପଦ ଏକ ସ୍ୱୟଂମ୍ବର କରିବାକୁ ସ୍ଥିର କଲେ । ତାଙ୍କର ଇଚ୍ଛା ଥିଲା କିପରି ଅର୍ଜ୍ଜୁନଙ୍କ ଭଳି ଜଣେ ବୀରପୁରୁଷ ସଙ୍ଗେ ଦ୍ରୌପଦୀର ବିବାହ ହେବ । ତେଣୁ ସେ ସ୍ୱୟଂମ୍ବରରେ ଗୋଟିଏ କଠିନ ପରୀକ୍ଷାର ବ୍ୟବସ୍ଥା କଲେ।

 

ସେ ଗୋଟିଏ ସ୍ତମ୍ଭ ଅଗରେ ଏକ ରୁପାର ମାଛ ରଖାଇଲେ । ତା ତଳକୁ ଗୋଟିଏ ଚକ ଘୂରୁଥିଲା । ତଳେ ଗୋଟିଏ ପାଣିକୁଣ୍ଡ ଥୁଆହେଲା । ସେଥିରେ ଚକ ଓ ମାଛର ଛାଇ ପଡ଼ୁଥିଲା । ତାଙ୍କର ଗୋଟିଏ ବଡ଼ ଧନୁ ଥିଲା । ଦ୍ରୁପଦ ଜଣାଇଦେଲେ ଯେ ଯେଉଁ ବୀର ପାଣିକୁଣ୍ଡରେ ମାଛର ଛାଇକୁ ଚାହିଁ ସେହି ଧନୁରେ ଶର ମାରି ଚକବାଟେ ମାଛର ଆଖିକୁ ଲାଖ ବିନ୍ଧିପାରିବ, ତାହାକୁ ଦ୍ରୌପଦୀ ବରଣମାଳା ଦେବ ।

 

ଏତେ କଠିନ ପରୀକ୍ଷାସତ୍ତ୍ୱେ ଅନେକ ଦେଶର ରାଜା ଓ ରାଜପୁତ୍ରମାନେ ଦ୍ରୌପଦୀଙ୍କୁ ପାଇବା ଲୋଭରେ ସ୍ୱୟଂମ୍ବର ସଭାକୁ ଆସିଲେ ।

 

ଏଣେ ପାଣ୍ଡବମାନେ ବକାସୁର ବଧ ପରେ ଏକଚକ୍ରା ନଗରରେ ନ ରହିବାକୁ ସ୍ଥିର କଲେ । ଦିନେ ଜଣେ ବ୍ରାହ୍ମଣଙ୍କଠାରୁ ସେମାନେ ଦ୍ରୌପଦୀଙ୍କର ସ୍ୱୟଂମ୍ବର ହେବ ବୋଲି ଶୁଣିଲେ । ତେଣୁ ସେମାନେ ପଞ୍ଚାଳ ରାଜ୍ୟକୁ ଯିବାକୁ ବାହାରିଲେ ।

 

ଯାଉ ଯାଉ ବାଟରେ ଗଙ୍ଗା ନଦୀ ପଡ଼ିଲା । ସେତେବେଳକୁ ରାତି ଅନ୍ଧାର ହୋଇଥିଲା-। ଅର୍ଜ୍ଜୁନ ମଶାଲ ଧରି ବାଟ ଦେଖାଉଥିଲେ । ଦୈବାତ୍‌ସେତିକି ବେଳକୁ ଚିତ୍ରରଥ ବୋଲି ଜଣେ ଗନ୍ଧର୍ବ ନିଜ ପରିବାର ସହିତ ଗଙ୍ଗାରେ ସ୍ନାନ କରୁଥିଲେ । ସେମାନେ ଅର୍ଜ୍ଜୁନଙ୍କୁ ସେଠାକୁ ଯିବା ପାଇଁ ନିଷେଧ କଲେ । କିନ୍ତୁ ଅର୍ଜ୍ଜୁନ ତାଙ୍କ କଥା ନଶୁଣି ଆଗେଇବାରୁ ଚିତ୍ରରଥ ଅର୍ଜ୍ଜୁନଙ୍କ ଉପରକୁ ଶର ମାରିଲେ । ଅର୍ଜ୍ଜୁନ ମଧ୍ୟ ମଶାଳ ଫିଙ୍ଗି ଦେଇ ଧନୁଶର ଘେନି ତାଙ୍କ ସଙ୍ଗେ ଯୁଦ୍ଧ କଲେ-। ଦୁହିଁଙ୍କ ଭିତରେ ଭୀଷଣ ଯୁଦ୍ଧ ହେଲା । ଚିତ୍ରରଥ ପରାସ୍ତ ହୋଇ ଯୁଧିଷ୍ଠିରଙ୍କ ପାଖେ କ୍ଷମା ମାଗିଲେ । ଯୁଧିଷ୍ଠିରଙ୍କ କଥା ଅନୁସାରେ ଚିତ୍ରରଥ ଓ ପାଣ୍ଡବମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା । ଚିତ୍ରରଥ ଅର୍ଜ୍ଜୁନଙ୍କୁ କେତେକ ଗୁପ୍ତବିଦ୍ୟା ଶିକ୍ଷା ଦେଲେ ଓ ଅର୍ଜ୍ଜୁନ ଚିତ୍ରରଥଙ୍କୁ ବ୍ରହ୍ମାସ୍ତ୍ର ଦେଲେ । ଏହି ଗନ୍ଧର୍ବଙ୍କ ପରାମର୍ଶରେ ପାଣ୍ଡବମାନେ ଧୌମ୍ୟଙ୍କୁ ନିଜର ପୁରୋହିତରୂପେ ସଙ୍ଗରେ ନେଇଗଲେ ।

 

ପଞ୍ଚପାଣ୍ଡବ, କୁନ୍ତୀ ଓ ଧୌମ୍ୟ ପଞ୍ଚାଳ ରାଜ୍ୟରେ ପହଞ୍ଚି ଜଣେ କୁମ୍ଭାରର ଘରେ ରହିଲେ । ପାଣ୍ଡବମାନେ ସମସ୍ତେ ବ୍ରାହ୍ମଣ ବେଶ ଧରିଲେ । ସ୍ୱୟଂମ୍ବର ଦିନ ସେମାନେ ଯାଇ ସଭାରେ ବ୍ରାହ୍ମଣମାନଙ୍କ ସଙ୍ଗରେ ବସିଲେ ।

 

କେତେ ରାଜା ଓ ରାଜପୁତ୍ର ଲକ୍ଷ୍ୟ ଭେଦ କରି ଦୌପଦୀଙ୍କୁ ପାଇବା ଆଶାରେ ଆସିଥିଲେ । ସେମାନଙ୍କ ଛଡ଼ା ସ୍ୱୟଂମ୍ବର ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଜମା ହୋଇଥିଲେ । ଶ୍ରୀକୃଷ୍ଣ ଓ ତାଙ୍କ ବଡ଼ଭାଇ ବଳରାମ ମଧ୍ୟ ସଭାରେ ଉପସ୍ଥିତ ଥିଲେ । ଅନ୍ୟମାନେ କେହି ପାଣ୍ଡବମାନଙ୍କୁ ଚିହ୍ନି ପାରିନଥିଲେହେଁ ଶ୍ରୀକୃଷ୍ଣ ଓ ବଳରାମ ସେମାନଙ୍କୁ ଦେଖିଲାମାତ୍ରେ ଚିହ୍ନି ପାରିଥିଲେ । କିନ୍ତୁ ସେ ଦୁହେଁ ଏହା କାହାକୁ କହିଲେ ନାହିଁ ।

 

ଯଥାସମୟରେ ଲକ୍ଷ୍ୟ ଭେଦ ପରୀକ୍ଷା ଆରମ୍ଭହେଲା । କେହି ଧନୁରେ ଗୁଣ ଦେବାକୁ ଯାଇ ତଳେ ପଡ଼ିଲା; କେହି ଅବା ଧନୁକୁ ଟେକି ନପାରି ଲାଜରେ ପଳାଇ ଆସିଲା । ଶେଷକୁ କର୍ଣ୍ଣ ଧନୁ ଧରିବାକୁ ଆସିଲେ । ପାଣ୍ଡବମାନେ ଜାଣନ୍ତି, କର୍ଣ୍ଣଙ୍କ ଭଳି ଧନୁର୍ଦ୍ଧର କେହି ନାହାନ୍ତି; ସେ ନିଶ୍ଚୟ ଲକ୍ଷ୍ୟ ଭେଦ କରି ଦ୍ରୌପଦୀଙ୍କୁ ବିଭା ହେବେ ।

 

ସେ ଆଗେଇଯାଇ ଧନୁ ଧରିବାକୁ ଗଲାବେଳକୁ ଦ୍ରୌପଦୀ କହିଲେ, ‘‘ମୁଁ ଜଣେ ସାରଥିର ପୁଅକୁ ବିଭା ହୋଇନପାରେ ।’’ ଏହା ଶୁଣି କର୍ଣ୍ଣ ଲାଜରେ ଫେରିଗଲେ । କୌଣସି ରାଜା ବା ରାଜପୁତ୍ର ଲକ୍ଷ୍ୟ ଭେଦ କରି ନପାରିବାରୁ ଅର୍ଜ୍ଜୁନ ବ୍ରାହ୍ମଣମାନଙ୍କ ମଧ୍ୟରୁ ଉଠି ଧନୁ ଧରିବାକୁ ଗଲେ । ଜଣେ ବ୍ରହ୍ମଣର ଏ ଭଳି ସାହସ ଦେଖି ଅନେକେ ତାଙ୍କୁ ଉପହାସ କଲେ । କିନ୍ତୁ ଅର୍ଜ୍ଜୁନ ଗମ୍ଭୀର ଭାବରେ ଧନୁକୁ ଧରି ସେଥିରେ ଗୁଣ ଦେଲେ ଓ ପାଣିଭିତରେ ମାଛର ଛାଇକୁ ଚାହିଁ ଗୋଟିଏ ଶର ମାରିଲେ । ଶରଟି ଚକର ଫାଙ୍କବାଟେ ଯାଇ ମାଛର ଆଖିକୁ ଭେଦକଲା । ବ୍ରାହ୍ମଣମାନେ ଏବେ ତାଙ୍କର ପ୍ରଶଂସା ଧନି କଲେ । ଲୋକେ ତାଙ୍କର ଜୟ ଜୟ କହି ସଭାସ୍ଥାନ କମ୍ପାଇ ଦେଲେ ।

 

ଦ୍ରୌପଦୀ ଧୀର ପଦରେ ଆସି ଅର୍ଜ୍ଜୁନଙ୍କ ଗଳାରେ ବରଣ ମାଳା ଲମ୍ବାଇଦେଲେ ।

 

ଜଣେ ସାମାନ୍ୟ ବ୍ରାହ୍ମଣ ଦ୍ରୌପଦୀଙ୍କୁ ଲାଭ କରିବାର ଦେଖି ରାଜାମାନେ ଈର୍ଷାରେ ଜଳିଗଲେ । ସେମାନେ ଅର୍ଜ୍ଜୁନଙ୍କୁ ବଧ କରିବା ପାଇଁ ଯୁଦ୍ଧ କରିବାକୁ ବାହାରିଲେ । କିନ୍ତୁ ଅର୍ଜ୍ଜୁନଙ୍କ ସଙ୍ଗେ କିଛି ସମୟ ଯୁଦ୍ଧ ପରେ ସେମାନେ ହାରିଗଲେ ।

 

ପାଣ୍ଡବମାନେ ଦୌପଦୀଙ୍କୁ ନେଇ କୁମ୍ଭାର ଘରେ ପହଞ୍ଚିଲେ । ଭୀମ ଆଗେ ଦୌଡ଼ିଯାଇ କୁନ୍ତୀଙ୍କୁ କହିଲେ, ‘‘ମାଆ, ଆଜି ଭିକ୍ଷାରେ ଗୋଟିଏ ଭଲ ଜିନିଷ ପାଇଛୁ ।’’ ସଙ୍ଗେ ସଙ୍ଗେ କୁନ୍ତୀ କହିଲେ, ‘‘ଆରେ ବାପ, ଯାହା ଆଣିଛ ତାକୁ ସବୁ ଭାଇ ବାଣ୍ଟି ନେବ । ଜଣେ ଆଣିଥିଲେ ମଧ୍ୟ ତାହା ସବୁ ଭାଇଙ୍କର ।’’

 

ଏବେ ଭାଇମାନଙ୍କର ଚିନ୍ତା ହେଲା, ‘‘ମାଆଙ୍କ କଥା କିପରି ରହିବ ?’’ ଶେଷରେ ପାଞ୍ଚଭାଇଯାକ ମିଳି ଦ୍ରୌପଦୀଙ୍କୁ ବିଭା ହେବା ସ୍ଥିର ହେଲା ।

 

ଦ୍ରୁପଦ ଅର୍ଜ୍ଜୁନଙ୍କର ଲକ୍ଷ୍ୟଭେଦ ଓ ରାଜାମାନଙ୍କୁ ଏକାକୀ ଯୁଦ୍ଧରେ ପରାସ୍ତ କରିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜଣେ ସାଧାରଣ ବ୍ରାହ୍ମଣ ପକ୍ଷରେ ଏପରି କାର୍ଯ୍ୟ ଅସମ୍ଭବ । ତେଣୁ ସେ ନିଶ୍ଚୟ କେହି ଛଦ୍ମବେଶୀ କ୍ଷତ୍ରିୟ ବୀର ହୋଇଥିବେ ବୋଲି ତାଙ୍କର ଧାରଣା ହୋଇଥିଲା । ଏହି ବୀରଙ୍କର ପ୍ରକୃତ ପରିଚୟ ପାଇବା ପାଇଁ ଦ୍ରୁପଦ ଗୋପନରେ ଧୃଷ୍ଟ୍ରଦ୍ୟୁମ୍ନଙ୍କୁ ପଠାଇଲେ ।

 

ଧୃଷ୍ଟଦ୍ୟୁମ୍ନ ଲୁଚି ଲୁଚି ପାଣ୍ଡବମାନଙ୍କ ପଛେ ପଛେ ଆସିଲେ । ସେ ଦେଖିଲେ ଦ୍ରୌପଦୀଙ୍କ ସହିତ ଏମାନେ କୁମ୍ଭାର ଘରକୁ ଗଲେ ଓ ମାଆଙ୍କୁ ପ୍ରଣାମ କଲେ । ମାଆ–ପୁଅମାନଙ୍କ ଭିତରେ ଯାହା କଥାବାର୍ତ୍ତା ହେଲା ତାହା ମଧ୍ୟ ଧୃଷ୍ଟଦ୍ୟୁମ୍ନ ଶୁଣିଲେ । ଭିକ୍ଷା କରି ସେମାନେ ଯାହା ଆଣିଥିଲେ, ମାଆ ତାହା ରାନ୍ଧି ସମସ୍ତଙ୍କୁ ଖାଇବାକୁ ଦେଲେ । ଅତିଥିମାନଙ୍କୁ ମଧ୍ୟ କିଛି ଦେଲେ।

 

ସମସ୍ତେ ଶୋଇବାକୁ ଗଲେ । ପାଞ୍ଚଭାଇଙ୍କ ଭିତରେ କେବଳ ଯୁଦ୍ଧ ଓ ଅସ୍ତ୍ରଶସ୍ତ୍ର ବିଷୟରେ କଥାବାର୍ତ୍ତା ଚାଲିଲା । ଭାଇମାନଙ୍କର ଆଚାର–ବ୍ୟବହାର ଓ କଥାବାର୍ତ୍ତାରୁ ଧୃଷ୍ଟଦ୍ୟୁମ୍ନ ବୁଝିଗଲେ ଯେ ଏମାନେ କ୍ଷତ୍ରିୟ ବୀର ଓ ଉଚ୍ଚକୁଳରେ ଜାତ । କୌଣସି କାରଣରୁ ବ୍ରାହ୍ମଣ ବେଶ ଧରି ବୁଲୁଛନ୍ତି ।

 

ସେ ଆସି ପିତାଙ୍କୁ ସମସ୍ତ ଘଟନା ଜଣାଇଲେ । ଏବେ ତାଙ୍କର ସନ୍ଦେହ ହେଲା ଯେ ଏ ପାଞ୍ଚଜଣ ନିଶ୍ଚୟ ପାଣ୍ଡବ ପାଞ୍ଚଭାଇ ହୋଇଥିବେ । ବୃଦ୍ଧା ଜଣକ ସେମାନଙ୍କର ମାଆ କୁନ୍ତୀ ।

 

ପରଦିନ ଦ୍ରୁପଦ ପାଣ୍ଡବମାନଙ୍କୁ ଅଣାଇ ଖୁବ୍‌ ଆଦର ଅଭ୍ୟର୍ଥନା କଲେ । ମହାଆଡ଼ମ୍ବରରେ ପାଞ୍ଚଭାଇଙ୍କ ସଙ୍ଗେ ଦ୍ରୌପଦୀଙ୍କର ବିବାହ ହୋଇଗଲା । ଏବେ ଦ୍ରୁପଦ ବ୍ରାହ୍ମଣବେଶୀ ପାଣ୍ଡବମାନଙ୍କର ପ୍ରକୃତ ପରିଚୟ ପାଇ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ବହୁତ ଦାସଦାସୀ, ରଥ, ହାତୀ, ଘୋଡ଼ା, ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଯୌତୁକ ଦେଲେ । ଦ୍ରୁପଦ ସମସ୍ତ ଘଟନା ଜାଣି ଧୃତରାଷ୍ଟ୍ରଙ୍କର ବହୁତ ନିନ୍ଦା କଲେ ଓ ପାଣ୍ଡବମାନଙ୍କୁ ରାଜ୍ୟ ଫେରିପାଇବାରେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ ।

 

ପାଣ୍ଡବମାନଙ୍କର ରାଜ୍ୟପ୍ରାପ୍ତି :

 

ଯେଉଁ ପାଣ୍ଡବମାନେ ଜତୁଗୃହରେ ମରିଛନ୍ତି ବୋଲି ଶୁଦ୍ଧିଶ୍ରାଦ୍ଧ ପର୍ଯ୍ୟନ୍ତ ହୋଇଯାଇଥିଲା, ସେମାନେ ପ୍ରକୃତରେ ବଞ୍ଚିଛନ୍ତି ଓ ପଞ୍ଚାଳରେ ଦ୍ରୌପଦୀଙ୍କୁ ବିବାହ କରିଛନ୍ତି–ଏ ସମ୍ବାଦ ହସ୍ତିନାରେ ପହଞ୍ଚିବାକୁ ବେଶି ଦିନ ଲାଗିଲା ନାହିଁ । ଧୃତରାଷ୍ଟ୍ର ଏବେ ବଡ଼ ଅଡ଼ୁଆରେ ପଡ଼ିଲେ । ଦୁର୍ଯ୍ୟୋଧନ, କର୍ଣ୍ଣ, ଶକୁନି ପ୍ରଭୃତି ତାଙ୍କୁ ପରାମର୍ଶ ଦେଲେ ଯେ ଏତିକିବେଳେ ଉପାୟ କରି ପାଣ୍ଡବମାନଙ୍କୁ ଶେଷ କରିଦେବା ଭଲ । ଭୀଷ୍ମ, ଦ୍ରୋଣ ପ୍ରଭୃତି କହିଲେ, ‘‘ପାଣ୍ଡବମାନଙ୍କର ଆପଣ ହେଉଛନ୍ତି ମୁରବି । ସହଜେ ନ୍ୟାୟତଃ ଯୁଧିଷ୍ଠିର ହେଉଛନ୍ତି ରାଜ୍ୟର ଉତ୍ତରାଧିକାରୀ । ଆପଣ ଯଦି ପାଣ୍ଡବମାନଙ୍କୁ ଅନ୍ତତଃ ରାଜ୍ୟରୁ ଅଧେ ନ ଦିଅନ୍ତି, ତେବେ ଲୋକେ ଆପଣଙ୍କର ନିନ୍ଦା ଗାଇବୁଲିବେ ।’’ ବିଦୁର ମଧ୍ୟ ତାହାହିଁ କହିଲେ ।

 

ଧୃତରାଷ୍ଟ୍ର ନିଜର ମାନ ରଖିବା ପାଇଁ ପଞ୍ଚାଳରୁ ପାଣ୍ଡବ ମାନଙ୍କୁ ଆଣିବା ସକାଶେ ବିଦୁରଙ୍କୁ ପଠାଇଲେ । ସେମାନେ କୃଷ୍ଣ, ବଳରାମ ଓ ଦ୍ରୁପଦଙ୍କଠାରୁ ବିଦାୟ ଘେନି ଦ୍ରୌପଦୀଙ୍କ ସହିତ ହସ୍ତିନାକୁ ଆସିଲେ ।

 

ଧୃତରାଷ୍ଟ୍ର ସେମାନଙ୍କୁ ଖୁବ୍‌ଆଦର ଦେଖାଇ କହିଲେ, ‘‘ଯୁଧିଷ୍ଠିର, ତୁମେମାନେ ଏ ରାଜ୍ୟରୁ ଅଧେ ନେଇ ଖାଣ୍ଡବପ୍ରସ୍ଥରେ ରାଜଧାନୀ କର । ଦୁର୍ଯ୍ୟୋଧନ ଆର ଅଧକରେ ରାଜା ହୋଇ ହସ୍ତିନାରେ ରାଜଧାନୀ କରୁ । ତାହାହେଲେ ଆଉ ଭାଇ-ଭାଇ ମଧ୍ୟରେ କଳିଗୋଳ ହେବ ନାହିଁ ।’’

 

ଧୃତରାଷ୍ଟ୍ର ଗାନ୍ଧାରୀ ପ୍ରଭୃତି ଗୁରୁଜନମାନଙ୍କୁ ପ୍ରଣାମ କରି ପାଣ୍ଡବମାନେ ଖାଣ୍ଡବପ୍ରସ୍ଥରେ ସେମାନଙ୍କର ରାଜଧାନୀ ବସାଇଲେ । ଯୁଧିଷ୍ଠିରଙ୍କ ବୁଦ୍ଧିବଳରେ ଏହା ଏକ ସୁନ୍ଦର ସହର ହୋଇଗଲା । ପାଣ୍ଡବମାନେ ଏହାର ନାମ ଦେଲେ ଇନ୍ଦ୍ରପ୍ରସ୍ଥ ।

 

ଏହିପରି ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ଓ କୌରବମାନେ ହସ୍ତିନାରେ ରହି ରାଜ୍ୟ ଶାସନ କରିବାକୁ ଲାଗିଲେ । ଅବଶେଷରେ ଧୃତରାଷ୍ଟ୍ର ପାଣ୍ଡବମାନଙ୍କ ପ୍ରତି ଉଚିତ ବ୍ୟବହାର କରିଛନ୍ତି ବୋଲି ଲୋକ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ । କିନ୍ତୁ ଦୁର୍ଯ୍ୟୋଧନ ମନେ ମନେ ପାଣ୍ଡବମାନଙ୍କ ପ୍ରତି ଈର୍ଷାରେ ଜଳିବାକୁ ଲାଗିଲେ ।

 

ରାଜସୂୟ ଯଜ୍ଞ :

 

ଯୁଧିଷ୍ଠିର ଇନ୍ଦ୍ରପ୍ରସ୍ଥରେ ରାଜା ହୋଇ ସୁଶାସନ ଫଳରେ ରାଜ୍ୟରେ ସୁଖଶାନ୍ତି ପ୍ରତିଷ୍ଠା କଲେ । ଶେଷରେ ସେ ଏକ ରାଜସୂୟ ଯଜ୍ଞ କରିବାକୁ ସ୍ଥିର କଲେ । ଅଧିକାଂଶ ରାଜା ଯୁଧିଷ୍ଠିରଙ୍କର ପ୍ରାଧାନ୍ୟ ସ୍ୱୀକାର କରିଯାଇଥିଲେ । ଯେଉଁମାନେ ତାଙ୍କର ବିରୋଧ କଲେ, ସେମାନଙ୍କୁ ପାଣ୍ଡବମାନେ ଯୁଦ୍ଧରେ ପରାସ୍ତ କଲେ । ମଗଧର ରାଜା ଜରାସନ୍ଧ ପାଣ୍ଡବମାନଙ୍କ ହାତରେ ମଲା । ରାଜସୂୟ ଯଜ୍ଞରେ ଯୋଗଦେବା ପାଇଁ ଆଖପାଖର ସବୁ ରାଜାଙ୍କୁ ନିମନ୍ତ୍ରଣ କରାଗଲା । ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ପ୍ରଭୃତି କୌରବମାନେ ମଧ୍ୟ ନିମନ୍ତ୍ରିତ ହୋଇ ଇନ୍ଦ୍ରପ୍ରସ୍ଥକୁ ଗଲେ ।

 

ଦେବତାମାନଙ୍କର ବିଶ୍ୱକର୍ମା ଯେପରି ପ୍ରଧାନ ଶିଳ୍ପୀ, ମୟ ସେହିପରି ଦାନବମାନଙ୍କର ପ୍ରଧାନ ଶିଳ୍ପୀ । ଥରେ ଅର୍ଜ୍ଜୁନ ମୟ ଦାନବକୁ ଏକ ବଡ଼ ବିପଦରୁ ଉଦ୍ଧାର କରିଥିଲେ । କୃତଜ୍ଞତାର ଚିହ୍ନ ସ୍ୱରୂପ ସେ ଯୁଧିଷ୍ଠିରଙ୍କ ପାଇଁ ଏକ ସଭାଗୃହ ନିର୍ମାଣ କରିଦେଲେ । ଏହା ସ୍ଫଟିକ, ମଣି, ମୁକ୍ତା ପ୍ରଭୃତିରେ ନିର୍ମିତ ହୋଇଥିବାରୁ ଶୋଭାରେ ଇନ୍ଦ୍ରଙ୍କ ସଭାକୁ ବଳିଯାଇଥିଲା ।

 

ଶତ ଶତ ରାଜା ଚତୁର୍ଦ୍ଦିଗରୁ ଆସି ଇନ୍ଦ୍ରପ୍ରସ୍ଥରେ ରୁଣ୍ଡ ହେଲେ । ଯଜ୍ଞକାର୍ଯ୍ୟରେ ସେମାନେ ସାହାଯ୍ୟ-ସହଯୋଗ କଲେ । କିଏ ବ୍ରାହ୍ମଣମାନଙ୍କର, କିଏ ରାଜାମାନଙ୍କର, କିଏ ଅବା ଅତିଥି ଅଭ୍ୟାଗତଙ୍କର ଚର୍ଚ୍ଚା କରିବାର ଭାର ନେଲେ । ଦୁର୍ଯ୍ୟାଧନ, ଦୁଃଶାସନ ପ୍ରଭୃତିଙ୍କ ମନରେ ଯାହା ଥାଉନା କାହିଁକି, ସେମାନେ ମଧ୍ୟ କେତେକ କାର୍ଯ୍ୟର ଦାୟିତ୍ୱ ନେଲେ ।

 

ଧୃତରାଷ୍ଟ୍ରଙ୍କ ସହିତ ଭୀଷ୍ମ, କୃପ, ବିଦୁର ପ୍ରଭୃତି ମଧ୍ୟ ଆସିଥିଲେ । ଯୁଧିଷ୍ଟିର ସେମାନଙ୍କୁ ଯଥୋଚିତ ସମ୍ମାନ ଦେଖାଇଲେ । କର୍ଣ୍ଣ, ଶଲ୍ୟ, ଦ୍ରୋଣାଚାର୍ଯ୍ୟ, ଦ୍ରୁପର ମଧ୍ୟ ଉପଯୁକ୍ତ ଆଦରଅଭ୍ୟର୍ଥନା ପାଇଲେ । ଦ୍ୱାରକାରୁ କୃଷ୍ଣ, ବଳରାମ ପ୍ରଭୃତି ବନ୍ଧୁମାନେ ଆସି ଏହି ଯଜ୍ଞରେ ଯୋଗଦେଲେ । ଚେଦି ରାଜ୍ୟର ରାଜା ଶିଶୁପାଳ ମହା ଆଡ଼ମ୍ବରରେ ପୁତ୍ର ସହିତ ଯଜ୍ଞସଭାରେ ଉପସ୍ଥିତ ହେଲେ ।

 

ବ୍ରାହ୍ମଣମାନେ ଯଜ୍ଞ କରିବାରେ ଲାଗିଗଲେ । ନାନାଦେଶର ରାଜା ଓ ରାଜପୁତ୍ରଙ୍କ ଦ୍ୱାରା ସଭାଗୃହ ପୂରିଗଲା । ସମସ୍ତଙ୍କ ମୁହଁରେ ମହାରାଜା ଯୁଧିଷ୍ଠିରଙ୍କର ଜୟଧ୍ୱନି । ଭୀଷ୍ମ, ଦ୍ରୋଣ, କୃପ, ଦୁର୍ଯ୍ୟୋଧନ ପ୍ରଭୃତିଙ୍କୁ ଯୁଧିଷ୍ଠିର କହିଲେ, ‘‘ତୁମେମାନେ ସାହାଯ୍ୟ ନ କଲେ ଏ ଯଜ୍ଞ ସଂପାଦନ ହୋଇପାରିବ ନାହିଁ । ତୁମେମାନେ ଏହାକୁ ନିଜର କାର୍ଯ୍ୟ ମନେକର । ମୋର ଯାହା କିଛି ଧନସମ୍ପତ୍ତି ଅଛି, ସେ ସବୁ ତୁମର ବୋଲି ବିଚାରି ଯାହା ଯାହା ଦରକାର ତାହା କର । ଯଜ୍ଞକାର୍ଯ୍ୟରେ ଯେପରି କିଛି ବିଘ୍ନ ନ ହୁଏ କି କେହି ଯେପରି ଅସନ୍ତୁଷ୍ଟ ହୋଇ ନଯାନ୍ତି ।’’

 

ଦୁର୍ଯ୍ୟୋଧନ ଅତିଥିମାନଙ୍କୁ, ଅଶ୍ୱତ୍‌ଥାମା ମୁନିଋଷିମାନଙ୍କୁ, ସଞ୍ଜୟ ରାଜାମାନଙ୍କୁ ଚର୍ଚ୍ଚା କରିବାର ଭାର ନେଲେ । କୃପ ଧନରତ୍ନ ଜଗିରଖି ବ୍ରାହ୍ମଣମାନଙ୍କୁ ଦାନ ଦେବାରେ ଲାଗିଲେ । ଭୀଷ୍ମ ଓ ଦ୍ରୋଣ ଯଜ୍ଞକାର୍ଯ୍ୟର ଭାର ନେଲେ । ଅନ୍ଧ ଧୃତରାଷ୍ଟ୍ର ଏହି ବିରାଟ ଆୟୋଜନର ବର୍ଣ୍ଣନା ଶୁଣି ମୁଗ୍‌ଧ ହୋଇଗଲେ । ଅଧିନସ୍ଥ ରାଜାମାନଙ୍କ ଉପହାରମାନ ଆଣି ଦୁର୍ଯ୍ୟୋଧନ ଜମା କରିଦେଲେ । ଶ୍ରୀକୃଷ୍ଣ ମୁନିଋଷି ଓ ବ୍ରାହ୍ମଣମାନଙ୍କର ସେବା ଅର୍ଚ୍ଚନା କରି ସେମାନଙ୍କୁ ଆପ୍ୟାୟିତ କଲେ ।

 

ଦରିଦ୍ରମାନେ ଭୂରି ଭୋଜନରେ ସନ୍ତୁଷ୍ଟ ହେଲେ । କେତେ ଯେ ଦାନ-ଦକ୍ଷିଣା ଦିଆଗଲା, ତାହା କଳନା କରାଯାଇ ନପାରେ । ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ଦିଆଗଲା । ଯଥାବିଧି ଯଜ୍ଞ ସମାପନ ହେଲା ।

 

ଶିଶୁପାଳ ବଧ :

 

ଯଜ୍ଞ ଶେଷରେ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଲେ, ‘‘ଏବେ ପୁରୋହିତ, ପଣ୍ଡିତ ଓ ଅଭ୍ୟାଗତ ରାଜାମାନଙ୍କୁ ଅର୍ଘ୍ୟ ଦେବାର ବିଧି । ଯିଏ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ, ତାଙ୍କୁ ଆଗେ ଅର୍ଘ୍ୟ ଦିଅ ।’’ ଯୁଧିଷ୍ଠିର ପଚାରିଲେ, ‘‘ଏତେ ରାଜା ମହାରାଜା ଉପସ୍ଥିତ । ଏମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ସ୍ଥିର କରିବି ?’’ ଭୀଷ୍ମ କିଛି କ୍ଷଣ ଚିନ୍ତା କରି କହିଲେ, ‘‘କୃଷ୍ଣ ହେଉଛନ୍ତି ଶ୍ରେଷ୍ଠ । ଜଗତରେ କେହି ତାଙ୍କର ସମକକ୍ଷ ନୁହନ୍ତି । ତେଣୁ ତାଙ୍କୁ ହିଁ ପ୍ରଥମେ ଅର୍ଘ୍ୟ ଦିଅ ।’’ ଏହା ଶୁଣିଲାମାତ୍ରେ ସହଦେବ ଅର୍ଘ୍ୟଥାଳି ଆଣି ଶ୍ରୀକୃଷ୍ଣଙ୍କୁ ସମର୍ପଣ କଲେ ଓ ଶ୍ରୀକୃଷ୍ଣ ତାହା ଗ୍ରହଣ କଲେ ।’’

 

ପ୍ରଥମେ ଶ୍ରୀକୃଷ୍ଣଙ୍କୁ ଅର୍ଘ୍ୟ ଦେବାରୁ ଅନ୍ୟ ସମସ୍ତେ ସନ୍ତୁଷ୍ଟ ହେଲେ; କିନ୍ତୁ ଶିଶୁପାଳର କ୍ରୋଧ ଜାତ ହେଲା । ସେ ନିଜକୁ ଶ୍ରେଷ୍ଠ ମନେ କରୁଥିଲା । ସେ ରକ୍ତାକ୍ତ ଚକ୍ଷୁରେ ଭୀଷ୍ମ, ଯୁଧିଷ୍ଠିର ଓ କୃଷ୍ଣଙ୍କୁ ଚାହିଁ କହିଲା, ‘‘ଏଠାରେ

 

ପ୍ରଥମେ ଅର୍ଘ୍ୟ ପାଇବା ପାଇଁ କଅଣ ଶ୍ରୀକୃଷ୍ଣଙ୍କଠାରୁ ବଡ଼ କେହି ନାହାନ୍ତି ? ସେ ରାଜା ସୁଦ୍ଧା ନୁହନ୍ତି । ଏତେ ବଡ଼ ବଡ଼ ରାଜା ଥାଉଁ ଥାଉଁ ତାଙ୍କୁ ଅର୍ଘ୍ୟ ଦେବା ଅର୍ଥ ସେମାନଙ୍କୁ ଅପମାନ ଦେବା । ପାଣ୍ଡବମାନେ ଏବେ ମଧ୍ୟ ଭଦ୍ରତା ଶିଖିନାହାନ୍ତି । ଭୀଷ୍ମଙ୍କ ଭଳି ଜ୍ଞାନୀ ଲୋକ କିପରି ଏହା କରିବାକୁ କହିଲେ ? ତାଙ୍କର ନିଶ୍ଚୟ କୃଷ୍ଣଙ୍କ ପ୍ରତି ପକ୍ଷପାତ ରହିଛି । ଜାଣିଶୁଣି ସେ ଏଭଳି ଅନ୍ୟାୟ କଥା କହିଲେ । କୃଷ୍ଣ କଅଣ ଏ ମୁନିଋଷିଙ୍କଠାରୁ ବଡ଼ ? ତାଙ୍କର ବାପା ବସୁଦେବ ଅଛନ୍ତି-। ସେ ହେଉଛନ୍ତି ରାଜା । ତାଙ୍କଠାରୁ କଅଣ ପୁଅ ବଡ଼ ହୋଇଗଲା ? ଯଦି ଯୁଧିଷ୍ଠିରଙ୍କର ବନ୍ଧୁ ବୋଲି କୁହ, ତେବେ ଦ୍ରୁପଦ ତାଙ୍କର ଶ୍ୱଶୁର; ପିତା ତୁଲ୍ୟ । ତାଙ୍କୁ ଅର୍ଘ୍ୟ ଦେଇଥିଲେ କିଛି କହିବାର ନଥିଲା । ଯଦି ଗୁରୁଙ୍କୁ ଶ୍ରେଷ୍ଠ ବୋଲି କୁହାଯାଏ, ତାହାହେଲେ ପ୍ରଥମ ଅର୍ଘ୍ୟ ହେଉଛି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପ୍ରାପ୍ୟ । ଋଷିମାନଙ୍କ ମଧ୍ୟରେ ବ୍ୟାସଙ୍କର ଆସନ ସମସ୍ତଙ୍କ ଉପରେ । କୃଷ୍ଣ କଅଣ ତାଙ୍କଠାରୁ ବଡ଼ ? ନିଜେ ଭୀଷ୍ମ ମଧ୍ୟ କମ୍‌ ନୁହନ୍ତି । ତାଙ୍କୁ ଅର୍ଘ୍ୟ ଦିଆଯାଇପାରିଥାନ୍ତା । ସାମର୍ଥ୍ୟ ଦୃଷ୍ଟିରୁ ଦୁର୍ଯ୍ୟୋଧନଙ୍କ ପାଖରେ କୃଷ୍ଣଙ୍କର ସ୍ଥାନ କେତେ ତଳେ ? କୁରୁ କୁଳର ପୁରୋହିତ କୃପାଚାର୍ଯ୍ୟଙ୍କୁ ଏକାବାରେ ଭୁଲିଗଲ ? ପରଶୁରାମଙ୍କର ଶିଷ୍ୟ କର୍ଣ୍ଣଙ୍କ ପାଖରେ କୃଷ୍ଣ ଧନୁ ଧରିପାରିବେ ତ ? କୃଷ୍ଣ ରାଜା ନୁହନ୍ତି, ଗୁରୁ ନୁହନ୍ତି, ବୀର ନୁହନ୍ତି; ତାଙ୍କୁ ଏ ସମ୍ମାନ କାହିଁକି ? ଆମେ କଦାପି ଏ ଅପମାନ ସହିପାରିବୁ ନାହିଁ।’’

 

ଶ୍ରୀକୃଷ୍ଣ ନୀରବରେ ଶିଶୁପାଳର ଉଦ୍ଧତ ବାକ୍ୟ ଶୁଣୁଥିଲେ । ସେ ଗମ୍ଭୀର ହୋଇ କହିଲେ, ‘‘ରାଜାମାନେ, ଶୁଣ । ଏ ଶିଶୁ ପାଳର ଜନ୍ମ ଆମରି କୁଳରେ । ନିଜ ଜାତିର କାହାରି ଅନିଷ୍ଟ କରିବା ମୋର ଇଚ୍ଛା ନୁହେଁ । କିନ୍ତୁ ଏ ଶିଶୁପାଳର ଦୌରାତ୍ମ୍ୟ ଅସହ୍ୟ ହେଲାଣି । ଥରେ ମୁଁ ନଥିବା ସମୟରେ ଏ ଯାଇ ମୋର ଦ୍ୱାରକାପୁର ଧ୍ୱଂସ କରିଦେଇଥିଲା । ଆଉ ଥରେ ଏ ଭୋଜରାଜଙ୍କୁ ଆକ୍ରମଣ କରି ବନ୍ଦୀ କରି ରଖିଥିଲା । ମୋର ପିତାଙ୍କର ଯଜ୍ଞ ପାଇଁ ଯେଉଁ ଅଶ୍ୱ ଯାଇଥିଲା, ତାକୁ ଏ ଦୁଷ୍ଟ ଚୋରି କରି ନେଇଥିଲା । ଆଉ ଥରେ ଏ ଋଷିପ୍ରତିମ ବଭ୍ରୂଙ୍କର ପତ୍ନୀଙ୍କ ଉପରେ ଅତ୍ୟାଚାର କରିଥିଲା । ଅଧିକ କଅଣ କହିବି, ଏ ଅଧମ ଥରେ ମୋର ପତିବ୍ରତା ପତ୍ନୀ ରୁକ୍ମିଣୀଙ୍କୁ ହରଣ କରିବାକୁ ବସିଥିଲା । ତାର ଏତେ ପାପର ଏକମାତ୍ର ଦଣ୍ଡ ହେଉଛି ମୃତ୍ୟୁ।’’

 

କେତେକ ରାଜା ଶିଶୁପାଳ ପ୍ରତି କ୍ରୋଧ ପ୍ରକାଶ କଲେ; କିନ୍ତୁ ଶିଶୁପାଳ ଏଥିରେ ଲଜ୍ଜିତ ନ ହୋଇ ଉଚ୍ଚ ହାସ୍ୟ କରି କହିଲା, ‘‘ରେ କୃଷ୍ଣ, ଏତେ ରାଜାଙ୍କ ଆଗରେ ନିଜର ଅପମାନ କଥା ପ୍ରକାଶ କରିବାକୁ ତତେ ଲାଜମାଡ଼ୁ ନାହିଁ ? ତୋର ବିବାହିତା ସୁନ୍ଦରୀ ସ୍ତ୍ରୀକୁ ଦେଖି ମୋର ଲୋଭ ହେଲା । କେଉଁ ବୁଦ୍ଧିମାନ୍‌ ଲୋକ ଏ କଥା ପ୍ରକାଶ କରନ୍ତା ? ତୋର ଯାହା କରିବାର ଶକ୍ତି ଅଛି କର । ମୁଁ ତୋର କ୍ରୋଧକୁ ଭୟ କରେ ନାହିଁ କି କାହାରି ଦୟାର ପାତ୍ର ନୁହେଁ ।’’

 

ଶ୍ରୀକୃଷ୍ଣ ଚକ୍ର ଧାରଣ କରି କହିଲେ, ‘‘ରାଜାମାନେ, ମୋର ଶେଷ କଥା ଶୁଣନ୍ତୁ । ଥରେ ଏହାର ମାଆଙ୍କୁ ମୁଁ ସତ୍ୟ କରି କହିଥିଲି ଯେ ଶିଶୁପାଳର ଶହେ ଅପରାଧ କ୍ଷମା କରିବି । ସେହି ସତ୍ୟ ରକ୍ଷା କରି ମୁଁ ତାର ଶହେ ଅପରାଧ କ୍ଷମା କରିଛି । ଆଉ କ୍ଷମାର ପ୍ରଶ୍ନ ନାହିଁ । ଏବେ ତାର ମରଣ ନିଶ୍ଚିତ ।’’

 

ଏହା କହି ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ନିକ୍ଷେପ କଲେ ଓ ତତ୍‌କ୍ଷଣାତ୍‌ ଶିଶୁପାଳର ମସ୍ତକ ଶରୀରରୁ ବିଚ୍ୟୁତ ହୋଇ ଭୂମିରେ ପଡ଼ିଲା । ଶିଶୁପାଳର ଆତ୍ମା ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଲୀନ ହୋଇଗଲା ।

 

ରାଜାମାନେ ଘୋର ବିସ୍ମୟରେ ସ୍ତମ୍ଭୀଭୂତ ହୋଇରହିଲେ । ସେମାନଙ୍କ ମଧ୍ୟରୁ କେତେକ କ୍ରୋଧବଶ ହୋଇ ଅସ୍ତ୍ର ଧରିବାକୁ ବାହାରିଲେ । କିନ୍ତୁ ଅଧିକାଂଶ ରାଜା କୃଷ୍ଣଙ୍କୁ ସମର୍ଥନ କରି କହିଲେ, ‘‘ପାପିଷ୍ଠ ତାର ଉପଯୁକ୍ତ ଫଳ ପାଇଅଛି ।’’ ମୁନି ଓ ବ୍ରାହ୍ମଣମାନେ ଶ୍ରୀକୃଷ୍ଣଙ୍କର ଜୟଗାନ କରିବାକୁ ଲାଗିଲେ । ଯୁଧିଷ୍ଠିର ଭାଇମାନଙ୍କୁ କହିଲେ, ‘‘ଯଥାବିଧି ଶିଶୁପାଳର ଅନ୍ତ୍ୟେଷ୍ଟି କ୍ରିୟା କର ।’’

 

ଶିଶୁପାଳର ମୃତ୍ୟୁ ହେବାରୁ ତାହାର ପୁତ୍ର ଚେଦି ରାଜ୍ୟର ରାଜସିଂହାସନରେ ଅଭିଷିକ୍ତ ହେଲେ ।

 

ପଶାଖେଳକୁ ନିମନ୍ତ୍ରଣ :

 

ରାଜସୂୟ ଯଜ୍ଞ ଶେଷ ହେଲା । ବନ୍ଧୁବାନ୍ଧବ ଓ ନିମନ୍ତ୍ରିତ ରାଜାମାନେ ବିଦାୟ ନେଇ ଗଲେ । ଯୁଧିଷ୍ଠିରଙ୍କ ଚାରି ଭାଇ ବିଶିଷ୍ଟ ରାଜାମାନଙ୍କ ସହିତ ରାଜ୍ୟର ସୀମାନ୍ତ ପର୍ଯ୍ୟନ୍ତ ଗଲେ । ଶ୍ରୀକୃଷ୍ଣ ଯିବାବେଳେ ଯୁଧିଷ୍ଠିର କହିଲେ, ‘‘ଭାଇ, ତୁମ ଯୋଗୁ ଏ ଯଜ୍ଞଟି ସୁରୁଖୁରୁରେ ହୋଇଗଲା-। ତୁମରି ବଳ ପରାକ୍ରମ ହେତୁ ଆଜି ଏତେ ରାଜା ମୋର ବଶୀଭୂତ । ତୁମକୁ ବିଦାୟ ଦେବି କିପରି-?’’ ଏହିପରି ଯୁଧିଷ୍ଠିର ଦୁଃଖ ପ୍ରକାଶ କଲେ । ଶ୍ରୀକୃଷ୍ଣ କୁନ୍ତୀଙ୍କ ପାଖକୁ ଯାଇ ତାଙ୍କଠାରୁ ବିଦାୟ ମାଗିଲେ । କୁନ୍ତୀ ତାଙ୍କୁ ଆଶୀର୍ବାଦ ଜଣାଇଲେ । ତତ୍ପରେ ଶ୍ରୀକୃଷ୍ଣ ଦ୍ରୌପଦୀ ଓ ଭଉଣୀ ସୁଭଦ୍ରାଙ୍କଠାରୁ ବିଦାୟ ନେଲେ ।

 

ଶ୍ରୀକୃଷ୍ଣ ରଥରେ ବସି ଦ୍ୱାରକା ଅଭିମୁଖରେ ବାହାରିଲେ । ଯୁଧିଷ୍ଠିର ଓ ଅନ୍ୟ ପାଣ୍ଡବମାନେ ତାଙ୍କ ରଥ ପଛେ ପଛେ ଚାଲିଲେ । ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ରାଜ୍ୟର ଶାସନ ବିଷୟରେ କେତେକ ଉପଦେଶ ଦେଇ ପ୍ରସ୍ଥାନ କଲେ ।

 

ଦୁର୍ଯ୍ୟୋଧନ ଓ ଶକୁନି ଆଉ କିଛି ଦିନ ଇନ୍ଦ୍ରପ୍ରସ୍ଥରେ ରହି ଯୁଧିଷ୍ଠିରଙ୍କ ସଭାଗୃହ ଓ ନବର ପ୍ରଭୃତି ଦେଖିଲେ । ସେ ନିଜର ରାଜପୁରୀ ସହିତ ଏହାକୁ ମନେ ମନେ ତୁଳନା କରି ଲଜ୍ଜା ଅନୁଭବ କଲେ । ଈର୍ଷାରେ ଜଳିଯାଇ ସେ ଯୁଧିଷ୍ଠିରଙ୍କର ସର୍ବନାଶ କରିବାକୁ ଚିନ୍ତା କଲେ ।

 

ହସ୍ତିନାକୁ ଫେରିଆସି ଦୁର୍ଯ୍ୟୋଧନ ଶକୁନିଙ୍କ ସଙ୍ଗେ ମନ୍ତ୍ରଣା କଲେ । ଦୁର୍ଯ୍ୟୋଧନଙ୍କର ଇଚ୍ଛା, ଯୁଦ୍ଧ କରି ପାଣ୍ଡବମାନଙ୍କୁ ରାଜ୍ୟରୁ ତଡ଼ିଦେବେ । କିନ୍ତୁ ଶକୁନି କହିଲେ, ‘‘ତୁମେ ଯୁଦ୍ଧ କରି କେବେହେଲେ ପାଣ୍ଡବମାନଙ୍କୁ ପାରିବ ନାହିଁ । ସେମାନେ ଜଣେ ଜଣେ ଯୁଦ୍ଧକ୍ଷେତ୍ରରେ ସହସ୍ର ବୀରଙ୍କୁ ମାରିପାରିବେ । ପୁଣି ତାଙ୍କ ପକ୍ଷରେ ଆହୁରି ଅନେକ ରାଜା ଅଛନ୍ତି । ପାଣ୍ଡବମାନଙ୍କୁ ବଳରେ ପାରିବା ନାହିଁ; କୌଶଳ କରି ସେମାନଙ୍କର ସର୍ବନାଶ କରିପାରିବା ।’’

 

ଶକୁନି ଦୁର୍ଯ୍ୟୋଧନଙ୍କୁ ପରାମର୍ଶ ଦେଲେ–ଯୁଧିଷ୍ଠିର ପଶାଖେଳକୁ ଭଲ ପାଆନ୍ତି । ତାଙ୍କୁ ପଶା ଖେଳିବା ପାଇଁ ଡାକିଲେ ସେ ମନା କରିପାରିବେ ନାହିଁ । ଖେଳରେ ବାଜି ରଖିବା । ସେ କିପରି ପଶାଖେଳରେ ହାରିବେ ମୁଁ ତାର ଉପାୟ କରିବି।

 

ଦୁର୍ଯ୍ୟୋଧନ ପଶା ଖେଳିବା ପାଇଁ ଯୁଧିଷ୍ଠିରଙ୍କୁ ନିମନ୍ତ୍ରଣ କଲେ । ବିଦୁର ଯାଇ ଯୁଧିଷ୍ଠିରଙ୍କୁ କହିଲେ, ‘‘ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ମୋତେ ପଠାଇଛନ୍ତି । ଦୁର୍ଯ୍ୟୋଧନ ତୁମ ସଙ୍ଗେ ପଶା ଖେଳିବେ ବୋଲି ତୁମମାନଙ୍କୁ ହସ୍ତିନାକୁ ନିମନ୍ତ୍ରଣ କରିଅଛନ୍ତି । କିନ୍ତୁ ମୋର ସନ୍ଦେହ, ଏଥିରେ ଦୁର୍ଯ୍ୟୋଧନଙ୍କର କିଛି କୁପାଞ୍ଚ ଅଛି । ମୋ ମତରେ ତୁମର ଯିବା ଠିକ୍‌ ହେବ ନାହିଁ ।’’

 

ଯୁଧିଷ୍ଠିର ଉତ୍ତର କଲେ, ‘‘କକା, ମୁଁ ହେଉଛି କ୍ଷତ୍ରିୟ । କ୍ଷତ୍ରିୟ ହୋଇ ଯୁଦ୍ଧକୁ କି ପଶାଖେଳକୁ କେହି ଡାକିଲେ ମୁଁ ନଯିବି କିପରି ? ନଗଲେ ମୋର ନିନ୍ଦା, କ୍ଷତ୍ରିୟ ଜାତିର ନିନ୍ଦା ।’’

 

ଶେଷରେ କୁନ୍ତୀ, ଦ୍ରୌପଦୀ ଓ ଭାଇମାନଙ୍କୁ ସଙ୍ଗରେ ନେଇ ଯୁଧିଷ୍ଠିର ହସ୍ତିନାରେ ପହଞ୍ଚିଲେ ।

 

କପଟ ପଶାଖେଳ :

 

ପଶାଖେଳ ପାଇଁ ଦୁର୍ଯ୍ୟୋଧନ ଆଗରୁ ଏକ ସଭାଘର ସଜାଇ ରଖିଥିଲେ । ଖେଳ ଦେଖିବା ସକାଶେ କେତେ ରାଜା, ବ୍ରାହ୍ମଣ, ପଣ୍ଡିତ ଉପସ୍ଥିତ । ଦୁର୍ଯ୍ୟୋଧନ, ଦୁଃଶାସନ, ଶକୁନି ପ୍ରଭୃତିଙ୍କ ସହିତ ଧୃତରାଷ୍ଟ୍ର ମଧ୍ୟ ସଭାକୁ ଆସିଲେ । ଭୀଷ୍ମ, ଦ୍ରୋଣ, ବିଦୁର ପ୍ରଭୃତି ମନଦୁଃଖରେ ପଶାଖେଳ ଦେଖିବାକୁ ସଭାରେ ପହଞ୍ଚିଲେ । ଯୁଧିଷ୍ଠିରଙ୍କୁ ବିପଦରେ ପକାଇବା ପାଇଁ ଦୁର୍ଯ୍ୟୋଧନ ଏ ପଶାଖେଳର ଆୟୋଜନ କରିଛି ବୋଲି ସେମାନଙ୍କର ଧାରଣା ଥିଲା ।

 

ଏବେ ଖେଳ ଆରମ୍ଭ ହେଲା । ଏକପକ୍ଷରେ ଯୁଧିଷ୍ଠିର ଓ ତାଙ୍କ ପଛକୁ ତାଙ୍କ ଭାଇମାନେ । ଅନ୍ୟପକ୍ଷରେ ଦୁର୍ଯ୍ୟୋଧନ, ଶକୁନି ଓ ତାଙ୍କ ପକ୍ଷର ଲୋକମାନେ । ପ୍ରଥମେ ଦୁର୍ଯ୍ୟୋଧନ କହିଲେ ଯେ ସେ ପଣ ରଖିବେ; କିନ୍ତୁ ତାଙ୍କ ପାଇଁ ମାମୁ ଶକୁନି ଖେଳିବେ । ଯୁଧିଷ୍ଠିର ଏଥିରେ ଆପତ୍ତି କଲେ ନାହିଁ ।

 

ଉଭୟ ପକ୍ଷରୁ ପଣ ରଖି ଖେଳ ଆରମ୍ଭ ହେଲା । କିନ୍ତୁ ଯୁଧିଷ୍ଠିର ବାରମ୍ବାର ହାରିବାକୁ ଲାଗିଲେ । ସେ ନିଜର ଧନରତ୍ନ, ଦାସଦାସୀ, ହାତୀଘୋଡ଼ା ସବୁ ହରାଇଲେ । ଶକୁନି ଯେ କପଟ ରଖି ଅନ୍ୟାୟ ଖେଳ ଖେଳୁଛନ୍ତି, ତାହା କେହି ଜାଣିପାରିଲେ ନାହିଁ । ଯୁଧିଷ୍ଠିର ମଧ୍ୟ ଖେଳରୁ ବିରତ ନ ହୋଇ ନୂଆ ନୂଆ ପଣ ରଖି ଖେଳିବାକୁ ଲାଗିଲେ । ସେ ରାଜ୍ୟ ହରାଇଲେ, ଜଣ ଜଣ କରି ଚାରି ଭାଇଙ୍କୁ ହରାଇଲେ, ଶେଷରେ ନିଜକୁ ସୁଦ୍ଧା ହରାଇଲେ ।

 

ଏବେ ଯୁଧିଷ୍ଠିରଙ୍କର ପଣ ରଖିବାକୁ କିଛି ହେଲେ ରହିଲା ନାହିଁ । ତଥାପି ସେ ଖେଳରୁ ନିରସ୍ତ ନ ହୋଇ କହିଲେ, ‘‘ଏଥର ଦ୍ରୌପଦୀଙ୍କୁ ପଣ ରଖିଲି ।’’ ଯୁଧିଷ୍ଠିଙ୍କ କଥାରେ ସଭାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ; ଭାବିଲେ, ଯୁଧିଷ୍ଠିରଙ୍କ ଭଳି ଧାର୍ମିକ ଓ ଜ୍ଞାନୀ ଲୋକ ଏପରି ପାଗଳଙ୍କ ଭଳି କାର୍ଯ୍ୟ କରୁଛନ୍ତି କାହିଁକି ? ତାଙ୍କ ଭାଇମାନେ ଲାଜରେ ମୁଣ୍ଡ ତଳକୁ ପୋତିଦେଲେ-। ହାୟ ! ଏଥର ମଧ୍ୟ ଯୁଧିଷ୍ଠିର ଖେଳରେ ହାରିଲେ ।

 

ଦ୍ରୌପଦୀଙ୍କ ଅପମାନ :

 

ସେତେବେଳେକୁ କୁନ୍ତୀ ଓ ଦ୍ରୌପଦୀ ହସ୍ତିନାର ରାଜ ଅନ୍ତଃପୁରରେ ଥିଲେ । ଦୁର୍ଯ୍ୟୋଧନଙ୍କ ଆଦେଶରେ ଜଣେ ଭୃତ୍ୟ ଅନ୍ତଃପୁରକୁ ଯାଇ ଦ୍ରୌପଦୀଙ୍କୁ ଜଣାଇଲା, ‘‘ମୁଁ ଏକ କଠୋର ଆଦେଶ ପାଳନ କରିବାକୁ ଆସିଛି, ମୋତେ କ୍ଷମା କରିବେ । ଧର୍ମରାଜ ଯୁଧିଷ୍ଠିର ପଶାଖେଳରେ ଆପଣଙ୍କୁ ପଣ ରଖି ହାରି ଯାଇଅଛନ୍ତି । ଦୁର୍ଯ୍ୟୋଧନ ପଣରେ ଆପଣଂକୁ ଜିଣି ଆଦେଶ ଦେଇଛନ୍ତି—ଏଣିକି ଆପଣ ଦାସୀ ଭାବରେ ତାଙ୍କର ସେବା କରିବେ ।’’

 

ଏହା ଶୁଣିଲାକ୍ଷଣି ଦ୍ରୌପଦୀଙ୍କ ଦେହ କ୍ରୋଧରେ କମ୍ପିଗଲା । ସେ ଚିତ୍କାର କରି ଉଠିଲେ, ‘‘ମୁଁ ଯାହା ଶୁଣିଲି ତାହା ସତ୍ୟ ନା ମୋ ମନର ଭ୍ରମ ! କେଉଁ ରଜା ନିଜର ରାଣୀକୁ ପଣ ରଖି ପଶା ଖେଳିବାର ଶୁଣା ନ ଥିଲା । ମୋ ପତିଙ୍କର କଅଣ ବୁଦ୍ଧିବୃତ୍ତି ଲୋପ ପାଇଗଲା ? ତାଙ୍କୁ କଅଣ ପଣ ରଖିବାକୁ ଆଉ କିଛି ମିଳିଲା ନାହିଁ ଯେ ନିଜର ଧର୍ମପତ୍ନୀକୁ ପଣ ରଖିଲେ ?’’

 

ଭୃତ୍ୟ ବିନୀତ ଭାବରେ ଉତ୍ତର କଲା, ‘‘ନା, ତା ନୁହେଁ । ପ୍ରଥମେ ସେ ନିଜର ଧନସମ୍ପତ୍ତି, ରାଜ୍ୟ ଓ ଭାଇମାନଙ୍କୁ ହରାଇଲେ । ଶେଷରେ ସେ ଆପଣଙ୍କୁ ହରାଇ ଅଛନ୍ତି । ଏବେ ଆପଣ ଦୁର୍ଯ୍ୟୋଧନଙ୍କର ଦାସୀ ।’’

 

କ୍ରୋଧ ଓ ବିରକ୍ତିରେ ଅନ୍ଧ ହେଲାପରି ଦ୍ରୌପଦୀ କହିଲେ, ‘‘ଯାଆ, ତୋର ପ୍ରଭୁ ଦୁର୍ଯ୍ୟୋଧନଙ୍କୁ କହିବୁ–ଯୁଧିଷ୍ଠିର ନିଜକୁ ହରାଇବା ପରେ ମୋତେ ପଣ ରଖିଥିଲେ । ଏ ପଣର କିଛି ମୂଲ୍ୟ ନାହିଁ । ଯେ ପରର ଦାସତ୍ୱ ସ୍ୱୀକାର କରିଥାଏ, ତାର ସ୍ତ୍ରୀ ବା ପୁତ୍ରକନ୍ୟାଙ୍କ ଉପରେ ଅଧିକାର ଆସିବ କାହୁଁ ?’’

 

ଭୃତ୍ୟ ଦ୍ରୌପଦୀଙ୍କ ଉତ୍ତର ନେଇ ଦୁର୍ଯ୍ୟୋଧନଙ୍କୁ ଦେଲା । ସେତେବେଳକୁ ଦୁର୍ଯ୍ୟୋଧନ ଗର୍ବରେ ହିତାହିତଜ୍ଞାନ ହରାଇ ଥିଲେ । ସେ ସାନଭାଇ ଦୁଃଶାସନକୁ କହିଲେ, ‘‘ଏ ଲୋକଟା ନିର୍ବୋଧ, ଭୟାଳୁ । ତୁ ଯାଇ ଦ୍ରୌପଦୀକୁ କହିବୁ–ସେ ଦାସୀ ଭାବରେ ମୋ ପାଖକୁ ଆସୁ । ତାର ସ୍ୱାମୀମାନେ ଏବେ ମୋର ଦାସ । ତେଣୁ ତାର ସେମାନଙ୍କୁ ଭୟ କରିବାର କାରଣ ନାହିଁ।’’

 

ଦୁଃଶାସନ ଭୀଷଣ ମୂର୍ତ୍ତି ଧରି ଅନ୍ତଃପୁରରେ ଉପସ୍ଥିତ ହେଲା । ସେ ଦ୍ରୌପଦୀଙ୍କୁ କହିଲା, ‘‘ହେ ପାଞ୍ଚାଳି, ତୋର ସ୍ୱାମୀ ନ୍ୟାୟତଃ ପଶାଖେଳରେ ତୋତେ ହରାଇଅଛନ୍ତି । ମୋ ସାଥିରେ ରାଜା ଦୁର୍ଯ୍ୟୋଧନଙ୍କ ପାଖକୁ ଚାଲ । ତୁ ଏଣିକି ଆମର ଦାସୀ ହୋଇ ଆମର ସେବା କରିବୁ । ଆ, ଆଉ ଲାଜ କରିବୁ କାହିଁକି ? ସଭାକୁ ଯାଇ ରାଜା ଦୁର୍ଯ୍ୟୋଧନଙ୍କ ସେବାରେ ରହ ।’’

 

ଦୁଃଶାସନର ରକ୍ତିମ ଚକ୍ଷୁ ଦେଖି ଓ ତାର ଉଦ୍ଧତ ବାକ୍ୟ ଶୁଣି ଦ୍ରୌପଦୀ କ୍ରୋଧ, ଭୟ ଓ ଲଜ୍ଜାରେ ବିହ୍ୱଳ ହୋଇ ପଳାଇବାକୁ ବସିଲେ । ତହୁଁ ଦୁରାତ୍ମା ଦୁଃଶାସନ ତାଙ୍କର କେଶକୁ ଧରି ତାଙ୍କୁ ଟାଣିବାକୁ ଲାଗିଲା । ସେ କଅଣ କରିବେ ସ୍ଥିର କରିପାରିଲେ ନାହିଁ । ଆଖିରୁ ଲୁହଧାର ବୁହାଇ ସେ କହିଲେ, ‘‘ଦୁଃଶାସନ, ମୋତେ ଛାଡ଼ିଦେ । ମୋର ବସ୍ତ୍ର ଖସି ଯାଉଛି । ମୋର କେଶ ଧରି ଏପରି ମୋତେ ଟାଣିବାକୁ ତୋର ଲଜ୍ଜା ହେଉ ନାହିଁ ? ସେଠାରେ କେତେ ରାଜା, ପଣ୍ଡିତ, ଗୁରୁଜନ ଓ ମୋର ପତିମାନେ ଅଛନ୍ତି । କେଉଁ ସ୍ତ୍ରୀ ଏପରି ଅବସ୍ଥାରେ ସେଠାକୁ ଯାଇପାରେ ?’’

 

କିନ୍ତୁ ଦୁଷ୍ଟ ଦୁଃଶାସନ ତାଙ୍କୁ ନ ଛାଡ଼ି ଟାଣିବାକୁ ଲାଗିଲା । ଦ୍ରୌପଦୀ ବିକଳ ହୋଇ ଦେବତାମାନଙ୍କୁ ଡାକିଲେ; ଅନ୍ତଃପୁରର ଦାସଦାସୀମାନଙ୍କୁ ଡାକିଲେ । କିନ୍ତୁ କେହି ତାଙ୍କର କାତର ଡାକ ଶୁଣିଲେ ନାହିଁ । ଦୁଃଶାସନ ବିଦ୍ରୂପ କରି କହିଲା, ‘‘ବୃଥା ପାଟି କରନା । ଲୁଗା ଖସିଗଲେ ଖସି ଯାଉ । ଯେମିତି ହେଉ, ତୋତେ ସଭାକୁ ନେବି । ତୁ ଆମର ଦାସୀ ଆମର ସେବା କରି ଆମ ଦାସଦାସୀଙ୍କ ସାଥିରେ ତୋତେ ରହିବାକୁ ହେବ ।’’

 

ଦ୍ରୌପଦୀ ଏହିପରି ଦୁରବସ୍ଥାରେ ସଭାରେ ଉପସ୍ଥିତ ହୋଇ କାନ୍ଦି କାନ୍ଦି କହିଲେ, ‘‘ଆପଣମାନେ ମୋର ଗୁରୁଜନ । ଶାସ୍ତ୍ରରେ ଆପଣମାନେ ପଣ୍ଡିତ । ମୋର ଏ ଅବସ୍ଥା ଦେଖନ୍ତୁ । ପାପିଷ୍ଠ ଦୁଃଶାସନ ଆପଣମାନଙ୍କ ଆଗରେ ମୋର କେଶ ଧରି ଅପମାନ ଦେଉଅଛି । ମୋତେ ତା ହାତରୁ ଉଦ୍ଧାର କରନ୍ତୁ ।’’

 

କିନ୍ତୁ କେହି ଜଣେ ହେଲେ ଦ୍ରୌପଦୀଙ୍କୁ ସାହାଯ୍ୟ କରିବାକୁ ବାହାରିଲେ ନାହିଁ । ତହୁଁ ସେ ନିଜର ସ୍ୱାମୀମାନଙ୍କ ଆଡ଼କୁ ଚାହିଁ ଯୁଧିଷ୍ଠିରଙ୍କୁ କହିଲେ, ‘‘ହେ ଧର୍ମପୁତ୍ର, ତୁମେ ସର୍ବଦା ଧର୍ମରେ ଥାଅ; ପାପ କଅଣ ଜାଣ ନାହିଁ । ତୁମର ଧର୍ମପତ୍ନୀ ଉପରେ ଏପରି ଅନ୍ୟାୟ ଅତ୍ୟାଚାର ଦେଖି ସୁଦ୍ଧା ନୀରବ ରହିଛ କିପରି ? ଭୀଷ୍ମ ଏଡ଼େ ଧାର୍ମିକ ହେଲେହେଁ ପାଟି ଫିଟାଉ ନାହାନ୍ତି । ଦ୍ରୋଣଙ୍କର ଧନୁର୍ବିଦ୍ୟା କୁଆଡ଼େ ଗଲା ? ପାଣ୍ଡବ କୁଳବଧୂର ଏ ଅପମାନ ଦେଖି ସୁଦ୍ଧା କେହି ପ୍ରତିକାର କରିବାକୁ ବାହାରୁ ନାହାନ୍ତି କାହିଁକି ?’’

 

ଦ୍ରୌପଦୀଙ୍କର ଉକ୍ତି ଶୁଣି ଭୀଷ୍ମ, ଦ୍ରୋଣ ଓ ବିଦୁର ମନେ ମନେ ଦୁର୍ଯ୍ୟୋଧନଙ୍କ ପ୍ରତି କ୍ରୁଦ୍ଧ ହେଲେ । ଯୁଧିଷ୍ଠିର ଲଜ୍ଜାରେ ମୁଣ୍ଡ ତଳକୁ କରିଦେଲେ । ଅର୍ଜୁନଙ୍କର ଚିରଶତ୍ରୁ କର୍ଣ୍ଣ ପାଣ୍ଡବମାନଙ୍କୁ ଆହୁରି ଲଜ୍ଜା ଦେବା ଉଦ୍ଦେଶ୍ୟରେ ଦ୍ରୌପଦୀଙ୍କୁ ଲକ୍ଷ୍ୟକରି କହିଲେ, ‘‘ତୁମେ ଯେ ଆଜି ଦାସୀ ହୋଇଅଛ, ସେଥିରେ ତୁମର ଦୋଷ ନାହିଁ । ନାରୀର ଭାଗ୍ୟ ତା ହାତରେ ନଥାଏ, ଥାଏ ତାର ସ୍ୱାମୀ ହାତରେ । ସ୍ତ୍ରୀର କର୍ତ୍ତବ୍ୟ ହେଉଛି, ସ୍ୱାମୀର ଆଦେଶ ପାଳନ କରିବା । ତୁମର ସ୍ୱାମୀ ତୁମକୁ ପଶା ଖେଳରେ ହରାଇଛନ୍ତି କୁରୁ ରାଜପୁରରେ ରହି ତୁମକୁ ଦୁର୍ଯ୍ୟାଧନଙ୍କର ସେବା କରିବାକୁ ହେବ । ନିଜ ରୂପଗୁଣରେ କୌରବମାନଙ୍କୁ ସନ୍ତୁଷ୍ଟ କର । ଇଚ୍ଛା କଲେ ଅନ୍ୟ ଜଣକୁ ବିଭା ହୋଇପାର । ପାଣ୍ଡବମାନେ ଆଉ ତୁମର ପତି ନୁହନ୍ତି । ଯେ ନିଜେ ଅନ୍ୟର ଦାସ, ତାର ପତ୍ନୀ ଆସିବ କାହୁଁ ?’’

 

ଏହା ଶୁଣି ଭୀମଙ୍କର ଛାତି କମ୍ପି ଉଠିଲା । ସେ ରକ୍ତବର୍ଣ୍ଣ ଚକ୍ଷୁରେ ଯୁଧିଷ୍ଠିରଙ୍କ ଆଡ଼କୁ ଚାହିଁ କହିଲେ, ‘‘ଭାଇ, ସାମାନ୍ୟ ସାରଥିର ପୁଅ ଯାହା କହିଲା, ଶୁଣିଲ । କୁହ ଦେଖି, ତୁମେ କଅଣ ଆମମାନଙ୍କୁ ଓ ରାଣୀ ଦ୍ରୌପଦୀଙ୍କୁ ପଣରେ ହରାଇଛ ?’’

 

ଯୁଧିଷ୍ଠିର କୌଣସି ଉତ୍ତର ନଦେଇ କେବଳ ମୁଣ୍ଡ ତଳକୁ ପୋତିଦେଲେ । ଦୁର୍ଯ୍ୟୋଧନ ଉପହାସ କରି କହିଲେ, ‘‘ଯୁଧିଷ୍ଠିର, ତୁମେ ପରା ସତ୍ୟବାଦୀ, ସବୁବେଳେ ଧର୍ମରେ ଥାଅ, ଭୀମର ପ୍ରଶ୍ନର ଉତ୍ତର ଦିଅ । ତୁମର ରାଜ୍ୟ, ଧନସମ୍ପତ୍ତି, ତୁମର ଭାଇମାନଙ୍କୁ, ତୁମର ଦ୍ରୌପଦୀଙ୍କୁ ହରାଇଚ କି ନାହିଁ କହିଦିଅ ।’’

 

କର୍ଣ୍ଣ ଅଟ୍ଟହାସ୍ୟରେ ସଭାସ୍ଥଳ କମ୍ପାଇ ଦେଲେ । ଭୀଷ୍ମଙ୍କ ଆଖିରୁ ଲୁହ ବହିଗଲା । ଦୁର୍ଯ୍ୟୋଧନ ଗର୍ବରେ ଅନ୍ଧ ହୋଇ ଦ୍ରୌପଦୀଙ୍କୁ କହିଲା, ‘‘ଆସ, ମୋର ଏ ଊରୁରେ ବସି ମୋତେ ସନ୍ତୁଷ୍ଟ କର ।’’

 

ଭୀମ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ସେ ବଜ୍ରଗମ୍ଭୀର ସ୍ୱରରେ କହିଲେ, ‘‘ଦୁର୍ଯ୍ୟୋଧନ, ଭାଇ ଯଦି ସତ୍ୟବଦ୍ଧ ହୋଇ ନଥାନ୍ତେ, ତେବେ ଆଜି ତୁ ଭୀମର ପରାକ୍ରମ ଦେଖିଥାନ୍ତୁ । କିନ୍ତୁ ମନେରଖିଥା, ଦିନେ ଯୁଦ୍ଧକ୍ଷେତ୍ରରେ ମୋ ଗଦାରେ ତୋର ଏହି ଊରୁ ଭାଙ୍ଗି ତାର ପ୍ରାଣ ନେବି । ଏହା କରି ନ ପାରିଲେ ମୋର ନରକଗତି ହେବ । ଆଉ ସେ ଦୁଃଶାସନର ବୁକୁ ଚିରି ତା ରକ୍ତରେ ଦ୍ରୌପଦୀଙ୍କର ମୁକୁଳା କେଶକୁ ହିଁ ବାନ୍ଧିବି ।’’

 

ଧୃତରାଷ୍ଟ୍ରଙ୍କ ଭୟ :

 

ଧୃତରାଷ୍ଟ୍ର କୌରମାନଙ୍କର ପକ୍ଷପାତୀ ଥିଲେ ସତ; କିନ୍ତୁ ନିଜ ପୁଅମାନେ ଅନ୍ୟାୟ କରୁଛନ୍ତି ବୋଲି ସେ ଜାଣିଥିଲେ । ଏବେ ଭୀମର ପ୍ରତିଜ୍ଞା ଶୁଣି ତାଙ୍କର ମନ ଭିତରେ ଛନକା ପଶିଲା । ଭୀମ ଯାହା କରିଛି ତାହା ନିଶ୍ଚେ କରିବ, ଞଏ ବିଷୟରେ ତାଙ୍କର ସନ୍ଦେହ ନଥିଲା । ସେଥିରେ ପୁଣି ଲୋକନିନ୍ଦା ଅଛି । ଏହି ସବୁ କଥା ବିଚାରି ସେ ଦୁର୍ଯ୍ୟୋଧନଙ୍କୁ ଗାଳି ଦେଇ କହିଲେ, ‘‘ଆରେ, ତୁମେମାନେ ଯେପରି ମୋର ପୁଅ, ପାଣ୍ଡବମାନେ ପୁତୁରା ହେଲେ ବି ସେହିପରି ମୋର ପୁଅ । ପୁତୁରା କିଏ, ପୁଅ କିଏ ? ତୁମେମାନେ ସାମାନ୍ୟ ପଶାଖେଳରୁ ଏତେ ବଡ଼ କାଣ୍ଡଟାଏ କରିବାକୁ ଯାଉଛ ?’’ ତାହା ପରେ ସେ ଦ୍ରୌପଦୀଙ୍କୁ ସାନ୍ତ୍ୱନା ଦେଇ କହିଲେ, ‘‘ମାଆ, ତୁ ଏବେ ସବୁ କଥା ଭୁଲିଯାଆ । ତୁ ମୋର ବଡ଼ ବୋହୂ, କୁଳର ଲକ୍ଷ୍ମୀ । ତୁ କଅଣ ଚାହୁଁ କହ ? ତୋର ଇଚ୍ଛା ପୂର୍ଣ୍ଣ କରିବି ।’’

 

ଦ୍ରୌପଦୀ ଯୁଧିଷ୍ଠିରଙ୍କର ମୁକ୍ତି ମାଗିଲେ । ଧୃତରାଷ୍ଟ୍ର ସେହି ଇଚ୍ଛା ପୂରଣ କରି ପୁଣି ପଚାରିଲେ, ‘‘ଆଉ କଅଣ ଲୋଡ଼ା ?’’

 

ଦ୍ରୌପଦୀ କହିଲେ, ‘‘ମୋର ଅନ୍ୟ ସ୍ୱାମୀମାନଙ୍କୁ ମଧ୍ୟ ମୁକ୍ତି ଦିଅନ୍ତୁ ।’’ ଧୃତରାଷ୍ଟ୍ର କହିଲେ, ‘‘ଆଚ୍ଛା, ସେମାନେ ମଧ୍ୟ ମୁକ୍ତ ହେଲେ ।’’

 

ତତ୍ପରେ ଯୁଧିଷ୍ଠିର ଧୃତରାଷ୍ଟ୍ରଙ୍କୁ ପ୍ରଣାମ କରି ନିଜର କୃତଜ୍ଞତା ଜଣାଇ କହିଲେ, ‘‘ଆପଣ ଆମର ଗୁରୁ ପିତାତୁଲ୍ୟ । ଏବେ ଆମେ କଅଣ କରିବୁ, ଆଦେଶ ଦିଅନ୍ତୁ ।’’

 

ଧୃତରାଷ୍ଟ୍ର କହିଲେ, ‘‘ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ । ତୁମେମାନେ ଯେଉଁ ରାଜ୍ୟ, ଧନସମ୍ପତ୍ତି ସବୁ ଖେଳରେ ହରାଇଥିଲ, ସେ ସବୁ ତୁମକୁ ଫେରାଇ ଦିଆଗଲା । ଯାଅ, ତୁମ ରାଜ୍ୟକୁ ସୁଖରେ ଭୋଗକର ।’’

 

ଯୁଧିଷ୍ଠିର ଧୃତରାଷ୍ଟ୍ରଙ୍କୁ ପ୍ରଣାମ କରି ଭାଇ, ମାଆ ଓ ଦ୍ରୌପଦୀଙ୍କ ସହିତ ଇନ୍ଦ୍ରପ୍ରସ୍ଥକୁ ଫେରିଗଲେ ।

 

ପୁନରାୟ ପଶାଖେଳ :

 

ଶକୁନି ଓ କର୍ଣ୍ଣଙ୍କ ପରାମର୍ଶରେ ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କୁ କପଟ ଖେଳରେ ହରାଇ ତାଙ୍କର ସର୍ବସ୍ୱ ଆଣିଥିଲେ; ପାଣ୍ଡବମାନଙ୍କୁ ନିଜର ଦାସ କରିଥିଲେ । କିନ୍ତୁ ଧୃତରାଷ୍ଟ୍ର ସେମାନଙ୍କୁ ମୁକ୍ତି ଦେଇ ରାଜ୍ୟ ମଧ୍ୟ ଫେରାଇଦେଲେ । ବାପା ଯେ କାହିଁକି ଏପରି କଲେ ତାହା ନ ବିଚାରି, ଦୁର୍ଯ୍ୟୋଧନ ମନେ ମନେ ଦୁଃଖିତ ହୋଇ ପୁଣି ପାଣ୍ଡବମାନଙ୍କର ସର୍ବନାଶ କରିବାର ଉପାୟ ଚିନ୍ତାକଲେ ।

 

ପୁଣି ଦୁର୍ଯ୍ୟୋଧନ, କର୍ଣ୍ଣ ଓ ଶକୁନି ପରାମର୍ଶ କଲେ । ଏଥର ମଧ୍ୟ ସେହି ପଶାଖେଳ ପାଇଁ ଯୁଧିଷ୍ଠିରଙ୍କୁ ଡାକିବା ସ୍ଥିର ହେଲା । ମାତ୍ର ପଣ ରହିବ ଯେ, ଯିଏ ହାରିଯିବ ସେ ବାରବର୍ଷ ବନବାସ ଓ ତାପରେ ଏକବର୍ଷ ଅଜ୍ଞାତ ବାସ କରିବ । ଅଜ୍ଞାତବାସବେଳେ ଜଣା ପଡ଼ିଲେ ପୁଣି ବାରବର୍ଷ ବନବାସ କରିବାକୁ ହେବ । ଏହିବରି ତେରବର୍ଷ କଟାଇଲା ପରେ ରାଜ୍ୟ ଫେରାଇ ଦିଆଯିବ ।

 

ଭୀଷ୍ମ, ଦ୍ରୋଣ ଓ ବିଦୁର ଏ ଖବର ପାଇ ବିରକ୍ତ ହେଲେ । ଦୁର୍ଯ୍ୟୋଧନଙ୍କ ମାଆ ଗାନ୍ଧାରୀ ଅଧର୍ମର ପାଖ ପଶନ୍ତି ନାହିଁ । ସେ ପୁଅର ଏ କୂଟକୌଶଳ ଜାଣି ତାଙ୍କୁ ଗାଳିଦେଲେ । କିନ୍ତୁ ଧୃତରାଷ୍ଟ୍ର ଅନିଚ୍ଛାସତ୍ତ୍ୱେ ପୁଅ କଥାରେ ରାଜି ହୋଇ ପୁଣି ପାଣ୍ଡବମାନଙ୍କୁ ପଶା ଖେଳିବାକୁ ଡକାଇ ଆଣିଲେ ।

 

ଏଥର ଖେଳରେ ପଣ ହେଲା ଯେ ଯୁଧିଷ୍ଠିର ହାରିଗଲେ ପାଣ୍ଡବାମାନେ ବାରବର୍ଷ ବନବାସ ଓ ତତ୍ପରେ ଏକ ବର୍ଷ ଅଜ୍ଞାତବାସ କରିବେ । ଖେଳ ଆରମ୍ଭ ହେଲା । ଶକୁନିଙ୍କ କପଟ ଖେଳରେ ଯୁଧିଷ୍ଠିରଙ୍କୁ ହାରାଇଦେବା ପାଇଁ ବେଶୀ ବେଳ ଲାଗିଲା ନାହିଁ ।

 

ତହୁଁ ଯୁଧିଷ୍ଠିର ଦ୍ରୌପଦୀ ଓ ଭାଇମାନଙ୍କ ସହିତ ବନକୁ ଯିବାପାଇଁ ବାହାରିଲେ । କୁନ୍ତୀ ବିଦୁରଙ୍କ ଘରେ ରହିଲେ । ସେମାନେ ଜଟାବନ୍ଧି, ବଳ୍‌କଳ ପିନ୍ଧି ବନକୁ ବାହାରିବାର ଦେଖି ସମସ୍ତଙ୍କ ଆଖିରୁ ଲୁହ ବୋହିଗଲା । କେବଳ ଦୁର୍ଯ୍ୟୋଧନ କର୍ଣ୍ଣ ଓ ଶକୁନି ଆନନ୍ଦିତ ହେଉଥାନ୍ତି । ପାଣ୍ଡବମାନେ ଧୃତରାଷ୍ଟ୍ରଙ୍କୁ ପ୍ରଣାମ କରି ତାଙ୍କଠାରୁ ବିଦାୟ ମାଗିଲେ । ଧୃତରାଷ୍ଟ୍ର କହିଲେ, ‘‘ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ । ତେରବର୍ଷ ଅନ୍ତେ ତୁମେମାନେ ଫେରିଆସ ତୁମର ରାଜ୍ୟ ଭୋଗକର ।’’

 

ଭୀଷ୍ମ, ଦ୍ରୋଣ, ବିଦୁର ପ୍ରଭୃତି ଗୁରୁଜନଙ୍କୁ ପ୍ରଣାମ କରି ଓ ସେମାନଙ୍କ ଆଶୀର୍ବାଦ ଘେନି ପାଣ୍ଡବମାନେ ଦ୍ରୌପଦୀଙ୍କ ସହ ବନବାସରେ ବାହାରିଲେ ।

 

ଏହି ସମୟରେ ନାରଦ ମହର୍ଷି ହଠାତ୍‌ ହସ୍ତିନାରେ ଉପସ୍ଥିତ ହୋଇ ଧୃତରାଷ୍ଟ୍ରଙ୍କୁ କହିଲେ, ‘‘ମହାରାଜ, ଆଜି ପାଣ୍ଡବ ମାନେ ବସବାସରେ ଯାଉଛନ୍ତି; ସେଥିପାଇଁ ଆପଣଙ୍କ ପୁଅମାନେ ଆନନ୍ଦିତ । କିନ୍ତୁ ଏହାର ପରିଣାମ ଭଲ ହେବ ନାହିଁ । ତେରବର୍ଷ ପରେ ପାଣ୍ଡବମାନେ ଫେରିଆସିବେ । ସେତେବେଳକୁ ଦୁର୍ଯ୍ୟୋଧନଙ୍କ ପାପବୃକ୍ଷରେ ଫଳ ଫଳିବ । ପାଣ୍ଡବମାନଙ୍କ ହାତରେ କୌରମାନେ ସମସ୍ତେ ବିନିଷ୍ଟ ହେବେ ।’’

 

ନାରଦ ଚାଲିଗଲେ ଧୃତରାଷ୍ଟ୍ର ମନେ ମନେ ଅନୁତାପ କଲେ । ସେ ଜାଣନ୍ତି, ନାରଦଙ୍କ କଥା ମିଥ୍ୟା ହେବାର ନୁହେଁ ।

 

ଅକ୍ଷୟପାତ୍ର ପ୍ରାପ୍ତି :

 

ହସ୍ତିନା ଓ ଇନ୍ଦ୍ର ପ୍ରସ୍ଥର ଅନେକ ବ୍ରାହ୍ମଣ, ମୁନିଋଷି ତଥା ସାଧାରଣ ପ୍ରଜା ପାଣ୍ଡବମାନଙ୍କ ସଙ୍ଗେ ସଙ୍ଗେ ଚାଲିଲେ । ଯୁଧିଷ୍ଠିର ନାନାମତେ ବୁଝାଇସୁଝାଇ ସେମାନଙ୍କୁ ଫେରିଯିବାକୁ କହିଲେ । ମାତ୍ର ସେମାନେ ସହଜେ ତାଙ୍କୁ ଛାଡ଼ିବାକୁ ରାଜି ହେଲେ ନାହିଁ । ଏତେ ଲୋକଙ୍କୁ ବନରେ କଅଣ ଖାଇବାକୁ ଦେବେ ? ଧୌମ୍ୟ ସଙ୍ଗରେ ଥିଲେ । ଯୁଧିଷ୍ଠିର ତାଙ୍କୁ ପଚାରିବାରୁ ସେ କହିଲେ, ‘‘ଆପଣ ସୂର୍ଯ୍ୟଙ୍କୁ ଉପାସନା କରନ୍ତୁ । ତାଙ୍କର ଦୟା ହେଲେ ଖାଦ୍ୟାର ଅଭାବ ରହିବ ନାହିଁ ।’’

 

ଯୁଧିଷ୍ଠିର ସୂର୍ଯ୍ୟଙ୍କୁ ଉପାସନାରେ ସନ୍ତୁଷ୍ଟ କରିବାରୁ ସେ ଖଣ୍ଡିଏ ଥାଳି ଦେଇ କହିଲେ, ‘‘ଏ ଥାଳିଟି ଦ୍ରୌପଦୀଙ୍କ ପାଖରେ ଥିବ । ସେ ଉପବାସ ଥିବା ପର୍ଯ୍ୟନ୍ତ ଏଥିରୁ ତାଙ୍କର ଇଚ୍ଛା ଅନୁସାରେ ଖାଦ୍ୟଦ୍ରବ୍ୟ ବାହାରୁଥିବ ।’’ ତାହାହିଁ ହେଲା; ବନବାସ କାଳରେ କାହାରି ଖାଇବା ଚିନ୍ତା ରହିଲା ନାହିଁ ।

 

ନଗରର ଲୋକ ଶେଷରେ ଯୁଧିଷ୍ଠିରଙ୍କ କଥାରେ ଫେରିଗଲେ; ସାଥିରେ ରହିଲେ କେବଳ ଧୌମ୍ୟ ।

 

ପାଣ୍ଡବମାନେ ଅସ୍ତ୍ରଶସ୍ତ୍ର ଧରି ବନ ମଧ୍ୟରେ ଚାଲିଲେ । କୌଣସି କୌଣସି ସ୍ଥାନରେ କୁଡ଼ିଆ କରି ସେମାନେ କିଛି ଦିନ ରହୁଥିଲେ । କେତେ ମୁନିଋଷି ଯୁଧିଷ୍ଠିରଙ୍କ ସଙ୍ଗେ ଦେଖା କରିବାକୁ ଆସୁଥିଲେ । ନାନା ଶାସ୍ତ୍ରର ଚର୍ଚ୍ଚା ହେଉଥିଲା; ତଥାପି ଯୁଧିଷ୍ଠିରଙ୍କ ମନରେ ବେଳେବେଳେ ଦୁଃଖ ହେଉଥିଲା । ବିଣେଷତଃ ଯେଉଁ ଦ୍ରୌପଦୀଙ୍କୁ ରାଜପୁରୀରେ ଶତ ଶତ ଦାସୀ ସେବା କରୁଥିଲେ, ତାଙ୍କର ଦୁଃଖ କଷ୍ଟ ତାଙ୍କୁ ବାଧୁଥିଲା । ଦିନେ ମାର୍କଣ୍ଡେୟ ଋଷି ଯୁଧିଷ୍ଠିରଙ୍କ ପାଖକୁ ଆସିଥିଲେ । ଯୁଧିଷ୍ଠିର ତାଙ୍କ ଆଗରେ ନିଜର ଦୁଃଖ ପ୍ରକାଶ କରିବାରୁ ସେ କହିଲେ, ‘‘ସତୀ ରମଣୀ ପକ୍ଷରେ ଜଗତର କିଛି ଅସାଧ୍ୟ ନାହିଁ । ପୂର୍ବକାଳରେ ସାବିତ୍ରୀ ନିଜ ପତିବ୍ରତ୍ୟ ବଳରେ ନିଜ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କଠାରୁ ଫେରାଇ ଆଣିଥିଲେ ।’’ ଏହାପରେ ସେ ଯୁଧିଷ୍ଠିର ଓ ଦ୍ରୌପଦୀଙ୍କୁ ସାବିତ୍ରୀ ସତ୍ୟବାନ ଆଖ୍ୟାନ ଶୁଣାଇଲେ । ତାହା ଶୁଣି ସେମାନଙ୍କ ମନରେ ସାହସ ଆସିଲା; ସେମାନେ ବନବାସ କଷ୍ଟକୁ କଷ୍ଟ ମନେ କଲେ ନାହିଁ । ପ୍ରତିଦିନ ଯୁଧିଷ୍ଠିର ସହସ୍ର ସହସ୍ର ବ୍ରାହ୍ମଣଙ୍କୁ ଭୋଜନ ଦେଉଥିଲେ। ତୀର୍ଥସ୍ଥାନମାନ ଦର୍ଶନ କରି ପିତୃପୁରୁଷମାନଙ୍କୁ ପିଣ୍ଡ ଦେଇ ତର୍ପଣ କରୁଥିଲେ ।

 

ପାଣ୍ଡବମାନେ କାମ୍ୟମ ବନରେ ପହଞ୍ଚିଲେ । ଏହି ବନରେ ତ୍ରିମିର ବୋଲି ଏକ ରାକ୍ଷସ ରହି ମୁନିୠଷିମାନଙ୍କ ଉପରେ ଅତ୍ୟାଚାର କରୁଥିଲା । ଏହି କ୍ରିମିର ବକ ରାକ୍ଷସର ଭାଇ । ପାଣ୍ଡବମାନଙ୍କୁ ଦେଖି ସେ ସେମାନଙ୍କୁ ଗିଳିବାକୁ ବାହାରିଲା । କିନ୍ତୁ ଭୀମ ତା ଭାଇକୁ ସେପରି ମାରିଥିଲେ, ତାକୁ ମଧ୍ୟ ସେହିପରି ମାରିଦେଲେ ।

 

ଦ୍ରୌପଦୀ ଓ ଭୀମଙ୍କୁ ବନବାସ ଭଲ ଲାଗୁନଥାଏ । ସେମାନେ କୌରବଙ୍କ ସହିତ ଯୁଦ୍ଧ କରିବାପାଇଁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଥାନ୍ତି; କିନ୍ତୁ ଯୁଧିଷ୍ଠିରଙ୍କର ଏକ କଥା–ଆମେ ଧର୍ମରେ ଚଳିବା । ଧର୍ମ ଆମକୁ ରକ୍ଷା କରିବ । ପଶାଖେଳର ପଣ ଅନୁସାରେ ଆମେ ବାର ବାର ବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସ କରି ଫେରିବା ।

 

ଅର୍ଜ୍ଜୁନଙ୍କ ଅସ୍ତ୍ତିପ୍ରାପ୍ତି :

 

ଏଥିମଧ୍ୟରେ ଦିନେ ବ୍ୟାସଦେବ ଯୁଧିଷ୍ଠିରଙ୍କୁ ଭେଟି କହିଲେ, ‘‘ମୁଁ ଗୋଟିଏ ବିଦ୍ୟା ଶିଖାଇ ଦେଉଛି । ତୁମେ ତାହା ଅର୍ଜ୍ଜୁନଙ୍କୁ ଶିଖାଇ ଦେଲେ ସେ ଶିବ, ଇନ୍ଦ୍ର, ବରୁଣ, କୁବେର ପ୍ରଭୃତିଙ୍କଠାରୁ ବିଚିତ୍ର ଅସ୍ତ୍ରମାନ ପାଇପାରିବେ ।’’

 

ଅର୍ଜ୍ଜୁନ ସେହି ବିଦ୍ୟା ଶିଖି ତପସ୍ୟା କରିବାକୁ ଗଲେ । ଇନ୍ଦ୍ରଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ସେ ତାଙ୍କୁ ଅସ୍ତ୍ର ମାଗିଲେ । କିନ୍ତୁ ଇନ୍ଦ୍ର କହିଲେ, ‘‘ତୁମେ ଶିବଙ୍କୁ ସନ୍ତୁଷ୍ଟ କଲେ ଅସ୍ତ୍ର ପାଇବ ।’’

 

ଅର୍ଜ୍ଜୁନ ଶିବଙ୍କ ଉଦ୍ଦେଶ୍ୟରେ କଠୋର ତପସ୍ୟା କଲେ । ତାଙ୍କ ତପସ୍ୟା ଦେଖି ବନର ମୁନିଋଷିମାନେ ଭୟ କରିଗଲେ । ଶିବ ମଧ୍ୟ ସନ୍ତୁଷ୍ଟ ହୋଇ ଅର୍ଜ୍ଜୁନଙ୍କୁ ପରୀକ୍ଷା କରିବାକୁ ଗଲେ । ସେ ନିଜେ ଜଣେ କିରାତର ବେଶ ଧରିଲେ । ତାଙ୍କ ପଛକୁ ପାର୍ବତୀ କିରାତରମଣୀ ବେଶରେ ଚାଲିଲେ । ଶିବଙ୍କ ଅନୁଚର ଭୂତଗଣ ବିଭିନ୍ନ ବେଶ ଧରି ତାଙ୍କ ଗହଣରେ ଚାଲିଲେ। ଏହି ସମୟରେ ଗୋଟାଏ ରାକ୍ଷସ ବାର୍‌ହା ରୂପରେ ଅର୍ଜୁନଙ୍କୁ ମାରିବାକୁ ଦଉଡ଼ିଲା । ଅର୍ଜୁନ ତାକୁ ମାରିବେ ବୋଲି ଧନୁରେ ଶର ଯୋଖିଲା ବେଳକୁ କିରାତି ବେଶୀ ଶିବ ତାଙ୍କୁ ବାରଣ କରି କହିଲେ, ’’ଏ ମୋର ଶିକାର; ମୁଁ ମାରିବି । ଅର୍ଜୁନ ତାଙ୍କ ମନା ନମାନି ବାର୍‌ହାକୁ ଶର ମାରିଲେ। କିରାତି ମଧ୍ୟ ତା ଉପରକୁ ଶର ମାରିଲେ ।

 

ଏବେ ଦୁହିଁଙ୍କ ଭିତରେ କଳି ଲାଗିଗଲା । ଅର୍ଜୁନ ରାଗିଯାଇ କିରାତିକୁ ଶର ମାରିଲେ । ସେ ଯେତେ ଶର ମାରନ୍ତି । କିରାତି ଆଁ କରି ସବୁ ଗିଳି ଦିଅନ୍ତି । ଅର୍ଜୁଙ୍କର ଶର ସରିଗଲା । କିରାତି ହସୁଥାନ୍ତି । ଅର୍ଜୁନ ତାଙ୍କର ଗାଣ୍ଡିବ ଧନୁ ଧରି କିରାତିଙ୍କ ମୁଣ୍ଡରେ ପାହାର ଦେବାକୁ ଗଲେ । କିରାତି ହସି ହସି ତାଙ୍କ ମୁଣ୍ଡକୁ ହାଣିବାକୁ ଗଲେ । କିନ୍ତୁ କିରାତିଙ୍କ ଦେହରେ ବାଜି ଖଣ୍ଡାଟି ଭାଙ୍ଗି ତଳେ ପଡ଼ିଗଲା । ଅନ୍ୟ ଉପାୟ ନ ଦେଖି ଅର୍ଜୁନ ଦୁଇ ହାତରେ କିରାତିକୁ ମାଡ଼ି ବସିଲେ । କିରାତି ସେହିପରି ଦୁଇ ହାତରେ ଅର୍ଜ୍ଜୁନଙ୍କୁ ଚିପି ଦେବାରୁ ସେ ଚେତା ହରାଇ ତଳେ ପଡ଼ିଗଲେ ।

 

କିଛି ସମୟ ପରେ ତାଙ୍କର ଚେତା ଆସିଲା । ସାମାନ୍ୟ କିରାତି ପାଖରୁ ପରାଭବ ପାଇ ସେ ଲଜ୍ଜିତ ହେଲେ ଓ ମାଟିର ଏକ ଶିବ ମୂର୍ତ୍ତି ଗଢ଼ି ତା ଗଳାରେ ଗୋଟିଏ ଫୁଲମାଳ ପକାଇଦେଲେ । କିରାତି ସେହି ପରି ଛିଡ଼ା ହୋଇ ହସୁଥାନ୍ତି । ଅର୍ଜ୍ଜୁନ ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ଫୁଲମାଳାଟି କିରାତିଙ୍କ ଗଳାରେ ପଡ଼ିଛି । ଏବେ ଅର୍ଜ୍ଜୁନ ବୁଝିପାରିଲେ ଯେ ଏହି କିରାତି ସ୍ୱୟଂ ଶିବଙ୍କ ଛଡ଼ା ଅନ୍ୟ କେହି ନୁହନ୍ତି । ସେ କିରାତିଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ । କିନ୍ତୁ କିରାତବେଶୀ ଶିବ କହିଲେ, ‘‘ବତ୍ସ, ମୁଁ ତୋ ଉପରେ ସନ୍ତୁଷ୍ଟ ହୋଇଅଛି, ତୋର ଇଚ୍ଛା ଅନୁସାରେ ବର ମାଗ ।’’ ଅର୍ଜ୍ଜୁନ କହିଲେ, ‘‘ଯଦି ମୋ ଉପରେ ଆପଣ ସନ୍ତୁଷ୍ଟ ହୋଇଅଛନ୍ତି, ତେବେ ମୋତେ ପାଶୁପତ ଅସ୍ତ୍ର ଦିଅନ୍ତୁ ।’’ ଶିବ ଆନନ୍ଦରେ ଅର୍ଜ୍ଜୁନଙ୍କୁ ଏହି ଅସ୍ତ୍ର ଦେଲେ ।

 

ଇନ୍ଦ୍ର, ବରୁଣ, ଯମ, କୁବେର ପ୍ରଭୃତି ଦେବତାମାନେ ମଧ୍ୟ ଆସି ଅର୍ଜ୍ଜୁନଙ୍କୁ ନିଜ ନିଜର ଉତ୍କୃଷ୍ଟ ଅସ୍ତ୍ରମାନ ଦେଲେ । ଏହି ସବୁ ଅସ୍ତ୍ରରେ ସେ ଅନେକ ଅସୁର ମାରି ଦେବତାମାନଙ୍କର ପ୍ରିୟ ହୋଇଗଲେ । ଦେବରାଜ ଇନ୍ଦ୍ର ଅର୍ଜ୍ଜୁନଙ୍କୁ ସ୍ୱର୍ଗକୁ ଡାକି ନେଇ ଆଦରେ ଦେଖାଇଲେ । ସ୍ୱର୍ଗରେ ଚିତ୍ରସେନ ବୋଲି ଜଣେ ଗନ୍ଧର୍ବଙ୍କ ସହିତ ଅର୍ଜ୍ଜୁନଙ୍କର ବନ୍ଧୁତା ହେଲା । ଚିତ୍ରସେନ ଗୀତନୃତ୍ୟରେ ପିନୁଣ ଥିଲେ । ଅର୍ଜ୍ଜୁନ ତାଙ୍କଠାରୁ ଏହି ସବୁ ବିଦ୍ୟା ଶିକ୍ଷାକରି ଭାଇମାନଙ୍କ ପାଖକୁ ଫେରିଆସିଲେ-। ସେତେବେଳକୁ ଯୁଧିଷ୍ଠିର ପ୍ରଭୃତି ଭାରତର ନାନା ତୀର୍ଥ ବୁଲିସାରି ଗନ୍ଧମାଦନ ପର୍ବତରେ ରହିଥିଲେ ।

 

ଚିତ୍ରସେନଙ୍କଠାରୁ ଦୁର୍ଯ୍ୟୋଧନଙ୍କ ଉଦ୍ଧାର :

 

ପାଣ୍ଡବମାନେ ଗନ୍ଧମାଦନ ପର୍ବତ ଛାଡ଼ି ପୁଣି ବୁଲି ବୁଲି କାମ୍ୟକ ବନରେ ପହଞ୍ଚିଲେ । ସେଠାରେ ସେମାନେ କିଛିଦିନ କଟାଇ ଦ୍ୱୈତବନକୁ ଗଲେ ଓ ସେଠାରେ ଗୋଟିଏ କୁଡ଼ିଆକରି ଦିନାକେତେ ରହିବାକୁ ସ୍ଥିରକଲେ ।

 

ଏଣେ ଦୁର୍ଯ୍ୟୋଧନ ଚାର ପଠାଇ ପାଣ୍ଡବମାନଙ୍କର ଖବର ରଖୁଥାନ୍ତି, ସେମାନଙ୍କର ଅନିଷ୍ଟ ପାଞ୍ଚୁଥାନ୍ତି । ସେ ଶୁଣିଲେ ଯେ ପାଣ୍ଡବମାନେ ଅତି କଷ୍ଟରେ ଦ୍ୱୈତ ବନରେ ରହିଥାନ୍ତି । ଏତିକିବେଳେ ସେମାନଙ୍କୁ ନିଜର ବଡ଼ପଣ ଦେଖାଇବାକୁ ସ୍ଥିର କରି ଦୁର୍ଯ୍ୟୋଧନ ଦ୍ୱୈତବନକୁ ଗଲେ । ସାଥିରେ ନିଜର ପରିବାର ଓ ବହୁ ସୈନ୍ୟସାମନ୍ତ ଘେନି ମହା ଆଡ଼ମ୍ବରେ ସେ ଦ୍ୱୈତବନରେ ପହଞ୍ଚିଲେ ।

 

ପାଣ୍ଡବମାନେ ଗୋଟିଏ ପୋଖରୀ କୂଳରେ କୁଡ଼ିଆ କରି ରହିଥାନ୍ତି । ସେତିକିବେଳକୁ ଚିତ୍ରସେନ ଗନ୍ଧର୍ବଙ୍କ ପରିବାର ପୋଖରୀକୁ ସ୍ନାନ କରିବାକୁ ଆସିଥିଲେ । ପୋଖରୀ ଚାରିପାଖେ ଟେରାବାଡ଼ି ଦିଆଯାଇଥିଲା ।

 

ଦୁର୍ଯ୍ୟୋଧନଙ୍କ ଲୋକେ ପୋଖରୀକୁ ଯିବାକୁ ବସିବାରୁ ଚିତ୍ରସେନଙ୍କ ଲୋକେ ବାରଣ କଲେ । ଦୁର୍ଯ୍ୟୋଧନ ତାହା ନ ମାନି ବଳପୂର୍ବକ ପୋଖରୀରେ ପଶିବା ପାଇଁ ତାଙ୍କ ଲୋକମାନଙ୍କୁ କହିଲେ । ଚାହୁଁ ଚାହୁଁ ଗନ୍ଧର୍ବ ଓ ଦୁର୍ଯ୍ୟୋଧନଙ୍କ ଲୋକମାନଙ୍କ ଭିତରେ ଭୟଙ୍କର ଯୁଦ୍ଧ ଲାଗିଗଲା-। ବହୁ ସମୟ ଯୁଦ୍ଧ ପରେ ଚିତ୍ରସେନଙ୍କ ଗନ୍ଧର୍ବ ସୈନ୍ୟମାନେ ଦୁର୍ଯ୍ୟୋଧନଙ୍କ ସୈନ୍ୟମାନଙ୍କୁ ପରାସ୍ତ କରିଦେଲେ । ନିଜେ ଦୁର୍ଯ୍ୟୋଧନ, ତାଙ୍କ ଭାଇମାନେ, ପରିବାରର ଲୋକେ ସମସ୍ତ; ଚିତ୍ରସେନଙ୍କର ବନ୍ଦୀ ହେଲେ ।

 

ଦୁର୍ଯ୍ୟୋଧନଙ୍କର କେତେ ଜଣ ଲୋକ ଯୁଦ୍ଧରୁ ପଳାଇଆସି ପାଣ୍ଡବମାନଙ୍କୁ ସମସ୍ତ ଘଟଣା କହିଲେ । ଦୁର୍ଯ୍ୟୋଧନ ଆପଣାର ବଡ଼େଇ ଦେଖାଇବାକୁ ମସି ନିଜେ ଅପମାନ ପାଇଛି ଶୁଣି ଭୀମ ମହାଖୁସି । କିନ୍ତୁ ଯୁଧିଷ୍ଠିର କହିଲେ, ‘‘କୌରବମାନେ ପରା ଆମର ଭାଇ, ସେମାନେ ବିପଦରେ ପଡ଼ିଛନ୍ତି; ଏତେବେଳକେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ । ତୁମେ ଚାରିଭାଇ ଯାଇ କୌରବମାନଙ୍କୁ ଗନ୍ଧର୍ବଙ୍କଠାରୁ ଉଦ୍ଧାର କରି ଆଣ ।’’

 

ଭାଇମାନେ କେବେହେଲେ ଯୁଧିଷ୍ଠିରଙ୍କ କଥାକୁ ତଳେ ପକାନ୍ତି ନାହିଁ । ସେମାନେ ସଙ୍ଗେ ସଙ୍ଗେ ଯାଇ ଗନ୍ଧର୍ବମାନଙ୍କୁ କହିଲେ, ‘‘କୌରବମାନଙ୍କୁ ଛାଡ଼ିଦିଅ ।’’ କିନ୍ତୁ ସେମାନେ କହିଲେ, ‘‘ନା, ତା ହେବନାହିଁ । କୌରବମାନେ ଯେଉଁ ଅନ୍ୟାୟ କରିଛନ୍ତି, ତାର ଦଣ୍ଡ ଭୋଗିବେ-।’’ ଏହା ଫଳରେ ଦୁଇ ପକ୍ଷର ଯୁଦ୍ଧ ଲାଗିଗଲା ।

 

ଅନେକ ବେଳ ଯୁଦ୍ଧ ପରେ ଚିତ୍ରସେନଙ୍କୁ ଚିହ୍ନିପାରି ଅର୍ଜ୍ଜୁନ ଯୁଦ୍ଧ ବନ୍ଦ କରିଦେଲେ । ଦୁଇ ବନ୍ଧୁ ପରସ୍ପରକୁ ଆଲିଙ୍ଗନ କଲେ । ଦୁହେଁଯାକ ବନ୍ଦୀମାନଙ୍କ ସହିତ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ । ଯୁଧିଷ୍ଠିରଙ୍କ କଥା ମାନି ଚିତ୍ରସେନ କୌରବ ପକ୍ଷର ସମସ୍ତଙ୍କୁ ମୁକୁଳାଇ ଦେଲେ । ଯେଉଁ ପାଣ୍ଡବମାନଙ୍କ ଦୁର୍ଦ୍ଦଶାରେ ନିଜର ପ୍ରୌଢ଼ ଦେଖାଇବାକୁ ଆସିଥିଲେ, ସେହିମାନଙ୍କ ଦୟାରୁ ପ୍ରାଣ ଘେନି ଦୁର୍ଯ୍ୟୋଧନ ଘୋର ମନଦୁଃଖରେ ଘରକୁ ଫେରିଗଲେ ।

 

ଦୁର୍ବାସାଙ୍କ ଉଦର ତୃପ୍ତ :

 

ଦୁର୍ବାସା ବୋଲି ଜଣେ ଋଷି ଥିଲେ । ସେ ମହାକ୍ରୋଧୀ । ଟିକିଏ ତାଙ୍କ କଥା ନ ରହିଲେ ସେ ଅଭିଶାପ ଦେବାକୁ ବସନ୍ତି । ଥରେ ସେ ହସ୍ତିନାକୁ ଶିଷ୍ୟମାନଙ୍କ ସହିତ ଯାଇଥିଲେ । ଦୁର୍ଯ୍ୟୋଧନ ତାଙ୍କୁ ଓ ତାଙ୍କର ଦଶହଜାର ଶିଷ୍ୟଙ୍କୁ ଚର୍ଚ୍ଚାକରି ଉତ୍ତମ ଭୋଜନ ଦେଲେ । ଦୁର୍ବାସା ସନ୍ତୁଷ୍ଟ ହୋଇ ପଚାରିଲେ, ‘‘ତୁମ ଅତିଥି ଚର୍ଚ୍ଚାରେ ଆମର ସନ୍ତୋଷ ହୋଇଛି । ତୁମପାଇଁ କିଛି କରିବାକୁ ଥିଲେ କୁହ ।’’

 

ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ସବୁବେଳେ ଅନିଷ୍ଟ ପାଞ୍ଚୁଥିଲେ । ସେ ଭାବିଲେ, ଏଇ ଋଷିଙ୍କ ଦ୍ୱାରା ପାଣ୍ଡବମାନଙ୍କୁ ଅଭିଶାପ ଦିଆଇବି । ସେ କହିଥିଲେ, ‘‘ମହର୍ଷି, ଆପଣଙ୍କ ଦୟାରୁ ମୋର କିଛି ଅଭାବ ନାହିଁ । କେବଳ ମୋର ଗୋଟିଏ ଅନୁରୋଧ ଅଛି । ଦିନେ ରାତିବେଳା ଆପଣ ଶିଷ୍ୟମାନଙ୍କ ସହିତ ପାଣ୍ଡବମାନଙ୍କର ଅତିଥି ହୁଅନ୍ତୁ ।’’

 

ସତକୁ ସତ କିଛି ଦିନ ପରେ ଦୁର୍ବାସା ଋଷି ଦଶହଜାର ଶିଷ୍ୟ ଘେନି ବଣରେ ପାଣ୍ଡବମାନଙ୍କ କୁଡ଼ିଆରେ ଅବେଳାରେ ଉପସ୍ଥିତ ହେଲେ । ଯୁଧିଷ୍ଠିର ପ୍ରଣାମ କରି ଅଭ୍ୟର୍ଥନା କଲାମାତ୍ରେ ଦୁର୍ବାସା କହିଲେ, ‘‘ଆମେମାନେ କ୍ଷୁଧାର୍ତ୍ତ ହୋଇ ଆସିଛୁ । ଶୀଘ୍ର ଆମ ପାଇଁ ଭୋଜନର ବ୍ୟବସ୍ଥା କର ।’’ ଏହା କହି ସେ ଶିଷ୍ୟମାନଙ୍କ ସହିତ ସନ୍ଧ୍ୟା ଆହ୍ନିକ କରିବାକୁ ଚାଲିଗଲେ ।

 

ଏଣେ ଯୁଧିଷ୍ଠିର ମହା ଚିନ୍ତାରେ ପଡ଼ିଲେ । ସେତେବେଳକୁ ଦ୍ରୌପଦୀ ଖାଇସାରି ନଥିଲେ ଚିନ୍ତା ନଥାନ୍ତା; ଅକ୍ଷୟ ପାତ୍ରରୁ ଦଶହଜାର କାହିଁକି, ଦଶଲକ୍ଷ ଲୋକଙ୍କ ପାଇଁ ମଧ୍ୟ ଆହାର ମିଳିଥାନ୍ତା । କିନ୍ତୁ ଦ୍ରୌପଦୀ ଭୋଜନ ସାରି ଶୋଇବାର ବ୍ୟବସ୍ଥା କରୁଥିଲେ । ଅଳ୍ପ ସମୟ ପରେ ଦୁର୍ବାସା ଶିଷ୍ୟମାନଙ୍କୁ ଘେନି ଖାଇବାକୁ ଆସିବେ । ସେମାନଙ୍କୁ ସେ ଦେବେ କଅଣ ? ଦ୍ରୌପଦୀଙ୍କୁ ସେ ପ୍ରକୃତ ଅବସ୍ଥା ଜଣାଇ କହିଲେ, ‘‘ମୁଁ କିଛି ଉପାୟ ଦେଖି ପାରୁନାହିଁ । ଋଷି କ୍ରୋଧରେ ମୁହୂର୍ତ୍ତକେ ଆମକୁ ଭସ୍ମ କରିଦେବେ ।’’

 

ଦ୍ରୌପଦୀ ଅବା କି ଉପାୟ କରିବେ ? ସେ ଆକୁଳ ହୋଇ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ପ୍ରାର୍ଥନା କଲେ, ‘‘ପ୍ରଭୁ, ଆମକୁ କେତେ କେତେ ବିପଦରୁ ରକ୍ଷା କରିଛ । ଏବେ ଦୁର୍ବାସାଙ୍କ କ୍ରୋଧରୁ ରକ୍ଷାକର । କିପରି ତାଙ୍କର ଉଦର ତୃପ୍ତି ହେବ ତାର ଉପାୟ ନ କଲେ, ଆମର ସର୍ବନାଶ ହେବ ।’’ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କର କାତର ପ୍ରାର୍ଥନା ଶୁଣି ସଙ୍ଗେ ସଙ୍ଗେ ପାଣ୍ଡବମାନଙ୍କ କୁଡ଼ିଆରେ ଉପସ୍ଥିତ ହୋଇ ଦ୍ରୌପଦୀଙ୍କୁ କହିଲେ, ‘‘ମୋତେ ଭାରି ଭୋକ ହେଉଛି, କଅଣ ଅଛି ଖାଇବାକୁ ଦିଅ ।’’ ଦ୍ରୌପଦୀ କାନ୍ଦି କାନ୍ଦି କହିଲେ, ‘‘ଥାଳିରେ କିଛି ହେଲେ ନାହିଁ, ମୁଁ ଚଣ୍ଡାଳୁଣୀ ଖାଇ ସାରିଛି-। ଏଣେ ଦୁର୍ବାସା ଦଶହଜାର ଶିଷ୍ୟ ଘେନି ଏଇକ୍ଷଣି ଆସିବେ । ଆପଣଙ୍କୁ ଦେବି କଅଣ-?’’

 

ଶ୍ରୀକୃଷ୍ଣ ଥାଳିଟି ଅଣାଇ ସେଥିରେ ଲାଗିଥିବା ଟିକିଏ ଶାଗ ଓ ଗୋଟିଏ ଭାତ ନେଇ ନିଜ ପାଟିରେ ପକାଇ ଦେଇ କହିଲେ, ‘‘ଏଇ ତ ଯଥେଷ୍ଟ–ଏଥିରେ ସମସ୍ତ ଜଗତର ଉଦର ତୃପ୍ତ ହେଉ ।’’ ଏହା ପରେ ସେ ଭୀମଙ୍କୁ କହିଲେ ‘‘ଯାଅ, ଦୁର୍ବାସା ଓ ତାଙ୍କ ଶିଷ୍ୟମାନଙ୍କୁ ଡାକି ଆଣ ।’’

 

ଦୁର୍ବାସା ଓ ତାଙ୍କ ଶିଷ୍ୟମାନେ ସନ୍ଧ୍ୟା ଆହ୍ନିକ ସାରିଲା ବେଳକୁ ସେମାନଙ୍କର ମନେହେଲା, ସତେ ଯେପରି ସମସ୍ତଙ୍କର ଉଦର ପୂର୍ଣ୍ଣ; କିଛି ମାତ୍ର ଭୋଜନ କରିବାକୁ ଲବ ମାତ୍ର ଇଚ୍ଛା ରହିଲା ନାହିଁ । ସେ ଯୁଧିଷ୍ଠିରଙ୍କ ପାଖକୁ ଆସିବା ପାଇଁ ଲଜ୍ଜା ବୋଧ କଲେ । ଯୁଧିଷ୍ଠିର ନିଶ୍ଚୟ ସେମାନଙ୍କ ପାଇଁ ଭୋଜନର ଯୋଗାଡ଼ କରିଥିବେ–ତାଙ୍କୁ କଅଣ କହିବେ ? ତେଣୁ ସେ ଆଉ ଯୁଧିଷ୍ଠିରଙ୍କ କୁଡ଼ିଆକୁ ନଆସି ଶିଷ୍ୟମାନଙ୍କ ସହ ଚାଲିଗଲେ ।

 

ଏହିପରି ଶ୍ରୀକୃଷ୍ଣଙ୍କ ଦୟାରୁ ପାଣ୍ଡବମାନେ ଏକ ମହାବିପଦରୁ ଉଦ୍ଧାର ପାଇଗଲେ ।

 

ଯକ୍ଷର ପ୍ରଶ୍ନ :

 

ପାଣ୍ଡବମାନେ ବନବାସରେ ଥିବାବେଳେ କାମ୍ୟକ ବନରେ ଗୋଟିଏ କୁଡ଼ିଆ କରି ରହିଥିଲେ । ଦ୍ରୌପଦୀଙ୍କୁ ଏକୁଟିଆ କୁଟୀରରେ ଛାଡ଼ି ଦେଇ ପାଣ୍ଡବ ପାଞ୍ଚଭାଇ ବନରେ ଶିକାର କରୁଥିଲେ, ଫଳମୂଳ ସଂଗ୍ରହ କରୁଥିଲେ । ଥରେ ଦ୍ରୌପଦୀ ଏହିପରି ଏକୁଟିଆ ଥିଲାବେଳେ ସିନ୍ଧୁର ରାଜା ଜୟଦ୍ରଥ ତାଙ୍କୁ କୁଡ଼ିଆରୁ ହରଣ କରି ରଥରେ ବସାଇ ନେଇଗଲା । ଯୁଧିଷ୍ଠିର ପ୍ରଭୃତି ଜୟଦ୍ରଥ ପଛେ ପଛେ ଗୋଡ଼ାଇ, ତା ସଙ୍ଗେ ଯୁଦ୍ଧକରି ଦ୍ରୌପଦୀଙ୍କୁ ଛଡ଼ାଇ ଆଣିଲେ । କିନ୍ତୁ କାମ୍ୟକ ବନରେ ଆଉ ରହିବା ପାଇଁ ସେମାନଙ୍କର ଇଚ୍ଛା ହେଲା ନାହିଁ । ସେମାନେ କାମ୍ୟକ ବନରୁ ଦ୍ୱୈତ ବନକୁ ଚାଲିଗଲେ ।

 

ବ୍ରାହ୍ମଣମାନେ ଯଜ୍ଞପାଇଁ ଯେଉଁ ଅଗ୍ନି ବ୍ୟବହାର କରୁଥିଲେ, ତାହା ବାହାର କରିବା ପାଇଁ ଦୁଇଖଣ୍ଡି କାଠି ଦରକାର ହେଉଥିଲା । ସେହି କାଠି ଦୁଇଖଣ୍ଡିକୁ ଘଷିଲେ ନିଆଁ ବାହାରୁ ଥିଲା-। ଏହି କାଠିକୁ ଅରଣୀ କୁହାଯାଉଥିଲା ।

 

ଦିନେ ପାଣ୍ଡବମାନେ କୁଡ଼ିଆ ପାଖରେ ଥିବା ସମୟରେ ଜଣେ ବ୍ରାହ୍ମଣ ଦଉଡ଼ି ଦଉଡ଼ି ଆସି କହିଲା, ‘‘ମୁଁ ବଡ଼ ବିପଦରେ ପଡ଼ିଛି, ମୋତେ ଟିକିଏ ସାହାଯ୍ୟ କର ।’’ ପାଣ୍ଡବମାନେ ତାଙ୍କୁ ବିପଦର କାରଣ ପଚାରିବାରୁ ସେ କହିଲେ, ‘‘ମୋର ଅରଣୀଟି ଗୋଟିଏ ଗଛରେ ରଖିଦେଇଥିଲି । କାହୁଁ ଗୋଟାଏ ହରିଣ ଆସି ସେହି ଗଛରେ ଘସି ହେଉ ହେଉ ଅରଣୀଟି ତାର ଶିଙ୍ଗରେ ଲାଖିଗଲା । ସେ ମୋର ସେହି ଅରଣୀଟି ନେଇ ପଳାଇଯାଉଛି । ତୁମେମାନେ ହରିଣଠାରୁ ସେଇଟି ଆଣି ମୋତେ ଦିଅ । ତାହା ନହେଲେ ମୋର ଆଜି ଯଜ୍ଞକାର୍ଯ୍ୟ ହୋଇ ପାରିବ ନାହିଁ ।’’

 

ଏହା ଶୁଣି ପାଞ୍ଚଭାଇଯାକ ହରିଣ ପଛରେ ଧାଇଁଲେ । ହରିଣ ଏତେ ବେଗରେ ଦଉଡ଼ିଲା ଯେ ପାଣ୍ଡବମାନେ ବହୁତ ପଛରେ ପଡ଼ିଗଲେ । କିଛି ସମୟ ପରେ ହରିଣ ଆଉ ଦେଖାଗଲା ନାହିଁ । ସେତେବେଳକୁ ସେମାନେ ଦଉଡ଼ି ଦଉଡ଼ି ନିତାନ୍ତ କ୍ଳାନ୍ତ ହୋଇ ପଡ଼ିଥିଲେ । ଶେଷରେ ସେମାନେ ବିଶ୍ରାମ ନେବାପାଇଁ ଗୋଟିଏ ବୃକ୍ଷ ମୂଳରେ ବସିପଡ଼ିଲେ ।

 

ସମସ୍ତଙ୍କୁ ଭାରି ଶୋଷ ହେଉଥିଲା । ଯୁଧିଷ୍ଠିର ନକୁଳଙ୍କୁ କହିଲେ, ‘‘ଖୁବ୍‌ଶୋଷ ହେଉଛି-। ପାଖରେ କେଉଁଠାରେ ପାଣିଥିବ । ତୁମେ ଯାଇ କିଛି ପାଣି ନେଇ ଆସ ।’’ ନକୁଳ ନିଜେ ଶୋଷରେ ଅଥୟ ହେଉଥିଲେ । ସେ ପାଣି ଆଣିବା ପାଇଁ ଚାଲିଗଲେ ।

 

କିଛି ଦୂର ଯିବା ପରେ ସେ ଗୋଟିଏ ସୁନ୍ଦର ପୋଖରୀ ଦେଖିଲେ । ସେଥିରେ ନିର୍ମଳ ଜଳ ପୂରି ରହିଥିଲା । ନକୁଳ ପାଣିରେ ପଶିବାକୁ ଯାଉଛନ୍ତି, ଏହି ସମୟରେ ଶୂନ୍ୟରୁ ଶୁଣାଗଲା, ‘‘ନକୁଳ, ସାବଧାନ ! ଏ ପାଣିରେ ମୋର ପୁରା ଅଧିକାର । ମୋର ଅନୁମତି ନ ନେଇ ପାଣିକୁ ଛୁଅଁ ନାହିଁ । ମୁଁ ଯେଉଁ ପ୍ରଶ୍ନ ପଚାରିବି, ତାର ଉତ୍ତର ଦେଇ ପାରିଲେ ତୁମେ ଯେତେ ଇଚ୍ଛା ପାଣି ପିଇ ପାରିବ ।’’

 

ନକୁଳଙ୍କୁ ଖୁବ୍‌ ଶୋଷ ହେଉଥିଲା । ସେ ଏହି ଶୂନ୍ୟବାଣୀ ଶୁଣିଲେ; କିନ୍ତୁ ତାହା ନମାନି ପାଣି ପିଇବା ପାଇଁ ସେ ପୋଖରୀରେ ପଶିଗଲେ । ମୁହଁରେ ପାଣି ଦେଉ ନ ଦେଉଣୁ ସେ ତତ୍‌କ୍ଷଣାତ୍‌ ସେହିଠାରେ ମରିପଡ଼ିଲେ ।

 

କିଛି ସମୟ ଗଲା । ନକୁଳ ଜଳ ନେଇ ଫେରି ନ ଆସିବାରୁ ଯୁଧିଷ୍ଠିର ସହଦେବଙ୍କୁ କହିଲେ, ‘‘ନକୁଳ ଏତେବେଳ ଯାଏ ଆସିଲେ ନାହିଁ । ତୁମେ ଯାଇ ଶୀଘ୍ର ପାଣି ନେଇ ଆସ ।’’

 

ସହଦେବ ପୋଖରୀ କୂଳରେ ପହଞ୍ଚି ଦେଖିଲେ ନକୁଳ ମରି ପଡ଼ିଛନ୍ତି । ସେ ମନଦୁଃଖରେ କାନ୍ଦି କାନ୍ଦି ପାଣି ପିଇବା ପାଇଁ ପୋଖରୀରେ ପଶିବାକୁ ଗଲା ବେଳକୁ ଶୂନ୍ୟବାଣୀ ହେଲା, ‘‘ସାବଧାନ ! ଆଗେ ମୋ ପ୍ରଶ୍ନର ଉତ୍ତର ଦେଇ ପରେ ପାଣି ପିଇବ । ନୋହିଲେ ନକୁଳଙ୍କ ଭଳି ପ୍ରାଣ ହରାଇବ ।’’ ସହଦେବ ଚାରିଆଡ଼କୁ ଟିକିଏ ଚାହିଁ କାହାକୁ ଦେଖି ପାରିଲେ ନାହିଁ । ଶୂନ୍ୟବାଣୀକୁ ଖାତିର ନକରି ପାଣିରେ ପଶିବା କ୍ଷଣି ସେ ମଧ୍ୟ ମରିପଡ଼ିଲେ ।

 

ଯୁଧିଷ୍ଠିର ଓ ଅନ୍ୟ ଦୁଇ ଭାଇ–ଭୀମ ଓ ଅର୍ଜ୍ଜୁନ ଆହୁରି କିଛି ସମୟ ଅପେକ୍ଷା କଲେ । କିନ୍ତୁ ସହଦେବ ଫେରିଲେ ନାହିଁ । ତହୁଁ ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ ପଠାଇଲେ । ଅର୍ଜ୍ଜୁନ, ନକୁଳ ଓ ସହଦେବଙ୍କୁ ମରିପଡ଼ିଥିବାର ଦେଖି ନିତାନ୍ତ ଦୁଃଖିତ ହେଲେ । ପୂର୍ବ ପରି ପ୍ରଶ୍ନର ଉତ୍ତର ଦେବାପାଇଁ ଶୂନ୍ୟବାଣୀ ଶୁଣାଗଲା । କିନ୍ତୁ ଅର୍ଜ୍ଜୁନ ତାହା ନମାନି ପାଣି ପିଇବାକୁ ପୋଖରୀରେ ପଶିବା ମାତ୍ରେ ସେଠାରେ ମରିପଡ଼ିଲେ ।

 

ଆହୁରି କିଛି ସମୟ ଗଲା । ଅର୍ଜ୍ଜୁନ ଫେରି ନ ଆସିବାରୁ ଯୁଧିଷ୍ଠିର ଭୀମଙ୍କୁ କହିଲେ, ‘‘ଏତେବେଳଯାଏ କେହି ଫେରିଲେ ନାହିଁ । ତୁମେ ଯାଇ ଦେଖ, ଘଟଣା କଅଣ ?’’ ଭୀମ ସଙ୍ଗେ ସଙ୍ଗେ ବାହାରିଗଲେ ।

 

ପୋଖରୀ କୂଳରେ ପହଞ୍ଚି ଭୀମ ତିନି ଭାଇଙ୍କର ଶବ ପଡ଼ିଥିବାର ଦେଖିଲେ । ସେମାନେ କିପରି ମଲେ, ଏହା ଭାବୁଥିଲାବେଳେ ଶୂନ୍ୟବାଣୀ ହେଲା, ‘‘ସାବଧାନ ! ଆଗେ ମୋ ପ୍ରଶ୍ନର ଉତ୍ତର ନ ଦେଇ ପୋଖରୀରେ ପଶିଲେ ତୁମକୁ ତୁମ ତିନି ଭାଇଙ୍କର ଦଶା ଭୋଗିବାକୁ ପଡ଼ିବ ।’’ କିନ୍ତୁ ଭୀମ ସେ କଥା ଶୁଣି ନଶୁଣିଲାପରି ପୋଖରୀ ଭିତରକୁ ପଶିଗଲେ । ସଙ୍ଗେ ସଙ୍ଗେ ସେ ମଧ୍ୟ ଭାଇମାନଙ୍କ ପାଖରେ ପ୍ରାଣ ହରାଇ ଟଳିପଡ଼ିଲେ ।

 

ଅନେକ ବେଳ ଗଲା । ଯୁଧିଷ୍ଠିର ଦେଖିଲେ ଚାରିଭାଇଙ୍କ ମଧ୍ୟରୁ କେହି ଜଣେ ହେଲେ ଫେରିଲେ ନାହିଁ । ତେଣୁ ସେ ନିଜେ ଭାଇମାନଙ୍କ ସନ୍ଧାନରେ ବାହାରିଲେ ।

 

ଯୁଧିଷ୍ଠିର ପୋଖରୀ କୂଳରେ ପହଞ୍ଚି ଭାଇମାନେ ମରିପଡ଼ିଥିବାର ଦେଖିଲେ । ପାଖରେ କୌଣସି ଲୋକ ନଥିଲେ, କେବଳ ଗୋଟିଏ ପ୍ରକାଣ୍ଡ ବକ ବସିଥିଲା । ବକ କହିଲା, ‘‘ହେ ଯୁଧିଷ୍ଠିର, ମୋ ପ୍ରଶ୍ନର ଉତ୍ତର ନ ଦେଇ ଜଳପାନ କରିବାକୁ ଯିବାରୁ ମୁଁ ତୁମର ଏ ଭାଇମାନଙ୍କୁ ବଧ କରିଅଛି । ଆଗେ ମୋର ପ୍ରଶ୍ନମାନଙ୍କର ଉତ୍ତର ଦିଅ । ତାହା ପରେ ପୋଖରୀରୁ ଯଥେଚ୍ଛା ପାଣି ପିଅ । ନୋହିଲେ ତୁମେ ମଧ୍ୟ ତୁମ ଭାଇମାନଙ୍କ ଦଶା ଭୋଗିବ ।’’

 

ଯୁଧିଷ୍ଠିର କହିଲେ, ‘‘ତୁମେ ଯେ ସାମାନ୍ୟ ବକ ନୁହଁ, ତାହା ମୁଁ ବୁଝି ପାରୁଛି । ପ୍ରକୃତରେ ତୁମେ କିଏ କିଏ ମୋତେ ଦୟା କରି କହ ।’’ ବକ ନିଜର ଶରୀରକୁ ଶହେ ଗୁଣ ବଢ଼ାଇ ଦେଇ କହିଲା, ‘‘ମୁଁ ଗୋଟିଏ ଯକ୍ଷ । ମୋ ପ୍ରଶ୍ନର ଉତ୍ତର ଦିଅ ।’’

 

ଯୁଧିଷ୍ଠିର ବିନୀତ ଭାବରେ କହିଲେ, ‘‘ହେ ଯକ୍ଷ ! ତୁମର ପ୍ରଶ୍ନ କୁହ । ମୋର ବୁଦ୍ଧି ଅନୁସାରେ ମୁଁ ଉତ୍ତର ଦେବାକୁ ଚେଷ୍ଟା କରିବି ।’’

 

ଯକ୍ଷ ଅନେକ ପ୍ରଶ୍ନ ପଚାରିଲା ଓ ଯୁଧିଷ୍ଠିର ସେଗୁଡ଼ିକର ଯଥାସମ୍ଭବ ଉତ୍ତର ଦେଲେ । ସେଗୁଡ଼ିକରୁ କେତୋଟି ନିମ୍ନରେ ଦିଆଯାଇଛି ।

 

(୧) ଯକ୍ଷର ପ୍ରଶ୍ନ–ଖବର କଅଣ ?

 

ଯୁଧିଷ୍ଠିରଙ୍କ ଉତ୍ତର–ଏ ମାୟାମୋହପୂର୍ଣ୍ଣ ସଂସାର ରୂପକ କଟାହ (କରେଇ)ରେ କାଳ ପ୍ରାଣୀମାନଙ୍କୁ ମାସ ଋତୁ ରୂପକ ଚଟୁ ସାହାଯ୍ୟରେ ସର୍ବଦା ଘାଣ୍ଟି ପାକ କରୁଅଛି । ଏହା ହିଁ ହେଉଛି ଖବର ।

 

(୨) ପ୍ରଶ୍ନ–ପୃଥିବୀରେ ଆଶ୍ଚର୍ଯ୍ୟ କଅଣ ?

 

ଉତ୍ତର–ପ୍ରତିଦିନ ପ୍ରାଣୀମାନେ ଯମପୁରକୁ ଯାଉଥିବାର ଦେଖି ସୁଦ୍ଧା ଲୋକେ ଚିରଦିନ ବଞ୍ଚି ରହିବେ ବୋଲି ମନେ କରୁଅଛନ୍ତି । ଏହାଠାରୁ ବଳି ଆଶ୍ଚର୍ଯ୍ୟ ଆଉ କଅଣ ଅଛି ?

 

(୩) ପ୍ରଶ୍ନ–ପନ୍ଥା କିଏ ?

 

ବେଦ ବିଭିନ୍ନ, ସ୍ମୃତି ବିଭିନ୍ନ, ମୁନିମାନଙ୍କର ମତ ମଧ୍ୟ ବିଭିନ୍ନ । ଧର୍ମର ପ୍ରକୃତି ତତ୍ତ୍ୱ ଅଜ୍ଞାତ । ତେଣୁ ମହାଜନମାନେ ଯେଉଁ ମାର୍ଗରେ ଯାଇଅଛନ୍ତି ତାହାହିଁ ପନ୍ଥା ।

 

(୪) ପ୍ରଶ୍ନ–ଜଗତରେ ସୁଖୀ କିଏ ?

 

ଉତ୍ତର–ଯିଏ ଅନ୍ୟଟାରୁ ଋଣ କରେ ନାହିଁ ଓ ଦିନ ପହରକୁ ମୁଠାଏ ଭାତ ଓ ଟିକିଏ ଶାଗ ଖାଇବାକୁ ପାଏ ଓ ପ୍ରବାସ କରିବାକୁ ଯାଏ ନାହିଁ, ସେ ହେଉଛି ସୁଖୀ ।

 

(୫) ପ୍ରଶ୍ନ–ପୃଥିବୀଠାରୁ ଭାରୀ କିଏ ? ସ୍ୱର୍ଗଠାରୁ ଉଚ୍ଚ କିଏ ? କାହାର ବେଗ ପବନଠାରୁ ଅଧିକ ? ତୃଣର ସଂଖ୍ୟାଠାରୁ କାହାର ସଂଖ୍ୟା ବେଶି ?

 

Unknown

ଉତ୍ତର–ମାତା ପୃଥିବୀଠାରୁ ଭାରୀ; ପିତା ସ୍ୱର୍ଗଠାରୁ ଉଚ୍ଚତର । ମନର ବେଗ ପବନଠାରୁ ଅଧିକ ଓ ଚିନ୍ତାର ସଂଖ୍ୟା ତୃଣର ସଂଖ୍ୟାଠାରୁ ଅଧିକ ।

 

(୬) ପ୍ରଶ୍ନ–ସବୁଠାରୁ ଦୁର୍ଜେୟ ଶତ୍ରୁ କିଏ ? କେଉଁ ରୋଗର ପ୍ରତିକାର ଦୁଃସାଧ୍ୟ ? କିପରି ଭଦ୍ର ଓ କୁଳୀନ ଲୋକକୁ ଚିହ୍ନିବ ? କାହାକୁ ନୀଚ ଲୋକ ବୋଲି ଜାଣିବ ?

 

ଉତ୍ତର–କ୍ରୋଧ ହେଉଛି ନିତାନ୍ତ ଦୁର୍ଜେୟ ଶତ୍ରୁ । ଲୋଭ ହେଉଛି ପ୍ରଧାନ ରୋଗ ଯାହାର ଔଷଧ ଦୁର୍ଲଭ । ଯେ ସମସ୍ତଙ୍କ ପ୍ରତି ଶ୍ରଦ୍ଧାକରେ ସେ ଭଦ୍ର ଓ କୁଳୀନ । ଯେ ହୃଦୟହୀନ ସେ ନୀଚ ।

 

ଏହିପରି ଯକ୍ଷ ଯୁଧିଷ୍ଠିରଙ୍କଠାରୁ ତାର ପ୍ରଶ୍ନମାନଙ୍କର ଯଥୋଚିତ ଉତ୍ତର ପାଇ ସନ୍ତୁଷ୍ଟ ହୋଇ କହିଲା, ‘‘ମୁଁ ତୁମ ଉପରେ ସନ୍ତୁଷ୍ଟ । ତୁମର ଭାଇମାନଙ୍କ ମଧ୍ୟରୁ ମୁଁ ଜଣଙ୍କର ଜୀବନ ଫେରାଇ ଦେବି । ତୁମେ କାହାର ପୁନର୍ଜୀବନ ଚାହଁ ?’’

 

ଯୁଧିଷ୍ଠିର ଉତ୍ତର କଲେ, ‘‘ତାହାହେଲେ ନକୁଳକୁ ବଞ୍ଚାଇ ଦିଅନ୍ତୁ ।’’

 

ଯକ୍ଷ ବିସ୍ମୟ ପ୍ରକାଶ କରି କହିଲା, ‘‘ଭୀମ ଓ ଅର୍ଜ୍ଜୁନଙ୍କ ଭଳି ତୁମର ସହୋଦର ଭାଇ ଥାଉ ଥାଉ ତୁମେ ବିମାତା ମାଦ୍ରୀଙ୍କର ପୁଅ ନକୁଳର ପ୍ରାଣ ଭିକ୍ଷା କରୁଛ କାହିଁକି ?’’

 

ଯୁଧିଷ୍ଠିର ଉତ୍ତର କଲେ, ‘‘ମୁଁ ଜୀବତ ଥିବାରୁ କୁନ୍ତୀ ନିଜକୁ ପୁତ୍ରବତୀ ବୋଲାଇ ପାରିବେ । କିନ୍ତୁ ବିମାତା ମାଦ୍ରୀ ଦୁଇଟିଯାକ ପୁତ୍ର ହରାଇଲେ ତାଙ୍କ ଦୁଃଖର ସୀମା ରହିବ ନାହିଁ । ତେଣୁ ମୋର ଏ ପ୍ରାର୍ଥନା ।’’

 

ଏହି ଉତ୍ତରରେ ଯକ୍ଷ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଚାରିଭାଇଙ୍କୁ ବଞ୍ଚାଇଦେଲା ।

 

ଯୁଧିଷ୍ଠିର ଏଥିରେ ବିସ୍ମିତ ହୋଇ କହିଲେ, ‘‘ହେ ଯକ୍ଷ ମୋ ମନରେ ସଂଶୟ ହେଉଅଛି, ଆପଣ ସାଧାରଣ ଯକ୍ଷ ହୋଇ ନପାରନ୍ତି । ଜଗତରେ ଏପରି କିଏ ଅଛି, ଯେ କି ମୋର ଭାଇମାନଙ୍କୁ ବଧ କରି ପୁଣି ଜୀବନ ଦେଇପାରିବ ? ଦୟାକରି ଆପଣଙ୍କର ଯଥାର୍ଥ ପରିଚୟ ଦିଅନ୍ତୁ ।’’

 

ଯକ୍ଷ ଉତ୍ତର କଲେ, ‘‘ହେଉଛି ତୁମର ପିତା ଧର୍ମ ଦେବତା । ତୁମକୁ ଦେଖିବା ପାଇଁ ଆସିଥିଲି । ଯଶକୀର୍ତ୍ତି, ସତ୍ୟ, ସଂଯମ, ଶୌଚ, ଦୟା, ତପଃ ପ୍ରଭୃତି ହେଉଛନ୍ତି ମୋର ଶରୀର । ଅହିଂସା, ସ୍ଥୈର୍ଯ୍ୟ, ସାମ୍ୟ ହେଉଛି ମୋ ନିକଟରେ ପହଞ୍ଚିବାର ପଥ । ମୁଁ ତୁମଠାରେ ଏହିସବୁ ଗୁଣ ଦେଖି ସନ୍ତୁଷ୍ଟ । ତୁମେ ଇଚ୍ଛା ଅନୁସାରେ ଯେକୌଣସି ବର ମାଗ ।’’

 

ଯୁଧିଷ୍ଠିର କହିଲେ, ‘‘ଯେଉଁ ଅରଣୀଟି ହରିଣ ନେଇ ଯାଇଅଛି, ତାହା ଆଣିଦିଅନ୍ତୁ ।’’

 

ଧର୍ମ କହିଲେ, ‘‘ମୁଁ ହରିଣ ରୂପରେ ଅରଣୀଟି ଆଣିଥିଲି । ନିଅ, ବ୍ରାହ୍ମଣଙ୍କୁ ଫେରାଇ ଦିଅ । ଏବେ ନିଜ ପାଇଁ କୌଣସି ବର ମାଗ ।’’

 

ଯୁଧିଷ୍ଠିର କହିଲେ, ‘‘ଆମର ବାରବର୍ଷ ବନବାସ ଶେଷ ହୋଇ ଆସିଲାଣି । ଏବେ ଏକ ବର୍ଷ ପାଇଁ ଅଜ୍ଞାତବାସ କରିବୁ । ଆମମାନଙ୍କୁ ଯେପରି କେହି ଚିହ୍ନି ନ ପାରିବେ, ତାର ଉପାୟ କହନ୍ତୁ ।’’

 

ଧର୍ମଦେବତା ଉତ୍ତର କଲେ, ‘‘ସେଥିପାଇଁ ଚିନ୍ତା କରନାହିଁ । ତୁମେମାନେ ଛଦ୍ମବେଶ ଧରି ବିରାଟ ରାଜ୍ୟରେ ରହିବ । କେହି ତୁମକୁ ଚିହ୍ନି ପାରିବେ ନାହିଁ ।’’

 

ଯୁଧିଷ୍ଠିର ଧର୍ମଙ୍କୁ କୃତଜ୍ଞତା ଜଣାଇ ବିଦାୟ ନେବା ସଙ୍ଗେ ସଙ୍ଗେ ଧର୍ମ ଅନ୍ତର୍ହିତ ହୋଇଗଲେ ।

 

ଅଜ୍ଞାତବାସ :

 

ପାଣ୍ତବମାନେ କୌଣସିମତେ ଦୁଃଖକଷ୍ଟ ସହି ବାରବର୍ଷ କାଳ ବନବାସରେ କଟାଇ ଦେଲେ । ଏହି ସମୟ ମଧ୍ୟରେ ଦୁର୍ଯ୍ୟୋଧନ ସେମାନଙ୍କର ବିନାଶ ପାଇଁ ଅନେକ ଥର ଉଦ୍ୟମ କରିଥିଲେହେଁ ପାଣ୍ତବମାନେ ରକ୍ଷାପାଇ ଯାଇଥିଲେ । ଏବେ ଅଜ୍ଞାତବାସର ସମୟ ଉପସ୍ଥିତ ହେଲା । ଦୁର୍ଯ୍ୟୋଧନଙ୍କ ଚାରମାନେ ପାଣ୍ତବମାନଙ୍କୁ ଧରା ପକାଇବା ପାଇଁ ଖୁବ୍ ଚେଷ୍ଟା କରିବେ ବୋଲି ସେମାନଙ୍କୁ ଜଣାଥିଲା । ତେଣୁ ସେମାନେ କେଉଁଠାରେ କିପରି ଅଜ୍ଞାତରେ ରହିବେ, ସେ ବିଷୟରେ ଆପଣା ଭିତରେ ପରାମର୍ଶ କଲେ ।

 

ଶେଷରେ ସ୍ଥିର ହେଲା ଯେ ପାଣ୍ତବ ପାଞ୍ଚଭାଇ ଓ ଦୌପଦୀ ସମସ୍ତେ ଛଦ୍ମବେଶରେ ମତ୍ସ୍ୟଦେଶର ରାଜା ବିରାଟଙ୍କ ଘରେ ରହିବେ । ବିରାଟ ଖୁବ୍ ଭଲ ଲୋକ; ତେଣୁ ସେଠାରେ ସେମାନେ ଶାନ୍ତିରେ ରହି ପାରିବେ ବୋଲି ଆଶା କଲେ । ଯୁଧିଷ୍ଠିର କଙ୍କ ନାମ ଧାରଣ କଲେ; ଭୀମ ବଲ୍ଲବ, ଅର୍ଜ୍ଜୁନ ନାରୀବେଶ ଧରି ବୃହନ୍ନଳା, ନକୁଳ ଗ୍ରନ୍ଥିକ ଓ ସହଦେବ ତନ୍ତିପାଳ ନାମ ଗ୍ରହଣ କଲେ । ଦୌପଦୀ ନିଜକୁ ସୈରିନ୍ଧ୍ରୀ ନାମରେ ପରିଚିତ କରାଇଲେ ।

 

ପ୍ରଥମେ ପାଣ୍ତବମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ସବୁ ବାନ୍ଧି ସେଥିରେ କନା ଗୁଡ଼ାଇ ମନୁଷ୍ୟ ଶବ ପରି କରି ବିରାଟ ରାଜ୍ୟର ପ୍ରାନ୍ତଭାଗରେ ଥିବା ଏକ ଶମୀ ବୃକ୍ଷରେ ଝୁଲାଇ ଦେଲେ-। ଦୂରରୁ ସେଗୁଡ଼ିକ ଶବପରି ଦିଶୁଥିବାରୁ କେହି ସେଗୁଡ଼ିକ ନେଇଯିବାର ଆଶଙ୍କା ରହିଲା ନାହିଁ-

 

ସେମାନେ ଜଣ ଜଣ ହୋଇ ବିରାଟ ରାଜାଙ୍କ ନିକଟରେ କାର୍ଯ୍ୟ ପ୍ରାର୍ଥୀ ହେଲେ । ଯୁଧିଷ୍ଠିର କହିଲେ, ‘‘ମୋର ନାମ କଙ୍କ । ମୁଁ ଯୁଧିଷ୍ଠିରଙ୍କ ରାଜସଭାର ଜଣେ ସଭାସଦ୍ ଓ ତାଙ୍କର ପ୍ରିୟ ସଖା ଥିଲି । ଦ୍ୟୂତକ୍ରୀଡ଼ାରେ ମୁଁ ପାରଦର୍ଶୀ । ଯୁଧିଷ୍ଠିର ନିଜର ପତ୍ନୀ ଓ ଭାଇମାନଙ୍କ ସହ ଅଜ୍ଞାତ ବାସ କରିବାକୁ କୁଆଡ଼େ ଚାଲିଯିବାରୁ ମୁଁ ନିରାଶ୍ରୟ ହୋଇ ପଡ଼ିଛି । ମୋତେ ଆପଣ ଆଶ୍ରୟ ଦିଅନ୍ତୁ ।’’

 

ବିରାଟ ତାଙ୍କୁ ରାଜସଭାର ଜଣେ ସଦସ୍ୟରୂପେ ନିଯୁକ୍ତ କଲେ । ରାଜାଙ୍କୁ ଶାସନ କାର୍ଯ୍ୟରେ ପରାମର୍ଶ ଦେବା ଓ ତାଙ୍କ ସଙ୍ଗେ ପଶା ଖେଳିବା ତାଙ୍କର କାର୍ଯ୍ୟ ହେଲା । ତତ୍ପରେ ଭୀମ ଯାଇ କହିଲେ, ‘‘ମୁଁ ଆପଣଙ୍କ ନିକଟରେ କର୍ମ-ପ୍ରାର୍ଥୀ ହୋଇ ଆସିଛି । ମୋର ନାମ ବଲ୍ଲବ । ମୁଁ ଆଗେ ଯୁଧିଷ୍ଠିରଙ୍କ ପାକଶାଳର ପ୍ରଧାନ ସୂପକାର ଥିଲି । ମୁଁ ନାନାବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଜାଣେ । ଯୁଧିଷ୍ଠିର ମୋ ଛଡ଼ା ଅନ୍ୟ କାହାରି ଦ୍ୱାରା ତାଙ୍କର ଖାଦ୍ୟ ପ୍ରସ୍ତୁତ କରାଉ ନଥିଲେ । ସେ ଏବେ ଭାଇ ଭାର୍ଯ୍ୟାଙ୍କ ସହିତ ଅଜ୍ଞାତ ବାସରେ ଯାଇଛନ୍ତି । ମୋତେ ଆପଣ ପାଚକରୂପେ ନିଯୁକ୍ତ କରନ୍ତୁ । ମୁଁ ଯଥାସାଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବି । ଏହାଛଡ଼ା ମୁଁ ମଲ୍ଲ ବିଦ୍ୟା ମଧ୍ୟ କିଛି ଜାଣେ । ଦରକାର ପଡ଼ିଲେ ମୁଁ ଯୁଦ୍ଧରେ ସାହାର୍ଯ୍ୟ କରିପାରିବି ।’’

 

ବିରାଟ ବଲ୍ଲବଙ୍କୁ ରାଜପ୍ରାସାଦର ମୁଖ୍ୟ ସୂପକାର ରୂପେ ନିଯୁକ୍ତ କଲେ ।

 

ଅର୍ଜ୍ଜୁନ ହାତରେ କାଚ ଓ ବିଭିନ୍ନ ଅଙ୍ଗରେ ଅଳଙ୍କାର ପିନ୍ଧି ନାରୀ ବେଶରେ ବିରାଟଙ୍କ ରାଜସଭାରେ ପହଞ୍ଚି ଯଥାବିଧି ପ୍ରଣାମ କରି କହିଲେ, ‘‘ମହାରାଜ, ମୋର ନାମ ବୃହନ୍ନଳା । ମୁଁ ଆଗେ ଯୁଧିଷ୍ଠିର ମହାରାଜାଙ୍କ ଅନ୍ତଃପୁରରେ ରହି ରମଣୀମାନଙ୍କୁ ଗୀତବାଦ୍ୟ ନୃତ୍ୟ ଶିକ୍ଷା ଦେଉଥିଲେ । ଏବେ ଯୁଧିଷ୍ଠିର ରାଜା ନାହାନ୍ତି । ଶୁଣାଯାଏ କୁଆଡେ ଲୁଚି ଲୁଚି ବୁଲୁଛନ୍ତି । ମୋର ଖଣ୍ତିଏ ଚାକିରି ଦିଅନ୍ତୁ ।’’

 

ଦଇବେ ସେତିକିବେଳକୁ ରାଜା ନିଜ ଝିଅ ଉତ୍ତରାକୁ ସଙ୍ଗୀତ ଶିକ୍ଷା ଦେବା ପାଇଁ ଜଣେ ଓସ୍ତାଦ୍ ଖୋଜୁଥିଲେ । ତେଣୁ ସେ ଆନନ୍ଦରେ ବୃହନ୍ନଳାଙ୍କୁ କହିଲେ, ‘‘ବେଶ୍, ତୁମେ ଆମ ଜେମା ଉତ୍ତରାଙ୍କୁ ସଙ୍ଗୀତ ଶିକ୍ଷା ଦେବ ।’’

 

ନକୁଳ ଆସି କହିଲେ, ‘‘ମୋର ନାମ ଗ୍ରନ୍ଥିକ । ଅଶ୍ୱ ମାନଙ୍କୁ ପାଳିବା ବିଷୟରେ ମୋଠାରୁ ବଳି କେହି ନାହିଁ । ମୁଁ ଆଗେ ଯୁଧିଷ୍ଠିର ମହାରାଜାଙ୍କ ଅଶ୍ୱଶାଳାର ରକ୍ଷକ ଥିଲି । ଏବେ ସେ ବନବାସୀ ହୋଇ ଅଛନ୍ତି । ମୋତେ ନିଯୁକ୍ତ କଲେ ମୁଁ ଆପଣଙ୍କ ଅଶ୍ୱମାନଙ୍କର ଯତ୍ନ ନେଇପାରିବି ।’’ ନକୁଳଙ୍କୁ ସହଜେ ନିଯୁକ୍ତି ମିଳିଗଲା ।

 

ସହଦେବ ଜଣାଇଲେ, ‘‘ମହାରାଜ, ମୁଁ ଜଣେ ପ୍ରସିଦ୍ଧ ଗୋପାଳ । ମୋର ନାମ ତନ୍ତ୍ରୀପାଳ । ଗୋରୁମାନଙ୍କୁ କିପରି ପାଳିବାକୁ ହୁଏ, କିପରି ସେମାନଙ୍କଠାରୁ ବେଶି ଦୁଧ ମିଳିବ, ତାହା ମୋତେ ଭଲରୂପେ ଜଣା । ମୁଁ ପୂର୍ବେ ଯୁଧିଷ୍ଠିରଙ୍କ ଗୋଷ୍ଠିର ରକ୍ଷକ ଥିଲି । ସେ ରାଜ୍ୟରୁ ଚାଲିଯିବା ପରେ ମୁଁ କାର୍ଯ୍ୟ ଖୋଜି ବୁଲୁଛି । ଆପଣଙ୍କର ସହସ୍ର ସହସ୍ର ଗାଭୀ ଅଛନ୍ତି । ମୋତେ ଜଣେ ଗୋରକ୍ଷକ ପଦରେ ନିଯୁକ୍ତ କଲେ ।

 

ପରିଶେଷରେ ଦୌପଦୀ ବିରାଟ ରାଜାଙ୍କ ପ୍ରାସାଦ ଆଡ଼କୁ ଅଗ୍ରସର ହେଲେ । ଜଣେ ସୁନ୍ଦରୀ ମହିଳାଙ୍କୁ ଆସୁଥିବାର ଦେଖି, ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ରାଜପ୍ରାସାଦର ଛାତ ଉପରୁ ରାଣୀ ସୁଦେଷ୍ଣା ତାଙ୍କୁ ଦେଖିପାରି ଜଣେ ଦାସୀଦ୍ୱାରା ଅନ୍ତଃପୁରକୁ ଡକାଇନେଲେ । ରାଣୀ ତାଙ୍କର ପରିଚୟ ପଚାରିବାରୁ ଦୌପଦୀ କହିଲେ, ‘‘ମୁଁ ଜଣେ ସୈରିନ୍ଧ୍ରୀ । ମୁଁ ଆଗେ ସତ୍ୟଭାମା ଓ ଦୌପଦୀଙ୍କ ପାଖେ ରହିଥିଲି । ସେମାନଙ୍କର ସଖୀରୂପେ ମୁଁ ରାଜପରିବାରରେ ଚଳିଛି । ମୋର ସ୍ୱାମୀ ହେଉଛନ୍ତି ପାଞ୍ଚଜଣ ଗନ୍ଧର୍ବ । ଏବେ ସେମାନେ ଗୋଟାଏ ବିପତ୍ତିରେ ପଡ଼ିଥିବାରୁ ମୋତେ ପର ଆଶ୍ରା ଖୋଜିବାକୁ ହେଉଛି ।’’

 

ସୁଦେଷ୍ଣା ଦୌପଦୀଙ୍କର ରୂପ ଓ କଥାବାର୍ତ୍ତାରୁ ବୁଝିଗଲେ ଯେ ସେ ଜଣେ ଉଚ୍ଚ କୁଳର ସ୍ତ୍ରୀ; ଭଦ୍ରବ୍ୟବହାର ଜାଣନ୍ତି । ତେଣୁ ସୁଦେଷ୍ଣା ତାଙ୍କୁ ଆନନ୍ଦରେ ଅନ୍ତଃପୁରରେ ନିଯୁକ୍ତ କଲେ । ତହୁଁ ଦୌପଦୀ କହିଲେ, ‘‘ଆପଣ ମୋତେ ଆଶ୍ରୟ ଦେଇଥିବାରୁ ମୁଁ ଆପଣଙ୍କ ପାଖେ ଋଣୀ; କିନ୍ତୁ ମୋର ଅନୁରୋଧ ଯେ ମୁଁ କାହାରି ଉଚ୍ଛିଷ୍ଟ ସ୍ପର୍ଶ କରିପାରିବି ନାହିଁ । ମୋର ମାନସମ୍ମାନରେ ଯେପରି ବାଧା ନ ପଡ଼େ ସେ କଥା ଆପଣ ଦେଖିବେ । ଅବଶ୍ୟ ମୋର ସ୍ୱାମୀମାନେ ବିପତ୍ତିରେ ପଡ଼ିଛନ୍ତି; କିନ୍ତୁ କେହି ମୋର ମାନମହତ୍ତ୍ୱ ନଷ୍ଟ କରିବାକୁ ବସିଲେ ସେମାନେ ଆସି ତାର ପ୍ରାଣ ନେବେ ।’’ ରାଣୀ ସୁଦେଷ୍ଣା ଏହା ଶୁଣି କହିଲେ, ‘‘ତୁମକୁ ଦେଖିଲାବେଳୁ ମୁଁ ଜାଣିଛି, ତୁମେ ଉଚ୍ଚ କୁଳରେ ଜାତ । ତୁମେ ମୋର ସଖୀରୂପେ ରହିବ । ତୁମର ସମ୍ମାନରେ ଯେପରି ହାନି ନ ପହଞ୍ଚେ ତାହା ମୁଁ ଅବଶ୍ୟ ଦେଖିବି ।’’

 

ଏହିପରି ପାଞ୍ଚ ଭାଇ ଓ ଦୌପଦୀ ବିରାଟଙ୍କ ଘରେ ରହିଲେ । କିନ୍ତୁ ବାହାରର ଲୋକେ କେହି ସେମାନଙ୍କର ପ୍ରକୃତ ପରିଚୟ ପାଇ ପାରିଲେ ନାହିଁ ।

 

କୀଚକ ବଧ :

 

ପାଣ୍ତବମାନେ ନିଜ ନିଜ କାର୍ଯ୍ୟରେ ଖୁବ୍ ଦକ୍ଷତା ଦେଖାଇଲେ । ଯୁଧିଷ୍ଠିର ବିରାଟଙ୍କୁ ନାନା ସଦୁପଦେଶ ଦେଉଥିଲେ । ଭୀମଙ୍କ ରନ୍ଧାରେ ରାଜପୁରରେ ସମସ୍ତେ ପରିତୃପ୍ତ ଥିଲେ । ବେଳେ ବେଳେ ସେ ବାଘ ସିଂହଙ୍କ ସଙ୍ଗେ ଲଢ଼େଇ କରି ଦର୍ଶକମାନଙ୍କୁ ଆନନ୍ଦ ଦେଉଥିଲେ । ବୃହନ୍ନଳା ରୂପରେ ଅର୍ଜ୍ଜୁନ ଉତ୍ତରାଙ୍କୁ ସଙ୍ଗୀତ ବିଦ୍ୟାରେ ପାରଦର୍ଶୀ କରିଦେଲେ । ସ୍ୱର୍ଗରେ ଚିତ୍ରସେନଙ୍କଠାରୁ ସେ ଯେଉଁ ସଙ୍ଗୀତ ବିଦ୍ୟା ଶିଖିଥିଲେ, ଏବେ ତାହା ଖୁବ୍ କାମରେ ଆସିଲା । ନକୁଳ ଓ ସହଦେବ ଗ୍ରନ୍ଥିକ ଓ ତନ୍ତ୍ରିପାଳ ରୂପରେ ବିରାଟ ରାଜାଙ୍କର ଘୋଡ଼ା ଓ ଗାଈମାନଙ୍କର ଖୁବ୍ ଉନ୍ନତି ସାଧନ କଲେ । ମୋଟ ଉପରେ ପାଣ୍ତବମାନେ ବିରାଟଙ୍କର ଅତି ପ୍ରିୟ ଥିଲେ ।

କିନ୍ତୁ ଦୌପଦୀଙ୍କ ସୁଖ ବେଶି ଦିନ ରହିଲା ନାହିଁ । ଅବଶ୍ୟ ରାଣୀ ସୁଦେଷ୍ଣା ତାଙ୍କୁ ଖୁବ୍ ଭଲ ପାଉଥିଲେ; କିନ୍ତୁ ରାଣୀଙ୍କର ଭାଇ କୀଚକ ଅନର୍ଥ ସୃଷ୍ଟି କଲା ।

ରାଜାଙ୍କର ଶ୍ୟାଳକ ଓ ରାଣୀଙ୍କର ଭାଇ ହୋଇଥିବାରୁ କୀଚକ ମତ୍ସ୍ୟରାଜ୍ୟରେ କାହାକୁ ମାନୁ ନ ଥିଲା । ଲୋକମାନଙ୍କ ଉପରେ ନାନା ଅତ୍ୟାଚାର କରୁଥିଲା ସୁଦ୍ଧା କେହି ତାର ପ୍ରତିବାଦ କରିପାରୁ ନଥିଲେ । କହିବାକୁ ଗଲେ ବିରାଟ ନାମ ମାତ୍ର ରାଜା ଥିଲେ; କୀଚକ ପ୍ରକୃତ ରାଜପଣ କରୁଥିଲା । ତା ଦେହରେ ମଧ୍ୟ ଅସୀମ ବଳ ଥିଲା । ତେଣୁ ଲୋକେ କହୁଥିଲେ–କୀଚକର ବାହୁ ବଳେ ବିରାଟ ରାଜା ।

କୀଚକର ସ୍ୱଭାବ ଅତି ଖରାପ । ସେ ଦୌପଦୀଙ୍କ ରୂପରେ ମୁଗ୍‌ଧ ହୋଇ ତାଙ୍କୁ ବଶ କରିବାକୁ ଉଦ୍ୟମ କଲା । କିନ୍ତୁ ଦୌପଦୀଙ୍କ ଭଳି ସତୀ ନାରୀ କି ତାର ପ୍ରଲୋଭନରେ ପଡ଼ନ୍ତେ ?

 

ଦିନେ ସୁଦେଷ୍ଣା ସୈରିନ୍ଧ୍ରୀଙ୍କ ହାତରେ କିଛି ଖାଇବା ଜିନିଷ କୀଚକ ଘରକୁ ପଠାଇ ଦେଲେ । ସେ ଖାଦ୍ୟଦ୍ରବ୍ୟ ରଖିଦେଇ ଫେରି ଆସିଲାବେଳକୁ କୀଚକ ତାଙ୍କୁ ଧରିବାକୁ ଚେଷ୍ଟା କଲା । ଦୌପଦୀ କ୍ରୋଧରେ ତା ଉପରେ ପଦାଘାତ କରି ରାଜସଭାକୁ ପଳାଇ ଆସିଲେ । କୀଚକ ମଧ୍ୟ ତାଙ୍କ ପଛେ ପଛେ ଦଉଡ଼ି ଆସିଲା । ଦୌପଦୀ ରାଜାଙ୍କୁ ଲକ୍ଷ୍ୟ କହିଲେ, ‘‘ମହାରାଜ, ଆପଣ ଏ ରାଜ୍ୟର ରକ୍ଷାକର୍ତ୍ତା । ଦୋଷୀକୁ ଦଣ୍ତ ଦେବା ଆପଣଙ୍କର କର୍ତ୍ତବ୍ୟ । ଆଜି କୀଚକ ମୋ ଉପରେ ଅତ୍ୟାଚାର କରୁଥିଲେ । ଏହାର ଉଚିତ ବିଚାର ହେଉ ।’’

 

ବିରାଟ ମନେ ମନେ କୀଚକକୁ ଭୟ କରୁଥିଲେ । କୀଚକକୁ ଦଣ୍ତ ଦେବାକୁ ତାଙ୍କର ସାହସ ବା ଶକ୍ତି ନଥିଲା । ତାଙ୍କ ପାଖରେ ଯୁଧିଷ୍ଠିର ବସିଥିଲେ । ସେ ଯୁଧିଷ୍ଠିରଙ୍କ ଆଡ଼କୁ ଚାହିଁଲେ-। ତହୁଁ ଯୁଧିଷ୍ଠିର କହିଲେ, ‘‘ସୈରିନ୍ଧ୍ରୀ, ତୁମେ ରାଣୀଙ୍କର ସ୍ୱତନ୍ତ୍ର ଦାସୀ । ତେଣୁ ଆଗେ ତାଙ୍କୁ ଜଣାଅ । ସମୟ ଆସିଲେ ତୁମର ଗନ୍ଧର୍ବ ସ୍ୱାମୀମାନେ ଏ ଅପମାନର ପ୍ରତିକାର କରିବେ-।’’

 

ଦୌପଦୀ କାନ୍ଦି କାନ୍ଦି ରାଣୀ ସୁଦେଷ୍ଣାଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ସେ କୀଚକ ଉପରେ ନିତାନ୍ତ ବିରକ୍ତ ହେଲେ ।

 

ସେହି ଦିନ ରାତିରେ ପାଣ୍ତବମାନେ ସ୍ଥିର କଲେ ଯେ କୀଚକକୁ ବଧ କରିବାକୁ ହେବ । କୀଚକକୁ ମାରିଦେବା ସେମାନଙ୍କ ମଧ୍ୟରୁ କାହାରି ପକ୍ଷେ କଠିନ କାର୍ଯ୍ୟ ନୁହେ; ତେବେ ଭୟର ଏକମାତ୍ର କାରଣ ହେଲା, କାଳେ ସେମାନଙ୍କର ପରିଚୟ ପ୍ରକାଶ ପାଇଯିବ । ସେମାନଙ୍କ ଭିତରେ ସ୍ଥିର ହେଲା, ଭୀମ ଏକୁଟିଆ ନିର୍ଜନ ଜାଗା ଦେଖି କୀଚକକୁ ବଧ କରିବେ ।

 

ବଗିଚା ଭିତରେ ଗୋଟିଏ ନିଛାଟିଆ ଘର ଥିଲା । ବେଳେ ବେଳେ ଏହି ଘରେ ନୃତ୍ୟଗୀତ ହେଉଥିଲା । କୀଚକକୁ ଶୁଣାଇ ଦିଆଗଲା ଯେ ଆଜି ରାତିରେ ଦୌପଦୀ ଏହି ଘରକୁ ଯିବେ ।

 

କୀଚକ ବିଚାରିଲା, ଏଇ ହେଉଛି ସୁବର୍ଣ୍ଣ ସୁଯୋଗ । ଏହି ନିର୍ଜନ ସଙ୍ଗୀତ ଶାଳାରେ ସେ ସୈରିନ୍ଧ୍ରୀଙ୍କୁ ଭୋଗ କରିବ ।

 

ସନ୍ଧ୍ୟା ପରେ ଭୀମ ନାରୀ ବେଶରେ ଯାଇ ସଙ୍ଗୀତ ଶାଳାରେ ଲୁଚି ରହିଲେ । କିଛି ସମୟ ପରେ କୀଚକ ସେହି ଗୃହରେ ପ୍ରବେଶ କଲା । ଅନ୍ଧକାରରେ କେହି ଜଣେ ସ୍ତ୍ରୀଲୋକ ଭଳି ବସିଥିବାର ଦେଖି ସେ ଭାବିଲା–ଏ ନିଶ୍ଚୟ ସେହି ସୈରିନ୍ଧ୍ରୀ; ଏହାକୁ ଭୋଗ କରିବା ମୋ ପକ୍ଷରେ ସହଜ । ଏହିପରି ବିଚାର ସେ କହିଲେ, ‘‘ସୈରିନ୍ଧ୍ରୀ, ଦାସୀଗିରି କରି ଏପରି ଗର୍ବ କରିବା ଭଲ ନୁହେଁ । ରାଜ୍ୟର ସମସ୍ତେ ଜାଣନ୍ତି ମୋ ଭଲ ସୁନ୍ଦର ପୁରୁଷ କେହି ନାହାନ୍ତି । ତୁ ମଧ୍ୟ ଖୁବ୍ ସୁନ୍ଦରୀ-। ତୁ ପରା ପାଞ୍ଚଜଣ ଗନ୍ଧର୍ବଙ୍କୁ ବିବାହ କରିଛୁ–ଆଉ ଜଣକୁ ଉପପତି କଲେ କ୍ଷତି କଅଣ-? ଆ, ମୋତେ ଆଲିଙ୍ଗନ କର । ମୋ ପ୍ରସାଦରୁ ତୁ ଏ ରାଜପୁରୀର ସକଳ ସୁଖ ଭୋଗ କରିପାରିବୁ-।’’

 

ଛଦ୍ମବେଶୀ ଭୀମ ଉଠିପଡ଼ି କୀଚକକୁ ମାଡ଼ିବସି କହିଲେ, ‘‘ସୈରିନ୍ଧ୍ରୀର ଆଲିଙ୍ଗନ କେଡ଼େ ମଧୁର ପରୀକ୍ଷା କରି ଦେଖ ।’’ କୀଚକ ଭୀମଙ୍କର ବଜ୍ରବନ୍ଧନରୁ ଖସିଯିବାକୁ ଚେଷ୍ଟା କଲା; କିନ୍ତୁ ଅଳ୍ପ ସମୟ ମଧ୍ୟରେ ଭୀମ ତାକୁ ଚିପି ଗୋଟିଏ ମାଂସ ପିଣ୍ତରେ ପରିଣତ କରିଦେଲେ ।

 

କୀଚକକୁ ବଧ କରି ଭୀମ କେବଳ ଇସାରା ଦ୍ୱାରା ଦୌପଦୀଙ୍କୁ ଜଣାଇ ଦେଲେ ଯେ କୀଚକର ମୃତ୍ୟୁ ହୋଇଅଛି । ତତ୍ପରେ ସେ ପାଚକ ବେଶରେ ପାକଶାଳାକୁ ଯାଇ ନିଜ କାର୍ଯ୍ୟ କରିବାକୁ ଲାଗିଲେ ।

 

ସକାଳୁ ଜଣାପଡ଼ିଲା ଯେ ରାତ୍ରିରେ କେହି କୀଚକକୁ ମଧ କରିଛି । ସମସ୍ତେ କହିଲେ, ‘‘ସୈରିନ୍ଧ୍ରୀ କହୁଥିଲା, ତାର ମାନ ରଖିବା ପାଇଁ ତାର ଗନ୍ଧର୍ବ ସ୍ୱାମୀମାନେ ସବୁ କରିପାରନ୍ତି । ସେହିମାନେ ଆସି କୀଚକକୁ ମାରି ଚାଲିଯାଇଥିବେ ।’’

 

କିନ୍ତୁ ଏତିକିରେ ଶାନ୍ତି ଆସିଲା ନାହିଁ । କୀଚକର ଶହେ ପାଞ୍ଚ ଭାଇ ଥିଲେ । ଭାଇର ମରଣରେ ସେମାନେ କ୍ରୁଦ୍ଧ ହୋଇ କହିଲେ, ‘‘ଏଇ ସୈରିନ୍ଧ୍ରୀ ଯୋଗୁ ଆମ ଭାଇ ମଲା । ଆସ, କୀଚକର ଶବ ସହିତ ଏହାକୁ ପୋଡ଼ି ମାରିଦେବା ।’’

 

ସହଜେ ବିରାଟ ଦୁର୍ବଳ ଲୋକ, କୀଚକର ଭାଇମାନଙ୍କୁ ଦମନ କରିବାକୁ ତାଙ୍କର ସାହସ ହେଲାନାହିଁ । ସେମାନେ ସୈରିନ୍ଧ୍ରୀଙ୍କୁ ପୋଡ଼ି ମାରିବା ପାଇଁ ଶ୍ମଶାନକୁ ନେଇ ଚାଲିଲେ । ସୈରିନ୍ଧ୍ରୀ ବିକଳ ହୋଇ ନିଜର ଗନ୍ଧର୍ବ ସ୍ୱାମୀମାନଙ୍କର ନାମ ଧରି ଡାକ ପକାଇଲେ,‘‘ମୋତେ ଏ ଦୁଷ୍ଟଙ୍କ ହାତରୁ ରକ୍ଷାକର ।’’

 

ପାଣ୍ତବମାନେ ଦୌପଦୀଙ୍କର କାତର ଡାକ ଶୁଣିଲେ । ଭୀମ ତାହା ଶୁଣିଲାକ୍ଷଣି ନିଜର ବେଶ ବଦଳାଇ ପକାଇଲେ । ଦେହଯାକ କଳା ବୋଳି ହୋଇ ସେ ବିକୃତ ବେଶରେ ଶ୍ମଶାନ ନିକଟରେ ପହଞ୍ଚିଲେ ଓ ଭୀଷଣ ଗର୍ଜନ କରି ଗୋଟାକୁ ଗୋଟା ଗଛ ଉପାଡ଼ି ସେଥିରେ କୀଚକର ଭାଇମାନଙ୍କୁ ପିଟିବାକୁ ଲାଗିଲେ । ସେମାନେ ମନେକଲେ କାହୁଁ ଗୋଟାଏ ଭୂତ ଆସି ସେମାନଙ୍କୁ ମାରୁଛି । ସେମାନେ ପଳାଇବାକୁ ବସିଲେ; କିନ୍ତୁ ଭୀମଙ୍କର ପ୍ରହାରରେ ସମସ୍ତେ ମରି ପଡ଼ିଲେ । ଦୌପଦୀ ଚୁପ୍‌କରି ରାଣୀଙ୍କ ପାଖକୁ ଚାଲିଗଲେ । ଭୀମ ମଧ୍ୟ ଲୁଚି ଗାଧୋଇ ପାଧୋଇ ରନ୍ଧନଶାଳାରେ ନିଜ କାର୍ଯ୍ୟରେ ଲାଗିଲେ ।

 

ଲୋକେ ଏ ଘଟଣାରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ, ‘‘ଏ ଭୁତର କାଣ୍ତ ନୁହେଁ । ସେଇ ସୈରିନ୍ଧ୍ରୀର ଗନ୍ଧର୍ବ ପତିମାନେ କୀଚକର ଭାଇମାନଙ୍କୁ ମାରିଛନ୍ତି ।’’

 

ରାଜା ବିରାଟ ଓ ସୁଦେଷ୍ଣାଙ୍କ ଭିତରେ ବିଚାର ପଡ଼ିଲା । ଏ ସୈରିନ୍ଧ୍ରୀ ଘେନି ଗୋଳମାଳ । କୀଚକ ମଲା, ତାର ଶହେ ପାଞ୍ଚ ଭାଇ ମଲେ । ଏହାକୁ ରାଜପୁରୀରେ ରଖିଲେ ମଙ୍ଗଳ ନାହିଁ । ସୁଦଷ୍ଣା ସୈରିନ୍ଧ୍ରୀଙ୍କୁ କହିଲେ, ‘‘ତୋ ଘେନି ଆମେ ବଡ଼ ହଇରାଣ ହେଲୁଣି । ତୁ ଏଣିକି ତୋର ବାଟ ଦେଖ ।’’

 

ଦୌପଦୀ ଦିନ ଗଣୁଥାନ୍ତି । ଅଜ୍ଞାତବାସର ବର୍ଷ ପୂରିବାକୁ ଆଉ ତେର ଦିନ ମାତ୍ର ବାକୀ ଅଛି । ସେ ବିନୟ ହୋଇ କହିଲେ, ‘‘ମାଆ, ତୁମେ ମୋତେ ଦୟାକରି ଆଶ୍ରୟ ଦେଇଛ । ଆଉ ତେରଟି ଦିନ ପରେ ମୋର ଗନ୍ଧର୍ବପିମାନଙ୍କର ଦୁର୍ଦ୍ଦଶା ମେଣ୍ଟିଯିବ । ସେତେବେଳେ ମୁଁ ବଳେବଳେ ସେମାନଙ୍କ ପାଖକୁ ଚାଲିଯିବି ।’’

 

ସୁଦଷ୍ଣା ଆଉ ଆପତ୍ତି କଲେ ନାହିଁ ।

 

ଗୋଧନ ହରଣ :

 

ଦୁର୍ଯ୍ୟୋଧନଙ୍କ ଚାରମାନେ ସବୁ ଦେଶର ଅନ୍ଦିସନ୍ଧି ବୁଲି ପାଣ୍ତବମାନେ କେଉଁଠାରେ ଅଛନ୍ତି ଅନୁସନ୍ଧାନ କରୁଥାନ୍ତି । ଧରାପଡ଼ିଲେ ପୁଣି ସେମାନଙ୍କୁ ବାରବର୍ଷ ବନବାସ କରିବାକୁ ହେବ କିନ୍ତୁ ଚାରମାନେ ସେମାନଙ୍କର ସନ୍ଧାନ ପାଇପାରିଲେ ନାହିଁ । ଏପରି କି ଯେଉଁମାନେ ମତ୍ସ୍ୟଦେଶକୁ ଆସିଥିଲେ ସେମାନେ ମଧ୍ୟ ପାଣ୍ତବମାନଙ୍କୁ ଚିହ୍ନି ପାରିଲେ ନାହିଁ ।

 

କୀଚକ ମରିଯାଇଥିବା ସମ୍ୱାଦ ପାଇ ଦୁର୍ଯ୍ୟୋଧନ ଭାବିଲେ–ବିରାଟଙ୍କର ପ୍ରଧାନ ବଳ ଭାଜିଗଲାଣି । ଏଣିକି ସହଜରେ ତାଙ୍କ ରାଜ୍ୟ ଲୁଟି କରିହେବ ।

 

ବିରାଟଙ୍କର ପ୍ରଧାନ ସମ୍ପତ୍ତି ଥିଲା ତାଙ୍କର ଗୋରୁଗାଈ । ପ୍ରତିଦିନ ଷାଠିଏ ହଜାର ଗାଈ ଦୁହାଁ ହେଉଥିଲେ । ଦୁର୍ଯ୍ୟୋଧନଙ୍କର ଆଖି ଏହି ଗୋସମ୍ପଦ ଉପରେ ପଡ଼ିଲା । ସେ ସୈନ୍ୟସାମନ୍ତ ଘେନି ବିରାଟରାଜ୍ୟ ଆକ୍ରମଣ କରିବାକୁ ସ୍ଥିର କଲେ । ଏଥିରେ ତ୍ରି ଗର୍ତ୍ତର ରାଜା ସୁଶର୍ମା ମଧ୍ୟ ଉତ୍ସାହ ଦେଲେ । ଏହାର ଏକ କାରଣ ଥିଲା । ଥରେ ବିରାଟ କୀଚକକୁ ପଠାଇ ସୁଶର୍ମାଙ୍କୁ ପରାସ୍ତ କରିଥିଲେ । କୀଚକ ମରିବା ପରେ ସେ ସେହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁଥିଲେ ।

 

ଦୁହିଁଙ୍କ ଭିତରେ ସ୍ଥିର ହେଲା ଯେ ରାଜା ସୁଶର୍ମା ଆଗେ ଦକ୍ଷିଣଆଡ଼ୁ ଆକ୍ରମଣ କରିବେ-। ବିରାଟ ସୈନ୍ୟ ଘେନି ତାଙ୍କୁ ପ୍ରତିରୋଧ କରିବାକୁ ଗଲାବେଳେ ଦୁର୍ଯ୍ୟୋଧନ ଉତ୍ତରପଟ ଯାଇ ତାଙ୍କର ଗୋରୁଗାଈ ନେଇଆସିବେ ।

 

ତାହା ହିଁ ହେଲା । ତ୍ରି ଗର୍ତ୍ତର ରାଜା ମତ୍ସ୍ୟଦେଶରେ ପଶି ଲୁଟି କରୁଥିବାର ସମ୍ୱାଦ ପାଇ ବିରାଟ ସୈନ୍ୟସାମନ୍ତ ଘେନି ବାହାରିଲେ । ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବ ମଧ୍ୟ ସୈନିକ ପୋଷାକ ପିନ୍ଧି ତାଙ୍କ ସଙ୍ଗେ ଗଲେ ।

 

ବିରାଟ ଓ ସୁଶର୍ମାଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା । ପ୍ରଥମେ ବିରାଟଙ୍କ ସୈନ୍ୟମାନେ ହଟିଗଲେ । ବିରାଟଙ୍କର ସାରଥି ହତ ହେଲା, ତାଙ୍କର ଅନେକ ସୈନ୍ୟ ମଧ୍ୟ ଯୁଦ୍ଧରେ ମଲେ ।

 

ପାଣ୍ତବ ଚାରିଭାଇ ଦେଖିଲେ ଯୁଦ୍ଧରେ ଜିଣିବାକୁ ହେଲେ ସେମାନଙ୍କୁ ନିଜ ନିଜର ପରାକ୍ରମ ଦେଖାଇବାକୁ ହେବ । ମାତ୍ର ଚିହ୍ନା ପଡ଼ିଯିବା ଭୟ ରହିଥାଏ । ଯାହାହେଉ ଭୀମ ଅନେକ ସୈନ୍ୟ ମାରି ସୁଶର୍ମାଙ୍କୁ ଟେକି ଆଣି ଯୁଧିଷ୍ଠିରଙ୍କ ପାଖେ ଛିଡ଼ା କରିଦେଲେ । ସହଜେ ଯୁଧିଷ୍ଠିର ଅତି ଦୟାବନ୍ତ । ସେ ସୁଶର୍ମାଙ୍କୁ ଅନେକ ଉପଦେଶ ଦେଇ ଛାଡ଼ିଦେଲେ ।

 

ମତ୍ସ୍ୟଦେଶର ଦକ୍ଷିଣରେ ଏହିପରି ଯୁଦ୍ଧ ଚାଲିଥିଲା ବେଳେ ଦୁର୍ଯ୍ୟୋଧନ ସୈନ୍ୟସାମନ୍ତ ଘେନି ଉତ୍ତର ଦିଗରୁ ରାଜ୍ୟରେ ପ୍ରବେଶ କଲେ ଓ ବଳପୂର୍ବକ ବିରାଟଙ୍କ ଗାଈମାନଙ୍କୁ ନେଇଯିବାକୁ ବସିଲେ ।

 

ସେତେବେଳକୁ ରାଜା, ତାଙ୍କର ପ୍ରଧାନ ବୀରମାନେ ଓ ପାଣ୍ତବ ଚାରିଭାଇ ଦକ୍ଷିଣରେ ସୁଶର୍ମାଙ୍କ ସଙ୍ଗେ ଯୁଦ୍ଧରେ ଲାଗିଥାନ୍ତି । ବିରାଟଙ୍କ ପୁଅ ଉତ୍ତରଙ୍କ ଉପରେ ନଗର ରକ୍ଷାର ଭାର ଥାଏ । ପାଣ୍ତବମାନଙ୍କ ଭିତରୁ କେବଳ ଅର୍ଜ୍ଜୁନ ବୃହନ୍ନଳା ବେଶରେ ଥାଇ ଉତ୍ତରାଙ୍କୁ ସଙ୍ଗୀତ ଶିକ୍ଷା ଦେଉଥାନ୍ତି ।

 

ଏହି ସମୟରେ ଗୋପାଳମାନଙ୍କର ମୁଖ୍ୟ ଆସି ଉତ୍ତରଙ୍କୁ ଜଣାଇଲା, ‘‘ଛାମୁ, ଘୋର ବିପଦ ଉପସ୍ଥିତ । କୁରୁରାଜ ଦୁର୍ଯ୍ୟୋଧନ ଆମ ରାଜ୍ୟରେ ପଶି ଗୋରୁଗାଈ ନେଇଯିବାକୁ ବସିଅଛନ୍ତି । ତାଙ୍କ ସଙ୍ଗେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରଭୃତି ମହାବୀରମାନେ ଅଛନ୍ତି । ରାଜା ବିରାଟ ତ୍ରି ଗର୍ତ୍ତର ରାଜାଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯାଇଛନ୍ତି । ଆପଣ ଏବେ ଦେଶର ମାନ ରକ୍ଷାକରନ୍ତୁ । ସୈନ୍ୟସାମନ୍ତ ନେଇ କୌରବମାନଙ୍କଠାରୁ ଆମର ଗୋସମ୍ପଦ ଉଦ୍ଧାର କରନ୍ତୁ । ଏତେବେଳେ ଆପଣ ହିଁ ଦେଶର ଆଶ୍ରୟ ।’’

 

ଉତ୍ତର କହିଲେ, ‘‘ମୁଁ ସବୁ ବୁଝିପାରୁଛି । ମୁଁ ଯେ ଯୁଦ୍ଧବିଦ୍ୟା ନ ଜାଣେ ତାହା ନୁହେଁ । ମୁଁ ଧନୁଶର ଧରିଲେ ଏକାକୀ ସହସ୍ର ସହସ୍ର ଶତ୍ରୁ ବିନାଶ କରିପାରିବି । କିନ୍ତୁ ବର୍ତ୍ତମାନ ମୋର ଏକ ମହାନ୍ ଅସୁବିଧା ଅଛି । ମୋର ରଥର ସାରଥି କିଛି ଦିନ ତଳେ ଗୋଟାଏ ଯୁଦ୍ଧରେ ମରିଯାଇଛି । ମୋର ରଥ ଚଳାଇବା ପାଇଁ ଜଣେ ସାରଥି ମିଳିଲେ ମୁଁ କୌରବ ସୈନ୍ୟମାନଙ୍କୁ ଅକ୍ଳେଶରେ ପରାସ୍ତ କରିଦେବି । ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଯେଡ଼େ ବୀର ହୁଅନ୍ତୁ, ମୁଁ ସେମାନଙ୍କୁ ମୋର ପରାକ୍ରମ ଦେଖାଇ ଦେବି । ଖାଲି ବୀରତ୍ୱ ଦେଖାଇପାରିବି ।’’

 

ଅର୍ଜ୍ଜୁନ ଅନ୍ତଃପୁରରେ ଥାଇ ଉତ୍ତରଙ୍କର ଏହି ଗର୍ବର ସମ୍ୱାଦ ପାଇଲେ । ସେ ଦ୍ରୌପଦୀଙ୍କୁ କହିଲେ, ‘‘ତୁମେ ଉତ୍ତରଙ୍କୁ କୁହ ଯେ ବୃହନ୍ନଳା ଆଗେ ଅର୍ଜ୍ଜୁନଙ୍କ ପାଖରେ ଥିବାରୁ ରଥ ଚଳାଇ ଜାଣେ; କେତେ ଥର ସାରଥି ହୋଇ ଅର୍ଜ୍ଜୁନଙ୍କ ସଙ୍ଗେ ଯୁଦ୍ଧକ୍ଷେତ୍ରକୁ ଯାଇଛି । ତେଣୁ ତାକୁ ସାରଥି କରି ତୁମେ ଯୁଦ୍ଧକୁ ଯାଅ । ବାପା ଯେତେବେଳେ ଦୂରରେ ଅଛନ୍ତି, ରାଜ୍ୟରୁ ଶତ୍ରୁମାନଙ୍କୁ ତଡ଼ିବା ତୁମର କର୍ତ୍ତବ୍ୟ ।’’

 

ଦ୍ରୌପଦୀ ଉତ୍ତରଙ୍କୁ କହିଲେ, ‘‘ଯୁବରାଜ, ଆପଣ ଜଣେ ସାରଥିର ଅଭାବରେ ଚିନ୍ତିତ । ଆପଣଙ୍କ ରାଜପୁରୀରେ ଯେଉଁ ବୃହନ୍ନଳା ଅଛି ସେ ରଥ ଚଳାଇବାରେ ନିପୁଣ । ମୁଁ ଜାଣେ, ସେ ଅର୍ଜ୍ଜୁନଙ୍କଠାରୁ ରଥ ଚାଳନା ଓ ଯୁଦ୍ଧବିଦ୍ୟା ଶିକ୍ଷା କରିଛି । ସେତେବେଳେ ମୁଁ ରାଣୀ ଦ୍ରୌପଦୀଙ୍କର ସେବା କରୁଥିଲି । ତାର ରଥଚାଳନା କୌଶଳ ମଧ୍ୟ ମୁଁ ଅନେକଥର ଦେଖିଛି । ଅର୍ଜ୍ଜୁନ ଯେତେବେଳେ ଗାନ୍ଧାର ଜୟ କରି ଯାଇଥିଲେ, ସେତେବେଳେ ଏଇ ବୃହନ୍ନଳା ତାଙ୍କର ରଥ ଚଳାଉଥିଲା । ଆପଣ ବୃହନ୍ନଳାକୁ ନିଜର ସାରଥି କରି ନିଅନ୍ତୁ । ରାଜ୍ୟର ଗୋସମ୍ପଦ ଶତ୍ରୁହସ୍ତରୁ ଉଦ୍ଧାର କରନ୍ତୁ।’’

 

ଉତ୍ତର ଏହା ଶୁଣି ସନ୍ଦେହ ପ୍ରକାଶ କରି କହିଲେ, ‘‘ସୈରିନ୍ଧ୍ରୀ, ତୁମ କଥାରେ ମୋର ବିଶ୍ୱାସ ଆସୁନାହିଁ । ବୃହନ୍ନଳା ଗୋଟାଏ ନପୁଂସକ, ସେ ନାରୀଠାରୁ ହୀନ । ତାକୁ ମୋର ସାରଥି ହେବା ପାଇଁ କହିବା ମୋ ପକ୍ଷରେ ଲଜ୍ଜାର ବିଷୟ ହେବ ।’’

 

ଦୌପଦୀ ଉତ୍ତର କଲେ, ‘‘ଆପଣଙ୍କୁ କିଛି କହିବାକୁ ପଡ଼ିବ ନାହିଁ । ସେ ଏପରି ସୁଯୋଗକୁ ଚାହିଁ ରହିଛି । ବର୍ତ୍ତମାନ ସେ ଆପଣଙ୍କ ଭଉଣୀ ଉତ୍ତରାଙ୍କୁ ଶିକ୍ଷା ଦେବାରେ ନିଯୁକ୍ତ । ଉତ୍ତରା ତାଙ୍କୁ କହିଲେ ସେ ଯୁଦ୍ଧରେ ରଥ ଚଳାଇ ଆପଣଙ୍କର ଗୋଧନ ଉଦ୍ଧାର କରି ଆଣିବେ ।’’

 

ଉତ୍ତରା ଅର୍ଜ୍ଜୁନଙ୍କୁ କହିବାରୁ ସେ ଆନନ୍ଦରେ ରଥ ଚଳାଇବାକୁ ବାହାରିପଡ଼ିଲେ ।

 

ଉତ୍ତର ଯୁଦ୍ଧ ପୋଷାକ ପିନ୍ଧି ଅସ୍ତ୍ରଶସ୍ତ୍ର ଧରି ରଥର ବସିଲେ । ଅର୍ଜ୍ଜୁନ ରଥ ଚଳାଇଲେ । ନଗର ପାର ହେଲା ପରେ ଅର୍ଜ୍ଜୁନ କହିଲେ, ‘‘ଯୁବରାଜ, ଆପଣଙ୍କର ଏ ଅସ୍ତ୍ରଶସ୍ତ୍ର ପିଲାଙ୍କ ଖେଳନା ପରି ମନେହେଉଛି । ଚାଲନ୍ତୁ, ଶ୍ମଶାନ ପାଖରେ ଯେଉଁ ଶମୀ ଗଛ ଅଛି, ସେଠାରୁ ମୁଁ ଆପଣଙ୍କୁ ଉପଯୁକ୍ତ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବି । ଧନୁ, ଶର, ସାଞ୍ଜ, ପତାକା ପ୍ରଭୃତି ସବୁ ଯୁଦ୍ଧ ଉପକରଣ ସେହିଠାରୁ ମିଳିବ ।’’ ଉତ୍ତର ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ବୃହନ୍ନଳା, ତୁମେ ଅଦ୍ଭୁତ କଥା କହୁଛ । ସେ ଶମୀ ଗଛରେ ଗୁଡ଼ାଏ ଶବ ଅନେକ ଦିନରୁ ଓହଳିଥିବାର ମୁଁ ଶୁଣି ଆସୁଛି । ଭୟରେ ଲୋକେ ସେ ଗଛପାଖକୁ ସୁଦ୍ଧା ଯାଆନ୍ତି ନାହିଁ । ଆମେ ସେଠାକୁ ଯାଇ ସେ ଶବକୁ ଛୁଇଁବା କିପରି ?’’

 

ଅର୍ଜ୍ଜୁନ ଉତ୍ତର କଲେ, ‘‘ଯୁବରାଜ, ଭୟର କାରଣ ନାହିଁ । ଗଛରେ ଯେଉଁ ଶବ ଓହଳିଛି ବୋଲି ଆପଣ ଶୁଣିଛନ୍ତି ସେସବୁ ଶବ ନୁହେଁ; ସେଥିରେ ଯୁଦ୍ଧ ଉପକରଣମାନ ଲୁଚାଇ ରଖାଯାଇଛି । ଆପଣ ମୋ କଥାରେ ବିଶ୍ୱାସ କରି ଚାଲନ୍ତୁ ।’’ ଅର୍ଜ୍ଜୁନ ଏହା କହି ଶ୍ମଶାନ ନିକଟରେ ରଥ ରଖିଲେ । ଉତ୍ତର ଶମୀ ଗଛରେ ଚଢ଼ି ଶବପରି ଦିଶୁଥିବା ଖୋଳ ଭିତରୁ ଅସ୍ତ୍ରଶସ୍ତ୍ର ବାହାର କରି ଆଣିଲେ । ସେ ବିସ୍ମୟରେ ଅର୍ଜ୍ଜୁନଙ୍କୁ ପଚାରିଲେ, ‘‘ବୃହନ୍ନଳା, ମୁଁ ନିଜ ଆଖିକୁ ବିଶ୍ୱାସ କରି ପାରୁନାହିଁ । ଏପରି ଧନୁ, ଶର, ଗଦା, ଖଡ୍‌ଗ ପ୍ରଭୃତି ମୁଁ ଜୀବନରେ ଦେଖି ନଥିଲି । ଏସବୁ କାହାର ? କେଉଁ ମହାବୀରମାନେ ଏସବୁ ବ୍ୟବହାର କରୁଥିଲେ ? ଏଠାକୁ ଏସବୁ କିପରି ଆସିଲା-?’’

 

ଅର୍ଜ୍ଜୁନ ଗୋଟି ଗୋଟି କରି ଅସ୍ତ୍ରଗୁଡ଼ିକ ଦେଖାଇ କହିଲେ, ‘‘ଯୁବରାଜ ଏଇ ଧନୁଟିର ନାମ ଗାଣ୍ତୀବ । ଏହକୁ ଅର୍ଜ୍ଜୁନ ଧରିଲେ ପୃଥିବୀ କମ୍ପିଯାଏ । ଏଇଟି ଭୀମଙ୍କର ଧନୁ, ଏଇଟି ମହାରାଜ ଯୁଧିଷ୍ଠିରଙ୍କର, ଏଇଟି ନକୁଳଙ୍କର, ଏଇଟି ସହଦେବଙ୍କର । ଶରଗୁଡ଼ିକ ଦେଖନ୍ତୁ । ପ୍ରତ୍ୟେକ ପାଣ୍ତବଙ୍କ ଶରରେ ଭିନ୍ନ ଭିନ୍ନ ଚିହ୍ନ ଅଛି । ଖଡ୍‌ଗ ଗୁଡ଼ିକରେ ମଧ୍ୟ ଭିନ୍ନ ଭିନ୍ନ ସଙ୍କେତ ରହିଛି । ଦେଖନ୍ତୁ, ଅର୍ଜ୍ଜୁନଙ୍କ ଖଡ୍‌ଗରେ ସର୍ପର ଚିହ୍ନ ଅଛି । ବ୍ୟାଘ୍ର ସଙ୍କେତ ଥିବା ଖଡ୍‌ଗଟି ଭୀମଙ୍କର । ସ୍ୱର୍ଣ୍ଣମୁଷ୍ଟି ଲାଗିଥିବା ଖଡ୍‌ଗଟିକୁ ମହାରାଜ ଯୁଧିଷ୍ଠିର ବ୍ୟବହାର କରନ୍ତି । ନକୁଳଙ୍କ ଖଡ୍‌ଗ ଛାଗଚର୍ମର ଖୋଳରେ ଓ ସହଦେବଙ୍କ ଖଡ୍‌ଗ ଗୋଚର୍ମର ଖୋଳରେ ଅଛି ।’’

 

ଉତ୍ତର ବିସ୍ମିତ ହୋଇ କହିଲେ, ‘‘ଏ ଅସ୍ତ୍ରଗୁଡ଼ିକ ଯେପରି ବିସ୍ମୟଜନକ, ତୁମର କଥା ମଧ୍ୟ ସେହିପରି ବିସ୍ମୟଜନକ । ଏଗୁଡ଼ିକ ପାଣ୍ତବମାନଙ୍କର ହୋଇପାରିଥାଏ । ହାୟ, ଦୁର୍ଭାଗ୍ୟବଶତଃ ଆଜି ପାଣ୍ତବମାନେ କେଉଁଠାରେ ଅଛନ୍ତି ? ପଶା ଖେଳରେ ହାରି ସେମାନେ କେଉଁ ଦୂର ବନଦେଶରେ ବୁଲୁଥିବେ । ସୁକୁମାରୀ ଦ୍ରୌପଦୀ କିପରି ବହୁ କଷ୍ଟ ସହୁଥିବେ ?’’

 

ଅର୍ଜ୍ଜୁନ ଟିକିଏ ହସିଦେଲେ । ସେଦିନ ସେମାନଙ୍କର ଅଜ୍ଞାତବାସ ଶେଷ ହୋଇଥିବାରୁ ସେ ଆତ୍ମ ପରିଚୟ ଦେବାକୁ ଭୟ ନକରି କହିଲେ, ‘‘ଯୁବରାଜ, ପାଣ୍ତବମାନେ ଏଇଠାରେ ଖୁବ୍ ନିକଟରେ ଅଛନ୍ତି । ସେମାନଙ୍କର ବନବାସ ଓ ଅଜ୍ଞାତବାସର ସମୟ ଶେଷ ହୋଇଅଛି । ଦ୍ରୌପଦୀ ଦେବୀ ମଧ୍ୟ ଏଇଠାରେ ତାଙ୍କ ପତିମାନଙ୍କ ସଙ୍ଗରେ ଅଛନ୍ତି । ଆପଣଙ୍କ ପିତାଙ୍କ ସଭାରେ ଯେଉଁ କଙ୍କ ଅଛନ୍ତି, ସେ ହେଉଛନ୍ତି ଧର୍ମରାଜ ଯୁଧିଷ୍ଠିର । ରାଜପୁରୀ ରନ୍ଧନଶାଳାର ସୂପକାର ବଲ୍ଲବ ହେଉଛନ୍ତି ମହାବଳୀ ଭୀମ । ନକୁଳ ଗ୍ରନ୍ଥିକ ନାମ ଧାରଣ କରି ଅଶ୍ୱମାନଙ୍କର ଯତ୍ନ ନେଉଅଛନ୍ତି ଓ ସହଦେବ ସେହିପରି ଗୋରୁମାନଙ୍କର ରକ୍ଷାରେ ନିଯୁକ୍ତ ଅଛନ୍ତି । ମୁଁ ନାରୀବେଶରେ ଆପଣଙ୍କ ଭଉଣୀ ଉତ୍ତରାଙ୍କୁ ସଙ୍ଗୀତ ବିଦ୍ୟା ଶିକ୍ଷା ଦେଉଛି । ଜାଣିଥାଆନ୍ତୁ, ଏ ବୃହନ୍ନଳା ଅର୍ଜ୍ଜୁନ ଛଡ଼ା ଆଉ କେହି ନୁହେଁ ।’’

 

ଉତ୍ତର ବିସ୍ମୟରେ ସ୍ତବ୍‌ଧ ହୋଇଗଲେ । ଅର୍ଜ୍ଜୁନ ନିଜର ସାଞ୍ଜୁ ପ୍ରଭୃତି ପିନ୍ଧି, ଗାଣ୍ତୀବଧନୁ ଓ ଅକ୍ଷୟ ତୁଣୀର ଧରି ରଥରେ କପି ଚିହ୍ନିତ ପତାକା ଉଡ଼ାଇଦେଲେ । ଉତ୍ତର ତାଙ୍କର ସାରଥି ହେଲେ । ଦ୍ରୋଣ ଦୂରରୁ ରଥକୁ ଦେଖି ଦୁର୍ଯ୍ୟୋଧନଙ୍କୁ କହିଲେ–‘‘ଏ କଅଣ ? ଏ ଯେ ଅର୍ଜ୍ଜୁନଙ୍କ ରଥର ପତାକା ! ଗାଣ୍ତୀବ ଧନୁର ଟଙ୍କାର ଶୁଣାଯାଉଅଛି । ମୋର ପାଦତଳେ ଯେଉଁ ଶରଗୁଡ଼ିକ ପଡ଼ିଲା ସେଗୁଡ଼ିକ ଯେ ଅର୍ଜୁନଙ୍କର ! ଓଃ, ବୁଝିଲି, ଏହି ଶରଦ୍ୱାରା ଅର୍ଜ୍ଜୁନ ମୋତେ ପ୍ରଣାମ ଜଣାଇଲେ । ଏବେ ଅଜ୍ଞାତ ବାସ ଶେଷ ହୋଇଥିବାରୁ ସେ ନିଜର ପରିଚୟ ଦେଉଛନ୍ତି ।’’

 

କ୍ରମେ ଅର୍ଜ୍ଜୁନଙ୍କ ରଥ କୁରୁସୈନ୍ୟଙ୍କର ନିକଟବର୍ତ୍ତୀ ହେଲା । ସମସ୍ତେ ଏବେ ସ୍ପଷ୍ଟଭାବରେ ଅର୍ଜ୍ଜୁନଙ୍କୁ ଦେଖି ଚିହ୍ନିପାରିଲେ । ଦୁର୍ଯ୍ୟୋଧନ ଗୋଧନ ନେଇ ପଳାଇଯିବାକୁ ବସିଲେ । ଅର୍ଜ୍ଜୁନ ଉତ୍ତରଙ୍କୁ କହିଲେ, ‘‘ଅନ୍ୟ ସୈନ୍ୟମନଙ୍କୁ ବଧ କରିବାରେ କି ପ୍ରୟୋଜନ ! ଦୁର୍ଯ୍ୟୋଧନ ଗୋରୁ ନେଇ ପଳାଉଛନ୍ତି । ତାଙ୍କରି ଆଡ଼କୁ ରଥ ଚଳାଅ ।

 

ଉତ୍ତର ଦୁର୍ଯ୍ୟୋଧନଙ୍କୁ ଲକ୍ଷ୍ୟ କରି ରଥ ଚଳାଇଲେ । କୌରବ ସୈନ୍ୟମାନଙ୍କ ମଧ୍ୟରେ କୃପ ଥିଲେ । ସେ ଅର୍ଜ୍ଜୁନଙ୍କ ଉଦ୍ଦେଶ୍ୟ ଜାଣିପାରି ଅନ୍ୟମାନଙ୍କୁ କହିଲେ, ‘‘ଦେଖ, ଅର୍ଜ୍ଜୁନ ଦୁର୍ଯ୍ୟୋଧନଙ୍କୁ ଆକ୍ରମଣ କରିବାକୁ ଯାଉଛନ୍ତି । ଇନ୍ଦ୍ରଙ୍କ ଛଡ଼ା ଅନ୍ୟ କେହି ଅର୍ଜ୍ଜୁନଙ୍କ ସମକକ୍ଷ ଯୋଦ୍ଧା ନାହାନ୍ତି । ସେ ଅର୍ଜ୍ଜୁନଙ୍କ ହସ୍ତରେ ନିହତ ହେଲେ ଏ ଗୋରୁଗାଈରେ କି ଲାଭ ? ଆସ ସମସ୍ତେ ମିଶି ଅର୍ଜ୍ଜୁନଙ୍କ ପଥ ରୋଧ କରିବା ।’’ କିନ୍ତୁ ଅର୍ଜ୍ଜୁନଙ୍କର ସମ୍ମୁଖୀନ ହେବାକୁ ସେମାନଙ୍କର ଶକ୍ତି ନଥିଲା । ଶତ ଶତ କୌରବ ସୈନ୍ୟ ମୃତ୍ୟୁ ମୁଖରେ ପଡ଼ିଲେ । ଅନ୍ୟମାନେ ପଳାଇ ଯାଇ ପ୍ରାଣ ରକ୍ଷା କଲେ । ଦୁର୍ଯ୍ୟୋଧନ ଗୋଧନ ଛାଡ଼ି ଭୀଷ୍ମ ଦ୍ରୋଣ କର୍ଣ୍ଣଙ୍କ ସହିତ ପଳାଇଲେ । ଅର୍ଜ୍ଜୁନ ଦେବଦତ୍ତ ଶଙ୍ଖ ବଜାଇ ବିଜୟ ଗୌରବରେ ବିରାଟ ରାଜଧାନୀକୁ ଫେରିଆସିଲେ ।

 

ଉତ୍ତରା ଓ ଅଭିମନ୍ୟୁଙ୍କ ବିବାହ :

 

ରାଜା ବିରାଟ ତ୍ରିଗର୍ତ୍ତର ରାଜା ସୁଶର୍ମାଙ୍କୁ ପରାସ୍ତ କରି ରାଜଧାନୀକୁ ଫେରିଆସିଲେ । ସେ ଯେତେବେଳେ ଜାଣିଲେ ଯେ କଙ୍କ, ବଲ୍ଲବ, ବୃହନ୍ନଳା, ଗ୍ରନ୍ଥିକ ଓ ତନ୍ତ୍ରିପାଳ ହେଉଛନ୍ତି ପଞ୍ଚପାଣ୍ତବ ଓ ସୈରିନ୍ଧ୍ରୀ ହେଉଛନ୍ତି ଦ୍ରୌପଦୀ, ସେତେବେଳେ ତାଙ୍କୁ ଭାରୀ ଲଜ୍ଜା ଲାଗିଲା । କେଡ଼େ କେଡ଼େ ଲୋକଙ୍କୁ ସେ କି ହୀନ କାର୍ଯ୍ୟରେ ଲଗାଇ ଅଛନ୍ତି ! ସେ ବାରମ୍ବାର କ୍ଷମା ମାଗିଲେ । କିନ୍ତୁ ଯୁଧିଷ୍ଠିର କହିଲେ, ‘‘ସେଥିପାଇଁ ଆମ ମନରେ ଆଦୌ ଦୁଃଖ ନାହିଁ; ବରଂ ଆମର ଆନନ୍ଦ ହେଉଛି ଯେ ଆମ ଅଜ୍ଞାତବାସ ବର୍ଷଟି ସୁରୁଖୁରୁରେ କଟିଗଲା । ତୁମେ ମନରେ ଦୁଃଖ କରିବାର କାରଣ ନାହିଁ ।’’ ବିରାଟ କହିଲେ, ‘‘ମୁଁ ଅଜାଣତରେ ଆପଣମାନଙ୍କୁ ଉପଯୁକ୍ତ ସମ୍ମାନ କରିନାହିଁ । ସେଥିପାଇଁ ମୁଁ ଅପରାଧୀ । ଆପଣମାନେ ମୋର ବହୁତ ଉପକାର କରିଛନ୍ତି । ଅର୍ଜ୍ଜୁନଙ୍କ ନିକଟରେ ମୁଁ ବିଶେଷ ଭାବରେ ଋଣୀ । ସେ ନ ଥିଲେ ଦୁଷ୍ଟ ଦୁର୍ଯ୍ୟୋଧନ ମୋର ଗୋରୁମାନଙ୍କୁ ତ ନେଇଥାନ୍ତା, ଆଉ ଯେ କଅଣ କରିଥାନ୍ତା କିଏ ଜାଣେ ? ଅର୍ଜ୍ଜୁନ ମୋର ରାଜ୍ୟ, ମୋର ମାନ ସମ୍ଭ୍ରମ ରକ୍ଷା କରିଛନ୍ତି । ତାଙ୍କ ସହିତ ମୁଁ ମୋର କନ୍ୟା ଉତ୍ତରାକୁ ବିବାହ ଦେବାକୁ ଇଚ୍ଛା କରିଛି ।’’

 

କିନ୍ତୁ ଅର୍ଜ୍ଜୁନ ଏହି ପ୍ରସ୍ତାବରେ ସ୍ୱୀକୃତ ନ ହୋଇ କହିଲେ, ‘‘ମୋତେ ଆପଣ ଉତ୍ତରାର ସଙ୍ଗୀତଗୁରୁ ରୂପେ ନିଯୁକ୍ତ କରିଥିଲେ । ସେ ମୋଠାରୁ ଶିକ୍ଷା ଗ୍ରହଣ କରି ମୋର ଶିଷ୍ୟା ହୋଇଅଛି । ମୁଁ ତାକୁ ବରାବର ନିଜ କନ୍ୟାପରି ଦେଖିଆସିଛି । ସେ ମଧ୍ୟ ମୋ ପ୍ରତି ପିତୃତୁଲ୍ୟ ଭକ୍ତି ଦେଖାଇଅଛି । ତେଣୁ ତା ସହିତ ମୋର ବିବାହ ଅସମ୍ଭବ । କିନ୍ତୁ ମୋର ପୁତ୍ର ଅଭିମନ୍ୟୁ ନବଯୁବକ । ଯଦି ଅନୁଗ୍ରହ କରୁଅଛନ୍ତି, ତେବେ ଅଭିମନ୍ୟୁ ସହିତ ଉତ୍ତରାର ବିବାହ ଦିଅନ୍ତୁ ।’’

 

ପାଣ୍ତବମାନଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କରିବା ବିରାଟଙ୍କ ପକ୍ଷରେ ଗୌରବର କଥା । ସେ ଆନନ୍ଦରେ ଅର୍ଜ୍ଜୁନଙ୍କ ପ୍ରସ୍ତାବରେ ରାଜି ହେଲେ । ଯୁଧିଷ୍ଠିର ପ୍ରଭୃତି ଏଥିରେ ସମ୍ମତି ଦେଲେ । ପାଣ୍ତବଙ୍କର ବନ୍ଧୁବାନ୍ଧବମାନେ କୃଷ୍ଣ, ବଳରାମ, ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ ପ୍ରଭୃତି ନିମନ୍ତ୍ରିତ ହୋଇ ଆସିଲେ । ମହା ଆଡ଼ମ୍ବରରେ ଅଭିମନ୍ୟୁ ଓ ଉତ୍ତରାଙ୍କର ଶୁଭ ପରିଣୟ ସମ୍ପାଦିତ ହୋଇଗଲା ।

 

ପାଣ୍ତବମାନଙ୍କ ବିଚାର :

 

ପାଣ୍ତବମାନେ ସତ୍ୟ ରକ୍ଷାକରି ବାରବର୍ଷ ବନବାସ ଓ ବର୍ଷେ ଅଜ୍ଞାତ ବାସ କଲେ । ଏବେ କୌରବମାନେ ସେମାନଙ୍କୁ ନିଜ ରାଜ୍ୟ ଫେରାଇ ଦେବାର କଥା । କିନ୍ତୁ ରାଜ୍ୟ ଫେରାଇ ଦେବାକୁ ଦୁର୍ଯ୍ୟୋଧନଙ୍କର ଇଚ୍ଛା ନ ଥିଲା ।

 

ଅଭିମନ୍ୟୁଙ୍କ ବିବାହ ଉତ୍ସବ ପରେ ପାଣ୍ତବମାନେ ବିରାଟ ରାଜାଙ୍କୁ ସଭାଗୃହରେ ବସି କଅଣ କରାଯିବ ବିଚାର କଲେ । ବିବାହ ଉପଲକ୍ଷରେ ପାଣ୍ତବମାନଙ୍କର ଓ ବିରାଟଙ୍କର ବନ୍ଧୁମାନେ ଆସିଥିଲେ । ସମସ୍ତେ ସଭାରେ ବସିଲେ । ମତ୍ସ୍ୟରାଜ ବିରାଟ ଓ ପାଞ୍ଚାଳରାଜ ଦ୍ରୁପଦ ଗୋଟିଏ ଲେଖାଏଁ ବିଶିଷ୍ଟ ଆସନ ଅଧିକାର କରିଥିଲେ । ଦ୍ୱାରକାର କୃଷ୍ଣ, ବଳରାମ ମଧ୍ୟ ଉପସ୍ଥିତ ଥିଲେ । ଏମାନଙ୍କ ଛଡ଼ା ବହୁ ସଂଖ୍ୟକ ରାଜା ଓ ରାଜପୁତ୍ର ସଭାଗୃହ ମଣ୍ତନ କରିଥିଲେ । ପରସ୍ପର ମଧ୍ୟରେ ସାଦର ସମ୍ଭାଷଣ ପରେ ଶ୍ରୀକୃଷ୍ଣ ପ୍ରକୃତ ବିଷୟ ପାଣ୍ତବମାନେ ବନବାସ ଓ ଅଜ୍ଞାତବାସ ଶେଷ କରିଅଛନ୍ତି । କେତେ କଷ୍ଟ ଓ ଅପମାନ ସହିଅଛନ୍ତି ତା କଳନା ନାହିଁ । ଯୁଧିଷ୍ଠିର ଧର୍ମପରାୟଣ; କେବେ ସତ୍ୟରୁ ଭ୍ରଷ୍ଟ ହୁଅନ୍ତି ନାହିଁ । ଧନ ସମ୍ପତ୍ତି, ରାଜ୍ୟ ସୁଖ ସବୁ ଛାଡ଼ିବେ ପଛକେ ଧର୍ମ ପଥରୁ ବିଚଳିତ ହେବେ ନାହିଁ । ସେ ଶାନ୍ତି ଚାହାନ୍ତି; କିନ୍ତୁ ଦୁର୍ଯ୍ୟୋଧନଙ୍କର ପ୍ରକୃତି ଠିକ୍‌ ବିପରୀତ । ଚିରକାଳ ସେ ଶଠତା, ପ୍ରତାରଣା, ଅନ୍ୟାୟ କରି ଆସିଛନ୍ତି । ପଶାଖେଳରେ କପଟ ଆଚରଣ କରି ପାଣ୍ତବମାନଙ୍କର ଅନିଷ୍ଟ ସଙ୍ଗେ ନିଜ ପାପର ମାତ୍ରା ବୃଦ୍ଧି କରି ଅଛନ୍ତି । ଏବେ ଯୁଧିଷ୍ଠିରଙ୍କର କର୍ତ୍ତବ୍ୟ କଅଣ, ଆପଣମାନେ ଭାବିଚିନ୍ତି ପରାର୍ମଶ ଦିଅନ୍ତୁ । ତାଙ୍କର ଯେ ଅର୍ଦ୍ଧରାଜ୍ୟ ପ୍ରାପ୍ୟ ଏ ବିଷୟରେ କାହାରି ସନ୍ଦେହ ନାହିଁ; କିନ୍ତୁ କିପରି ସେ ତାହା ପାଇବେ, ଏହାହିଁ ହେଉଛି ପ୍ରଶ୍ନ ? ପ୍ରକାଶ୍ୟ ଯୁଦ୍ଧ କରି ନିଜର ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ଆପଣମାନଙ୍କ ଭଳି ନ୍ୟାୟନିଷ୍ଠ ରାଜାମାନଙ୍କର ସାହାଯ୍ୟ ମାଗିବେ କି ଦୁର୍ଯ୍ୟୋଧନଙ୍କ ନିକଟକୁ ଦୂତ ପଠାଇ ତାଙ୍କର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିବେ ? ବନ୍ଧୁଭାବରେ ଦୂତ ପଠାଇ ନିଜ ରାଜ୍ୟ ଫେରାଇ ଦେବାପାଇଁ ଦୁର୍ଯ୍ୟୋଧନଙ୍କୁ ଅନୁରୋଧ କରିବା ଉଚିତ ହେବ କି ? ଶାନ୍ତିରେ ଦୁଇ ବଂଶ ବାସ କରିବା ମୋର ଇଚ୍ଛା, କିନ୍ତୁ ଯୁଧିଷ୍ଠିର ତାଙ୍କ ନ୍ୟାଯ୍ୟ ଅଧିକାର କିପରି ପାଇବେ ? ଆପଣମାନଙ୍କ ସୁଚିନ୍ତିତ ମତ ପ୍ରକାଶ କରନ୍ତୁ ।’’

 

ବଳରାମ ଉଠି କହିଲେ, ‘‘ଆପଣମାନେ ମୋର ଭାଇ କୃଷ୍ଣଙ୍କର ମତ ଶୁଣିଲେ । ସେ ଯୁଧିଷ୍ଠିରଙ୍କୁ ଯେପରି ଭଲପାଆନ୍ତି ସେହିପରି ହସ୍ତିନାରାଜ ଦୁର୍ଯ୍ୟୋଧନଙ୍କର ମଧ୍ୟ ମଙ୍ଗଳ କାମନା କରନ୍ତି । ଉଭୟେ ସୁଖଶାନ୍ତିରେ ରହିବା ତାଙ୍କର ଇଚ୍ଛା । କୌରବମାନେ ହସ୍ତିନାରେ ରହନ୍ତୁ; ପାଣ୍ତବମାନେ ଇନ୍ଦ୍ରପ୍ରସ୍ଥରେ ରହନ୍ତୁ । ମୁଁ କହୁଛି, ଜଣେ ଦୂରକୁ ପଠାଯାଉ । ସେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, କୃପ, କର୍ଣ୍ଣ ପ୍ରଭୃତିଙ୍କୁ ଯଥାବିଧି ସମ୍ମାନ ଦେଖାଇ କୌରବମାନଙ୍କୁ ଯୁଧିଷ୍ଠିର ଶୁଭେଚ୍ଛା ଜଣାଇ ସେମାନଙ୍କ ଆଗରେ ଯୁଧିଷ୍ଠିରଙ୍କ ପକ୍ଷରୁ ଦୂତ ଅନୁନୟ ବିନୟ କରି ଦୁର୍ଯ୍ୟୋଧନଙ୍କର ମନ ପରିବର୍ତ୍ତନର ଚେଷ୍ଟା କରୁ । ଯୁଦ୍ଧ ହେଲେ କାହାରି ମଙ୍ଗଳ ହେବ ନାହିଁ । ଯୁଦ୍ଧରେ ଯେ ଯୁଧିଷ୍ଠିର ନିଶ୍ଚୟ ଜୟଲାଭ କରିବେ, ତାର କି ସ୍ଥିରତା ଅଛି ?’’

 

ବଳରାମଙ୍କ ଏହି ଉକ୍ତି ଶୁଣି ସାତ୍ୟକି କ୍ରୁଦ୍ଧ ହୋଇ ଉଠିଲେ । ସେ କହିଲେ, ‘‘ବଳରାମଙ୍କ ପ୍ରସ୍ଥାବ ହେଉଛି ଏକ ପ୍ରକାରେ ଦୁର୍ଯ୍ୟୋଧନଙ୍କ ସପକ୍ଷରେ । ଏପରି ଦୂତ ପଠାଇବା ଭୀରୁତାର କାର୍ଯ୍ୟ ହେବ । ଯିଏ ରାଜପଦର ଯୋଗ୍ୟ ସେ ଏଭଳି ପରାମର୍ଶ ଗ୍ରହଣ କରି ନ ପାରେ-। ଏ ରାଜାମାନଙ୍କ ପରିଷଦରେ ବଳରାମ ଯେ ଏପରି ଏକ ପ୍ରସ୍ତାବ ଦେଲେ ତାହା ଆଶ୍ଚର୍ଯ୍ୟର ବିଷୟ । ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କୁ ବିଶ୍ୱାସ କରି ତା ସଙ୍ଗେ ପଶା ଖେଳ ରାଜ୍ୟ ହରାଇ ଅଛନ୍ତି-। ବନବାସ ଓ ଅଜ୍ଞାତ ବାସର କଷ୍ଟ ସହି ଅଛନ୍ତି । ରାଜକୁଳରେ ଜନ୍ମ ହୋଇ ଦୁର୍ଯ୍ୟୋଧନ ଯେ କପଟ କରିବ ତାହା ଯୁଧିଷ୍ଠିର କଳ୍ପନା କରି ନଥିଲେ । ଏ କଅଣ ତାଙ୍କର ଅପରାଧ ? ବର୍ତ୍ତମାନ ସେ ରାଜା ଭାବରେ ଇନ୍ଦ୍ରପ୍ରସ୍ଥ ଦାବି କରିବେ ଦୁର୍ଯ୍ୟୋଧନଙ୍କୁ ମାଗିବାକୁ ଯିବେ କାହିଁକି ? ଭୀଷ୍ମ, ଦ୍ରୋଣ, କୃପ ପ୍ରଭୃତି ନ୍ୟାୟ ଦୃଷ୍ଟିରୁ ଇନ୍ଦ୍ରପ୍ରସ୍ଥ ଛାଡ଼ିଦେବାପାଇଁ ଦୁର୍ଯ୍ୟୋଧନକୁ କହିଲେ ହେଁ ସେ କାହାରି ଉପଦେଶ ଶୁଣୁନାହିଁ । ଆମେ ତାର ଅନୁଗ୍ରହପ୍ରାର୍ଥୀ ହେବା ନାହିଁ । ଯୁଧିଷ୍ଠିର ଯୁଦ୍ଧକ୍ଷେତ୍ରରେ ନିଜର ପ୍ରାପ୍ୟ ଆଦାୟ କରନ୍ତୁ । ଆମେମାନେ ତାଙ୍କୁ ସାହାଯ୍ୟ କରିବା । ଅର୍ଜ୍ଜୁନ, କୃଷ୍ଣ, ଦ୍ରୁପଦ, ସାତ୍ୟକି, ଅଭିମନ୍ୟୁ ପ୍ରଭୃତି ବୀର ଥାଉଁ ଥାଉଁ ଯୁଧିଷ୍ଠିରଙ୍କର ଭୟର କିଛି କାରଣ ନାହିଁ । ଚାଲ, ପାପିଷ୍ଠ ଦୁର୍ଯ୍ୟୋଧନକୁ ଯୁଦ୍ଧକ୍ଷେତ୍ରରେ ଉପଯୁକ୍ତ ଶିକ୍ଷା ଦେବା ।’’

 

ଏହା ପରେ ଦ୍ରୁପଦ କହିଲେ, ‘‘ମୁଁ ସାତ୍ୟକିଙ୍କ ସହିତ ଏକମତ । ଦୁର୍ଯ୍ୟୋଧନ ଯେ ଯୁଧିଷ୍ଠିରଙ୍କ ଅନୁରୋଧ ରକ୍ଷା କରିବ, ସେପରି ଆଶା ନାହିଁ । ଧୃତରାଷ୍ଟ୍ର, ଭୀଷ୍ମ, ଦ୍ରୋଣ ପ୍ରଭୃତି ତାର ପ୍ରକୃତି ବଦଳାଇ ପାରି ନାହାନ୍ତି । କର୍ଣ୍ଣ ପାଣ୍ତବଙ୍କୁ ହିଂସାକରି ତାକୁ ଉତ୍ତେଜିତ କରୁଛନ୍ତି । ଶକୁନି ତାକୁ କୁପରାମର୍ଶ ଦେଉଛି । ଆମେ ଦୂତ ପଠାଇ ଅନୁରୋଧ କଲେ ସେ ଆମମାନଙ୍କୁ ଦୁର୍ବଳ ମନେକରିବ । ତେଣୁ ଆମର ଦୂତମାନେ ଚାରିଆଡ଼କୁ ଯାଇ ଆମ ବନ୍ଧୁ ରାଜାମାନଙ୍କର ସାହାଯ୍ୟ ମାଗନ୍ତୁ । ଏହା ସଙ୍ଗେ ସଙ୍ଗେ ଆମର ପୁରୋହିତ ଯାଇ ଇନ୍ଦ୍ରପ୍ରସ୍ଥ ଯୁଧିଷ୍ଠିରଙ୍କୁ ଛାଡ଼ିଦେବାକୁ କହନ୍ତୁ-। ଯଦି ସେ ତାହା କରେ ଭଲ କଥା; ନୋହିଲେ ଆମେ ନିଶ୍ଚୟ ଯୁଦ୍ଧ କରିବା ।’’

 

ପୁରୋହିତ ଯାଇ ଦୁର୍ଯ୍ୟୋଧନଙ୍କୁ କହିଲେ ଯୁଧିଷ୍ଠିର ବନବାସ ଓ ଅଜ୍ଞାତବାସ କରି ସାରିଛନ୍ତି । ଏବେ ତାଙ୍କ ଇନ୍ଦ୍ରପ୍ରସ୍ଥ ତାଙ୍କୁ ଛାଡ଼ିଦିଅନ୍ତୁ । ଭୀଷ୍ମ, ଦ୍ରୋଣ ପ୍ରଭୃତି ମଧ୍ୟ ସେହି କଥା କହିଲେ । କିନ୍ତୁ ଦୁର୍ଯ୍ୟୋଧନ କାହାରି କଥା ମାନିଲେ ନାହିଁ । ପୁରୋହିତ ନିରାଶ ହୋଇ ଫେରିଆସିଲେ ।

 

ଶ୍ରୀକୃଷ୍ଠଙ୍କ ଦୌତ୍ୟ :

 

ଶ୍ରୀକୃଷ୍ଣ ଦେଖିଲେ ଯେ ଗୋଟାଏ ଭୀଷଣ ଯୁଦ୍ଧ ସଂଘଟିତ ହେବାକୁ ଯାଉଛି । କୌରବ ଓ ପାଣ୍ତବମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସେ ଶେଷ ଉଦ୍ୟମ କରିବାକୁ ବାହାରିଲେ । ସେ ହସ୍ତିନାକୁ ଯାଇ ଦୁର୍ଯ୍ୟୋଧନ ଓ ତାଙ୍କ ଅନୁଚରମାନଙ୍କ ସଭାରେ ଧୃତରାଷ୍ଟ୍ରଙ୍କୁ ଲକ୍ଷ୍ୟ କରି କହିଲେ, ‘‘ମହାରାଜ, ଆପଣ ହେଉଛନ୍ତି କୁରୁକୁଳର ଗୌରବ । ରାଜ୍ୟଶାସନର ଗୁରୁ ଦାୟିତ୍ୱରୁ ବିଦାୟ ନେଇ ଧର୍ମାଚରଣରେ ନିଯୁକ୍ତ ଅଛନ୍ତି । ଆପଣଙ୍କ ରାଜ୍ୟରେ ଅଧର୍ମ, ଅନ୍ୟାୟ ପ୍ରବେଶ କଲେ ତାହା ଆପଣଙ୍କର ନିନ୍ଦାର କାରଣ ହେବ । ଆପଣଙ୍କ ପୁତ୍ରମାନେ ପାଣ୍ତବମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିଛନ୍ତି। ଏହା ଫଳରେ ଏକ ଭୀଷଣ ଯୁଦ୍ଧର ସୂତ୍ରପାତ ହେବାକୁ ଯାଉଛି । ଆପଣ ଇଚ୍ଛାକଲେ ଏ ନରମେଧ ଯଜ୍ଞ ବନ୍ଦ କରାଇ ପାରିବେ । ଦୁର୍ଯ୍ୟୋଧନଙ୍କ ବାହୁବଳ ସଙ୍ଗେ ଯୁଧିଷ୍ଠିଙ୍କ ଧର୍ମବଳ ମିଳିଲେ ଜଗତ କୌରବମାନଙ୍କର ବଶୀଭୂତ ହେବ । ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆପଣଙ୍କର ସହାୟ ଅଛନ୍ତି । ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ସେମାନଙ୍କ ସଙ୍ଗେ ମିଳିଲେ ପୃଥିବୀର କୌଣସି ଶକ୍ତି ସେମାନଙ୍କର ବିରୋଧୀ ହେବାକୁ ସାହସ କରିବ ନାହିଁ । ଆପଣ ନିଜର ପୁତ୍ର ଦୁର୍ଯ୍ୟୋଧନଙ୍କୁ ପରାମର୍ଶ ଦିଅନ୍ତୁ, ସେ ଯୁଧିଷ୍ଠିରଙ୍କୁ ତାଙ୍କର ଇନ୍ଦ୍ରପ୍ରସ୍ଥ ଛାଡ଼ିଦିଅନ୍ତି । ମନେପକାନ୍ତୁ, ପାଣ୍ତୁଙ୍କ ସ୍ୱର୍ଗାରୋହଣ ପରେ ଆପଣହିଁ ପଞ୍ଚପାଣ୍ତବଙ୍କୁ ନିଜର ପୁତ୍ର ପରି ପାଳିଥିଲେ-। ଏବେ ସେମାନଙ୍କୁ ପୁଣି ପୁତ୍ର ପରି କୋଳରୁ ନିଅନ୍ତୁ । ପାଣ୍ତବମାନେ ଆପଣଙ୍କୁ ପିତୃତୁଲ୍ୟ ଭକ୍ତି କରନ୍ତି । ସେମାନେ ଅନ୍ୟାୟ କଲେ ଆପଣ ସେମାନଙ୍କୁ ଶାସନ କରି ସତ୍‌ପଥକୁ ଆଣନ୍ତୁ-। ସେମାନେ ନାନା ଅନ୍ୟାୟ ସହିଛନ୍ତି । ବାରଣାବତରେ ଜତୁଗୃହରୁ ରକ୍ଷା ପାଇ ଆସିଛନ୍ତି-। ହସ୍ତିନା ତ୍ୟାଗକରି ନିଜ ବାହୁବଳରେ ଇନ୍ଦ୍ରପ୍ରସ୍ଥରେ ରାଜଧାନୀ ସ୍ଥାପନ କରି ରାଜସୂୟ ଯଜ୍ଞ କରିଛନ୍ତି-। କପଟ ପଶା ଖେଳରେ ସର୍ବସ୍ୱ ହରାଇ ସେମାନେ ବାରବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତବାସର କଷ୍ଟ ଭୋଗିଛନ୍ତି । ଏବେ ନିଜର ବାକ୍ୟ ରକ୍ଷାକରି ସେମାନଙ୍କ ରାଜ୍ୟ ଫେରାଇ ଦିଅନ୍ତୁ । ହସ୍ତିନା ଓ ଇନ୍ଦ୍ରପ୍ରସ୍ଥ ମଧ୍ୟରେ ଶାନ୍ତି ପ୍ରତିଷ୍ଠିତ ହେଉ-ଆପଣଙ୍କୁ ମୋର ଏତିକି ଅନୁରୋଧ-।’’

 

ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ କହିଲେ, ‘‘କୁରୁରାଜ, ଶ୍ରୀକୃଷ୍ଣ ଯାହା କହିଲେ, ତାହା ଯଥାର୍ଥ । କୌରବ ପାଣ୍ତବ ଉଭୟେ କୁରୁବଂଶର ସନ୍ତାନ । ସେମାନେ ପରସ୍ପର ଯୁଦ୍ଧକରି ନିଜ ରାଜ୍ୟର ଓ ସମଗ୍ର ଭାରତର ସର୍ବନାଶ କରିବା କାହାରି ଇଚ୍ଛା ନୁହେଁ । ତୁମର ପିତା ଧୃତରାଷ୍ଟ୍ର ମଧ୍ୟ ଶାନ୍ତି କାମନା କରନ୍ତି । ଯୁଧିଷ୍ଠିରଙ୍କୁ ତାଙ୍କ ରାଜ୍ୟ ଫେରାଇ ଦିଅ ।’’

 

ଦ୍ରୋଣ କହିଲେ, ‘‘ଶ୍ରୀକୃଷ୍ଣ ଓ ଭୀଷ୍ମ ଉଭୟେ ଜ୍ଞାନୀ ଓ ଧାର୍ମିକ । ସେମାନେ କାହାରି ଶତ୍ରୁ ନୁହନ୍ତି । ସେମାନଙ୍କ ପକ୍ଷରେ ଯୁଧିଷ୍ଠିର ଯେପରି ପ୍ରିୟ ତୁମେ ମଧ୍ୟ ସେହିପରି ପ୍ରିୟ । ମୁଁ ତୁମ ଦୁହିଁଙ୍କୁ ଅସ୍ତ୍ର ଶିକ୍ଷା ଦେଇଛି । କୌରବ ଓ ପାଣ୍ତବମାନଙ୍କ ଭିତରେ ଯୁଦ୍ଧ ହେଲେ ତାହା କିପରି ଭୀଷଣ ହେବ, ତାହା ମୁଁ ବେଶ୍‌ ଅନୁମାନ କରିପାରୁଛି । ଦୁର୍ଯ୍ୟୋଧନ, ମୋର ଉପଦେଶ ମାନି ଯୁଧିଷ୍ଠିରଙ୍କୁ ରାଜ୍ୟ ଫେରାଇଦିଅ । ଧର୍ମରେ ଚଳ, ଈଶ୍ୱର ତୁମର ମଙ୍ଗଳ କରିବେ ।’’

 

ବିଦୁର କହିଲେ, ‘‘ଦୁର୍ଯ୍ୟୋଧନ, ତୁମେ ଯେଉଁ ଭୟାବହ ଯୁଦ୍ଧ ଘଟାଇବାକୁ ଯାଉଛି, ତାର ପରିଣାମ ଚିନ୍ତାକର । ଧର୍ମ ଚିରକାଳ ଧାର୍ମିକକୁ ରକ୍ଷାକରେ । ଧର୍ମ ପାଣ୍ତବମାନଙ୍କୁ ଏପର୍ଯ୍ୟନ୍ତ ରକ୍ଷା କରି ଆସିଅନ୍ତି । ଯୁଦ୍ଧ ହେଲେ ଧର୍ମ ପାଣ୍ତବମାନଙ୍କୁ ରକ୍ଷା କରିବ, ତୁମର ବିନାଶ ହେବ । ବୃଦ୍ଧ ଧୃତରାଷ୍ଟ୍ରଙ୍କର କି ଦୁଃଖ ହେବ, ଭାବି ଦେଖ । ଶ୍ରୀକୃଷ୍ଣ, ଭୀଷ୍ମ, ଦ୍ରୋଣ ସମସ୍ତେ ତୁମର ହିତ ଚାହାନ୍ତି । ସେମାନଙ୍କ କଥା ମାନ ।’’

 

ଶେଷରେ ଧୃତରାଷ୍ଟ୍ର ଚକ୍ଷୁରୁ ଲୋତକ ବୁହାଇ ଦୁର୍ଯ୍ୟୋଧନଙ୍କୁ ଆଦର କରି କହିଲେ, ‘‘ବତ୍ସ ! ଶ୍ରୀକୃଷ୍ଣଙ୍କର ହୃଦୟ ସରଳ । ସେ କାହାରି ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ତାଙ୍କ ଉପଦେଶ ମାନ । ତାଙ୍କ ସାହାଯ୍ୟ ପାଇଲେ ତୁ ଇନ୍ଦ୍ରପ୍ରସ୍ଥ ପରି ଶତ ଶତ ରାଜ୍ୟ ପାଇ ପାରିବୁ । ହିଂସା, ଦ୍ୱେଷ ଛାଡ଼ି ତୁ ପାଣ୍ତବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇଦେ । ଭାଇ ଭାଇ ମିଳିମିଶି ଚଳିବା ଦେଖିଲେ ମୋର ଶେଷ ଜୀବନରେ ମୁଁ ଶାନ୍ତି ପାଇପାରିବି ।’’

 

ଦୁର୍ଯ୍ୟୋଧନ ଗମ୍ଭୀର ଭାବରେ ବସି ସମସ୍ତଙ୍କର ବକ୍ତବ୍ୟ ଶୁଣଥିଲେ । ଶେଷରେ ସେ ସଭାର ସଦସ୍ୟମାନଙ୍କ ଉପରେ ଥରେ ଦୃଷ୍ଟିପକାଇ ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ହେ ଶ୍ରୀକୃଷ୍ଣ, ତୁମେ ପାଣ୍ତବମାନଙ୍କ ପକ୍ଷ ନେଇ କହିବାକୁ ଆସିଛ । ତୁମର ଯେ ମୋ ପ୍ରତି ବିଦ୍ୱେଷ ଅଛି, ତାହା ମୁଁ ଜାଣେ । ଦୁଃଖର କଥା, ଭୀଷ୍ମ, ଦ୍ରୋଣ, ବିଦୁର, ଏପରି କି ପିତା ଧୃତରାଷ୍ଟ୍ର ସୁଦ୍ଧା ତୁମ ସହିତ ଏକମତ ହେଉଅଛନ୍ତି । କୁହ ଦେଖି, ମୁଁ କି ଅନ୍ୟାୟ କରିଛି ? ମୋର ଅପରାଧ କେଉଁଠାରେ ? ଯଦି ଯୁଧିଷ୍ଠିର ପଶାଖେଳରେ ମାତି ରାଜ୍ୟ ହରାଇଲେ, ନିଜକୁ ହରାଇଲେ, ତେବେ ତାହା କଅଣ ମୋର ଦୋଷ ? ଦାସତ୍ୱରୁ ଥରେ ମୁକ୍ତି ପାଇ ମଧ୍ୟ ଯେବେ ସେ ପୁଣି ପଶାଖେଳି ସବୁ ହରାଇ ବନବାସକୁ ଗଲେ ସେଥିରେ ମୋର ଦୋଷ କଅଣ ? ପାଣ୍ତବମାନେ ଦୁର୍ବଳ, ବନ୍ଧୁହୀନ; ତେବେ ଗର୍ବରେ ଅନ୍ଧ ହୋଇ ଯୁଦ୍ଧ କରିବାକୁ ବାହାରୁଛନ୍ତି କାହିଁକି ? ଆମେ ସମର୍ଥ ଥାଉଁ ଥାଉଁ ସେମାନଙ୍କ ପାଖେ ମୁଣ୍ତ ନୁଆଁଇବୁ କିପରି ? ଆମେ କ୍ଷତ୍ରିୟ; ଭୀଷ୍ମ, ଦ୍ରୋଣ, କର୍ଣ୍ଣଙ୍କ ଭଳି ବୀରମାନେ ଆମର ସହାୟ । ଆମେ ଯୁଦ୍ଧ କରିବୁ । ପିତା ବାତ୍ସଲ୍ୟ-ବଶତଃ ଥରେ ପାଣ୍ତବମାନଙ୍କୁ ଇନ୍ଦ୍ରପ୍ରସ୍ଥ ଦେଇପକାଇଥିଲେ । ଏବେ ତାହା ସେମାନଙ୍କୁ ଫେରାଇ ଦେବାର ପ୍ରଶ୍ନ ଉଠି ନପାରେ ।’’

 

ତାହା ପରେ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ୟ କରି କହିଲେ, ‘ଶ୍ରୀକୃଷ୍ଣ, ତୁମେ ତୁମର କର୍ତ୍ତବ୍ୟ କରିଅଛ । ଯୁଧିଷ୍ଠିରଙ୍କ ପାଇଁ ରାଜ୍ୟ ମାଗିବାକୁ ଆସିଥିଲ । ଯାଅ, କହିଦେବ, ଇନ୍ଦ୍ରପ୍ରସ୍ଥ ତ ଦୂରର କଥା, ଖଣ୍ତିଏ ଗ୍ରାମ ସୁଦ୍ଧା ମୁଁ ଦେବି ନାହିଁ । ଏପରିକି ସୂଚୀ ମୁନିରେ ଯେତେ ସ୍ଥାନ ରହିପାରେ । ତାର ଅର୍ଦ୍ଧେକ ସୁଦ୍ଧା ଦେବା ପାଇଁ ମୁଁ ପ୍ରସ୍ତୁତ ନୁହେଁ । ଯଦି ଶକ୍ତି ଥାଏ, ଯୁଧିଷ୍ଠିର ଯୁଦ୍ଧ କରି ରାଜ୍ୟ ଅଧିକାର କରନ୍ତୁ ।’’

 

କର୍ଣ୍ଣ ମଲେ ପାଞ୍ଚ, ଅର୍ଜ୍ଜୁନ ମଲେ ପାଞ୍ଚ :

 

ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ରାଜସଭାରୁ ନିରାଶ ହୋଇ ଫେରି ବିଦୁରଙ୍କ ଘରେ କୁନ୍ତୀଙ୍କ ସଙ୍ଗେ ଦେଖାକରି ସମସ୍ତ ଘଟନା କହିଲେ । ଏବେ କୌରବ ଓ ପାଣ୍ତବମାନେ ଯେ ଯୁଦ୍ଧଭୂମିରେ ବଳ କଷାକଷି ହେବେ ଏଥିରେ ସନ୍ଦେହ ନଥିଲା । କୁନ୍ତୀଙ୍କ ମନରେ କଷ୍ଟ ହେଲା । କର୍ଣ୍ଣ ତାଙ୍କର ବଡ଼ପୁଅ ହେଲେ ସୁଦ୍ଧା ସେ ନିଜର ସହୋଦର ଭାଇମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଉଛି । ସେ କର୍ଣ୍ଣଙ୍କୁ କହିଲେ, ‘‘ବାପ, ମୋର ବିବାହ ପୂର୍ବରୁ ସୂର୍ଯ୍ୟଦେବଙ୍କ ଅନୁଗ୍ରହରୁ ତୁ ମୋ ଗର୍ଭରୁ ଜନ୍ମିଥିଲୁ । ଲୋକନିନ୍ଦା ଭୟରେ ମୁଁ ତୋତେ ଫିଙ୍ଗି ଦେଇଥିଲି । ଅଧିରଥ ତୋତେ ପାଳି ମଣିଷ କରିଛି । ତୁ ପ୍ରକୃତରେ ପାଣ୍ତବମାନଙ୍କର ବଡ଼ଭାଇ । ତୁ ସେମାନଙ୍କ ସଙ୍ଗେ ମିଳିଯାଆ ।’’

 

କର୍ଣ୍ଣ ଉତ୍ତର କଲେ, ‘‘ମାଆ ହୋଇ ତୁମେ ମୋତେ ପିଙ୍ଗି ଦେଇଥିଲ । ଏବେ ଦୁନିଆ ଜାଣେ, ମୁଁ ସାରଥି ଅଧିରଥର ପୁଅ । ଦୁର୍ଯ୍ୟୋଧନର ଦୟାରୁ ମୁଁ ଅଙ୍ଗରାଜ୍ୟର ରାଜା ହୋଇଛି । ଏବେ ମୁଁ କେଉଁ ମୁହଁରେ ପାଣ୍ତବମାନଙ୍କର ବଡ଼ଭାଇ ବୋଲି ପରିଚୟ ଦେବି ? ଅର୍ଜ୍ଜୁନ ପିଲାଟି ଦିନୁ ମୋର ଶତ୍ରୁ । ମୁଁ ତୁମ ଆଗେ ପ୍ରତିଜ୍ଞା କରୁଛି, ଅର୍ଜ୍ଜୁନ ଛଡ଼ା ଅନ୍ୟ କାହାରିକୁ ମାରିବି ନାହିଁ । ଯୁଦ୍ଧରେ ମୁଁ ମରିବି ବା ଅର୍ଜ୍ଜୁନ ମରିବ । ସେଥିରେ ତୁମର କିଛି ଯାଏ ଆସେ ନାହିଁ । ସମସ୍ତେ ଜାଣନ୍ତି ଯେ ତୁମର ପାଞ୍ଚ ପୁଅ । ମୁଁ ମରେ ବା ଅର୍ଜ୍ଜୁନ ମରୁ, ତୁମର ସେଇ ପାଞ୍ଚପୁଅ ରହିବେ । କିନ୍ତୁ ଦୁର୍ଯ୍ୟୋଧନ ପକ୍ଷ ଛାଡ଼ି ଯିବା ମୋ ପକ୍ଷରେ ଏବେ ଅସମ୍ଭବ।’’

 

କୁନ୍ତୀ କାନ୍ଦି କାନ୍ଦି କପାଳ ଆଦରି ରହିଲେ ।

 

କୃଷ୍ଣ ମଧ୍ୟ କର୍ଣ୍ଣଙ୍କୁ ପାଣ୍ତବମାନଙ୍କ ପକ୍ଷକୁ ଆଣିବାକୁ ଚେଷ୍ଟାକଲେ । କିନ୍ତୁ କର୍ଣ୍ଣ ତାଙ୍କୁ ମଧ୍ୟ ସେହି ଉତ୍ତର ଦେଲେ । କର୍ଣ୍ଣଙ୍କୁ ହାତକରିବା ଚେଷ୍ଟା ବିଫଳ ହେଲା ।

 

ରଣସଜ୍ଜା :

 

ଶ୍ରୀକୃଷ୍ଣ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହୋଇ ହସ୍ତିନାରୁ ଫେରିଗଲେ । ଏବେ ଦୁଇ ପକ୍ଷର ଯୁଦ୍ଧ ପାଇଁ ପ୍ରସ୍ତୁତି ଲାଗିଲା । ଉଭୟେ ନିଜର ବନ୍ଧୁ ବାନ୍ଧବମାନଙ୍କୁ ସାହାଯ୍ୟ ମାଗି ପଠାଇଲେ ।

ଦୁର୍ଯ୍ୟୋଧନ ଓ ଅର୍ଜ୍ଜୁନ ଦୁହେଁଯାକ ଶ୍ରୀକୃଷ୍ଣଙ୍କ ସାହାଯ୍ୟ ପାଇଁ ଦ୍ୱାରକାକୁ ଗଲେ । ଶ୍ରୀକୃଷ୍ଣ ସେତେବେଳକୁ ଶୋଇଥିଲେ । ଅର୍ଜ୍ଜୁନ ଯାଇ ତାଙ୍କ ପାଦ ପାଖରେ ଓ ଦୁର୍ଯ୍ୟୋଧନ ତାଙ୍କ ମୁଣ୍ତ ପାଖରେ ବସି ତାଙ୍କ ଉଠିବା ଯାଏ ଅପେକ୍ଷା କଲେ ।

ଶ୍ରୀକୃଷ୍ଣ ଉଠିବା କ୍ଷଣି ଆଗେ ଅର୍ଜ୍ଜୁନଙ୍କୁ ଦେଖି ପଚାରିଲେ, ‘‘କୁଆଡ଼େ ଆସିଛ ?’’ ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କୁ ମଧ୍ୟ ଦେଖିପାରି ଠିକ୍‌ ସେହି କଥା ପଚାରିଲେ । ଦୁର୍ଯ୍ୟୋଧନ କହିଲେ, ‘‘ମୁଁ ଆଗ ଆସି ଅପେକ୍ଷା କରିଛି । ଆପଣ ଯୁଦ୍ଧରେ ଆମକୁ ସାହାଯ୍ୟ କରନ୍ତୁ ।’’ ଅର୍ଜ୍ଜୁନ ମଧ୍ୟ ଠିକ୍‌ ସେହି ଅନୁରୋଧ ଜଣାଇଲେ ।

ଶ୍ରୀକୃଷ୍ଣ କହିଲେ, ‘‘ଦୁର୍ଯ୍ୟୋଧନ, ତୁମେ ଆଗ ଆସିଛ । ମୁଁ ଅର୍ଜ୍ଜୁନଙ୍କୁ ଆଗ ଦେଖିଛି । ଦୁହିଁଙ୍କର ଆସିବା ଉଦ୍ଦେଶ୍ୟ ଏକ । ତୁମେ ଦୁହେଁଯାକ କେହି ମୋର ଶତ୍ରୁ ନୁହଁ । ତେଣୁ ଦୁହିଁଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ । ମୋର ଏକ ଅର୍ବୁଦ ନାରାୟଣୀ ସୈନ୍ୟ ଅଛନ୍ତି । ଜଣକୁ ସେହି ସୈନ୍ୟମାନଙ୍କୁ ଦେବି । ଅନ୍ୟ ଜଣକ ପକ୍ଷରେ ମୁଁ ନିଜେ ରହିବି । କିନ୍ତୁ ମୁଁ ନିଜେ ଅସ୍ତ୍ର ଧରି ଯୁଦ୍ଧ କରିବି ନାହିଁ । ଏବେ କିଏ କାହାକୁ ନେବ ବାଛିନିଅ । ଅର୍ଜ୍ଜୁନ ଆଗେ କହନ୍ତି, ସେ କଅଣ ନେବେ । ‘‘ଅର୍ଜ୍ଜୁନ କହିଲେ, ‘‘ମୁଁ ଆପଣଙ୍କୁ ଚାହେଁ । ଆପଣ ଯୁଦ୍ଧ ନକଲେ ନାହିଁ ।’’

 

ଦୁର୍ଯ୍ୟୋଧନ ଖୁବ୍‌ ଆନନ୍ଦିତ ହୋଇ ଭାବିଲେ, ‘‘ଅର୍ଜ୍ଜୁନ ଭଳି ନିର୍ବୋଧ କେହି ନ ଥିବେ । ଲକ୍ଷଲକ୍ଷ କରି ଏକ ଅର୍ବୁଦ ସୈନ୍ୟ ନ ଦେଇ ବୋକାଟା ଏକା ଶ୍ରୀକୃଷ୍ଣଙ୍କୁ ମାଗିଲା । ସେ ପୁଣି ଅସ୍ତ୍ର ଧରିବେ ନାହିଁ ।’’

 

ସେ ନାରାୟଣୀ ସେନା ପାଇବେ ବୋଲି ଖୁବ୍‌ ସନ୍ତୁଷ୍ଟ ହୋଇଗଲେ ।

 

ଦୁର୍ଯ୍ୟୋଧନ ବଳରାମଙ୍କ ସାହାଯ୍ୟ ଚାହିଁବାରୁ ସେ କହିଲେ, ‘‘ତୁମେ ଭାଇ ଭାଇ ଅଧ୍ୟରେ ଯୁଦ୍ଧ କରି ହଣାହଣି ହେବ । ମୁଁ କାହାରି ପକ୍ଷ ନେଇ ପାପ ଅର୍ଜିବି ନାହିଁ ।’’ ଏହା କହି ସେ ତୀର୍ଥ କରିବାକୁ ଚାଲିଗଲେ ।

 

ଅର୍ଜ୍ଜୁନ ଶ୍ରୀକୃଷ୍ଣଂକୁ କହିଲେ, ‘‘ଆପଣ ଅସ୍ତ୍ର ସିନା ଧରିବେ ନାହିଁ, ମୋର ରଥ ଚଳାଇବାରେ ଆପତ୍ତି କଅଣ ?’’ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କର ସାରଥି ହେବାକୁ ସ୍ୱୀକୃତ ହେଲେ ।

 

ଏବେ ଦୁଇ ପକ୍ଷ ପାଇଁ ପ୍ରସ୍ତୁତ ହୋଇଗଲେ । ଭାରତର ଅଧିକାଂଶ ରାଜା କେହି ପାଣ୍ତବମାନଙ୍କ ପକ୍ଷରେ କେହି ଅବା କୌରବଙ୍କ ପକ୍ଷରେ ଯୁଦ୍ଧ କରିବାକୁ ବାହାରିଲେ ।

 

ଶଲ୍ୟ ମଦ୍ରଦେଶର ରାଜା; ନକୁଳ ଓ ସହଦେବଙ୍କର ମାମୁ । ତାଙ୍କର ଭଉଣୀ ମାଦ୍ରୀ । ତେଣୁ ସେ ପାଣ୍ତବଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ । କିନ୍ତୁ ଦୁର୍ଯ୍ୟୋଧନ କୌଶଳ କରି ତାଙ୍କୁ କୌରବ ପକ୍ଷକୁ ନେଇଗଲେ ।

 

ପାଣ୍ତବମାନଙ୍କ ପକ୍ଷରେ ରହିଲେ ଯଦୁବଂଶର ସାତ୍ୟକି, ଚେଦି ରାଜ୍ୟର ରାଜା ଧୃଷ୍ଟକେତୁ, ମଗଧର ରାଜା ଜରାସନ୍ଧଙ୍କ ପୁତ୍ର ଜୟତ୍‌ସେନ, ପଞ୍ଚାଳରାଜ ଦ୍ରୁପଦ, ମହାରାଜ ବିରାଟ ପ୍ରଭୃତି ।

 

ଏମାନେ ନିଜ ନିଜର ସୈନ୍ୟ ଘେନି ଆସିଲେ । ପାଣ୍ତବମାନଙ୍କର ସୈନ୍ୟ ସଂଖ୍ୟା ହେଲା ସାତ ଅକ୍ଷୌହିଣୀ ।

 

କୌରବମାନଙ୍କ ପକ୍ଷରେ କହିଲେ ଶଲ୍ୟ, ଭଗଦତ୍ତ, ଭୂରିଶ୍ରବା, ଜୟଦ୍ରଥ, ସୁଦକ୍ଷିଣ ପ୍ରଭୃତି ରାଜାମାନେ । ଏମାନଙ୍କର ସୈନ୍ୟମାନଙ୍କୁ ଘେନି ଦୁର୍ଯ୍ୟୋଧନ ଏଗାର ଅକ୍ଷୌହିଣୀ ସୈନ୍ୟ ସଂଗ୍ରହ କଲେ । ଏମାନଙ୍କ ଛଡ଼ା ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା ମଧ୍ୟ କୌରବଙ୍କ ପକ୍ଷରେ ରହିଲେ-। ସ୍ଥୂଳତଃ କୌରବମାନଙ୍କର ସୈନ୍ୟ ସଂଖ୍ୟା ଯେ ଅଥିକ ଥିଲା ଏଥିରେ ସନ୍ଦେହ ନାହିଁ ।

 

ଯୁଦ୍ଧର ଆରମ୍ଭ :

 

କୁରୁକ୍ଷେତ୍ର ନାମକ ଏକ ପ୍ରକାଣ୍ତ ପ୍ରାନ୍ତରରେ ଦୁଇପକ୍ଷର ସୈନ୍ୟ ଯୁଦ୍ଧ ନିମନ୍ତେ ଉପସ୍ଥିତ ହେଲେ । ଉଭୟ ପକ୍ଷ ନିଜ ନିଜର ଶିବିର ସ୍ଥାପନ କରିବାରୁ ପ୍ରାନ୍ତରଟି ଏକ ସହର ପରି ଦେଖାଗଲା । ସୈନ୍ୟମାନେ ଚାରିଶ୍ରେଣୀରେ ବିଭକ୍ତ ଥିଲେ—ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ ଓ ପଦାତିକି । ଅସ୍ତ୍ରମାନଙ୍କ ମଧ୍ୟରେ ଧନୁଶର ଓ ତରବାରି ପ୍ରଧାନ ଥିଲା । ତାହା ଛଡ଼ା ବର୍ଚ୍ଛା, ଗଦା, ଶକ୍ତି, ପାଶ, ଅଙ୍କୁଶ ପ୍ରଭୃତି ବ୍ୟବହୃତ ହେଉଥିଲା ।

 

ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ କୌରବ ସୈନ୍ୟମାନଙ୍କର ସେନାପତିରୂପେ ନିଯୁକ୍ତ କଲେ । ଭୀଷ୍ମ ସେନାପତି ପଦ ଗ୍ରହଣ କଲେ; ମାତ୍ର କହିଲେ, ‘‘ଦୁର୍ଯ୍ୟୋଧନ, ମୁଁ ପାଣ୍ତବମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ସତ; କିନ୍ତୁ ତୁମେମାନେ ମୋ ପକ୍ଷରେ ଯେପରି, ପାଣ୍ତବମାନେ ମଧ୍ୟ ସେହିପରି । ତେଣୁ ପାଣ୍ତବମାନଙ୍କୁ ନିଜେ ବଧ କରିବି ନାହିଁ ।’’

 

କର୍ଣ୍ଣ ନିଜକୁ ପ୍ରଧାନ ବୀର ମନେ କରୁଥିଲେ । ଭୀଷ୍ମ ପ୍ରଧାନ ସେନାପତି ହେବାରୁ ସେ ରାଗିଯାଇ ଦୁର୍ଯ୍ୟୋଧନଙ୍କୁ କହିଲେ ‘‘ମୁଁ ଭୀଷ୍ମଙ୍କ ଅଧୀନରେ ରହି ଯୁଦ୍ଧ କରିବି ନାହିଁ । ଭୀଷ୍ମ ମଲେ ମୁଁ ଯୁଦ୍ଧ କରିବି ।’’

 

ପାଣ୍ତବମାନଙ୍କ ପକ୍ଷରୁ ଅର୍ଜ୍ଜୁନ ପ୍ରଧାନ ସେନାପତି ରୂପେ ରହିଲେ । ଦ୍ରୁପଦ, ବିରାଟ, ସାତ୍ୟକି, ଧୃଷ୍ଟକେତୁ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ତି ଓ ଜୟତ୍‌ସେନ ଏଇ ସାତଜଣ ତାଙ୍କର ସହକାରୀ ସେନାପତି ରହିଲେ ।

 

ଦୁଇ ପକ୍ଷର ସୈନ୍ୟମାନେ ସେନାପତିମାନଙ୍କ ନିର୍ଦ୍ଦେଶ ଅନୁସାରେ ସୈନ୍ୟସଜ୍ଜା କରି ପରସ୍ପରକୁ ଆକ୍ରମଣ କରିବା ଅପେକ୍ଷାରେ ରହିଲେ ।

 

ଧୃତରାଷ୍ଟ୍ରଙ୍କ ମନେ ଅନୁତାପ ଆସିଲା । ନିଜର ପୁଅମାନେ ଦୁଷ୍ଟ ବୁଦ୍ଧିରେ ପଡ଼ି ଆପଣାର ସର୍ବନାଶ କରିବାକୁ ଯାଉଛନ୍ତି ଭାବି ତାଙ୍କ ମନରେ ଦୁଃଖ ହେଲା । କିନ୍ତୁ ଏତେବେଳେ ଯୁଦ୍ଧ ବନ୍ଦ ହେବାର ଉପାୟ ନଥିଲା ।

 

ଏହି ସମୟରେ ବ୍ୟାସଦେବ ତାଙ୍କ ପାଖକୁ ଆସିଗଲେ । କୁରୁକ୍ଷେତ୍ର ଯୁଦ୍ଧ ବିବରଣୀ ଜାଣିବାକୁ ତାଙ୍କର ଇଚ୍ଛା ଥିବା ଜାଣି ବ୍ୟାସ ତାଙ୍କୁ ଦିବ୍ୟଚକ୍ଷୁ ଦେବେ ବୋଲି କହିଲେ । କିନ୍ତୁ ଧୃତରାଷ୍ଟ୍ର କହିଲେ, ‘‘ନା, ଭାଇ ଭାଇ ହଣା ହଣି ହୋଇ ମରୁଥିବେ, ସେ ଦୃଶ୍ୟ ଦେଖି ମୋର ଦୁଃଖ ବଢ଼ିବ ମାତ୍ର । କେବଳ ଯୁଦ୍ଧକ୍ଷେତ୍ରର ଖବର ଶୁଣିପାରିଲେ ହେଲା ।’’

 

ବ୍ୟାସ ସଞ୍ଜୟଙ୍କୁ ଦିବ୍ୟଚକ୍ଷୁ ଦେଲେ । ସେ ଧୃତରାଷ୍ଟ୍ରଙ୍କ ପାଖରେ ବସି ଦିବ୍ୟ ଦୃଷ୍ଟି ବଳରେ ଯୁଦ୍ଧର ଦୃଶ୍ୟ ଦେଖିପାରିଲେ ଓ ଧୃତରାଷ୍ଟ୍ରଙ୍କୁ ସମସ୍ତ ବିବରଣ ଜଣାଇଲେ ।

 

ଭୀଷ୍ମ ଶଙ୍ଖ ବଜାଇ ଯୁଦ୍ଧ ପାଇଁ ଆହ୍ୱାନ ଜଣାଇଲେ । ସଙ୍ଗେ ସଙ୍ଗେ କୌରବ ପକ୍ଷରୁ ସହସ୍ର ସହସ୍ର ଶଙ୍ଖ ଓ ଶିଙ୍ଗା ବାଜି ଉଠିଲା ।

 

ଏହି ଆହ୍ୱାନର ଉତ୍ତର ସ୍ୱରୂପ ପାଣ୍ତବମାନଙ୍କ ପକ୍ଷରୁ ପ୍ରଥମେ ଶ୍ରୀକୃଷ୍ଣ ତାଙ୍କର ‘ପାଞ୍ଚଜନ୍ୟ’ ଶଙ୍ଖ ବଜାଇଲେ । ତାଙ୍କ ପଛେ ପଛେ ଅର୍ଜ୍ଜୁନ, ଭୀମ, ଯୁଧିଷ୍ଠିର, ନକୁଳ, ସହଦେବ ପ୍ରଭୃତି ଉଚ୍ଚସ୍ୱରରେ ନିଜ ନିଜର ଶଙ୍ଖ ବଜାଇଲେ । ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ତି, ସାତ୍ୟକି, ବିରାଟ ମଧ୍ୟ ନିଜ ନିଜର ଶଙ୍ଖ ବଜାଇବାରୁ ଯୁଦ୍ଧଭୂମିରେ ଭୀଷଣ ଶବ୍ଦ ଜାତ ହେଲା ।

 

ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ରଥକୁ ନେଇ ଦୁଇ ପକ୍ଷର ସୈନ୍ୟଦଳ ମଝିରେ ରଖିଦେଲେ । ଅର୍ଜ୍ଜୁନ ଦେଖିଲେ, ତାଙ୍କରି ଭାଇ, ପୁଅ, ପୁତୁରା, ବନ୍ଧୁ ପ୍ରଭୃତି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଛନ୍ତି । ତାଙ୍କ ମନ ଖରାପ ହୋଇଗଲା । ଯେଉଁମାନଙ୍କ ପାଇଁ ରାଜ୍ୟ ଲାଭ କରିବାର କଥା, ସେଇମାନେ ଯଦି ମରିବେ ତେବେ ଯୁଦ୍ଧ କରିବାରେ ଲାଭ କଅଣ ? ସେ ଅସ୍ତ୍ର ଫିଙ୍ଗି ଦେଇ ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ମୁଁ ମୋର ଭାଇ, ବନ୍ଧୁ, କୁଟୁମ୍ବଙ୍କୁ ମାରି ରାଜ୍ୟ ଭୋଗ କରିବାକୁ ଚାହେ ନାହିଁ । ଏହା ଅପେକ୍ଷା ଭିକ୍ଷା ମାଗି ପେଟ ପୋଷିବା ଶତ ଗୁଣେ ଭଲ । ମୁଁ ଏଭଳି ପାପକର୍ମ କରିବି ନାହିଁ ।’’

 

ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ବୁଝାଇଦେଲେ—ଧର୍ମ ଯୁଦ୍ଧରେ ଶତ୍ରୁକୁ ବଧ କରିବା ତାଙ୍କର କର୍ତ୍ତବ୍ୟ-। ଏଥିରେ ପାପ ନାହିଁ । ଭାଇ, ପୁଅ, ଦାଦି ପ୍ରଭୃତିଙ୍କ ପ୍ରତି ମମତା ଦେଖାଇ କର୍ତ୍ତବ୍ୟରେ ହେଳା କରିବା ପାପ । ବୁଝିବାକୁ ଗଲେ କେହି କାହାକୁ ମାରେ ନାହିଁ କି କେହି ମରେ ନାହିଁ । କାରଣ ସମସ୍ତଙ୍କ ଶରୀରରେ ଆତ୍ମା ବିଦ୍ୟମାନ । ସେ ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅମର । ମନୁଷ୍ୟ ଚିରା ଲୁଗାକୁ ଫିଙ୍ଗି ଦେଇ ନୂଆ ଲୁଗା ପିନ୍ଧିଲା ପରି ଦେହୀ ବା ଆତ୍ମା ପୁରୁଣା ଦେହକୁ ଛାଡ଼ି ନୂଆ ଦେହରେ ପ୍ରବେଶ କରେ । ଅତଏବ ମନର ଦୁର୍ବଳତା ଭୁଲିଯାଇ କର୍ତ୍ତବ୍ୟରେ ଅଗ୍ରସର ହୁଅ-

 

ଅର୍ଜ୍ଜୁନ ପୁଣି ଯୁଦ୍ଧ କରିବାକୁ ବାହାରିଲେ ।

 

ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ଅସ୍ତ୍ର ଶସ୍ତ୍ର ରଖିଦେଇ ରଥରୁ ଓହ୍ଲାଇ ଭୀଷ୍ମଙ୍କ ପାଖକୁ ଯାଇ ତାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ । ଭୀଷ୍ମ ପାଣ୍ତବମାନଙ୍କୁ ଆଶୀର୍ବାଦ କଲେ । ଯୁଧିଷ୍ଠିର ପଚାରିଲେ, ‘‘ପିତାମହ, କିପରି ଆପଣଙ୍କୁ ପରାସ୍ତ କରି ପାରିବୁ ?’’ ଭୀଷ୍ମ ଉତ୍ତର କଲେ, ‘‘ମୋର ମୃତ୍ୟୁ ଇଚ୍ଛାଧୀନ । ଯଥାସମୟରେ ମୁଁ ତୁମମାନଙ୍କୁ ମୋର ମୃତ୍ୟୁର ଉପାୟ କହିବି ।’’

 

ପାଣ୍ତବମାନେ ସେହିପରି ଦ୍ରୋଣାଚାର୍ଯ୍ୟଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ଗ୍ରହଣ କଲା ପରେ ପଚାରିଲେ, ‘‘ଗୁରୁଦେବ, ଆପଣଙ୍କୁ କିପରି ପରାସ୍ତ କରିବୁ ?’’ ଦ୍ରୋଣ କହିଲେ, ‘‘କୌଣସି ଧାର୍ମିକ ଲୋକ ମୋତେ ଅଶୁଭ ସମ୍ବାଦ ଦେଲେ ମୁଁ ଅସ୍ତ୍ର ତ୍ୟାଗ କରିବି । ସେତିକିବେଳେ ମୋତେ ବଧ କରାଯାଇପାରେ ।’’

 

ପାଣ୍ତବମାନେ ସେହିପାରି କୃପ, ଶଲ୍ୟ ପ୍ରଭୃତି ଗୁରୁଜନମାନଙ୍କୁ ପ୍ରଣାମ କଲେ ।

 

ଯୁଧିଷ୍ଠିର ପ୍ରଭୃତି ନିଜ ପକ୍ଷକୁ ଫେରିଆସିଲେ ।

 

ପ୍ରଥମ ଦଶଦିନର ଯୁଦ୍ଧ

 

ଏବେ ଦୁଇ ପକ୍ଷ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଗଲା । ଶର, ଗଦା, ଖଡ଼୍‌ଗ ପ୍ରଭୃତିର ଶବ୍ଦରେ ଯୁଦ୍ଧଭୂମି କମ୍ପି ଉଠିଲା । ଉଭୟ ପକ୍ଷରୁ ସହସ୍ର ସହସ୍ର ବୀର ମରି ପଡ଼ିଲେ । ଅର୍ଜ୍ଜୁନ ଓ ଭୀଷ୍ମଙ୍କର ଯୁଦ୍ଧ କୌଶଳ ଦେଖି ସ୍ୱର୍ଗର ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁ ବାଳକ ହେଲେ ହେଁ ଅପୂର୍ବ ବୀରତ୍ୱ ଦେଖାଇ ଯୁଦ୍ଧ କଲେ । ଭୀମ ଦୁର୍ଯ୍ୟୋଧନଙ୍କ ବିରୁଦ୍ଧରେ ଓ ନକୁଳ ଦୁଃଶାସନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଯୁଧିଷ୍ଠିର ଓ ଶଲ୍ୟଙ୍କ ମଧ୍ୟରେ ଘୋର ଯୁଦ୍ଧ ଚାଲିଲା । ଦ୍ରୋଣ ଓ ଦ୍ରପଦ ପରସ୍ପରକୁ ଶରାଘାତ କରିବାକୁ ଲାଗିଲେ । କେତେ ବୀର ଯେ ଯୁଦ୍ଧ ଭୂମିରେ ମରି ପଡ଼ିଲେ ତାର କଳନା କରାଯାଇ ନପାରେ । ହସ୍ତୀ, ଅଶ୍ୱ ପ୍ରଭୃତିଙ୍କ ଶବରେ ଯୁଦ୍ଧକ୍ଷେତ୍ର ପୂର୍ଣ୍ଣ ହୋଇଗଲା । ନିହତ ଓ ଆହତ ସୈନ୍ୟମାନଙ୍କ ରକ୍ତ ନଦୀ ପରି ବହିଗଲା । ପାଣ୍ତବ ପକ୍ଷର ଯୋଦ୍ଧାମାନେ ଅପୂର୍ବ ବୀରତ୍ୱ ସହକାରେ ଯୁଦ୍ଧ କଲେହେଁ ଭୀଷ୍ମଙ୍କ ଶରବୃଷ୍ଟିରେ ବିଚଳିତ ହୋଇପଡ଼ିଲେ । ପ୍ରଥମ ଦିନର ଯୁଦ୍ଧରେ ବିରାଟଙ୍କ ପୁତ୍ର ଉତ୍ତର ଓ ଶ୍ୱେତ ନିହତ ହେଲେ-। ସନ୍ଧ୍ୟା ବେଳକୁ ଯୁଦ୍ଧ ବନ୍ଦ ହେଲା ।

 

ସେ ରାତ୍ରିଟି ଯୁଧିଷ୍ଠିର ଘୋର ମନଦୁଃଖରେ କଟାଇଲେ । ଦ୍ୱିତୀୟ ଦିନ ସକାଳୁ ପୁଣି ଯୁଦ୍ଧ ଆରମ୍ଭହେଲା । ପୂର୍ବଦିନର ପରାଜୟ ହେତୁ ଅର୍ଜ୍ଜୁନ ସମସ୍ତ ଶକ୍ତି ପ୍ରୟୋଗ କରି ଯୁଦ୍ଧ କଲେ । ଦ୍ରୋଣ ଓ ଧୃଷ୍ଟଦ୍ୟୁମ୍ନଙ୍କ ଯୁଦ୍ଧରେ ଧୃଷ୍ଟଦ୍ୟୁମ୍ନଙ୍କ ଗଦା ଭାଙ୍ଗିଗଲା ଓ ଦ୍ରୋଣଙ୍କ ଶରାଘାତରେ ଧୃଷ୍ଟଦ୍ୟୁମ୍ନଙ୍କର ସାଞ୍ଜୁ ଫୁଟିଗଲା; ତାଙ୍କର ରଥ ଭାଙ୍ଗିଗଲା ତହୁଁ ସେ ଖଣ୍ତା ଓ ଢାଲ ଧରି ଯୁଦ୍ଧ କରିବାକୁ ଲାଗିଲେ । ଭୀମ ଏହା ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଗଲେ । ଦୁର୍ଯ୍ୟୋଧନ ଭୀମଙ୍କର ଅଭିପ୍ରାୟ ବୁଝିପାରି ତାଙ୍କ ବିରୁଦ୍ଧରେ କଳିଙ୍ଗର ସୈନ୍ୟମାନଙ୍କୁ ପଠାଇଦେଲେ । କଳିଙ୍ଗର ନିଷାଦ ସୈନ୍ୟମାନେ ପ୍ରବଳ ଯୁଦ୍ଧକଲେ । କଳିଙ୍ଗର ଯୁବରାଜ ଭୀମଙ୍କ ହାତରେ ମଲେ; କିନ୍ତୁ କଳିଙ୍ଗର ରାଜାଙ୍କୁ ପରାସ୍ତ କରିବା ଭୀମଙ୍କ ପକ୍ଷରେ ସମ୍ଭବ ହେଲାନାହିଁ । ସେ ଗୋଟିଏ ହାତୀ ଉପରେ ବସିଥିଲେ । ଭୀମ ହଠାତ୍ ହାତୀ ଉପରକୁ ଡେଇଁପଡ଼ି କଳିଙ୍ଗର ରାଜାଙ୍କୁ ମଧ୍ୟ ବଧ କଲେ । କଳିଙ୍ଗ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ ।

 

ଯୁଦ୍ଧକ୍ଷେତ୍ରର ଅନ୍ୟ ଏକ ଅଂଶରେ ନିଜେ ଦୁର୍ଯ୍ୟୋଧନ ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କ ସଙ୍ଗେ ଯୁଦ୍ଧ କରୁଥିଲେ । ଅଭିମନ୍ୟୁ ବୀର ହେଲେହେଁ ବାଳକ ମାତ୍ର । ତେଣୁ ଅର୍ଜ୍ଜୁନ ତାଙ୍କୁ ସାହାଯ୍ୟ କରିବାକୁ ଗଲେ । ଭୀଷ୍ମ, ଦ୍ରୋଣ ପ୍ରଭୃତି ଦୁର୍ଯ୍ୟୋଧନଙ୍କ ସାହାଯ୍ୟାର୍ଥେ ଦଉଡ଼ି ଆସିଲେ । ଅର୍ଜ୍ଜୁନ ଅନେକ କୌରବ ସୈନ୍ୟ ବଧ କଲେ । ସନ୍ଧ୍ୟା ହୋଇ ଯିବାରୁ ସେ ଦିନର ଯୁଦ୍ଧ ବନ୍ଦ ହେଲା-

 

ତୃତୀୟ ଦିନ ଅର୍ଜ୍ଜୁନଙ୍କୁ ଯୁଦ୍ଧ କ୍ଷେତ୍ରରେ ଦେଖି କୌରବ ସେନା ଭୟରେ ପଳାଇବାକୁ ଲାଗିଲେ । ଦୁର୍ଯ୍ୟୋଧନ ଚିନ୍ତିତ ହୋଇ ଭୀଷ୍ମଙ୍କୁ କହିଲେ, ‘‘ତୁମେ ଥାଉଁ ଥାଉଁ କୁରୁ ସେନାମାନେ ପଳାଉଛନ୍ତି ? ତୁମର ସାହସ, ତୁମର ବୀରତ୍ୱ କୁଆଡ଼େ ଗଲା ? ବୋଧହୁଏ ତୁମେ ପାଣ୍ତବଙ୍କ ପ୍ରତି ମମତା ରଖି ମନ ଦେଇ ଯୁଦ୍ଧ କରୁନାହିଁ ।’’ ଭୀଷ୍ମ କ୍ରୋଧରେ କମ୍ପିଯାଇ କହିଲେ, ‘‘ଦୁର୍ଯ୍ୟୋଧନ, ତା ନୁହେ । ତୁମେ ଯେଉଁ ପାପ ଓ ଅନ୍ୟାୟ କରିଛ, ତାକୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଯେଡ଼େ ବୀର ହେଲେ ସୁଦ୍ଧା ଧୋଇ ପାରିବେ ନାହିଁ । ତୁମେ ଗୁରୁଜନଙ୍କ ଉପଦେଶ ଶୁଣିଲ ନାହିଁ । ଦ୍ରୌପଦୀଙ୍କୁ ଅପମାନ ଦେଲ । ପାପର ଫଳ ତୁମକୁ ଭୋଗ କରିବାକୁ ହେବ । ତଥାପି ମୁଁ ତୁମକୁ ସେନାପତି ହୋଇଥିବାରୁ ପ୍ରାଣପଣ ଯୁଦ୍ଧ କରିବି ।’’

 

ଭୀଷ୍ମ ଓ ଅର୍ଜ୍ଜୁନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ବହୁ ସୈନ୍ୟ ଉଭୟ ପକ୍ଷରୁ ନିହତ ହେଲେ । ଶେଷରେ କୌରବମାନେ ପଛଘୁଞ୍ଚା ଦେଇ ଶିବିରକୁ ଫେରିଗଲେ ।

 

ଚତୁର୍ଥ ଦିନ ଯୁଦ୍ଧରେ ଭୀମ ଅଦ୍ଭୁତ ବୀରତ୍ୱ ଦେଖାଇଲେ । ମତ୍ତହସ୍ତୀ କଦଳୀ ବନକୁ ମନ୍ଥିଲା ପରି ସେ କୁରୁ ସୈନ୍ୟମାନଙ୍କୁ ଦଳି ଦେଲେ । ଦୁର୍ଯ୍ୟୋଧନ ଓ ଶଲ୍ୟ ତାଙ୍କ ଦ୍ୱାରା ପରାସ୍ତ ହେବାରୁ ଦୁର୍ଯ୍ୟୋଧନଙ୍କର ଭାଇମାନଙ୍କ ମଧ୍ୟରୁ ଚଉଦ ଜଣ ଆସି ଏକ ସଙ୍ଗରେ ଭୀମକୁ ଆକ୍ରମଣ କଲେ । କିନ୍ତୁ ଭୀମଙ୍କ ପ୍ରହାରରେ ସେମାନଙ୍କୁ ମଧ୍ୟରୁ ଆଠ ଜଣ ମଲେ । ଅନ୍ୟମାନେ ପଳାଇଗଲେ ।

 

ଭୀଷ୍ମଙ୍କ ଆଦେଶରେ ଭଗଦତ୍ତ ଭୀମଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ । ଭୀମଙ୍କ ପୁତ୍ର ଘଟୋତ୍କଚ ବହୁ ରାକ୍ଷସ ସୈନ୍ୟ ଘେନି ପିତାଙ୍କୁ ସାହାଯ୍ୟ କରିବାକୁ ଆସିଲା । ଭଗଦତ୍ତଙ୍କର ପ୍ରାଣ ସଂଶୟ ଉପସ୍ଥିତ ହେଲା । ଏହି ସମୟରେ ସନ୍ଧ୍ୟା ହୋଇଯିବାରୁ ଯୁଦ୍ଧ ବନ୍ଦ ରହିଲା ।

 

ଏହା ପର ଦିନ ପ୍ରଭାତରୁ ପୁଣି ଯୁଦ୍ଧ ଆରମ୍ଭ ହେଲା । ଭୀମ ଓ ଅର୍ଜ୍ଜୁନ ପାଣ୍ତବମାନଙ୍କ ସମ୍ମୁଖ ଭାଗରେ ରହି ଦ୍ରୋଣଙ୍କ ସଙ୍ଗେ ଯୁଦ୍ଧ କଲେ । ଅର୍ଜ୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କ ସହିତ ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣଙ୍କର ଯୁଦ୍ଧ ଚାଲିଲା । ସାତ୍ୟକ ଦଶସହସ୍ର କୌରବ ସୈନ୍ୟଙ୍କୁ ବଧ କଲେ । କିନ୍ତୁ ସାତ୍ୟକିଙ୍କର ଦଶପୁତ୍ର ଭୂରିଶ୍ରବାଙ୍କ ଦ୍ୱାରା ନିହତ ହେଲେ । ସନ୍ଧ୍ୟାର ଆଗମନ ଦେଖି ଭୀଷ୍ମ ଯୁଦ୍ଧ ବନ୍ଦ କରାଇଦେଲେ । ଉଭୟ ପକ୍ଷ ନିଜ ନିଜ ଶିବିରକୁ ଗଲେ ।

 

ଷଷ୍ଠ ଦିନର ଯୁଦ୍ଧରେ ଭୀମ ପ୍ରାଣପଣ କରି ଶତ ଶତ କୁରୁବୀରଙ୍କ ନିହତ କଲେ ଓ ନିଜେ ଆହତ ହେଲେ । ସେ ରଥରୁ ଓହ୍ଲାଇ ଗଦାରେ ଶତ୍ରୁସୈନ୍ୟ ନିପାତ କରିବାରେ ଲାଗିଲେ । ଧୃଷ୍ଟଦ୍ୟୁମ୍ନ ଦେଖିଲେ ଭିମ ଏକାକୀ ଶତ୍ରୁବ୍ୟୂହ ମଧ୍ୟରେ ଯୁଦ୍ଧ କରୁଛନ୍ତି । ତେଣୁ ସେ ତାଙ୍କୁ ସାହାର୍ଯ୍ୟ କରିବାକୁ ଧାଇଁଗଲେ । ଦୁର୍ଯ୍ୟୋଧନଙ୍କର ଅନେକ ଭାଇ ଯୁଦ୍ଧଭୂଇଁରେ ମରି ଶୋଇଲେ । ଧୃଷ୍ଟଦ୍ୟୁମ୍ନ ଭୀମକୁ ପୁଣି ରଥରେ ବସାଇ ଦେଲେ ଓ ନିଜେ ଦ୍ରୋଣଙ୍କ ସହିତ ଯୁଦ୍ଧକଲେ । ଭୀଷ୍ମ ଓ ଅର୍ଜ୍ଜୁନ ମଧ୍ୟ ବହୁସଂଖ୍ୟକ ଶତ୍ରୁ ସୈନ୍ୟ ବଧକଲେ । ସେ ଦିନର ଯୁଦ୍ଧରେ କେହି କାହାର ବିଶେଷ କ୍ଷତି କରିପାରିଲେ ନାହିଁ ।

 

ସପ୍ତମ ଦିନର ଯୁଦ୍ଧରେ ପାଣ୍ତବ ପକ୍ଷର ବିଶେଷ କ୍ଷତି ହେଲା । ବିରାଟଙ୍କ ପୁତ୍ର ଶଙ୍ଖ ଦ୍ରୋଣଙ୍କ ଶରରେ ମଲେ । ଯୁଧିଷ୍ଠିର, ଭୀମ ଓ ଅର୍ଜ୍ଜୁନଙ୍କ ଚେଷ୍ଟା ସତ୍ତ୍ୱେ ପାଣ୍ତବ ସୈନ୍ୟମାନେ ପଛଘୁଞ୍ଚା ଦେବାକୁ ଲାଗିଲେ । ସେମାନେ ଭୀଷ୍ମଙ୍କ ଉପରେ ପ୍ରବଳ ଆକ୍ରମଣ ଚଳାଇଲେ । କିନ୍ତୁ ସେମାନେ ଭୀଷ୍ମଙ୍କ ବିରୁଦ୍ଧରେ ବେଶି ସମୟ ଯୁଦ୍ଧ ଚଳାଇ ପାରିଲେ ନାହିଁ । ନକୁଳ ଓ ସହଦେବ ଭୀଷଣ ଯୁଦ୍ଧ କରି ଶଲ୍ୟଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲେ । ସାରଥି ଶଲ୍ୟଙ୍କୁ ଅଜ୍ଞାନ ଅବସ୍ଥାରେ ଯୁଦ୍ଧକ୍ଷେତ୍ରରୁ ନେଇଗଲା । ସନ୍ଧ୍ୟାହେବାରୁ ଯେ ଯାହାର ଶିବିରକୁ ଚାଳିଗଲେ ।

 

ଅଷ୍ଟମ ଦିନ ଭୀମ ଭୀଷ୍ମଙ୍କ ଉପରେ ପ୍ରଚଣ୍ତ ଆକ୍ରମଣ କରିବାକୁ ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଜ ଭାଇମାନଙ୍କୁ ପଠାଇଦେଲେ । ଭୀମ ଭୀଷ୍ମଙ୍କ ସାରଥିକୁ ମାରିଦେଲେ-। ଦୁର୍ଯ୍ୟୋଧନଙ୍କର ସାତୋଟି ଭାଇ ଭୀମଙ୍କୁ ମାରିବାକୁ ଆସି ନିଜେ ଭୀମଙ୍କ ହାତରେ ମଲେ-

 

ଅର୍ଜ୍ଜୁନଙ୍କ ପୁତ୍ର ଇରାବାନ୍‌ଙ୍କ ବିରୁଦ୍ଧରେ ଶକୁନି ଓ ତାର ଛଅଭାଇ ଯୁଦ୍ଧ କଲେ । ଇରାବାନ୍‌ ଆହତ ହେଲେ ହେଁ ରଥରୁ ଡେଇଁପଡ଼ି ଶତ୍ରୁମାନଙ୍କୁ ମାରିବାକୁ ଲାଗିଲେ । କେବଳ ଶକୁନି ଛଡ଼ା ଛଅ ଭାଇଯାକ ମଲେ । କିନ୍ତୁ ଇରାବାନ୍‌ଙ୍କ ଏହି ବିଜୟ ବେଶି ସମୟ ସ୍ଥାୟୀ ହୋଇ ନଥିଲା । ଶକୁନି ପଳାଇଯାଇ ଅଳମ୍ୱୁଷ ବୋଲି ଜଣେ ରାକ୍ଷସକୁ ଇରାବାନ୍‌ଙ୍କ ସଙ୍ଗେ ଯୁଦ୍ଧ କରିବାକୁ ପଠାଇଲା । ସେ ମାୟାଯୁଦ୍ଧରେ ଇରାବାନ୍‌ଙ୍କୁ ବଧକଲା ।

 

ଅର୍ଜ୍ଜୁନ ପୁତ୍ରର ମୃତ୍ୟୁ ସମ୍ୱାଦ ପାଇ କ୍ରୋଧାନ୍ଧ ହୋଇଉଠିଲେ । ସେ ଶତ୍ରୁସୈନ୍ୟମାନଙ୍କ ଭିତରେ ପ୍ରବେଶ କରି ସେମାନଙ୍କୁ ବଧ କରିବାକୁ ଲାଗିଲେ । ଭୀମ ମଧ୍ୟ ଦୁର୍ଯ୍ୟୋଧନଙ୍କର ନଅଟି ଭାଇଙ୍କୁ ବଧକଲେ ।

 

ସେଦିନ ରାତିରେ ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ କହିଲେ, ‘‘ଆପଣ ପାଣ୍ତବମାନଙ୍କୁ ମାରୁନାହାନ୍ତି-। ବୋଧହୁଏ, ସେମାନଙ୍କୁ ମାରିବା ଆପଣଙ୍କର ଇଚ୍ଛା ନୁହେଁ । କର୍ଣ୍ଣଙ୍କୁ କହିଲେ ସେ ପାଣ୍ତବମାନଙ୍କୁ ଶେଷ କରିଦେବେ ।’’

 

ଭୀଷ୍ମ ଉତ୍ତର କଲେ, ‘‘ମୁଁ ପ୍ରାଣପଣ ଯୁଦ୍ଧ କରୁଛି । ତଥାପି ତୁମେ ଭାବୁଛ ଯେ ମୁଁ ପାଣ୍ତବମାନଙ୍କୁ ଦୟା କରୁଛି ! ଯେଉଁ ପାଣ୍ତବମାନେ ତୁମମାନଙ୍କୁ ଗନ୍ଧର୍ବଙ୍କ ହାତରୁ ମୁକ୍ତ କରିଥିଲେ, ମତ୍ସ୍ୟରାଜ୍ୟରେ ତୁମକୁ ତଡ଼ି ଗୋଧନ ଛଡ଼ାଇ ନେଇଥିଲେ, ସେମାନଙ୍କୁ ମାରିବା ସହଜ ନୁହେଁ । ଯାହାହେଉ କାଲି ମୁଁ କଅଣ କରୁଛି ଦେଖିବ ।’’

 

ନବମ ଦିନ ଭୟାନକ ଯୁଦ୍ଧ ହେଲା । ଭୀଷ୍ମଙ୍କର ବଜ୍ରତୁଲ୍ୟ ଶରର ଆଘାତରେ ପାଣ୍ତବ ସୈନ୍ୟମାନେ ଏଣେତେଣେ ପଳାଇବାକୁ ଲାଗିଲେ । ଅର୍ଜ୍ଜୁନ ଅନେକ ଥର ଭୀଷ୍ମଙ୍କର ସମ୍ମୁଖୀନ ହେଲେ । କିନ୍ତୁ ଭୀଷ୍ମଙ୍କୁ ଚାହିଁଲାକ୍ଷଣି ସେ ଶର ମାରିପାରିଲେ ନାହିଁ । କୃଷ୍ଣ ଅର୍ଜ୍ଜୁନଙ୍କ ଉପରେ ବିରକ୍ତ ହେଲେ ।

 

ସେଦିନର ଯୁଦ୍ଧ ବନ୍ଦ ହେଲା । ରାତିରେ ପାଣ୍ତବମାନେ ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ଆମେ ଯେଉଁ ଭୀଷ୍ମଙ୍କ କୋଳରେ ବଢ଼ି ମଣିଷ ହୋଇଛୁ, ତାଙ୍କୁ ମାରିବୁ କିପରି ?’’ ଯୁଧିଷ୍ଠିରଙ୍କର ମନେପଡ଼ିଲା, ଭୀଷ୍ମ ନିଜର ମରଣର ଉପାୟ ଯଥାସମୟରେ କହିବେ ବୋଲି କହିଛନ୍ତି । ତେଣୁ ପାଞ୍ଚଭାଇଯାକ ଶ୍ରୀକୃଷ୍ଣଙ୍କୁ ସଙ୍ଗରେ ନେଇ ଭୀଷ୍ମଙ୍କ ଶିବିରରେ ପହଞ୍ଚିଲେ । କୁଶଳ ପ୍ରଶ୍ନ ପରେ ଭୀଷ୍ମ କହିଲେ, ‘‘ମୋ ହାତରେ ଧନୁଶର ଥିବାଯାଏ କେହି ମୋତେ ମାରିପାରିବେ ନାହିଁ । ମୋର ନୀତି ହେଉଛି, ସ୍ତ୍ରୀ କିମ୍ୱା ଆଶ୍ରିତ ଲୋକ ସଙ୍ଗେ ମୁଁ ଯୁଦ୍ଧ କରବି ନାହିଁ । ତୁମ ପକ୍ଷରେ ଦ୍ରୁପଦଙ୍କର ଶିଖଣ୍ତି ବୋଲି ଗୋଟିଏ ପୁଅ ଅଛି । ସେ ପୂର୍ବଜନ୍ମରେ ଆମ୍ୱା ବୋଲି ଜଣେ ସ୍ତ୍ରୀ ଥିଲେ । ସେ ଅର୍ଜ୍ଜୁନଙ୍କ ଆଗରେ ରହିଲେ ମୁଁ ଅସ୍ତ୍ର ଫିଙ୍ଗିଦେବି । ସେତିକିବେଳେ ଅର୍ଜ୍ଜୁନ ଶର ମାରିଲେ ମୋର ମରଣ ହେବ ।’’

 

ଅର୍ଜ୍ଜୁନ ଏହା ଶୁଣି ମନ ଦୁଃଖକରି କହିଲେ, ‘‘ହେ ଶ୍ରୀକୃଷ୍ଣ ! ହେ ସଖା ପିତାମହ ଭୀଷ୍ମ ନିଜ ମୃତ୍ୟୁର ଉପାୟ କହିଦେଲେ । କିନ୍ତୁ ମୁଁ ମଲେ ସୁଦ୍ଧା ଏପରି ହୀନକାର୍ଯ୍ୟ କରିପାରିବି ନାହିଁ ।’’

 

କିନ୍ତୁ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ବହୁତ ବୁଝାଇ ଭୀଷ୍ମଙ୍କୁ ମାରିବାକୁ ରାଜି କରାଇଲେ ।

 

ଆଜି ଯୁଦ୍ଧର ଦଶମ ଦିନ । ଭୀଷ୍ମ ଆଜି ଧର୍ମଯୁଦ୍ଧରେ ଜୀବନ ବିସର୍ଜନ ଦେବାକୁ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ।

 

ସେ ଅଦ୍ଭୁତ ବିକ୍ରମରେ ସହସ୍ର ସହସ୍ର ପାଣ୍ତବସେନା ବଧକଲେ । ଯୁଧିଷ୍ଟିର ହତାଶ ହୋଇପଡ଼ିଲେ । ଭୀଷ୍ମଙ୍କ ବିରୁଦ୍ଧରେ ଯୁଦ୍ଧକରି ଜୟଲାଭ କରିବାର ଆଶା ସେ ଛାଡ଼ିଦେଲେ । ତହୁଁ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ସ୍ମରଣ କରାଇଦେଲେ, ଭୀଷ୍ମ ନିଜେ ତାଙ୍କ ମୃତ୍ୟୁର ପନ୍ଥା କହିଦେଇଅଛନ୍ତି–‘‘ଶିଖଣ୍ତିକୁ ଆଗରେ ରଖି ତୁମେ ଯୁଦ୍ଧ କର । ଭୀଷ୍ମ ଅସ୍ତ୍ରତ୍ୟାଗ କରିବେ । ସେତିକିବେଳେ ତୁମେ ଶରମାରି ତାଙ୍କୁ ବଧ କରିପାରିବ ।’’ ଅର୍ଜ୍ଜୁନ ଉତ୍ତର କଲେ, ‘‘ଭୀଷ୍ମଙ୍କ ଭଳି ମହାପୁରୁଷଙ୍କୁ କପଟ ଯୁଦ୍ଧରେ ହତ୍ୟା କରିବା ମହାପାପ ହେବ ।’’ ଶ୍ରୀକୃଷ୍ଣ ପୁଣି କହିଲେ, ‘‘ତୁମେ କର୍ତ୍ତବ୍ୟ ଭୁଲି ଯାଉଛ । ଭୀଷ୍ମ ଧାର୍ମିକ । ପବିତ୍ର ଧର୍ମ ନାମରେ ସେ ଆର୍ମ ବିସର୍ଜନ କରିବେ ବୋଲି ତାଙ୍କ ମୃତ୍ୟୁର ଉପାୟ କହିଦେଇଛନ୍ତି ।’’

 

ଦ୍ରୁପଦ, ବିରାଟ, ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ସହଦେବ, ଅଭିମନ୍ୟୁ ପ୍ରଭୃତି ପାଣ୍ତବ ପକ୍ଷର ମହାବଳୀ ବୀରମାନେ ଭୀଷ୍ମଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଅଗ୍ରସର ହେଲେ । ଏହା ଦେଖି ଦୁର୍ଯ୍ୟୋଧନ ନିଜ ପକ୍ଷରୁ ଦ୍ରୋଣ, ଅଶ୍ୱତ୍‌ଥାମା, କୃପ ପ୍ରଭୃତିଙ୍କୁ ଭୀଷ୍ମଙ୍କ ରକ୍ଷା ନିମନ୍ତେ ପଠାଇଲେ-। ଦୁଃଶାସନ କ୍ରୋଧରେ ଅର୍ଜ୍ଜୁନଙ୍କ ଉପରେ ଶର ବୃଷ୍ଟି କରିବାକୁ ଲାଗିଲା । ଦ୍ରୋଣ, ଜୟଦ୍ରଥ, ଚିତ୍ରସେନ, ବିକର୍ଣ୍ଣ ପ୍ରଭୃତି ପାଣ୍ତବମାନଙ୍କୁ ଆକ୍ରମଣ କଲେ । ଅନେକ ସମୟ ପର୍ଯ୍ୟନ୍ତ କେହି ଅପର ପକ୍ଷକୁ ପରାସ୍ତ କରିପାରିଲେ ନାହିଁ । କେବଳ ଉଭୟ ପକ୍ଷରୁ ବହୁ ସୈନ୍ୟ ନିହତ ହେଲେ-

 

ଭୀମ ଓ ଅର୍ଜ୍ଜୁନ ରଥରେ ବସି ଭୀଷ୍ମଙ୍କର ନିକଟବର୍ତ୍ତୀ ହେଲେ । ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁସାରେ ଅର୍ଜ୍ଜୁନ ଶିଖଣ୍ତିକୁ ଆଗରେ ରଖି ନିଜେ ପଛରେ ରହିଗଲେ । ଭୀଷ୍ମ ଶିଖଣ୍ତିଙ୍କୁ ଦେଖିଲାମାତ୍ରେ ନିଜର ଅସ୍ତ୍ର ଫିଙ୍ଗିଦେଲେ । ସେ ଅର୍ଜ୍ଜୁନଙ୍କ ଶରର ଆଘାତରେ ଟଳିପଡ଼ିଲେ । ତାଙ୍କର ଦେହଯାକ ଶରରେ ବିନ୍ଧିହୋଇ ଯାଇଥିବାରୁ ସେ ଭୂଇଁରେ ପଡ଼ିଗଲେ ନାହିଁ; ଶରଗୁଡ଼ିକ ଉପରେ ତାଙ୍କ ଦେହ ରହିଲା; କେବଳ ମୁଣ୍ତଟି ଝୁଲିପଡ଼ିଲା ।

 

ସେତେବେଳେକୁ ସେଦିନର ଯୁଦ୍ଧ ସରିଯାଇଥିଲା । କୌରବ ଓ ପାଣ୍ତବମାନେ କାନ୍ଦି କାନ୍ଦି ତାଙ୍କୁ ବେଢ଼ିରହିଲେ । ସେ ମୁଣ୍ତ ତଳେ ଦେବାପାଇଁ ଗୋଟିଏ ତକିଆ ଚାହିଁବାରୁ କେତେ ସୁନ୍ଦର ତକିଆ ଅଣାଗଲା । ଭୀଷ୍ମ କହିଲେ, ‘‘ମୁଁ ଶରଶଯ୍ୟାରେ ଶୋଇଛି । ମୋର ଯେପରି ତକିଆ ଦରକାର ତାହା ଅର୍ଜ୍ଜୁନ ଦେଇପାରିବ ।’’

 

ଅର୍ଜ୍ଜୁନ ତିନୋଟି ଶର ଏପରି ମାରିଲେ ଯେ ତାହା ଉପରେ ଭୀଷ୍ମଙ୍କ ମୁଣ୍ତଟି ତକିଆ ଉପରେ ରହିବା ଭଳି ରହିଲା । ତହୁଁ ସେ କହିଲେ, ସୂର୍ଯ୍ୟ ଦକ୍ଷିଣାୟନ ନ ହେବାଯାଏ ମୁଁ ଦେହ ଛାଡ଼ିବିନାହିଁ । ଦୁର୍ଯ୍ୟୋଧନ ତାଙ୍କ ଚିକିତ୍ସାର ବ୍ୟବସ୍ଥା କରିବାକୁ କହିବାରୁ ସେ ମନା କରିଦେଲେ । ଭୀଷ୍ମଙ୍କ ପାଖରେ ପ୍ରହରୀମାନଙ୍କୁ ରଖାଇ ସମସ୍ତେ ନିଜ ନିଜ ଶିବିରକୁ ଗଲେ

 

ସକାଳୁ ସମସ୍ତେ ଆସି ପୁଣି ଭୀଷ୍ମଙ୍କୁ ବେଢ଼ି ବସିଲେ । ତାଙ୍କୁ ଶୋଷ ହେବାରୁ ସେ ପାଣି ମାଗିଲେ । ରାଜାମାନେ ସୁବର୍ଣ୍ଣଝରୀରେ ସୁବାସ ଜଳ ଆଣି ଦେଲେ । କିନ୍ତୁ ଭୀଷ୍ମ ଅର୍ଜ୍ଜୁନଂକୁ କହିଲେ, ‘‘ମୋତେ ପିଇବାକୁ ପାଣି ଦିଅ ।’’ ଅର୍ଜ୍ଜୁନ ଗୋଟିଲ ଶର ମାରିବାକୁ ଭୂଇଁରୁ ଗୋଟିଏ ପାଣିଧାର ବାହାରି ଭୀଷ୍ମଙ୍କ ମୁହଁରେ ପଡ଼ିଲା । ତାକୁ ପିଇ ଭୀଷ୍ମ ତୃପ୍ତ ହୋଇ ଅର୍ଜ୍ଜୁନଙ୍କୁ ଆଶୀର୍ବାଦ କଲେ ।

 

ଶରଶଯ୍ୟାରେ ପଡ଼ିରହି ଭୀଷ୍ମ ଦୁର୍ଯ୍ୟୋଧନ ଓ କର୍ଣ୍ଣଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ଉପଦେଶ ଦେଲେ । ମାତ୍ର ସେମାନେ ତାହା ମାନିଲେ ନାହିଁ ।

 

ଶେଷ ଆଠଦିନର ଯୁଦ୍ଧ :

 

ଯୁଦ୍ଧର ଏକାଦଶ ଦିନରେ ଦ୍ରୋଣ କୌରବମାନଙ୍କର ସେନାପତି ହୋଇ ଯୁଦ୍ଧ କଲେ । ବହୁ ପାଣ୍ତବ ସୈନ୍ୟ ସେଦିନ ତାଙ୍କ ହାତରେ ମଲେ । ଏକ ସମୟରେ ଦ୍ରୋଣ ଯୁଧିଷ୍ଠିରଙ୍କୁ ପ୍ରାୟ ଧରିପକାଇଥିଲେ । କିନ୍ତୁ ବିରାଟ, ସାତ୍ୟକି, ଦ୍ରୁପଦ ପ୍ରଭୃତି ପାଣ୍ତବ ପକ୍ଷୀୟ ବୀରମାନେ ଆସି ଯୁଧିଷ୍ଠିରଙ୍କ ଏହି ବିପଦରୁ ରକ୍ଷାକଲେ ।

 

ଏହାର ପରଦିନ ପଚାଶ ହଜାର କୌରବସେନା ଅର୍ଜ୍ଜୁନଙ୍କୁ ମାରିବେ ବା ମରିବେ ବୋଳି ପ୍ରତିଜ୍ଞା କରି ଯୁଦ୍ଧକୁ ଆସିଲେ । ସେମାନଙ୍କ ସଙ୍ଗେ ନାରାୟଣୀ ସେନା ଯୋଗଦେଲେ । କିନ୍ତୁ ଅର୍ଜ୍ଜୁନ ଏହି ମିଳିତ ସେନାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ ତତ୍ପରେ ଅର୍ଜ୍ଜୁନ କର୍ଣ୍ଣଙ୍କର ତିନୋଟି ଭାଇଙ୍କୁ ବଧ କଲେ । ନିଜେ କର୍ଣ୍ଣ ମଧ୍ୟ ପାଣ୍ତବଙ୍କଠାରୁ ବହୁତ ପରାଭବ ପାଇଲେ ।

 

ତ୍ରୟୋଦଶ ଦିନରେ ଦ୍ରୋଣ କୌରବ ସୈନ୍ୟମାନଙ୍କୁ ଚକ୍ରବ୍ୟୁହରେ ସଜାଇ ରଖି ଯୁଦ୍ଧ କଲେ । ଅର୍ଜ୍ଜୁନଙ୍କ ଛଡ଼ା ଅନ୍ୟ କାହାରିକୁ ଚକ୍ରବ୍ୟୁହରେ ପଶି ବାହାରି ଆସିବାର କୌଶଳ ଜଣା ନଥିଲା । ତେଣେ ଅର୍ଜ୍ଜୁନ ସଂଶପ୍ତକ ସୈନ୍ୟମାନଙ୍କ ସଙ୍ଗେ ଯୁଝୁଥାନ୍ତି । ତାଙ୍କ ପୁଅ ଅଭିମନ୍ୟୁ ଚକ୍ରବ୍ୟୁହରେ ପ୍ରବେଶ କରିବା ଜାଣିଥାନ୍ତି, କିନ୍ତୁ ବାହାରିବାର ଉପାୟ ଜାଣିନଥାନ୍ତି । ପାଣ୍ତବମାନଙ୍କର ବାରଣ ସତ୍ତ୍ୱେ ସେ ବ୍ୟୁହ ମଧ୍ୟରେ ପ୍ରବେଶ କରି ସହସ୍ର ସହସ୍ର ସୈନ୍ୟ ବଧକଲେ । ବାଳକ ଅଭିମନ୍ୟୁଙ୍କର ଅଦ୍ଭୁତ ବୀରତ୍ୱ ଦେଖି ଦ୍ରୋଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଦ୍ରୋଣ, କୃପ, କର୍ଣ୍ଣ ପ୍ରଭୃତି ଛଅଜଣ ବଡ଼ ବୀର ଅଭିମନ୍ୟୁଙ୍କୁ ଆକ୍ରମଣ କରି ଜଣକ ପରେ ଜଣେ ପରାସ୍ତ ହୋଇଗଲେ । ପରେ ଛଅଜଣଯାକ ମିଳି ଏକ ସଙ୍ଗରେ ଅଭିମନ୍ୟୁଙ୍କୁ ଆକ୍ରମଣ କଲେ । ଅଭିମନ୍ୟୁ ସେମାନଙ୍କ ସଙ୍ଗେ ପ୍ରବଳ ଯୁଦ୍ଧ କରି ଶେଷରେ ପ୍ରାଣତ୍ୟାଗ କଲେ ।

 

ଅର୍ଜ୍ଜୁନ ସଂଶପ୍ତକମାନଙ୍କୁ ବିନାଶ କରି ଶିବିରକୁ ଆସିଲେ । ଶୁଣିଲେ ଯେ ତାଙ୍କର ପ୍ରିୟା ସନ୍ତାନ ଅଭିମନ୍ୟୁ ଯୁଦ୍ଧରେ ମରିଛି ଓ ଜୟଦ୍ରଥ ଯେ ତାଙ୍କର ଅଜ୍ଞାନ ଅବସ୍ଥାରେ ବଧ କରିଛି । ଅର୍ଜ୍ଜୁନ ପରଦିନ ଜୟଦ୍ରଥକୁ ବଧ କରିବେ ବୋଲି ପ୍ରତିଜ୍ଞା କଲେ । ଚତୁର୍ଦ୍ଦଶଦିନର ଯୁଦ୍ଧରେ ଅର୍ଜ୍ଜୁନ ନିଜର ପ୍ରତିଜ୍ଞା ରକ୍ଷାକରି ଜୟଦ୍ରଥକୁ ବଧକଲେ । ଏହି ଯୁଦ୍ଧରେ ପଞ୍ଚାଳ ରାଜାଙ୍କର ପାଞ୍ଚଟି ପୁଅ ଦ୍ରୋଣଙ୍କ ହାତରେ ନିହିତ ହେଲେ । ଭୀମଙ୍କର ପ୍ରଚଣ୍ତ ଆକ୍ରମଣରେ ଦୁର୍ଯ୍ୟୋଧନଙ୍କର ମୋଟରେ ଊଣେଇଶଟି ଭାଇ ପ୍ରାଣ ହରାଇଲେ ।

 

ସେଦିନ ସନ୍ଧ୍ୟା ପରେ ମଧ୍ୟ ଯୁଦ୍ଧ ଚାଲିଲା । ଯୁଦ୍ଧରେ ସାତ୍ୟକି ଅପୂର୍ବ ବୀରତ୍ୱ ପ୍ରକାଶ କରି କର୍ଣ୍ଣ, ଅଶ୍ୱତ୍‍ଥାମା, କୃତବର୍ମା ପ୍ରଭୃତି ଅନେକ କୌରବ ପକ୍ଷରୁ ବୀରଙ୍କୁ ପରାସ୍ତ କଲେ । ଅଶ୍ୱତ୍‍ଥାମା ସାତ୍ୟକିଙ୍କଠାର ପରାଜୟ ପାଇ ଭୀମଙ୍କ ପୁତ୍ର ଘଟୋତ୍କଚ ସଙ୍ଗେ ଯୁଦ୍ଧ କଲେ । ଏଥିରେ ଅଶ୍ୱତ୍‌ଥାମା ଜିଣିଲେ । ଅର୍ଜ୍ଜୁନଙ୍କ ଆଦେଶରେ ଘଟୋତ୍କଚ କର୍ଣ୍ଣଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଗଲେ । ତାଙ୍କର ମାୟା ଯୁଦ୍ଧରେ କର୍ଣ୍ଣ ଅଶ୍ୱ ଓ ସାରଥି ହରାଇଲେ । ଶେଷରେ ସେ ପୁରୁଷଘାତିନୀ ବୋଲି ଏକ ଶକ୍ତି ମାରି ଘଟୋତ୍କଚକୁ ବଧ କଲେ ।

 

ପଞ୍ଚଦଶ ଦିନର ଯୁଦ୍ଧରେ ଦ୍ରୋଣ ଅର୍ଜ୍ଜୁନଙ୍କର ବିଚିତ୍ର ଯୁଦ୍ଧ କୌଶଳ ଦେଖି ଆନନ୍ଦିତ ହୋଇ ଭାବିଲେ ମୋର ଶିକ୍ଷାଦାନ ସାର୍ଥକ ହୋଇଅଛି । ଅର୍ଜ୍ଜୁନ ଯଥାର୍ଥରେ ମୋର ଶ୍ରେଷ୍ଠ ଶିଷ୍ୟ ।

 

ଦ୍ରୋଣଙ୍କର ଯୁଦ୍ଧ ଦେଖି ପାଣ୍ତବମାନେ ଅସ୍ତବ୍ୟସ୍ତ ହୋଇଗଲେ । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଲେ, ଦ୍ରୋଣଙ୍କୁ ମାରିବାକୁ ହେଲେ କେହି ଜଣେ ଧାର୍ମିକ ଲୋକ ତାଙ୍କୁ କହିବାକୁ ହେବ, ‘ଅଶ୍ୱତ୍‌ଥାମା ମରିଗଲାଣି’; ତାହାହେଲେ ସେ ଅସ୍ତ୍ର ତ୍ୟାଗ କରିବେ । ସମସ୍ତେ ମିଶି ଯୁଧିଷ୍ଠିରଙ୍କୁ କହିଲେ, ‘‘ତୁମେ ଏକଥା କହିଲେ ଦ୍ରୋଣ ବିଶ୍ୱାସ କରି ଅସ୍ତ୍ର ତ୍ୟାଗ କରିବେ ।’’ କିନ୍ତୁ ଯୁଧିଷ୍ଠିର କି ସହଜେ ଏତେ ବଡ଼ ମିଥ୍ୟା କଥା କହିବେ ?

 

ପାଣ୍ତବମାନଙ୍କୁ ପକ୍ଷରେ ଜଣେ ରାଜାଙ୍କର ଅଶ୍ୱତ୍‌ଥାମା ବୋଲି ଗୋଟିଏ ହାତୀ ଥିଲା । ଭୀମ ତାହାକୁ ମାରିଦେଇ ଦ୍ରୋଣଙ୍କୁ ଶୁଣାଇ କହିଲେ, ‘‘ଅଶ୍ୱତ୍‌ଥାମା ମରିଗଲା ।’’ ଦ୍ରୋଣ ବିଚାରିଲେ, ‘‘ମୋର ପୁଅ ତ ଅମର । ଭୀମ ମିଛ କହୁଥିବ । ପ୍ରକୃତ କଥା ଜାଣିବା ପାଇଁ ସେ ଯୁଧିଷ୍ଠିରଙ୍କୁ ପଚାରିଲେ । ଯୁଧିଷ୍ଠିର କହିଲେ, ‘‘ହଁ, ଅଶ୍ୱତ୍‌ଥାମା ମରିଗଲା–ହାତୀ ।’’ କିନ୍ତୁ ହାତୀ ଶବ୍ଦଟି ସେ ଏତେ ନିମ୍ନ ସ୍ୱରରେ କହିଲେ ଯେ ଦ୍ରୋଣ ତାହା ଶୁଣିପାରିଲେ ନାହିଁ ।

 

ପୁଅ ମଲାଣି ଭାବି ଦ୍ରୋଣ ଅସ୍ତ୍ର ତ୍ୟାଗ କଲେ । ଏହି ଅବସରରେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କର ମସ୍ତକ ଛେଦନ କଲେ ।

 

ଏବେ ଯୁଦ୍ଧର ଷୋଡ଼ଶ ଦିନ ଉପସ୍ଥିତ । ଦ୍ରୋଣଙ୍କ ମୃତ୍ୟୁ ପରେ କର୍ଣ୍ଣ କୌରବମାନଙ୍କର ସେନାପତି ହେଲେ । ଏଦିନ ମଧ୍ୟ ଅବଶିଷ୍ଟ ସଂଶପ୍ତକ ସେନା ଆସି ଅର୍ଜ୍ଜୁନଙ୍କ ସଙ୍ଗେ ଯୁଦ୍ଧକଲେ । ଅଶ୍ୱତ୍‌ଥାମା ଆସି ସେମାନଙ୍କ ସଙ୍ଗେ ଯୋଗଦେଲେ । ମାତ୍ର ଯୁଦ୍ଧରେ ହାରି ପଳାଇଲେ । କର୍ଣ୍ଣ ଓ ଅର୍ଜ୍ଜୁନ ପରସ୍ପର ଯୁଦ୍ଧ କଲେ । କିନ୍ତୁ କେହି କାହାକୁ ହରାଇ ପାରିଲେ ନାହିଁ । ସେ ଦିନ ଯୁଦ୍ଧ ବନ୍ଦ ହେଲା ।

 

ଏହାର ପରଦିନ କର୍ଣ୍ଣ ଅର୍ଜ୍ଜୁନଙ୍କୁ ମାରିବେ ବୋଲି ପ୍ରତିଜ୍ଞା କରି ଯୁଦ୍ଧକୁ ବାହାରିଲେ । ସେ ଭାବିଲେ, ଶ୍ରୀକୃଷ୍ଣଙ୍କ ଭଳି ଜଣେ ଭଲ ସାରଥି ନହେଲେ ସେ ଅର୍ଜ୍ଜୁନଙ୍କୁ ମାରିବା ସହଜ ହେବନାହିଁ । ଦୁର୍ଯ୍ୟୋଧନ କୌଣସିମତେ ଶଲ୍ୟଙ୍କୁ କର୍ଣ୍ଣଙ୍କର ସାରଥି ହେବାପାଇଁ ମଙ୍ଗାଇଲେ ।

 

ଶଲ୍ୟ ସାରଥି ହେଲେ ସତ; କିନ୍ତୁ ସେ କର୍ଣ୍ଣଙ୍କୁ ସାରଥିର ପୁଅ ବୋଲି ନିନ୍ଦା କଲେ ଓ ଅର୍ଜ୍ଜୁନଙ୍କଠାରୁ ହୀନ ବୋଲି କହିଲେ । ଶଲ୍ୟଙ୍କ ମୁହଁରୁ ଅର୍ଜ୍ଜୁନଙ୍କ ପ୍ରଶଂସା ଶୁଣି ସେ ବିରକ୍ତ ହେଲେ-

 

କର୍ଣ୍ଣ ଯୁଦ୍ଧକୁ ବାହାରିଲାବେଳେ ଦୁର୍ଯ୍ୟୋଧନଙ୍କୁ କହିଲେ, ‘‘ଅର୍ଜ୍ଜୁନ ମୋର ଚିର ଶତ୍ରୃ । ଆଜି ତାକୁ ମାରିବି ବା ନିଜେ ମରିବି ।’’ ପ୍ରଥମେ ଯୁଧିଷ୍ଠିର କର୍ଣ୍ଣଙ୍କ ସଙ୍ଗେ ଯୁଦ୍ଧକରି ହାରିଗଲେ । ତହୁଁ ଭୀମ ସାତ୍ୟକି ପ୍ରଭୃତି ପାଣ୍ତବ ବୀରମାନେ ଆଗେଇ ଆସି ବହୁ ସଂଖ୍ୟକ କୌରବ ସେନାଙ୍କୁ ବିନାଶ କଲେ । ତତ୍ପର ଭୀମ ଓ କର୍ଣ୍ଣଙ୍କର ଯୁଦ୍ଧ ଲାଗିଗଲା । ଭୀମଙ୍କ ଶରରେ କର୍ଣ୍ଣ ଅଜ୍ଞାନ ହୋଇ ପଡ଼ିବାରୁ ଶଲ୍ୟ ତାଙ୍କୁ ରଥରେ ଘେନି ପଳାଇଲେ । କିଛି ସମୟପରେ ଦୁର୍ଯ୍ୟୋଧନଙ୍କର କେତେକ ଭାଇ ଆସି କର୍ଣ୍ଣଙ୍କ ସଙ୍ଗେ ଯୋଗ ଦେବାରୁ ପୁଣି ଭୀମ ଓ କର୍ଣ୍ଣଙ୍କ ଭିତରେ ଯୁଦ୍ଧ ହେଲା । ଯୁଦ୍ଧ କ୍ଷେତ୍ରର ଅନ୍ୟ ଅଂଶରେ ଅର୍ଜ୍ଜୁନ ସଂଶପ୍ତକ ଓ ନାରାୟଣୀ ସେନାକୁ ପରାସ୍ତକରି ଅଶ୍ୱତ୍‌ଥାମାଙ୍କ ସଙ୍ଗେ ଯୁଦ୍ଧ କଲେ । ଅଶ୍ୱତ୍‌ଥାମାଙ୍କୁ ହରାଇ ଦେଇ ଅର୍ଜ୍ଜୁନ ଧୃଷ୍ଟଦ୍ୟୁମ୍‌ନଂକୁ ସାହାର୍ଯ୍ୟ କରିବାକୁ ଗଲେ ।

 

କର୍ଣ୍ଣ ଯୁଧିଷ୍ଠିରଙ୍କୁ ଧରିବା ପାଇଁ ପ୍ରାଣପଣ ଉଦ୍ୟମ କରୁଥିଲେ । କର୍ଣ୍ଣଙ୍କ ବାଣରେ ଅସ୍ଥିର ହୋଇ ଯୁଧିଷ୍ଠିର ଶିବିରକୁ ଯିବାକୁ ଚେଷ୍ଟା କଲେ । ନକୁଳ ଓ ସହଦେବ ଯୁଧିଷ୍ଠିରଙ୍କ ସଙ୍ଗରେ ଥିଲେ । କର୍ଣ୍ଣ ଆସି ସେମାନଙ୍କୁ ପଥରୋଧ କରିବାରୁ ପୁଣି ଯୁଦ୍ଧ ହେଲା । ପାଣ୍ତବମାନଙ୍କର ବହୁତ କ୍ଷତି ହେଲା ।

 

ଭୀମ ଯେପରି କୌରବ ସୈନ୍ୟ ବଧ କରିବାରେ ଲାଗିଥାନ୍ତି, କର୍ଣ୍ଣ ସେହିପରି ପାଣ୍ତବ ସୈନ୍ୟ ବଧ କରୁଥାନ୍ତି । ଏଥିମଧ୍ୟରେ ଦୁଃଶାସନ ଆସି ଭୀମଙ୍କୁ ଆକ୍ରମଣ କଲେ । ପ୍ରଥମ ଭୀମ ଦୁଃଶାସନର ସାରଥିକୁ ମାରିଦେଲେ । ସେ ନିଜେ ରଥ ଚଳାଇ ଭୀମଙ୍କ ସଙ୍ଗେ ଯୁଦ୍ଧ କରିବାରେ ଲାଗିଗଲେ । ଭୀମ ଗଦାର ପ୍ରହାରରେ ତାର ରଥକୁ ଭାଙ୍ଗି ଦେଲେ । ତତ୍ପରେ ସେ ଚମକି ଯାଇ ଦୁଃଶାସନର ଛାତିରେ ଖଣ୍ତା ଭୁଷି ଦେଲେ । ରକ୍ତ ପିଚିକି ଆସିବାରୁ ଭୀମ ତାହାକୁ ପିଇ କହିଲେ, ‘‘ଦ୍ରୌପଦୀଂକୁ ଅପମାନ ଦେବାର ପ୍ରତିଫଳ ଦୁଃଶାସନ ପାଇଲା । ଦୁର୍ଯ୍ୟୋଧନ ମଧ୍ୟ ଏହି ଦଶା ଭୋଗିବ ।’’ ଦୁର୍ଯ୍ୟୋଧନର ଆଉ ଦଶଟି ଭାଇ ଭୀମଙ୍କୁ ଆକ୍ରମଣ କଲେ । କିନ୍ତୁ ସମସ୍ତେ ଭୀମଙ୍କ ହାତରେ ମଲେ ।

 

କର୍ଣ୍ଣଙ୍କର ପୁଅ ବୃଷସେନ ଭୀମ, ଅର୍ଜ୍ଜୁନ ଓ ନକୁଳଙ୍କ ସଙ୍ଗେ ଖୁବ୍‌ ଯୁଦ୍ଧ କଲେ । କିନ୍ତୁ ଅର୍ଜ୍ଜୁନ ବୃଷସେନଙ୍କୁ ହତ୍ୟାକଲେ । ଅର୍ଜ୍ଜୁନ ଅଭିମନ୍ୟୁ ବଧର ପ୍ରତିଶୋଧ ନେଲେ ସତ; କିନ୍ତୁ ଏଥିରେ କର୍ଣ୍ଣ ରାଗିଯାଇ ଅର୍ଜ୍ଜୁନଙ୍କ ସଙ୍ଗେ ଯୁଦ୍ଧ କଲେ ।

 

କର୍ଣ୍ଣ ଓ ଅର୍ଜ୍ଜୁନ ଦୁହେଁ ମହାବୀର । ଦୁହିଁଙ୍କର ଶରରେ ଆକାଶ ଅନ୍ଧାର ହୋଇଗଲା । ଅର୍ଜ୍ଜୁନଙ୍କ ଶରରେ କର୍ଣ୍ଣ ଆହତ ହେଲେ । କିନ୍ତୁ ତାଙ୍କ ଧନୁର ଗୁଣ ଛିଣ୍ତି ଗଲା । ଏହି ସୁଯୋଗରେ କର୍ଣ୍ଣ ବହୁ ଶର ମାରି ଶ୍ରୀକୃଷ୍ଣ, ଅର୍ଜ୍ଜୁନ ଓ ଭୀମଙ୍କୁ ଅସ୍ତବ୍ୟସ୍ତ କରିଦେଲେ ଓ ଅନେକ ପାଣ୍ତବ ସୈନ୍ୟଙ୍କୁ ମାରିଲେ । ଅର୍ଜ୍ଜୁନ ପୁଣି ଗୁଣ ଚଢ଼ାଇ ଶର ପରେ ଶର ମାରିବାକୁ ଲାଗିଲେ । କର୍ଣ୍ଣଙ୍କର ମୁକୁଟ ଓ କୁଣ୍ଡଳ ଖସି ପଡ଼ିଲା, ତାଙ୍କ ଦେହ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଗଲା ସେ ଅଜ୍ଞାନ ହୋଇ ରଥରେ ପଡ଼ିଗଲେ ।

 

କିଛି ସମୟ ପରେ ଚେତା ଆସିବାରୁ ସେ ପୁଣି ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧରେ ମାତିଲେ । ଏହି ସମୟରେ ତାଙ୍କ ରଥର ଚକ ମାଟିଭିତରେ ଦବି ଗଲା । ସେ ଚକ ଟେକିବାକୁ ଯାଇ କହିଲେ, ‘‘ଅର୍ଜ୍ଜୁନ, ତୁମେ ଧାର୍ମିକ । ମୁଁ ଚକ ନ ଉଠାଇବା ଯାଏ ତୁମେ ଶର ମାର ନାହିଁ । ସେପରି କଲେ ତୁମର ଅଧର୍ମ ହେବ ।’’ ଶ୍ରକୃଷ୍ଣ ତାହା ଶୁଣି କହିଲେ, ‘‘ଏବେ ତୁମେ ଧର୍ମ କଥା କହୁଛ । କିନ୍ତୁ ମନେ ପକାଅ; ଭୀମକୁ ବିଷଲଡ଼ୁ ଦେଲାବେଳେ, ଦ୍ରୌପଦୀଙ୍କି ଅପମାନ ଦେଲାବେଳେ, କପଟପଶା ଖେଳିଲାବେଳେ, ଅଭିମନ୍ୟୁଙ୍କୁ ମାରିବା ବେଳେ ତୁମେ ଦୁର୍ଯ୍ୟୋଧନକୁ କି ଧର୍ମ ଉପଦେଶ ଦେଇଥିଲ ? ଯିଏ ଏତେ ଅଧର୍ମକୁ ଆଖି ବୁଜି ଆସିଛି, ତା ତୁଣ୍ଡରୁ ଧର୍ମକଥା ଶୋଭାପାଏ ନାହିଁ ।’’

 

କର୍ଣ୍ଣ ରଥରୁ ଓହ୍ଲାଇ ଚକ ଟେକୁଥିବା ବେଳେ ଅର୍ଜ୍ଜୁନ ଶର ମାରି କର୍ଣ୍ଣଙ୍କର ମୁଣ୍ଡଗଣ୍ଡି ଅଲଗା କରିଦେଲେ । ପାଣ୍ଡବମାନେ ଆନନ୍ଦରେ ଶଙ୍ଖ ବଜାଇଲେ । ଦୁର୍ଯ୍ୟୋଧନ ପ୍ରଭୃତି କୌରବମାନେ କାନ୍ଦ କାନ୍ଦ ଶିବିରକୁ ଫେରିଗଲେ । କର୍ଣ୍ଣ ବଧ ପରେ ସେ ଦିନର ଯୁଦ୍ଧ ବନ୍ଦ ରହିଲା-

 

ଯୁଦ୍ଧର ଶେଷ ଦିନ ଶଲ୍ୟ କୌରବମାନଙ୍କର ସେନାପତି ହେଲେ । ଶଲ୍ୟ ଓ ଭୀମଙ୍କ ମଧ୍ୟରେ ଭୀଷଶ ଗଦା ଯୁଦ୍ଧ ହେଲା । କେହି କାହାକୁ ଉଣା ନୁହନ୍ତି । ପାଣ୍ଡବମାନେ ଶଲ୍ୟଙ୍କ ଦ୍ୱାରା ଅସ୍ତବ୍ୟସ୍ତ ହୋଇଗଲେ । କିନ୍ତୁ ବହୁ ସମୟ ଯୁଦ୍ଧ ପରେ ଯୁଧିଷ୍ଠିର ଏକ ଶକ୍ତିର ଆଘାତରେ ଶଲ୍ୟଙ୍କୁ ବଧକଲେ ।

 

ଏହି ଦିନ କର୍ଣ୍ଣଙ୍କର ତିନୋଟି ପୁତ୍ର ନକୁଳଙ୍କ ଦ୍ୱାରା ଓ ଶଲ୍ୟଙ୍କର ଏକ ପୁତ୍ର ସହଦେବଙ୍କଦ୍ୱାରା ନିହିତ ହେଲେ ।

 

ଶଲ୍ୟଙ୍କ ମୃତ୍ୟୁ ବେଳକୁ କୌରବ ପକ୍ଷର ପ୍ରସିଦ୍ଧ ବୀରମାନେ ସମସ୍ତେ ବିନଷ୍ଟ ହୋଇଥିଲେ । ଅବଶିଷ୍ଟ କୌରବ ସୈନ୍ୟଙ୍କୁ ସଂଗ୍ରହ କରି ଦୁର୍ଯ୍ୟୋଧନ ଯୁଦ୍ଧ କରିବାକୁ ଲାଗିଲେ । କିନ୍ତୁ ଏଥିରେ ମଧ୍ୟ କୌରବମାନଙ୍କର ପରାଜୟ ହେଲା । ଶଲ୍ୟ ତାଙ୍କ ସୈନ୍ୟମାନଙ୍କ ସହ ପ୍ରାଣ ହରାଇଲେ । ଶକୁନି ଖୁବ୍ ପ୍ରତାପ ଦେଖାଇଲେ ସତ; କିନ୍ତୁ ତାଙ୍କର ଚାରିହଜାର ଅଶ୍ୱାରୋହୀ ସୈନ୍ୟ ମୃତ୍ୟୁ ମୁଖରେ ପଡ଼ିଲେ । ଦୁର୍ଯ୍ୟୋଧନଙ୍କର ଅବଶିଷ୍ଟ ଚାରୋଟି ଭାଇ ଭୀମଙ୍କ ହାତରେ ପ୍ରାଣ ଦେଲେ । ଶକୁନି ହାରି ପଳାଉଥିବାବେଳେ ସହଦେବ ତାଙ୍କୁ ହତ୍ୟାକଲେ ।

 

ଏବେ କୌରବଙ୍କ ପକ୍ଷର ସୈନ୍ୟଶେଷ । ରହିଲେ କେବଳ ଦୁର୍ଯ୍ୟୋଧନ, କୃପ, ଅଶ୍ୱତ୍‌ଥାମା ଓ କୃତବର୍ମା ।

 

ଦୁର୍ଯ୍ୟୋଧନଙ୍କୁ ଦଶ ଦିଗ ଶୂନ୍ୟ ଦିଶିଲା । ସେ ଜୀବନ ରଖିବା ପାଇଁ ଦ୍ୱୈପାୟନ ବୋଲି ଏକ ହ୍ରଦରେ ଲୁଚିବାକୁ ପଳାଇଲେ ।

 

କୃପ, ଅଶ୍ୱତ୍‌ଥାମା ଓ କୃତବର୍ମା ତାଙ୍କୁ ଡାକି କହିଲେ, ‘‘ଆପଣ ରାଜା ହୋଇ ପାଣିରେ ଲୁଚିଛନ୍ତି ? ଆସନ୍ତୁ, ଆମେ ଯୁଦ୍ଧ କରି ପାଣ୍ଡବଙ୍କୁ ଜିଣିବା ।’’ କିନ୍ତୁ ଦୁର୍ଯ୍ୟୋଧନ ପାଣିରୁ ବାହାରିଲେ ନାହିଁ ।

 

ପାଣ୍ଡବମାନେ କେତେକ ଶବରଙ୍କଠାରୁ ଦୁର୍ଯ୍ୟୋଧନ ହ୍ରଦରେ ଲୁଚିଥିବା ଖବର ପାଇ ସେଠାରେ ଉପସ୍ଥିତ ହେଲେ । ଯୁଧିଷ୍ଠିର ତାଙ୍କୁ ବହୁ କଟୁକଥା କହି ଯୁଦ୍ଧକୁ ଆହ୍ୱାନ କଲେ । ଦୁର୍ଯ୍ୟୋଧନ କହିଲେ, ‘‘ତୁମେ ଏତେ କଣ, ମୁଁ ଜଣେ । ତୁମର ସାଞ୍ଜୁ ଅସ୍ତ୍ରଶସ୍ତ୍ର ଅଛି, ମୋର କିଛି ନାହିଁ । ନ୍ୟାୟ ଯୁଦ୍ଧ କରିବାକୁ ମୁଁ ପ୍ରସ୍ତୁତ । ତୁମ ଭିତରୁ ଯେ କେହି ଜଣେ ମୋ ସଙ୍ଗେ ଗଦାଯୁଦ୍ଧ କରୁ ।’’ ପାଣ୍ଡବଙ୍କ ପକ୍ଷରୁ ଭୀମ ବାହାରିପଡ଼ିଲେ ।

 

ଦୈବାତ ବଳରାମ ଏତିକି ବେଳକୁ ତୀର୍ଥଭ୍ରମଣରୁ ଆସି ଦ୍ୱୈପାୟନ ହ୍ରଦକୂଳରେ ପହଞ୍ଚିଲେ । ସେ ଭୀମ ଓ ଦୁର୍ଯ୍ୟୋଧନ ଦୁହିଁଙ୍କୁ ଗଦାଯୁଦ୍ଧ ଶିକ୍ଷା ଦେଇଥିଲେ । ତାଙ୍କ ପରାମର୍ଶରେ ଏହି ଗଦାଯୁଦ୍ଧ କୁରୁକ୍ଷେତ୍ରରେ ହେବା ସ୍ଥିର ହେଲା ।

 

ଦୁହେଁ ଭୀଷଣ ଗଦାଯୁଦ୍ଧରେ ପ୍ରବୃତ୍ତ ହେଲେ । ପ୍ରଥମେ ଭୀମ ହାରିଯିବାର ଛଳନା କରି ପରେ ପ୍ରବଳ ଗଦାପ୍ରହାରରେ ଦୁର୍ଯ୍ୟୋଧନଙ୍କର ଦୁଇଟି ଯାକ ଊରୁ ଭାଙ୍ଗି ଦେଲେ । ସେ ଦ୍ରୌପଦୀଙ୍କ ଅପମାନ ବେଳେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ପୂରଣ ହେଲା । ଦୁର୍ଯ୍ୟୋଧନ ଅଚଳ ହୋଇ ପଡ଼ିବାରୁ ଭୀମ ତାଙ୍କୁ ବହୁତ ଭର୍ତ୍ସନା ଓ ଉପହାସ କଲେ । ଦୁର୍ଯ୍ୟୋଧନଙ୍କର ଦୁର୍ଦ୍ଦଶା ଦେଖି ଯୁଧିଷ୍ଠିର ଦୁଃଖରେ କାନ୍ଦିପକାଇଲେ ।

 

ପାଣ୍ଡବମାନେ ଯୁଦ୍ଧରେ ବିଜୟୀ ହୋଇ ଶିବିରକୁ ଫେରିଲେ । ତଥାପି କୌରବ ପକ୍ଷର ଅଶ୍ୱତ୍‌ଥାମା, କୃପ ଓ କୃତବର୍ମା ରହିଥିଲେ । ଦୁର୍ଯୋଧନ ଅଶ୍ୱତ୍‌ଥାମାଙ୍କୁ ସେନାପତି କରିଯାଇଥିଲେ-। ଅଶ୍ୱତ୍‌ଥାମା ତାଙ୍କ ସଙ୍ଗୀ ଦୁହିଁଙ୍କୁ କହିଲେ, ‘‘ପାଣ୍ଡବମାନେ ରାତିରେ ଶୋଇଥିବେ-। ଚାଲ, ଏତିକିବେଳେ ସେମାନଙ୍କୁ ମାରି ପକାଇବା ।’’

 

ତିନିହେଁ ଯାକ ଗୋପନରେ ପାଣ୍ଡବଙ୍କ ଶିବିରକୁ ଗଲେ । କୃପ ଓ କୃତବର୍ମା ଦୁଆରେ ଜଗାଇ ଅଶ୍ୱତ୍‌ଥାମା ଶିବିର ଭିତରେ ପ୍ରବେଶ କଲେ ଓ ପ୍ରଥମେ ଧୃଷ୍ଟଦ୍ୟୁମ୍ନଙ୍କୁ ବଧ କଲେ । ଆଗରେ ଶିବିରରେ ଯାହାକୁ ପାରିଲେ ତାକୁ ହତ୍ୟା କରିବାକୁ ଲାଗିଲେ । ଦ୍ରୌପଦୀଙ୍କର ପାଞ୍ଚୋଟି ଯାକ ପୁଅ ନିଷ୍ଠୁର ଅଶ୍ୱତ୍‌ଥାମା ହାତରେ ମଲେ ।

 

ଏହିପରି ହତ୍ୟାକାଣ୍ଡ କରି ଅଶ୍ୱତ୍‌ଥାମା ଓ ତାଙ୍କର ସଙ୍ଗୀ ଦୁଇ ଜଣ ଦୁର୍ଯ୍ୟୋଧନଙ୍କ ପାଖକୁ ଯାଇ ନିଜର କୃତୀତ୍ୱ ଜଣାଇଲେ । ସେତେବେଳକୁ ଦୁର୍ଯ୍ୟୋଧନ’’ ମୃତ୍ୟୁ ଶଯ୍ୟାରେ । ଏ ସମ୍ବାଦ ଶୁଣିବା ପରେ ପରେ ତାଙ୍କର ପ୍ରାଣ ଛାଡ଼ିଗଲା ।

 

ସଂଜୟଙ୍କ ଠାରୁ ଦୁଯ୍ୟୋଧନଙ୍କର ମୃତ୍ୟୁ ସମ୍ବାଦ ଶୁଣି ଧୃତରାଷ୍ଟ୍ର ଓ ଗାନ୍ଧାରୀ କାନ୍ଦି କାନ୍ଦି ଭୂମିରେ ଲୋଟିପଡ଼ିଲେ ।

 

ଅନ୍ତ୍ୟେଷ୍ଟି କ୍ରିୟା :

 

କୁରୁକ୍ଷେତ୍ର ଯୁଦ୍ଧ ଶେଷ ହେଲା । ଧୃତରାଷ୍ଟ୍ର ଓ ଗାନ୍ଧାରୀ ଶତ ପୁତ୍ରଙ୍କୁ ହରାଇଲେ । ଗାନ୍ଧାରୀ ଅତ୍ୟନ୍ତ ଧର୍ମପ୍ରାଣା ଥିଲେ । ପତି ଅନ୍ଧ ଥିବାରୁ ସେ ସର୍ବଦା ଚକ୍ଷୁକୁ ଆବରଣ କରି ରଖୁଥିଲେ । ଦୁର୍ଯ୍ୟୋଧନ ଯୁଦ୍ଧ କରିବା ପୂର୍ବରୁ ତାଙ୍କର ଆଶୀର୍ବାଦ ଭିକ୍ଷା କରୁଥିଲେ । କିନ୍ତୁ ସେ ବରାବର କହୁଥିଲେ, ‘‘ବତ୍ସ, ଯୁଦ୍ଧ କର; ଧର୍ମର ଜୟ ହେଉ ।’’ ତାଙ୍କର କଥା ସଫଳ ହେଲା ।

 

ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ ଓ ରାଜପୁରର ବିଧବା ରାଣୀମାନେ ଯୁଦ୍ଧ କ୍ଷେତ୍ରରେ ନିଜର ଆତ୍ମୀୟ ସ୍ୱଜନଙ୍କ ଶବ ଦେଖିବାକୁ ବାହାରିଲେ । କି କରୁଣ ଦୃଶ୍ୟ ! ଯେଉଁ ରାଣୀମାନେ କେବେଁ ଅନ୍ତଃପୁରର ବାହାରକୁ ଆସି ନ ଥିଲେ ଆଜି ସେମାନେ ଉଚ୍ଚସ୍ୱରରେ ବିଳାପକରି ପୂତିଗନ୍ଧମୟ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ । ଗୃଧଶୃଗାଳଙ୍କର ଚିତ୍କାର ସଙ୍ଗେ ସେମାନଙ୍କର କରୁଣ ବିଳାପ ମିଶି ଯାଉଅଛି । ବିଧବା ରାଣୀମାନେ ସ୍ୱାମୀମାନଙ୍କର ଶବକୁ, ଭଉଣୀମାନେ ଭାଇମାନଙ୍କର ଶବକୁ ଧରି କାନ୍ଦିବାକୁ ଲାଗିଲେ । ଗାନ୍ଧାରୀଙ୍କର କ୍ରନ୍ଦନଧ୍ୱନି ସମସ୍ତଙ୍କୁ ବଳିଗଲା । ସେ ଦୁର୍ଯ୍ୟୋଧନଙ୍କର ଶବକୁ କୋଳରେ ଧରି ବାହୁନିବାକୁ ଲାଗିଲେ ।

 

ଯୁଧିଷ୍ଠିର କୁରୁବଂଶର ପୁରୋହିତ ସୁଧର୍ମା, ସଞ୍ଜୟ, ଧୌମ୍ୟ, ଯୁଯୁତ୍ସୁ, ବିଦୁର ପ୍ରଭୃତିଙ୍କୁ ଡକାଇ କହିଲେ, ‘‘ଏ ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ମରି ପଡ଼ିଛନ୍ତି, ସେମାନେ ସମସ୍ତେ ଆମର ଆତ୍ମୀୟ ବନ୍ଧୁ । ଯଥୋଚିତଭାବେରେ ସେମାନଙ୍କ ଶବ ସତ୍କାରର ବ୍ୟବସ୍ଥା କର ।’’

 

ବିଦୁରଙ୍କ ଆଦେଶରେ ଘୃତ, ଚନ୍ଦନ ପ୍ରଭୃତି ଅଣାଗଲା । ସବୁ ଶବ ଚିତାଗ୍ନିରେ ସ୍ଥାପନ କରାଯାଇ ଅଗ୍ନି ସଂଯାଗ କରାଗଲା । ଶଲ୍ୟ, ଭୂରିଶ୍ରବା, ଜୟଦ୍ରଥ, ଅଭିମନ୍ୟୁ, ଲକ୍ଷ୍ଣଣ, ସୋମଦତ୍ତ, ବିରାଟି, ଘଟୋତ୍କଚ ପ୍ରଭୃତିଙ୍କର ଶବ ଭସ୍ମରେ ପରିଣତ ହେଲା । ଯେଉଁମାନେ ଯୁଦ୍ଧଭୂମିରେ ପରସ୍ପର ସହିତ ଭୀଷଣ ଯୁଦ୍ଧରେ ରତଥିଲେ ଏବେ ସେମାନେ ସମାନ ।

 

ଶବସତ୍କାର ପରେ ଧୃତରାଷ୍ଟ୍ର, ଯୁଧିଷ୍ଠିର ପ୍ରଭୃତି ଗଙ୍ଗାତୀରକୁ ଗଲେ । ବ୍ରାହ୍ମଣମାନେ ଶାସ୍ତ୍ରନିର୍ଦ୍ଦିଷ୍ଟ ବିଧି ଅନୁସାରେ ମନ୍ତ୍ର ପାଠ କଲେ । ତତ୍ପରେ ମୃତ ଆତ୍ମା ଉଦ୍ଦେଶ୍ୟରେ ଜଳାଞ୍ଜଳି ଦେବାର କଥା । ଏହି ସମୟରେ କୁନ୍ତି କାନ୍ଦ କାନ୍ଦ ପାଣ୍ଡବମାନଙ୍କୁ କହିଲେ, ଯେଉଁ କର୍ଣ୍ଣକୁ ରାଧାର ପୁଅ ବୋଲି ସମସ୍ତେ ଜାଣନ୍ତି ଓ ଯିଏ ଅର୍ଜ୍ଜୁନ ହାତରେ ପ୍ରାଣ ହରାଇଛି, ସେହି କର୍ଣ୍ଣ ପାଇଁ ଜଳାଞ୍ଜଳି ଦେବ । ସେ ତୁମମାନଙ୍କର ବଡ଼ ଭାଇ । ବିବାହ ପୂର୍ବରୁ ସୂର୍ଯ୍ୟଙ୍କ ପ୍ରସାଦରୁ ମୁଁ ତାକୁ ଜନ୍ମ ଦେଇଥିଲି ।’’

 

ଏହା ଶୁଣି ପାଣ୍ଡବମାନେ ଦୁଃଖ ଓ ଅନୁତାପରେ ଜଳିଗଲେ । ଯୁଧିଷ୍ଠିର କହିଲେ, ‘‘ମାଆ, ତୁମେ ଆମ ବଡ଼ଭାଇଙ୍କ କଥା ଆମମାନଙ୍କୁ ଜାଣିବାକୁ ନ ଦେଇ ଘୋର ଅନିଷ୍ଟର କାରଣ ହୋଇଅଛି । ଆମେ ନିଜର ବଡ଼ ଭାଇଙ୍କୁ ବଧ କରି ପାପରେ ଭାଗୀ ହୋଇଅଛୁ । ଅଭିମନ୍ୟୁ ଓ ଦ୍ରୌପଦୀଙ୍କ ପୁତ୍ରମାନଙ୍କ ମୃତ୍ୟୁ ଅପେକ୍ଷା କର୍ଣ୍ଣଙ୍କର ମୃତ୍ୟୁ ଅଧିକ ଅସହ୍ୟ ବୋଧ ହେଉଅଛି । ସେ ଯଦି ଆମ ପକ୍ଷରେ ରହିଥାନ୍ତେ ତେବେ ଏ ରକ୍ତପାତ ଘଟିନଥାନ୍ତା । ପୃଥିବୀରେ ଶାନ୍ତି ବିରାଜିଥାନ୍ତା-।’’ ଯୁଧିଷ୍ଟିର ଏହିପରି ବିଳାପ କରି କର୍ଣ୍ଣଙ୍କ ଉଦ୍ଦେଶ୍ୟରେ ଜଳାଞ୍ଜଳି ଦେଲେ ।

 

ତର୍ପଣ ଶେଷ ହେବା ପରେ ସମସ୍ତେ ହସ୍ତିନାକୁ ଫେରି ଆସିଲେ ।

 

ଅଶ୍ୱମେଧ ଯଜ୍ଞ :

 

ଯୁଧିଷ୍ଠିର ହସ୍ତିନାକୁ ଆସିବାକୁ ଲୋକେ ମହା ଆନନ୍ଦରେ ତାଙ୍କୁ ଓ ତାଙ୍କ ଭାଇମାନଙ୍କୁ ସମ୍ବର୍ଦ୍ଧନା କଲେ । ଯଥାବିଧି ଯୁଧିଷ୍ଠିରଙ୍କର ଅଭିଷେକ ହେଲା ।

 

ଯୁଧିଷ୍ଠିର ସିଂହାସନରେ ବସିଲେ ସତ; କିନ୍ତୁ ଭାଇ ବନ୍ଧୁମାନଙ୍କର ମୃତ୍ୟୁରେ ତାଙ୍କ ମନରେ ଘୋର ଦୁଃଖ ହେଲା । ସେ ରାଜ୍ୟ ଶାସନର ସୁବ୍ୟବସ୍ଥା କରି ଭୀଷ୍ମଙ୍କ ସଙ୍ଗେ ଦେଖା କରିବାକୁ ବାହାରିଲେ ।

 

ସେତେବେଳ ପର୍ଯ୍ୟନ୍ତ ଭୀଷ୍ମ ଦେହତ୍ୟାଗ କରିବାପାଇଁ ଉତ୍ତରାୟଣକୁ ଅପେକ୍ଷା କରି ଶରଶଯ୍ୟାରେ ପଡ଼ିଥାନ୍ତି । ଯୁଧିଷ୍ଠିର ଯୁଦ୍ଧକ୍ଷେତ୍ରକୁ ଯାଇ ଦେଖିଲେ, ଯୋଗୀଋଷିମାନେ ଭୀଷ୍ମଙ୍କୁ ବେଢ଼ି ବସିଛନ୍ତି । ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ସଙ୍ଗେ ଯାଇଥିଲେ । ସେ ଆଗ ଯାଇ ଭୀଷ୍ମଙ୍କୁ କହିଲେ, ‘‘କୁରୁ ପିତାମହ, ଯୁଧିଷ୍ଠିର ଆପଣଙ୍କୁ ଦେଖା କରିବାକୁ ଆସିଛନ୍ତି । ସେ ଆତ୍ମୀୟସ୍ୱଜନଙ୍କ ନିଧନରେ ନିତାନ୍ତ କାତର । ଆପଣ ତାଙ୍କୁ ଶାନ୍ତି ଦେଇପାରିବେ ।’’

 

ଭୀଷ୍ମ ଆଦରରେ ଯୁଧିଷ୍ଠିରଙ୍କୁ ପାଖକୁ ଡାକିନେଲେ । ଯୁଧିଷ୍ଠିର ପିତାମହଙ୍କୁ ପ୍ରଣାମ କରି ପାଦଧୂଳି ଗ୍ରହଣକଲେ । ଭୀଷ୍ମ ତାଙ୍କୁ ଆଶୀର୍ବାଦ କରି ସ୍ନେହ ଦେଖାଇ କହିଲେ, ‘‘ବାପ ଯୁଧିଷ୍ଠିର, ମୁଁ ଅଳ୍ପ କାଳ ପରେ ଦେହ ତ୍ୟାଗ କରିବି । ତୁମେ ଧର୍ମଯୁଦ୍ଧ କରି କ୍ଷତ୍ରିୟର ଧର୍ମ ପାଳନ କରିଅଛି । ଏବେ ତୁମେ ହସ୍ତିନାର ରାଜା । ରାଜକାର୍ଯ୍ୟ କଠିନ । ପ୍ରଜାମାନଙ୍କ ସୁଖ ଶାନ୍ତି ଉପରେ ରାଜାଙ୍କର ସୁଖନିର୍ଭର କରେ ।’’

 

ଏହିପରି ରାଜଧର୍ମ ବିଷୟରେ ଭୀଷ୍ମ ଯୁଧିଷ୍ଠିରଙ୍କୁ ଅନେକ ଉପଦେଶ ଦେଲେ । ଯୁଧିଷ୍ଠିରଙ୍କର ମନ ଶାନ୍ତ ହେଲା ଓ ସେ ହସ୍ତିନାକୁ ଫେରିଆସିଲେ ।

 

ସୂର୍ଯ୍ୟଙ୍କର ଉତ୍ତରାୟଣ ହେବାରୁ ଯୁଧିଷ୍ଠିର ପୁରୋହିତ ଓ ନଗରବାସୀଙ୍କ ସହିତ କୁରୁକ୍ଷେତ୍ରକୁ ଗଲେ । ଶ୍ରକୃଷ୍ଣ, ଧୃତରାଷ୍ଟ୍ର, ବିଦୁର, ସାତ୍ୟକି ପ୍ରଭୃତି ତାଙ୍କ ସଙ୍ଗେ ଚାଲିଲେ । ସମସ୍ତେ ଭୀଷ୍ମଙ୍କର ପଦବନ୍ଦନା କଲେ । ଭୀଷ୍ମ ପୁନରାୟ ଧର୍ମ ବିଷୟରେ କେତେକ ଉପଦେଶ ଦେଇ ଦେହ ତ୍ୟାଗ କରିବା ନିମନ୍ତେ ଧ୍ୟାନକଲେ । ଚାହୁଁ ଚାହୁଁ ତାଙ୍କର ଆତ୍ମା ଶରୀର ଛାଡ଼ି ଚାଲିଗଲା । ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେଲା; ଦେବପୁରର ଦୁନ୍ଦୁଭି ବାଦ୍ୟ ବାଜିଉଠିଲା ।

 

ପାଣ୍ଡବମାନେ ମହା ଆଡ଼ମ୍ବରରେ ତାଙ୍କର ଶବ ସତ୍କାର କରି ଗଙ୍ଗାରେ ତିଳ ତର୍ପଣ କଲେ ।

 

ଭୀଷ୍ମଙ୍କର ସ୍ୱର୍ଗଗମନ ବିଷୟ ଭାବେ ଯୁଧିଷ୍ଠିର ପୁଣି ଦୁଃଖରେ ଅଭିଭୂତ ହୋଇପଡ଼ିଲେ-। ସେ ନିଜକୁ ଆତ୍ମୀୟବିନାଶ ଜନିତ ପାପର ପାପୀ ବୋଲି ମନେକଲେ । ଶ୍ରୀକୃଷ୍ଣ ଓ ବ୍ୟାସଦେବ ପରାମର୍ଶ ଦେଲେ, ଗୋଟିଏ ଅଶ୍ୱମେଧ ଯଜ୍ଞ କର । ଯଦି ପାପ ହୋଇଥାଏ, ତାହା ଧ୍ୱଂସ ପାଇବ-

 

ଯୁଧିଷ୍ଠିର ମନ୍ତ୍ରୀଙ୍କ ସଙ୍ଗେ ପରାମର୍ଶ କରି ଅଶ୍ୱମେଧ ଯଜ୍ଞର ଆୟୋଜନ କଲେ । ଯଜ୍ଞ ନିମନ୍ତେ ଗୋଟିଏ ସୁଲକ୍ଷଣ ଅଶ୍ୱ ସ୍ଥିର କରାଗଲା । ଏହାକୁ ମନ୍ତ୍ରଦ୍ୱାରା ପବିତ୍ର କରି ସୈନ୍ୟମାନଙ୍କ ସହିତ ଛାଡ଼ିଦିଆଗଲା । ଅର୍ଜ୍ଜୁନ ସୈନ୍ୟମାନଙ୍କର ସେନାପତି ହୋଇଗଲେ । କେହି ଅଶ୍ୱକୁ ଅଟକାଇଲେ ତାକୁ ତାହାଠାରୁ ଉଦ୍ଧାର କରି ଆଣିବା ତାହାର କର୍ତ୍ତବ୍ୟ ହେଲା

 

ଯଜ୍ଞ ଅଶ୍ୱ ବିଭିନ୍ନ ରାଜ୍ୟରେ ବୁଲିଲାବେଳେ ଅନେକ ଦେଶର ରାଜା ବାଧାଦେଲେ । ଅର୍ଜ୍ଜୁନଙ୍କୁ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ପଡ଼ିଲା । ତ୍ରିଗର୍ତ୍ତ, ପ୍ରାଗ୍‍ଜ୍ୟୋତିଷ, ସିନ୍ଧୁ ପ୍ରଭୃତି ଦେଶ ଅର୍ଜ୍ଜୁନଙ୍କର ବଶ୍ୟତା ସ୍ୱୀକାର କଲେ । ମଣିପୁରରେ ସେତେବେଳେ ଯେଉଁ ବବ୍ରୁବାହାନ ରାଜା ଥିଲେ, ସେ ହେଉଛନ୍ତି ଅର୍ଜ୍ଜୁନଙ୍କ ପୁତ୍ର । ସେଠାରେ ପିତାପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ହୋଇଗଲା । ମଗଧ ଓ ଗାନ୍ଧାର ରାଜ୍ୟର ରାଜା ଅର୍ଜ୍ଜୁନଙ୍କ ନିକଟରେ ପରାସ୍ତ ହେଲେ ।

 

ଏହିପରି ଅର୍ଜ୍ଜୁନ ବର୍ଷକ ପର୍ଯ୍ୟନ୍ତ ଘୋଡ଼ାଟିକୁ ନାନା ରାଜ୍ୟରେ ବୁଲାଇ ହସ୍ତିନାକୁ ଫେରିଆସିଲେ । ଅନେକ ରାଜା, ମହାରାଜା, ପଣ୍ଡିତ, ବ୍ରାହ୍ମଣ, ମୁନିଋଷି ଯଜ୍ଞକୁ ନିମନ୍ତ୍ରିତ ହୋଇ ଆସିଲେ । ମହା ଆଡ଼ମ୍ବରରେ ଯଜ୍ଞକାର୍ଯ୍ୟ ଶେଷ ହଲା । ସମସ୍ତଂକ ମୁହଁରେ ଯୁଧିଷ୍ଠିରଙ୍କ ପ୍ରଶଂସା ଶୁଣାଗଲା ।

 

ଧୃତରାଷ୍ଟ୍ରଙ୍କ ବନ ଗମନ :

 

ଯୁଧିଷ୍ଟିରଙ୍କ ରାଜତ୍ୱରେ ପ୍ରଜାମାନେ ମହାସୁଖରେ ରହିଲେ । ପାଣ୍ତବମାନେ ଗତ କଥା ଭୁଲିଯାଇ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସେବାରେ ଲାଗିଲେ । ସେ ଦୁହେଁ ଯୁଧିଷ୍ଟିରଙ୍କୁ ଖୁବ୍ ଭଲପାଇଲେ । କିନ୍ତୁ ଧୃତରାଷ୍ଟ୍ର ନିଜର ଅପକର୍ମ ପାଇଁ ନିତାନ୍ତ ଦୁଃଖିତ ଥିଲେ । ଶେଷରେ ସେ ପତ୍ନୀଙ୍କ ସହିତ ବନରେ ତପସ୍ୟା କରି ଶେଷ ଜୀବନ କଟାଇବାକୁ ସ୍ଥିରକଲେ ।

 

ଯୁଧିଷ୍ଟିରଙ୍କୁ ରାଜକର୍ମ ବିଷୟରେ ଉପଦେଶ ଦେଇ ଓ ପ୍ରଜାମାନଙ୍କଠାରୁ ବିଦାୟ ନେଇ ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ସହିତ ବନକୁ ଗଲେ । କୁନ୍ତୀ, ବିଦୁର, ସଞ୍ଜୟ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ । ଧୃତରାଷ୍ଟ୍ର ଯେତେ କହିଲେ ସୁଦ୍ଧା ସେମାନେ ଫେରିଲେ ନାହିଁ ।

 

ଧୃତରାଷ୍ଟ୍ର ପ୍ରଭୃତି ଯମୁନା କୂଳରେ ବନମଧ୍ୟରେ ଏକ ଆଶ୍ରମ କରି ରହିଲେ । ଏଣେ ଯୁଧିଷ୍ଠିର ସେମାନଙ୍କ ଚିନ୍ତାରେ ଅଧୀର ହୋଇପଡ଼ିଲେ । ସେମାନେ କିପରି ଅଛନ୍ତି ଦେଖିବା ପାଇଁ ଥରେ ଯୁଧିଷ୍ଠିର କୁଟୁମ୍ବର ସମସ୍ତଙ୍କୁ ଘେନି ବନକୁ ଗଲେ ।

 

ଆଶ୍ରମରେ ସମସ୍ତଙ୍କର ମିଳନ ହେଲା । ସମସ୍ତଙ୍କ ମନରେ ମୃତ ବନ୍ଧୁବାନ୍ଧବମାନଙ୍କ ଲାଗି ଦୁଃଖ ଜନ୍ମିଲା । ଏହି ସମୟରେ ବ୍ୟାସଦେବ ଆସି ସେମାନଙ୍କୁ ବୁଝାଇ ଦେଲେ, ‘‘ଏପରି ଶୋକ କରିବା ଉଚିତ ନୁହେଁ, କାରଣ ଯେଉଁମାନେ ଯୁଦ୍ଧକ୍ଷତ୍ରରେ ମରିଛନ୍ତି, ସେମାନେ ଏବେ ସ୍ୱର୍ଗରେ ରହି ସୁଖ ଭୋଗ କରୁଛନ୍ତି । ଆଜି ରାତିରେ ଗଙ୍ଗାକୂଳରେ ସେମାନେ ସମସ୍ତେ ଦେଖାଦେବେ ।’’

 

ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ ଦିବ୍ୟଚକ୍ଷୁ ଦେଲେ । ସମସ୍ତେ ଗଙ୍ଗାକୂଳରେ ଉପସ୍ଥିତ ହେଲେ-। ଗଙ୍ଗା ଗର୍ଭରୁ ମୃତ ବୀରମାନେ ଯୋଦ୍ଧୃ ବେଶରେ ଉଠି ଆସିଲେ । ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ ଓ ପାଣ୍ତବମାନେ ଦୁର୍ଯ୍ୟାଧନାଦି କୌରବଙ୍କ ସଙ୍ଗେ କର୍ଣ୍ଣ, ଭୀଷ୍ମ, ଅଭିମନ୍ୟୁ, ଦ୍ରୌପଦୀଙ୍କ ପୁତ୍ର ପ୍ରଭୃତିଙ୍କୁ ଦେଖିଲେ । ସକାଳକୁ ସେମାନେ ଅଦୃଶ୍ୟ ହୋଇଗଲେ ।

 

ପାଣ୍ତବମାନେ ଧୃତରାଷ୍ଟ୍ରଙ୍କ ଆଶ୍ରମରେ ମାସଟିଏ କଟାଇ ହସ୍ତିନାକୁ ଫେରିଗଲେ ।

 

ପାଣ୍ତବମାନେ ଧୃତରାଷ୍ଟ୍ରଙ୍କ ପାଖରେ ଥିବା ସମୟରେ ବିଦୁର ତପସ୍ୟା କରି ଦେହ ତ୍ୟାଗ କରିଥିଲେ । ଏବେ ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତି ଓ ସଞ୍ଜୟ ସେହିପରି କଠୋର ତପସ୍ୟା କରିବାକୁ ଲାଗିଲେ । ଦିନେ ସେମାନେ ଗଙ୍ଗାସ୍ନାନ କରି ଫେରିବା ବେଳେ ବନାଗ୍ନି ସେମାନଙ୍କୁ ବେଢ଼ିଗଲା । ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀ ସେହି ଅଗ୍ନିରେ ଭସ୍ମ ହୋଇଗଲେ । କେବଳ ସଞ୍ଜୟଙ୍କର ଜୀବନ ରକ୍ଷା ହେଲା ।

 

ପାଣ୍ତବମାନେ ଏହି ସମ୍ବାଦ ପାଇ ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ-ତର୍ପଣ ଆଦି କଲେ ।

 

ଯଦୁବଂଶ ନାଶ

 

ଯୁଧିଷ୍ଠିର ଅନେକ ବର୍ଷ ପର୍ଯ୍ୟନ୍ତ ହସ୍ତିନାରେ ରାଜପଣ କଲେ ।

 

ଏହି ସମୟରେ ଯଦୁବଂଶରେ ଘୋର ବିପତ୍ତି ପଡ଼ିଲା । ଥରେ ଯଦୁବଂଶର କେତଜଣ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ସ୍ତ୍ରୀ ବେଶ କରାଇ ନାରଦ, ବିଶ୍ୱାମିତ୍ର ପ୍ରଭୃତି ଋଷିମାନଙ୍କୁ ଉପହାସ କରି ପଚାରିଲେ, ‘‘ଏହାର ଗର୍ଭରୁ କି ସନ୍ତାନ ଜନ୍ମହେବ ?’’ ଋଷିମାନେ ଏଥିରେ କ୍ରୁଦ୍ଧ ହୋଇ କହିଲେ, ‘‘ଏ ଗୋଟିଏ ଲୌହ ମୂଷଳ ପ୍ରସବ କରିବ ଓ ତାହାର ଯୋଗୁ ଶ୍ରୀକୃଷ୍ଣ ଓ ବଳରାମଙ୍କ ଛଡ଼ା ସମସ୍ତ ଯୁଦବଂଶ ଧ୍ୱଂସ ହେବ ।’’

 

ଶାମ୍ବଙ୍କ ଉଦରରୁ ଏକ ଲୌହ ମୂଷଳ ବାହାରିଲା । ଉଗ୍ରସେନ ଏହାକୁ ଘଷାଇ ଗୁଣ୍ତ କରି ସମୁଦ୍ରରେ ଫିଙ୍ଗିଦେଲେ । ଏହି ଗୁଣ୍ତରୁ ସମୁଦ୍ର କୂଳରେ ଏକ ଶରବଣ ହୋଇଗଲା ।

 

ଦିନେ ଯାଦବମାନେ ସମୁଦ୍ର କୂଳକୁ ଯାଇ ପ୍ରଭାସ ତୀର୍ଥରେ ଆମୋଦ ପ୍ରମୋଦ କରୁଥିଲେ । ସେମାନେ ସମସ୍ତେ ଯଥେଷ୍ଟ ମଦ ପିଇ ନିଶାରେ ଭୋଳ ହୋଇଗଲେ । କଥାରେ କଥାରେ କଳି ଆରମ୍ଭ ହେଲା । କଳିରୁ ହାତାହାତି ଓ ଶେଷରେ ହଣାହଣି ଲାଗିଗଲା । ସେମାନେ ଶରବଣରୁ ଶର ଉପାଡ଼ି ଆଣି ପିଟାପିଟି ହୋଇ ମଲେ । କେବଳ ବଭ୍ରୂ ଓ ଦାରୁକ ବୋଲି ଦୁଇଜଣ ରହିଲେ ।

 

ସେତେବେଳକୁ ବଳରାମ ସେଠାରୁ ଚାଲିଯାଇ ଦୁରରେ ତପସ୍ୟା କରୁଥିଲେ । ଶ୍ରୀକୃଷ୍ଣ ତାଙ୍କୁ ଦେଖି ଦାରୁକଙ୍କ ହାତରେ ଅର୍ଜ୍ଜନଙ୍କ ପାଖକୁ ଏ ଦୁଃସମ୍ବାଦ ପଠାଇଲେ ଓ ନିଜେ ନବରକୁ ଯାଇ ସ୍ତ୍ରୀମାନଙ୍କୁ ରକ୍ଷା କରିବା ପାଇଁ ପିତା ବସୁଦେବଙ୍କୁ କହିଲେ । ବଳରାମଙ୍କ ପାଖକୁ ଫେରିଆସି ଶ୍ରୀକୃଷ୍ଣ ଦେଖିଲେ ଯେ ସେ ଦେହ ତ୍ୟାଗ କରିଅଛନ୍ତି ।

 

ଶ୍ରୀକୃଷ୍ଣ ମନ ଦୁଃଖରେ ବୁଲୁ ବୁଲୁ କ୍ଳାନ୍ତ ହୋଇ ବନ ମଧ୍ୟରେ ଶୋଇପଡ଼ିଲେ । ଜରା ବୋଲି ଜଣେ ଶବର ଶିକାର ପାଇଁ ବୁଲୁଥିଲା । ସେ ଶ୍ରୀକୃଷ୍ଣଙ୍କୁ ମୃଗ ବୋଲି ବିଚାରି ଏକ ଶର ମାରିଲା । ଶରଟି ଶ୍ରୀକୃଷ୍ଣଙ୍କ ପାଦରେ ଭେଦକଲା । ଶ୍ରୀକୃଷ୍ଣ ଉଠିପଡ଼ିଲେ । ଜରା ନିଜର ଭୁଲ ବୁଝିପାରି ତାଙ୍କ ପାଦତଳେ ପଡ଼ି କ୍ଷମା ମାଗିଲା । ଶ୍ରୀକୃଷ୍ଣ ତାକୁ ସାନ୍ତ୍ୱନା ଦେଇ ବିଦାୟ କଲେ।

 

ପୃଥିବୀରେ ତାଙ୍କର କାର୍ଯ୍ୟ ଶେଷ ହୋଇଥିବା ଦେଖି ଶ୍ରୀକୃଷ୍ଣ ଦେହ ତ୍ୟାଗ କରି ସ୍ୱର୍ଗ ଗମନ କଲେ ।

 

ଅର୍ଜ୍ଜୁନ ଦ୍ୱାରକାରେ ପହଞ୍ଚି ଦେଖିଲେ ଯଦୁବଂଶ ଧ୍ୱଂସ ପାଇଅଛି । ଦିନକ ପରେ ବସୁଦେବଙ୍କର ମୃତ୍ୟୁ ହେଲା । ଅର୍ଜୁନ ସମସ୍ତଙ୍କର ଶବ ଦାହ ଓ ଶ୍ରାଦ୍ଧ କଲେ ।

 

କୃଷ୍ଣଙ୍କର ଗୋଟିଏ ନାତି ଥିଲା । ତାକୁ ଓ ଦ୍ୱାରକାର ନାରୀମାନଙ୍କୁ ଘେନି ଅର୍ଜ୍ଜୁନ ହସ୍ତିନାକୁ ବାହାରିଲେ । କିଛି ଦୂର ଆସିଲା ବେଳକୁ ସମୁଦ୍ର ଲହରୀ ମାଡ଼ି ଆସି ଦ୍ୱାରକା ନଗରକୁ ଭସାଇ ନେଇଗଲା । ଅର୍ଜ୍ଜୁନ ଅତି କଷ୍ଟରେ ଇଦ୍ର ପ୍ରସ୍ଥକୁ ଆସି ସେଠାରେ ଶ୍ରୀକୃଷ୍ଣଙ୍କ ନାତି ବଜ୍ରଙ୍କୁ ରାଜା କରିଦେଲେ । ଅର୍ଜ୍ଜୁନ ବ୍ୟାସଦେବଙ୍କୁ ସବୁ ଘଟନା ଜଣାଇବାରୁ ସେ କହିଲେ, ‘‘ତୁମମାନଙ୍କର କାର୍ଯ୍ୟ ଶେଷ ହେଲାଣି । ଏବେ ତୁମେମାନେ ସ୍ୱର୍ଗକୁ ଯିବାର ଉଦ୍ୟମ କର ।’’

 

ଅର୍ଜ୍ଜନ ହସ୍ତିନାକୁ ଆସି ଯୁଧିଷ୍ଠିରଙ୍କୁ ସମସ୍ତ ସମ୍ବାଦ ଦେଲେ ଓ ବ୍ୟାସଦେବଙ୍କ ଉପଦେଶ ଜଣାଇଲେ ।

 

ମହାପ୍ରସ୍ଥାନ

 

ଅର୍ଜ୍ଜୁନଙ୍କଠାରୁ ଯଦୁବଂଶର ବିନାଶ ଓ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ସମ୍ବାଦ ପାଇ ଯୁଧିଷ୍ଠିର ଅତ୍ୟନ୍ତ ବ୍ୟାକୁଳ ହେଲେ । ବ୍ୟାସଦେବଙ୍କ ପରାମର୍ଶ ଶୁଣି ସେ ମଧ୍ୟ ଦେହତ୍ୟାଗ ନିମନ୍ତେ ହିମାଳୟକୁ ମହାପ୍ରସ୍ଥାନ କରିବାକୁ ସ୍ଥିର କଲେ । ଭାଇମାନଙ୍କୁ ଡାକି ସେ ନିଜର ଅଭିପ୍ରାୟ ଜଣାଇବାରୁ ସେମାନେ ସମସ୍ତେ ହିମାଳୟକୁ ମହାପ୍ରସ୍ଥାନ ନିମନ୍ତେ ଇଚ୍ଛା ପ୍ରକାଶ କଲେ । ଦ୍ରୌପଦୀ କହିଲେ, ‘‘ମୁଁ ଆଜୀବନ ତୁମର; ତୁମେମାନେ ଯେଉଁଠାକୁ ଯିବ ମୁଁ ମଧ୍ୟ ସେହିଠାକୁ ଯିବି-।’’ ସମସ୍ତେ ମହାପ୍ରସ୍ଥାନ ନିମନ୍ତେ ପ୍ରସ୍ତୁତ ହେଲେ ।

 

ଯୁଧିଷ୍ଠିର ଅଭିମନ୍ୟୁଙ୍କର ଶିଶୁପୁତ୍ର ପରୀକ୍ଷିତଙ୍କୁ ସିଂହାସନରେ ବସାଇ ଧୃତରାଷ୍ଟ୍ରଙ୍କ ଅନ୍ୟତମ ପୁତ୍ର ଯୁଯୁତ୍ସୁଙ୍କୁ କହିଲେ, ‘‘ପରୀକ୍ଷିତ ବାଳକ ମାତ୍ର । ସେ ନିଜେ ଶାସନଭାର ଗ୍ରହଣ କରିବାକୁ ସମର୍ଥ ହେବାଯଏ ତୁମେ ରାଜ୍ୟ ଚଳାଇବ ।’’

 

ପାଣ୍ତବମାନେ ଦ୍ରୌପଦୀଙ୍କ ସହିତ ମହାପ୍ରସ୍ଥାନ କରିବେ, ଏହି ସମ୍ବାଦରେ ପ୍ରଜାମାନେ ଆସି ସେମାନଙ୍କୁ ସେଥିରୁ ବିରତ ହେବାକୁ ନାନାପ୍ରକାର ଅନୁରୋଧ କଲେ । କିନ୍ତୁ ସେମାନେ ନିଜ ପ୍ରତିଜ୍ଞାରେ ଅଟଳ ରହି ପ୍ରଜାମାନଙ୍କୁ ବୁଝାଇ ଫେରାଇଦେଲେ।

 

ପୂର୍ବେ ରାଜ୍ୟ ହରାଇ ପାଣ୍ତବମାନେ ଦ୍ରୌପଦୀଙ୍କ ସହିତ ଯେପରି ବକଳ ପିନ୍ଧିବନକୁ ଯାଇଥିଲେ, ଏବେ ପୁଣି ସେହି ବେଶରେ ହସ୍ତିନା ତ୍ୟାଗ କରି ମହାଯାତ୍ରାରେ ବାହାରିଲେ । ହସ୍ତିନାର ଲୋକେ ଅନେକ ଦୂର ପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଗଲେ ଓ ଶେଷରେ ଯୁଧିଷ୍ଠିରଙ୍କ ବାରମ୍ବାର ଅନୁରୋଧରେ ଫେରି ଆସିଲେ । କିନ୍ତୁ ଗୋଟିଏ କୁକୁର ଫେରି ନ ଆସି ସେମାନଙ୍କ ପଛେ ପଛେ ଚାଲିଲା ।

 

ହିମାଳୟକୁ ଯିବା ପୂର୍ବରୁ ସେମାନେ ପ୍ରଥମେ ଭାରତର ତୀର୍ଥମାନ ଭ୍ରମଣ କରିବାକୁ ସ୍ଥିର କଲେ । ଯାଇ ଯାଇ ସେମାନେ ଲୋହିତ ସାଗର କୂଳରେ ପହଞ୍ଚିଲେ । ସମୁଦ୍ର ଗର୍ଭରୁ ଅଗ୍ନି ଦେବତା ବାହରି କହିଲେ, ‘‘ହେ ଅର୍ଜ୍ଜୁନ, ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଛାଡ଼ି ଯାଇଛନ୍ତି । ତୁମେ ଗାଣ୍ତୀବ ଓ ଅକ୍ଷୟ ତୁଣୀର ଆଉ ରଖିବା ଉଚିତ ନୁହେ । ତାହା ହେଉଛି ବରୁଣଙ୍କର । ଯେଉଁ ଉଦ୍ଦେଶ୍ୟରେ ବରୁଣ ତୁମକୁ ଏହା ଦେଇଥିଲେ, ତାହା ସିଦ୍ଧ ହୋଇଅଛି । ଏବେ ସେ ଦୁଇଟିକୁ ବରୁଣଙ୍କୁ ଫେରାଇ ଦିଅ ।’’ ଏହା କହି ଅଗ୍ନିଦେବ ଅନ୍ତର୍ହିତ ହୋଇଗଲେ । ଅର୍ଜ୍ଜୁନ ଗାଣ୍ତୀବ ଓ ଅକ୍ଷୟ ତୁଣୀରକୁ ସମୁଦ୍ର ଗର୍ଭରେ ନିକ୍ଷେପ କରିଦେଲେ ।

 

ଏହା ପରେ ସେମାନେ ଦକ୍ଷିଣ ଓ ପଶ୍ଚିମ ସମୁଦ୍ର ବାଟେ ଯାଇ ଯେଉଁଠାରେ ପୂର୍ବେ ଦ୍ୱାରକା ନଗରି ଥିଲା, ସେଠାରେ ପହଞ୍ଚିଲେ । ଦ୍ୱାରକାର ପୂର୍ବ ବିଭବ ସ୍ମରଣ କରି ସେମାନଙ୍କ ମନରେ ଦୁଃଖ ଜାତ ହେଲା । ଦ୍ୱାରକାଠାରୁ ସେମାନେ ଉତ୍ତର ମୁଖରେ ଅଗ୍ରସର ହୋଇ ହିମାଳୟ ଆରୋହଣ କରିବାକୁ ଲାଗିଲେ । କୁକୁରଟି ସେମାନଙ୍କ ପଛେ ପଛେ ଚାଲିଥାଏ ।

 

ମହାଯାତ୍ରାର ଯାତ୍ରୀମାନେ ଆଗେଇ ଚାଲିଛନ୍ତି । ସମସ୍ତଂକ ଆଗରେ ଯୁଧିଷ୍ଠିର, ତାଙ୍କ ପଛକୁ ଯଥାକ୍ରମେ ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ, ଦ୍ରୌପଦୀ ଓ ସମସ୍ତଂକ ପଛରେ କୁକୁରଟି । କିଛି ଦୂର ଯିବା ପରେ ଦ୍ରୌପଦୀ ପଡ଼ିଗଲେ । ଅନ୍ୟମାନେ ଚାଲିବାକୁ ଲାଗିଲେ । ସହଦେବ ପଡ଼ିଯିବାରୁ ଭୀମ ପଚାରିଲେ,‘‘ଭାଇ, ଦ୍ରୌପଦୀ ପଡ଼ିଯାଇଥିଲେ । ଏବେ ସହଦେବ ପଡ଼ିଗଲେ କାହିଁକି ?’’ ଯୁଧିଷ୍ଠିର କହିଲେ, ‘‘ଜ୍ଞାନୀ ବୋଲି ସହଦେବଙ୍କର ଅଭିମାନ ଥିଲା । ସେହି ଦୋଷରୁ ତାଙ୍କର ଏ ପତନ ।’’ ଏହାପରେ ନକୁଳ ମଧ୍ୟ ପଡ଼ିଗଲେ । ଭୀମଙ୍କ ପ୍ରଶ୍ନରେ ଯୁଧିଷ୍ଠିର ଉତ୍ତର କଲେ, ‘‘ସହଦେବ ଯେପରି ଜ୍ଞାନ ନେଇ ଗର୍ବ କରୁଥିଲେ, ନକୁଳ ସହି ପରି ନିଜର ସୁନ୍ଦରପଣ ଗର୍ବ ଘେନି ଗର୍ବ କରୁଥିଲେ । ପ୍ରତ୍ୟେକ ଲୋକକୁ ନିଜର କର୍ମଫଳ ଭୋଗିବାକୁ ହେବ । ପଛକୁ ନ ଚାହିଁ ଚାଲ ।’’

 

ଅର୍ଜ୍ଜୁନ ଦୁଇଭାଇ ଓ ଦ୍ରୌପଦୀଙ୍କ ନିମନ୍ତେ ଶୋକ କରି ଯାଉ ଯାଉ ଟଳିପଡ଼ିଲେ । ଭୀମ ଏଥିରେ କାରଣ ପଚାରିବାରୁ ଯୁଧିଷ୍ଠିର କହିଲେ, ‘‘ଅର୍ଜ୍ଜୁନଙ୍କର ଅହଙ୍କାର ଥିଲା ଯେ ସେ ସମସ୍ତଙ୍କଠାରୁ ବଡ଼ ବୀର । ଏହି ଗର୍ବରୁ ତାଙ୍କର ପତନ ହେଲା ।’’

 

ତିନିଭାଇ ଓ ଦ୍ରୌପଦୀଙ୍କର ପତନରେ ଆଦୌ ବିଚଳିତ ନ ହୋଇ ଯୁଧିଷ୍ଠିର ଅଗ୍ରସର ହେବାକୁ ଲାଗିଲେ । ତାଙ୍କ ପଛରେ ଭୀମ ଓ ଭୀମଙ୍କ ପଛକୁ କୁକୁର । କିଛି ଦୂର ଯିବା ପରେ ଭୀମ ପଡ଼ିଯାଇ ଡାକିଲେ, ‘‘ଭାଇ, ମୁଁ ପଡ଼ିଗଲି କାହିଁକି ?’’ ଯୁଧିଷ୍ଠିର ପଛକୁ ନ ଚାହିଁ ଆଗକୁ ଯାଉ ଯାଉ କହିଲେ, ‘‘ତୁମେ ଥିଲ ଉଦରମ୍ଭରୀ, ଆଉ ନିଜକୁ ସବୁଠାରୁ ବଳବାନ୍ ମନେକରୁଥିଲେ । ସେହି ଦୋଷରୁ ତୁମର ପତନ ହେଲା ।’’

 

ଏବେ ଯୁଧିଷ୍ଠିର ଏକାକୀ ଚାଲିଲେ । ପଛରେ କୁକୁରଟି ରହିଥାଏ । କିଛି ଦୂର ଯିବା ପରେ ଦେବରାଜ ଇନ୍ଦ୍ର ରଥ ଘେନି ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, ‘‘ତୁମକୁ ସ୍ୱର୍ଗକୁ ନେବା ପାଇଁ ମୁଁ ଆସିଛି । ରଥରେ ବସ, ଯିବା ।’’

 

ଯୁଧିଷ୍ଠିର କହିଲେ, ‘‘ମୋର ଚାରି ଭାଇ ଓ ଦ୍ରୌପଦୀ ବାଟରେ ପଡ଼ିଗଲେ । ସେମାନଙ୍କୁ ଛାଡ଼ି ମୁଁ ଏକୁଟିଆ ସ୍ୱର୍ଗକୁ ଯିବି କିପରି ?’’ ଇନ୍ଦ୍ର କହିଲେ, ‘‘ସେମାନେ ମର ଦେହ ଛାଡ଼ି ସ୍ୱର୍ଗକୁ ଆସିଛନ୍ତି । ତୁମେ ସ୍ୱଦେହରେ ସ୍ୱର୍ଗକୁ ଯାଇ ସେମାନଙ୍କୁ ଭେଟିବା ।’’ ଯୁଧିଷ୍ଠିର ପୁଣି କହିଲେ, ‘‘ଏ କୁକୁରଟି ଏତେବାଟ ମୋ ପଛେ ପଛେ ଆସିଛି, ଏଇଟାକୁ ମଧ୍ୟ ସଙ୍ଗରେ ନେବାକୁ ହେବ ।’’

 

ଇନ୍ଦ୍ର କହିଲେ, ‘‘ସାମାନ୍ୟ କୁକୁରଟା ପାଇଁ ଚିନ୍ତା କର ନାହିଁ । ତୁମେ ସ୍ୱର୍ଗରେ ଦେବତାଙ୍କ ସଙ୍ଗେ ଆସନ ପାଇବ । କୁକୁରଟାଏ କିପରି ସେଠାକୁ ଯିବ ?’’

 

କିନ୍ତୁ ଯୁଧିଷ୍ଠିର କୁକୁରଟିକୁ ଛାଡ଼ି ସ୍ୱର୍ଗକୁ ଯିବାପାଇଁ ମନା କରିଦେଲା । ସେ କହିଲେ, ‘‘କୁକୁର ହେଲେ ସୁଦ୍ଧା ସେ ମୋର ଆଶ୍ରିତ । ତାକୁ ଛାଡ଼ି ମୁଁ ସ୍ୱର୍ଗସୁଖ ଭୋଗ କରିପାରିବି ନାହିଁ । ତୁମେ ରଥ ଫେରାଇ ନିଅ ।’’

 

ଯୁଧିଷ୍ଠିର କୁକୁରଟି ପାଇଁ ସ୍ୱର୍ଗସୁଖ ମଧ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ ଥିବାର ଦେଖି ଇନ୍ଦ୍ର ଅତ୍ୟନ୍ତ ସନ୍ତୁଷ୍ଟ ହେଲେ । ହଠାତ୍ କୁକୁରଟି ଧର୍ମ ଦେବତାଙ୍କ ରୂପ ଧରି ଯୁଧିଷ୍ଠିରଙ୍କୁ କହିଲେ, ‘‘ମୁଁ ଆସିଥିଲି । ତୁମେ ପ୍ରକୃତରେ ଧାର୍ମିକ, ସ୍ୱଶରୀରରେ ସ୍ୱର୍ଗକୁ ଯିବାର ଯୋଗ୍ୟ ।’’

 

ଇନ୍ଦ୍ର ଯୁଧିଷ୍ଠିରଙ୍କୁ ରଥରେ ବସାଇ ସ୍ୱର୍ଗକୁ ନେଇଗଲେ । ଦେବତାମାନେ ତାଙ୍କୁ ଅଭ୍ୟର୍ଥନା କଲେ । ଯୁଧିଷ୍ଠିର ଇନ୍ଦ୍ରଙ୍କୁ କହିଲେ, ‘‘ମୋର ସ୍ତ୍ରୀ ଓ ଭାଇମାନେ ଯେଉଁଠାରେ ଅଛନ୍ତି, ଦୟା କରି ମୋତେ ସେହିଠାକୁ ନେଇଯାଆନ୍ତୁ ।’’

 

ଯୁଧିଷ୍ଠିର ଦେବତାମାନଙ୍କ ସହିତ ସ୍ୱର୍ଗପୁରରେ ବୁଲୁ ବୁଲୁ ଦୁର୍ଯ୍ୟୋଧନଙ୍କୁ ମହାସୁଖରେ ଥିବାର ଦେଖିଲେ । ଏଥିରେ ସେ ବିସ୍ମୟ ପ୍ରକାଶ କରିବାରୁ ଦେବତାମାନେ ବୁଝାଇଦେଲେ, ‘‘ଦୁର୍ଯ୍ୟୋଧନ ଧର୍ମ ଯୁଦ୍ଧ କରି ମରିଥିବାରୁ ସୁଖମୟ ସ୍ୱର୍ଗରାଜ୍ୟରେ ସ୍ଥାନ ପାଇଛନ୍ତି ।’’ ଯୁଧିଷ୍ଠିର ନିଜର ପତ୍ନୀ ଓ ଭାଇମାନଙ୍କ ସହିତ କର୍ଣ୍ଣଙ୍କୁ ଦେଖିବାକୁ ଇଚ୍ଛା ପ୍ରକାଶ କରିବାରୁ ଜଣେ ଦେବଦୂତ ତାଙ୍କୁ ବାଟ କଢ଼ାଇ ନେଇଗଲା । ବାଟରେ ଯୁଧିଷ୍ଠିର ଦେଖିଲେ, ପାପୀମାନଙ୍କୁ କଠୋର ଯନ୍ତ୍ରଣା ଦିଆଯାଉଛି । ସେ ସ୍ଥାନର ବୀଭତ୍ସ ଦୃଶ୍ୟ ଓ ପାପୀମାନଙ୍କର କରୁଣ ଚିତ୍କାରରେ ସେ ବିଚଳିତ ହୋଇ ପଡ଼ିଲେ । ସେ ଦେବଦୂତଙ୍କୁ ପଚାରିଲେ, ‘‘ଆଉ କେତେ ଦୂର ଯିବାକୁ ହେବ ?’’ ଦେବଦୂତ ଉତ୍ତର କଲେ, ‘‘ଏଇ ପର୍ଯନ୍ତ ଆପଣଙ୍କୁ ଆଣିବା ପାଇଁ ଦେବତାଙ୍କର ଆଦେଶ ଥିଲା ।’’ ଯୁଧିଷ୍ଠିର ସେହିଠାରୁ ଫେରିବାକୁ ବାହାରିବାରୁ ଚାରିଆଡ଼ୁ ଚିତ୍କାର ହେଲା, ‘‘ଆପଣ ଆଉ ଟିକିଏ ରହନ୍ତୁ । ଆପଣଙ୍କୁ ଦେଖି ଆମ ମନରେ ଆନନ୍ଦ ଆସୁଛି । ଆପଣଙ୍କ ଦେହର ପବନ ବାଜି ଆମ ଦେହ ଶୀତଳ ଲାଗୁଛି ।’’ କିଏ ବିକଳ ହୋଇ ଏପରି କହୁଛନ୍ତି ତାହା ଜାଣି ନ ପାରି ଯୁଧିଷ୍ଠିର ପଚାରିଲେ, ‘‘ତୁମେମାନେ କିଏ ? କାହିଁକି ଏଭଳି କଷ୍ଟ ଭୋଗୁଛ ?’’

 

ଏକ ସମୟରେ ଉତ୍ତର ମିଳିଲା, ‘‘ମୁଁ ଭୀମ, ମୁଁ ଅର୍ଜ୍ଜୁନ, ମୁଁ କର୍ଣ୍ଣ, ମୁଁ ଦ୍ରୌପଦୀ’’ ଇତ୍ୟାଦି । ଯୁଧିଷ୍ଠିର ସ୍ତମ୍ଭୀଭୂତ ହୋଇଗଲେ । ସେ ବୁଝି ପାରିଲେ ନାହିଁ ଯେ ଏମାନେ କାହିଁକି ଭୀଷଣ ଦଣ୍ତ ପାଉଛନ୍ତି, ଆଉ ପାପିଷ୍ଠ ଦୁର୍ଯ୍ୟୋଧନ ମହାସୁଖ ଭୋଗ କରୁଛି । ସେ ଦେବଦୂତଙ୍କୁ କହିଲେ, ‘‘ମୁଁ ଏଠାରୁ ଫେରିଯିବି ନାହିଁ । ମୋ ଭାଇ ବନ୍ଧୁ କୁଟୁମ୍ବ ଯେଉଁଠାରେ ଅଛନ୍ତି, ମୁଁ ସେଇଠାରେ ରହିଲେ ସେମାନଙ୍କର ଦୁଃଖ ଊଣା ହେବ ।’’

 

ଦେବଦୂତ ଇନ୍ଦ୍ରଙ୍କୁ ଏ କଥା ଜଣାଇବାରୁ ଇନ୍ଦ୍ର ଦେବତାମାନଙ୍କ ସଙ୍ଗେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ । ସଙ୍ଗେ ସଙ୍ଗେ ସେ ଭୀଷଣ ଦୃଶ୍ୟ ଉଭେଇ ଗଲା । ଇନ୍ଦ୍ର କହିଲେ, ‘‘ଯୁଧିଷ୍ଠିର, ତୁମର ଦୁଃଖ ଶେଷ ହୋଇଅଛି । ଏଣିକି ତୁମେ ଦେବତାମାନଙ୍କ ସହ ସୁଖ ଭୋଗ କରିବ । ଆଉ ତୁମ ଭାଇମାନଙ୍କର ଓ ଦ୍ରୌପଦୀଙ୍କର ନରକ ଭୋଗ ଶେଷ ହେଲାଣି । ସେମାନେ ମଧ୍ୟ ଏଣିକି ସ୍ୱର୍ଗ ସୁଖ ଭୋଗ କରିବେ । ତୁମେ ନରକ ଦେଖିବା ଦ୍ୱାରା ଦଣ୍ତ ଭୋଗି ସାରିଅଛ । ତୁମେ ପୃଥିବୀର ଅତି ସାମାନ୍ୟ ପାପ କରିଥିଲ; ତେଣୁ ତୁମେ ଲଘୁ ଦଣ୍ତ ପାଇଲ ।’’ ଯୁଧିଷ୍ଠିର ତାଙ୍କ ଦଣ୍ତର କାରଣ ପଚାରିବାରୁ ଇନ୍ଦ୍ର କହିଲେ, ‘‘ଯୁଦ୍ଧବେଳେ ତୁମେ ଦ୍ରୋଣଙ୍କୁ ନିରସ୍ତ୍ର କରିବାପାଇଁ ‘ଅଶ୍ୱତ୍‌ଥାମା ମରିଛି’ ବୋଲି କହିଥିଲେ । ଅବଶ୍ୟ ଅଶ୍ୱତ୍‌ଥାମା ବୋଲି ଗୋଟାଏ ହାତୀ ମରିଥିଲା । କିନ୍ତୁ ତୁମେ ଦ୍ରୋଣଙ୍କୁ ଏହା କହି ତାଙ୍କ ପୁଅ ମରିଥିବାର ଭ୍ରମ ଧାରଣ ଜନ୍ମାଇଥିଲ ଓ ତୁମର ସେହି ମନ୍ଦ ଉଦ୍ଦେଶ୍ୟ ଥିଲା ।’’ ଯୁଧିଷ୍ଠିର ନିଜର ପାପ ଜାଣିପାରିଲେ ।

 

ଧର୍ମଦେବ ଯୁଧିଷ୍ଠିରଙ୍କୁ ନେଇ ସ୍ୱର୍ଗର ମନ୍ଦାକିନୀରେ ସ୍ନାନ କରାଇଲେ ।। ତାଙ୍କର ମନୁଷ୍ୟ ଶରୀରରେ ପରିଣତ ହୋଇଗଲା । ତାଙ୍କର ମନରୁ ଶୋକ, ରାଗ, କ୍ରୋଧ, ହିଂସା ପ୍ରଭୃତି ଉଭେଇ ଗଲା । ସେ ଦେବତାମାନଙ୍କ ସହିତ ଯାଇ ନିଜର ଭାଇ, ବନ୍ଧୁ, କୁଟୁମ୍ବ, ଦୁର୍ଯ୍ୟୋଧନ, ଦୁଃଶାସନ ପ୍ରଭୃତିଙ୍କୁ ଦେଖିଲେ । ସମସ୍ତଙ୍କ ଦେହ ଅପୂର୍ବ ତେଜରେ ଝଟକୁଛି । ଦ୍ରୌପଦୀ ମଧ୍ୟ ଦେବୀମାନଙ୍କ ମେଳରେ ଅଛନ୍ତି । ଶ୍ରୀକୃଷ୍ଣ, ବଳରାମ ପ୍ରଭୃତି ଯଦୁବୀରମାନେ ଦେବତାମାନଙ୍କ ମଧ୍ୟରେ ରହିଅଛନ୍ତି । ଧୃତରାଷ୍ଟ୍ର, କୁନ୍ତୀ, ଗାନ୍ଧାରୀ ସ୍ୱର୍ଗର ବିଭିନ୍ନ ସ୍ଥାନ ମଣ୍ତନ କରିଅଛନ୍ତି । ଏମାନଙ୍କୁ ଦେଖି ଯୁଧିଷ୍ଠିର ମହାଆନନ୍ଦରେ ଏମାନଙ୍କ ସଙ୍ଗେ ସ୍ୱର୍ଗସୁଖ ଭୋଗ କଲେ ।

Image